ଉଭୟ ଜବାନ ଓ କିଷାନର ମିଳିତ ରୂପ ଜଗଦୀପ

Spread the love

() ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରଥମ ଥର ରାଜ୍ୟସଭା ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି। ତେବେ ତାଙ୍କୁ ସଂସଦକୁ ସ୍ୱାଗତ କରିବା ସହ ତାଙ୍କର ଉଭୟ ସଂସଦୀୟ ଓ ସାଧାରଣ ଜୀବନଶୈଳୀରେ ଥିବା ଅଭିଜ୍ଞତାକୁ ପୁଞ୍ଜି କରି ଗୃହକୁ ସୁପରିଚାଳନା ସହ କାହାପ୍ରତି ପାତରଅନ୍ତର ନୀତି ଯେଭଳି ନ ହୁଏ, ସେଥିଲାଗି ଅନେକ ସଭ୍ୟ ଅଭିନନ୍ଦନଜ୍ଞାପନ ଛଳରେ ଅନୁରୋଧ କରିଥିଲେ।

ରାଜ୍ୟସଭା ଅଧ୍ୟକ୍ଷ ଭାବେ ସଂସଦକୁ ପ୍ରବେଶ ବେଳେ ସ୍ୱାଗତ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଓ ରାଜ୍ୟସଭାର ନେତା ମନ୍ତ୍ରୀ ପିୟୁଷ ଗୋଏଲ। ସଂସଦର ଉଚ୍ଚ ସଦନକୁ ଅଧ୍ୟକ୍ଷତା କରିବାକୁ ଆସନରେ ବସିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସିଦ୍ଧି କେବଳ ସାଧନରେ ନୁହେଁ, ବରଂ ସାଧନାରେ ମିଳେ। ଜଗଦୀପଙ୍କଠାରେ ଉଭୟ ଜବାନ ଓ କିଷାନର ମିଳିତ ରୂପ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବତନ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ଯେଭଳି ଶବ୍ଦରଚନାରେ ଗୃହକୁ ପ୍ରସନ୍ନ କରୁଥିଲେ, ଅନୁରୂପ ଭାବେ ଜଗଦୀପ ବି ନିଜର ନିଆରା ଅନ୍ଦାଜରେ ଗୃହକୁ ସଠିକ୍ ଢଙ୍ଗରେ ପରିଚାଳିତ କରିବେ। ଆସନର ଗାରିମା ସହ ଗୃହର ମର୍ଯ୍ୟାଦା ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ବି ଚେତାଇ ଦେଇଛନ୍ତି ମୋଦି। ମହାମହିମ ଦ୍ରୌପଦୀ ମୁର୍ମୁ ଯେଭଳି ଆଦିବାସୀ ପରମ୍ପରାର ପ୍ରତୀକ ସାଜି ଭାରତର ଗୌରବ ବଜାୟ ରଖିଛନ୍ତି, ଅନୁରୂପ ଜଗଦୀପ ଚାଷୀର ପୁଅ ହୋଇ ଏହି ଗୌରବରଥକୁ ଆଗକୁ ନେବେ।

ସେପଟେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଜଗଦୀପଙ୍କୁ ସଂସଦକୁ ସ୍ୱାଗତ କରିବା ସହ ଏହି ଆସନରେ ବସୁଥିବା ବ୍ୟକ୍ତିଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ବି ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟସଭାର ସଂରକ୍ଷକ କହି ଜଗଦୀପଙ୍କୁ ଭୂମିପୁତ୍ର ବୋଲି ସମ୍ୱୋଧନ କରିଛନ୍ତି ଖଡଗେ। ସଂଖ୍ୟାବଳରେ କମ୍ ଥିବାରୁ ବିରୋଧୀଙ୍କୁ ଅଣଦେଖା, ବିନା ଆଲୋଚନାରେ ବିଲ୍ ପାରିତ, ଜନତାର ସମସ୍ୟାକୁ ସମାଧାନ କରିବା ବଦଳରେ ବର୍ଷକୁ ଶହେ ଦିନରୁ ଅଧିକ ଚାଲୁଥିବା ଗୃହ ଏବେ ମାତ୍ର ୬୦ରୁ ୭୦ ଦିନ ଭିତରେ ବନ୍ଦ କରିଦେବାର ପରମ୍ପରା ଲୋକତନ୍ତ୍ରକୁ ଉପହାସ କରୁଛି। ଏହାକୁ ଲଗାମ ଲଗାଇବା ଆବଶ୍ୟକ ବୋଲି ଅନୁରୋଧ କରିଥିଲେ ଅଧ୍ୟକ୍ଷଙ୍କୁ ଖଡଗେ।

ଜଗଦୀପଙ୍କ ଭଳି ଅଭିଜ୍ଞ ବ୍ୟକ୍ତିତ୍ୱ କିଭଳି ଗୃହକୁ ସଠିକ୍ ପରିଚାଳନା କରିବେ, ତାହା ସମୟ କହିବ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *