ପ୍ରଧାନମନ୍ତ୍ରୀ କଲ୍ କରିଥିଲେ କିନ୍ତୁ ମୁଁ କଥା ହୋଇନଥିଲି : ଭିନେଶ

ପୂର୍ବତନ ଭାରତୀୟ ରେସଲର ଭିନେଶ ଫୋଗାଟ ଅବସର ଘୋଷଣା କରିବା ପରେ ଏବେ ରାଜନୀତି ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ହେବା ପରେ ସେ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲେ । ବହୁ ନ୍ୟାୟିକ ଲଢ଼େଇ ପରେ ବି ତାଙ୍କୁ ଫାଇନାଲ୍ରେ ଖେଳିବାକୁ ସୁଯୋଗ ମିଳିନଥିଲା ।ଏପରିକି ରୌପ୍ୟ ପଦକ ପାଇବାରୁ ବଞ୍ଚିତ ହୋଇଥିଲେ ଭିନେଶ ଫୋଗାଟ । ଏବେ କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଭିନେଶ ଫୋଗାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି ।

ସେ କହିଛନ୍ତି ଯେ , ଅଲିମ୍ପିକ୍ସରେ ବିଫଳତା ପରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କଲ ଆସିଥିଲା । କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇନଥିଲେ । କାରଣ ସେତେବେଳେ ତାଙ୍କର ଭାବାବେଗ ଏବଂ ପ୍ରଚେଷ୍ଟା ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାନଯାଉ ବୋଲି ବିଚାର କରିଥିଲେ ଭିନେଶ । ସେ ଆହୁରି କହିଛନ୍ତି ଯେ, ‘ସେ (ନରେନ୍ଦ୍ର ମୋଦୀ) ମୋତେ ସିଧାସଳଖ କଲ କରିନଥିଲେ । ସେଠାରେ ଥିବା ଭାରତୀୟ ଅଧିକାରୀ ମୋଦୀ କଥା ହେବାକୁ ଚାହୁଁଛନ୍ତି ବୋଲି ମୋତେ ଜଣାଇଥିଲେ । ମୁଁ ରାଜି ହୋଇଯାଇଥିଲି । କିନ୍ତୁ ସେମାନେ ସର୍ତ୍ତ ରଖିଥିଲେ । ମୋତେ କୁହାଗଲା, ମୋ ପକ୍ଷରୁ କେହି ଉପସ୍ଥିତ ରହିବେ ନାହିଁ । ସୋସିଆଲ ମିଡିଆରେ ଶେୟାର ଲାଗି ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୋର ଭିଡିଓ ସହ ମୋ କଲ ରେକର୍ଡ କରିବାକୁ ଦୁଇ ଅଧିକାରୀ ଉପସ୍ଥିତ ରହିବେ ।’

ଅଲିମ୍ପିଆନ୍ ଭିନେଶ ଫୋଗାଟ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏନେଇ ଦାବି କରିଛନ୍ତି । ଭିନେଶ ଫୋଗାଟ କହିଛନ୍ତି, ମୁଁ ଚାହୁଁନଥିଲି ମୋର ଭାବାବେଗ ଏବଂ କଠିନ ପରିଶ୍ରମ ସୋସିଆଲ ମିଡିଆରେ ଉପହାସର ଖୋରାକ ହେଉ । ତେବେ ରେକର୍ଡିଂ ବିନା ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ କଲ ମିଳିଥିଲେ ତାହା ପ୍ରଶଂସାଯୋଗ୍ୟହୋଇଥାନ୍ତା ବୋଲି ସେ କହିଛନ୍ତି । ସାକ୍ଷାତକାରରେ ଭିନେଶ ଫୋଗାଟ କହିଛନ୍ତି, ‘ଯଦି ସେ ପ୍ରକୃତରେ ଆଥଲେଟଙ୍କ ପ୍ରତି ଯତ୍ନବାନ, ତେବେ ରେକର୍ଡ ନକରି ମୋତେ କଲ କରିପାରିଥାନ୍ତେ । ଏଥିପାଇଁ ମୁଁ ତାଙ୍କ ପାଖରେ ଚିର ଋଣୀ ରହିଥାନ୍ତି ।’

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *