ସଙ୍କଟର ମୁକାବିଲା କରିପାରିବେ ତ ହେମନ୍ତ?

Spread the love

() ଅଫିସ ଅଫ ପ୍ରଫିଟ୍ ବିବାଦରେ ଫସିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଅଭିଯୋଗର ତଦନ୍ତ ପରେ ହେମନ୍ତଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ନିର୍ବାଚନ କମିଶନ ରାଜ୍ୟପାଳଙ୍କୁ ସୁପାରିଶ ପରେ ଏବେ ଝାଡ଼ଖଣ୍ଡ ରାଜନୀତିରେ ହଇଚଇ ଖେଳିଯାଇଛି। ସେପଟେ ଏହାକୁ ନେଇ ସୋରେନ ସରକାର ସଙ୍କଟରେ ପଡ଼ିବାକୁ ଥିଲା ବେଳେ ଏହାକୁ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ଡାକିଥିଲେ ଜରୁରୀକାଳୀନ ବିଧାୟକଦଳର ବୈଠକ।

ଲାଭକାରୀ ପଦ ଅଭିଯୋଗର ତଦନ୍ତ ପରେ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଏଭଳି ମର୍ମରେ ସଦସ୍ୟତା ରଦ୍ଦ ଲାଗି ସୁପାରିଶ କରିଛନ୍ତି ନିର୍ବାଚନ କମିଶନ। ଜନ ପ୍ରତିନିଧି ଆଇନ ଉଲ୍ଲଂଘନ କରି ସୋରେନ ନିଜକୁ ମାଇନିଂ ଲିଜ୍ ଦେଇଥିବା ଅଭିଯୋଗ ହୋଇଥିଲା। ଶାସକ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ଲାଗି ଏହି ସୁପାରିଶ ଏବେ ବିପଦ ଟାଣିଆଣିଛି। ସାମ୍ୱିଧାନିକ ସଂସ୍ଥାଗୁଡ଼ିକର ଘୋର ଅପବ୍ୟବହାର ହେଉଥିବା ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ସୋରେନ୍। ବିଜେପି କଥାରେ ଇସିଆଇ ପରିଚାଳିତ ହେଉଥିବା ଭଳି ସଙ୍ଗୀନ ଆରୋପ ବି ଲଦିଛନ୍ତି ସୋରେନ୍। ସୋରେନଙ୍କ ବିଧାନସଭା ସଦସ୍ୟତା ଚାଲିଗଲେ, ମେଣ୍ଟ ସରକାର ଉପରେ ଯେଭଳି କୌଣସି ବିପତ୍ତି ନ ପଡ଼େ ଓ ବିଜେପି ଏହାର ଫାଇଦା ଯେଭଳି ନ ନେବ। ସେଥିଲାଗି ମୁଖ୍ୟମନ୍ତ୍ରୀ ସୋରେନ ଉପା ବିଧାୟକ ଦଳର ଜରୁରୀକାଳୀନ ବୈଠକ ଡାକିଥିଲେ। ଜେଏମଏମ ନେତା ଦମ୍ଭୋକ୍ତି ବାଢ଼ିଛନ୍ତି ଯେ, ସେମାନଙ୍କ ପାଖରେ ୫୦ରୁ ଅଧିକ ବିଧାୟକ ଅଛନ୍ତି। ଅନେକ ବିଜେପି ନେତା ବି ସେମାନଙ୍କ ଯୋଗାଯୋଗରେ ଅଛନ୍ତି। ମେଣ୍ଟ ସରକାରକୁ କୌଣସି ବିପଦ ନାହିଁ। ଯେତେବେଳେ ରାଜ୍ୟପାଳ କହିବେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ, ଆମେ ପ୍ରମାଣ ଦେବାକୁ ପ୍ରସ୍ତୁତ। କଂଗ୍ରେସ କହିଛି, ସବୁ ଠିକଠାକ୍ ଅଛି। ମେଣ୍ଟ ସରକାର ପାଖରେ ସଂଖ୍ୟାଗରିଷ୍ଠତା ଅଛି। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯାହା ନିର୍ଦେଶ ଦେବେ, ତାକୁ ଅନୁପାଳନ କରାଯିବ।

ସେପଟେ ଏଭଳି ରାଜନୀତିକ ହଟଚମଟ ଜାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସ୍ପଷ୍ଟ କରିଛି କି, ରାଜ୍ୟପାଳ କି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା ସନ୍ଦର୍ଭରେ କୌଣସି ଚିଠି ମିଳିନି। ସେପଟେ କିନ୍ତୁ ନିର୍ବାଚନ କମିଶନଙ୍କଠୁ ଜଉମୁଦ ଲଫାଫାରେ ଆସିଥିବା ସୁପାରିଶ ପତ୍ରକୁ ରାଜ୍ୟପାଳ ଅନୁଧ୍ୟାନ କରୁଥିବା କଥାର ବି ଚର୍ଚ୍ଚା ହେଉଛି। ହେମନ୍ତଙ୍କ ଉପରକୁ ବିପଦ ପଡ଼ିଥିଲା ବେଳେ ତାଙ୍କ ଘର ଆଗରେ ସମର୍ଥକଙ୍କ ପ୍ରବଳ ଭିଡ଼ ଲାଗିଛି। ସମର୍ଥକଙ୍କ ସହ ପୁଲିସ କର୍ମଚାରୀ ବି ସୋରେନଙ୍କ ସମର୍ଥନରେ ନାରାବାଜି କରୁଥିବାର ଭିଡିଓ ପଦାକୁ ଆସିଛି। ଆଉ ଏହି ଭିଡିଓକୁ ସେୟାର କରି ସୋରେନ୍ ଲେଖିଛନ୍ତି କି, ସାମ୍ୱିଧାନିକ ସଂସ୍ଥାକୁ ସିନା କିଣିନେଲ। ଜନ ସମର୍ଥନକୁ କେମିତି କିଣିବ। ଝାଡ଼ଖଣ୍ଡର ହଜାର ହଜାର ପରିଶ୍ରମୀ ପୁଲିସ କର୍ମଚାରୀଙ୍କ ଏହି ସ୍ନେହ ଓ ଏଠାକାର ଜନତାଙ୍କ ସମର୍ଥନ ହିଁ ମୋର ତାକତ୍। ଜୟ ଝାଡ଼ଖଣ୍ଡ।

ନିର୍ବାଚନ ଆୟୋଗଙ୍କ ସୁପାରିଶ, ରାଜ୍ୟପାଳଙ୍କ ଅନୁଧ୍ୟାନ, ଏଭଳି କୌଣସି ବାର୍ତ୍ତା ପାଇନଥିବା କଥା ସିଏମଓର ସ୍ପଷ୍ଟିକରଣ ଭିତରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଟ୍ୱିଟ୍ ଓ ବୟାନ ରାଜନୀତି ପାଣିପାଗକୁ ସରଗରମ କରିଦେଇଥିଲା। ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଉ ବୋଲି କୁଆଡ଼େ ପଦ୍ମ ଦଳ ଚାହୁଁଛି। ୨୪ ତାରିଖରେ ସୋରେନଙ୍କ ଖାସ୍ ଅନୁଗତ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରେମପ୍ରକାଶ ଓରଫ୍ ପିପିଙ୍କ ଅଫିସ ସମେତ ରାଞ୍ଚିର ୧୨ ଓ ଝାଡ଼ଖଣ୍ଡରେ ମୋଟ୍ ୧୮ଟି ଜାଗାରେ ରେଡ୍ ହୋଇଥିଲା। ମନରେଗା ଘୋଟାଲା ଓ ଅବୈଧ ଖନନରେ ଆର୍ଥିକ ଅନିୟମିତତା ଆଧାରରେ ପ୍ରେମପ୍ରକାଶଙ୍କ ନାଁ ଆଗକୁ ଆସିଥିଲା। ପ୍ରେମପ୍ରକାଶଙ୍କୁ ଗିରଫ କରିଛି ଇଡି। ତେବେ ଏହି ରେଡ୍ ଜାରି ବେଳେ ବି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏକ ଟ୍ୱିଟ୍ ଘଟଣାକୁ ରାଜନୈତିକ ମୋଡ ଦେଇଥିଲା। ନିଶିକାନ୍ତ କହିଛନ୍ତି କି, ଝାଡ଼ଖଣ୍ଡରେ ଦଲାଲିଙ୍କ ସର୍ଦ୍ଦାର ପ୍ରେମପ୍ରକାଶଙ୍କ ୨୦ଟି ଠିକଣାରେ ଇଡି ରେଡ୍ କରିଛି। ସରକାରୀ ସୂତ୍ରରୁ ଖବର ନେଇ ସ୍ପଷ୍ଟ କରୁଛି କି, ଯାହା କହିଥିଲି ତାହା ଫଳିବ। ଏ ସରକାରର ଅବଧି ଅଗଷ୍ଟ ପାର୍ କରିପାରିବନି।

ରାଞ୍ଚିରେ ହେମନ୍ତ ସୋରେନଙ୍କ ଏହି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ ନେଇ ଆଜି ଦିନ ତମାମ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ଥିଲା ଯେମିତି।

ପ୍ରେମଲତା ବାରିକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *