ଭାଙ୍ଗିବ ନା ଜାରି ରହିବ ହିମାଚଳ ମତଦାନ ଟ୍ରେଣ୍ଡ

Spread the love

() ହିମାଚଳପ୍ରଦେଶର ୬୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ୫୫ ଲକ୍ଷରୁ ଅଧିକ ଭୋଟର ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ପ୍ରତି ୫ ବର୍ଷରେ ଥରେ ହିମାଚଳରେ କ୍ଷମତା ବଦଳିବାର ଟ୍ରେଣ୍ଡ୍ ଜାରି ରହିଆସିଛି। ଏଥର ଏହି ପରମ୍ପରା ଭାଙ୍ଗିବ ନା ପୂର୍ବବତ୍ ଜାରି ରହିବ, ତା ଉପରେ ସମସ୍ତଙ୍କ ନଜର । ପ୍ରଧାନମନ୍ତ୍ରୀ ମୋଦି ନିଜେ ହିମାଚଳରେ ପ୍ରଚାର ମଙ୍ଗ ଧରିଥିବାରୁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱବହନ କରୁଛି।

ହିମାଚଳପ୍ରଦେଶ ଭୋଟର ବେଶ୍ ସଚେତନ। ସେଥିଲାଗି ତ ପ୍ରତି ୫ ବର୍ଷରେ ସରକାରକୁ ବଦଳାନ୍ତି। ହେଲେ ଏଥର ଏହି ପରମ୍ପରାକୁ ବଦଳାଇବାକୁ ସବୁ ଶକ୍ତି ଲଗାଇଦେଇଛି ଶାସକ ବିଜେପି। ଦେବଭୂମି ହିମାଚଳପ୍ରଦେଶରେ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରି ହିମାଚଳର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସମୃଦ୍ଧ, ଆତ୍ମନିର୍ଭର ଓ ବିକଶିତ ହିମାଚଳପ୍ରଦେଶ ପାଇଁ ପଦ୍ମକୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ମୋଦି। ଲୋକତନ୍ତ୍ରର ମହାପର୍ବରେ ନିଜର ଭାଗିଦାରୀକୁ ସୁନିଶ୍ଚିତ କରିବାକୁ ନିଜ ମନ ଓ ବିବେକର ଉପଯୋଗ କରି ଡବଲ ଇଞ୍ଜିନ ସରକାରକୁ ମତଦାନ କରିବାକୁ ନିବେଦନ କରିଥିଲେ ଅନେକ ବିଜେପି ନେତା।

ସୁଶାସନ, ବିକାଶ ଓ ଜନକଲ୍ୟାଣର ଅନେକ କାମ ହୋଇଥିବା ହେତୁ ହିମାଚଳ ଭୋଟର ପୁଣି ବିଜେପି ଉପରେ ଆସ୍ଥା ପ୍ରକଟ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର। ହିମାଚଳରେ ପ୍ରଧାନମନ୍ତ୍ରୀ, ନଡ୍ଡା, ଶାହା, ଯୋଗୀ ଆଦିତ୍ୟନାଥଙ୍କ ଭଳି ବହୁ ହେଭିଓ୍ୱେଟ୍ ନିର୍ବାଚନ ପ୍ରଚାର କରିଥିଲେ। କଂଗ୍ରେସ ମିଛ ପ୍ରତିଶୃତି ଦେବାରେ ଅଭ୍ୟସ୍ତ ଓ ହିମାଚଳ ଭୋଟର ଏହାକୁ ଚିହ୍ନିସାରିଲେଣି। ସେଥିଲାଗି ପୁଣି ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଅନୁରାର ଠାକୁର। କ୍ଷମତାକୁ ପୁଣି ଫେରିଲେ ୟୁନିଫର୍ମ ସିଭିଲ କୋଡ୍, ୮ ଲକ୍ଷ ନିଯୁକ୍ତି, ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ କଥା ଦେଇଛି ବିଜେପି।

ସେପଟେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଜୋରଦାର ପ୍ରଚାର କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି, ହିମାଚଳର ସମୃଦ୍ଧ ଭବିଷ୍ୟତ ଲାଗି କଂଗ୍ରେସ ଉପରେ ଆସ୍ଥାପ୍ରକଟ କରିବେ ଭୋଟର। କ୍ଷମତାକୁ ଫେରିଲେ ପୁରୁଣା ପେନସନ ସ୍କିମ୍, ୧ ଲକ୍ଷ  ସରକାରୀ ଚାକିରି, ହର୍ ଘର୍ ଲକ୍ଷ୍ମୀ ଅର୍ଥାତ୍ ୧୮ରୁ ୬୦ ବର୍ଷ ବର୍ଗ ଭିତରେ ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ଓ ୩ଶହ ୟୁନିଟ୍ ଯାଏ ମାଗଣା ବିଜୁଳି ସେବା ଭଳି ୧୦ଟି ଗ୍ୟାରେଣ୍ଟି ଦେଇଛି କଂଗ୍ରେସ। ଆଉ ଏହା ଲାଗି ଭୋଟର ହାତକୁ ସମର୍ଥନ କରିବେ ବୋଲି ଆଶାବାଦୀ। ୪୦ରୁ ୪୫ ଆସନରେ କଂଗ୍ରେସ ଜିତିବ ବୋଲି ବିଶ୍ୱାସ ରଖିଛି।

ଚଳିତ ଥର ପ୍ରଥମ ଥର ଆମ୍ ଆଦମୀ ଦଳ ହିମାଚଳ ମୈଦାନରେ ଏଣ୍ଟ୍ରି ମାରିଛି। ଆମ୍ ଆଦମୀ ଦଳ କିଛି କରିସ୍ମା କରିବା ଅପେକ୍ଷାରେ ରହିଛି। ସମସ୍ତ ୬୮ଟି ଯାକ ଆସନରେ ପ୍ରତିଦ୍ୱନ୍ଦିତା କରୁଛି ଆପ୍। ୧୯୮୨ରୁ ଆଜିଯାଏ ପ୍ରତି ୫ ବର୍ଷରେ କ୍ଷମତା ବଦଳାଇ ଆସୁଛନ୍ତି ହିମାଚଳ ଭୋଟର। ଏଥର ଏହି ପରମ୍ପରା ଅବ୍ୟାହତ ରହିବ ନା ଭାଙ୍ଗିବ, ତାକୁ ନେଇ ଉତ୍ସୁକତା ଲାଗିରହିଛି। ବିଜେପି, କଂଗ୍ରେସ, ଆପ୍ ବ୍ୟତୀତ ମୈଦାନରେ ବିଏସପି, ସିପଆଇଏମ୍, ସିପିଆଇ ଓ ରାଷ୍ଟ୍ରୀୟ ଦେବଭୂମି ପାର୍ଟି ଆଦି ଓହ୍ଲାଇଛନ୍ତି।

ଏଥର ହିମାଚଳରେ କ୍ଷମତାକୁ ନେଇ ପରମ୍ପରା ବଜାୟ ରହିବ ନା ଭାଙ୍ଗିବ, ତାକୁ ନେଇ ଉଣା ଅଧିକେ ଉତ୍ସୁକତା ଲାଗିରହିଥିଲା ବେଳେ ଡିସେମ୍ୱର ୮ ଏହି ପ୍ରଶ୍ନର ଉତ୍ତର ଦେବ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *