ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ

ଗରୀବ ଓ ଅସହାୟଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି ମାଳମାଳ ଯୋଜନା। ହେଲେ ଏହି ସବୁ ଯୋଜନା ଅନେକଙ୍କ ପାଇଁ ଏବେ ବି ପାଲଟିଛି ସାତ ସପନ। ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ। ଆବାସ ଯୋଜନାରେ ସାମିଲ ପାଇଁ ସରପଞ୍ଚ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେବା ବ୍ୟତିତ ଯେମିତି ଆଉ କିଛି ବାଟ ନାହିଁ। କିଏ ବା ଶୁଣିବ ଅସହାୟ ମହିଳାଙ୍କ ଦୁଃଖ।  ଖରା, ବର୍ଷା, ଶୀତ କାକରରେ ସାହା ଭରଷା ପାଲିଟିଛି ଭଙ୍ଗା ଦଦରା ମାଟି ଘର। ବିପଦ ସଂକୁଳ ମାଟି ଦଦରା କାନ୍ଥ ସାଙ୍ଗକୁ କାନ୍ଥର ଚାରି ପଟରେ ଆବରଣ ହୋଇଛି ଜରି ପାଲ।  ଘର ଭିତରର ଚତୁର୍ପାଶ୍ୱ ଯେଭଳି ଫାଟି ଆଁ କରିଛି। ଘରର ଜିନିଷ ପତ୍ର କହିଲେ କଂସା ବାସନ ଦି ଖଣ୍ଡ ଆଉ ଲୁଗାପଟା ଛଡା ଆଉ କିଛି ନାହିଁ। ଘର କାନ୍ଥ ବିପଦ ସଂକୁଳ ଥିବା ବେଳେ କେତେବେଳେ ଯେ ଭାଙ୍ଗି ଗଳି ପଡିବ ତାହା ଜଣା ନାହିଁ।  ଏଭଳି ଅବସ୍ଥାରେ ଏହିଠାରେ ବସବାସ କରନ୍ତି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ନିଧି ଗାଁର ଅସହାୟ ମହିଳା କୁମୁଦୁନି। ଦୀର୍ଘ ୧୦ ବର୍ଷ ତଳେ ସ୍ୱାମୀ ଦୂରଦିନ ବେହେରା ଜ୍ୱରରେ ପଡିଲେ, ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସ୍ୱାମୀକୁ ଭଲ କରିପାରିଲେନାହିଁ।  

ଶେଷରେ ଆର୍ଥିକ ସଂକଟ ପାଇଁ ମୃତ୍ୟୁ ବରଣ କଲେ ଦୂରଦିନ। ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ପରିବାର ପ୍ରତିପୋଷଣ ପାଇଁ ଜଙ୍ଗଲରୁ ଶାଳ ପତ୍ର ଆଣି ବିକ୍ରି କରି ଯାହା ପଇସା ମିଳେ ସେଥିରେ ଚଳିବା କଷ୍ଟକର ହୋଇପଡେ। ଆଉ ବର୍ଷା ଦିନ ଆସିଲେ ଜଙ୍ଗଲ କୁ ଯାଇ ପତ୍ର ତୋଳିବା ମୁସ୍କିଲ ହୋଇଥାଏ। ଫଳରେ ଘର ଚଳାଇବା କାଠିକର ହୋଇପଡେ। ଅନ୍ୟପଟେ ବିପଦ ସଂକୁଳ ଘର ଭାଙ୍ଗିଯିବା ଚିନ୍ତାରେ କୁମୁଦୁନୀ। ଏନେଇ ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ବ୍ଲକ କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ ବି ସମସ୍ତେ ଯେମିତି ଏହି ଅସହାୟ ମହିଳାଙ୍କ କଥା ଶୁଣିବାକୁ ବଧିର ପାଲଟିଯାଇଛନ୍ତି।

ବିଜେଡି ସରକାର ଥିବାବେଳେ ସତେ ଯେପରି ତେଲିଆ ମୁଣ୍ଡରେ ତେଲ ଦେଲା ଭଳି ବଡ଼ ବଡିଆକୁ ଘର ମିଳିଥିବା ବେଳେ, ଅସହାୟ ଆଉ ଯୋଗ୍ୟ ହିତାଧିକାରୀଙ୍କ  ପାଇଁ ଆବାସ ପାଲିଟିଛି ସାତ ସପନ। ତେବେ କୁମୁଦୁନୀଙ୍କ ସମସ୍ୟା ନେଇ ରାସଗୋବିନ୍ଦପୁର ବ୍ଲକ ଅତିରିକ୍ତ ବିଡ଼ିଓଙ୍କ ସହ ଯୋଗାଯୋଗ କରାଯାଇଥିଲା। ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବା ସହିତ ଅନ୍ୟାନ୍ୟ ସରକାରୀ ସୁବିଧାରେ ସାମିଲ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ବିଡ଼ିଓ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *