ଗୁଣି ଗାରେଡି ସନ୍ଦେହରେ ହତ୍ୟା । ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁସୁମପୁର ଗାଁରୁ । ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନାଅନୁଯାୟୀ କରୁଣାକର ଦଳାଇ ପାଖାପାଖି ୮ ମାସ ହେବ କୁସୁମପୁର ଗାଁରେ ରହି ଆସୁଥିଲେ । ଗାଁରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । କୁସୁମପୁର ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅ ମୃତ୍ୟୁ ବରଣ କରିଥିଲା । ଏଥିପାଇଁ ଗାଁ ଲୋକେ କରୁଣାକର ହିଁ ଗୁଣି କରି ମାରିଦେଇଥିବା ସନ୍ଦେହ କରୁଥିଲେ । ଯାହାକୁ ନେଇ ଗତ ଜୁଲାଇ ୨୮ ତାରିଖରେ କିଛି ଗାଁ ଲୋକେ ଅଙ୍ଗନାୱାଡି କେନ୍ଦ୍ରରେ କରୁଣାକର ଙ୍କୁ ତିନି ଦିନ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ପ୍ରବଳ ମାଡ଼ ମାରି କରୁଣାକରଙ୍କୁ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ପରିବାର ଲୋକେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ପରେ ମୋହନା ପୋଲିସ କୁସୁମପୁର ଗାଁରେ ପହଞ୍ଚି ତନାଘନା କରି ୮ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଦିନ ୧୧ ରୁ ୧୨ ଟା ମଧ୍ୟରେ ସାଇଣ୍ଟିଫିକ୍ ଟିମ୍ ସହିତ ପୋଲିସ୍ ପହଞ୍ଚି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ମାଟି ଖୋଳି ଶବ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now