ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ- କେଁ ପୁରାଇଲେ ଆଇଜିଆର!

ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ପୁଣି କେଁ ପଶିଲା। ୨୦୧୭ ପୂର୍ବରୁ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର  ବା ଓସି ହାସଲ କରିଥିବା ଆପାର୍ଟମେଣ୍ଟଗୁଡିକୁ ପଞ୍ଜୀକୃତ କରାଯିବ। ନଗର ଉନ୍ନୟନ ବିଭାଗ ଏ ନେଇ ବିଜ୍ଞପ୍ତି ଜାରି ପରେ ଫ୍ଲାଟ୍ କିଣାବିକା ଲାଗି ବାଟ ଫିଟିଥିଲା। ରାଜସ୍ୱ ବିଭାଗ ବି ଏ ସନ୍ଦର୍ଭରେ ସମସ୍ତ ସବ-ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିସାରିଛି। ତା ସତ୍ତ୍ୱେ ଆଇଜିଆର ଏଥିରେ ନୂଆ କେଁ ପୁରାଇଛନ୍ତି। କ୍ରେତାଙ୍କୁ ଡବଲ ଖର୍ଚ୍ଚାନ୍ତରେ ପକାଇଲେଣି। ସ୍ପଷ୍ଟିକରଣ ଆଳରେ କିଣାବିକାରେ ପୁରାଇଛନ୍ତି ଦ୍ୱନ୍ଦ୍ୱ। ଯେଉଁମାନେ ୨୦୧୬ରେ ପ୍ଲାନ୍ ନେଇ ଆପାର୍ଟମେଣ୍ଟ କରିଛନ୍ତି। କିନ୍ତୁ ରେରା ଆସିବା ପରେ ଆଉ ଓସି ପାଇପାରୁନାହାନ୍ତି। ସେମାନେ ଉଭୟ ଆଇନ ମଝିରେ ଫସିରହିଛନ୍ତି। କ୍ରେତା ଥରେ ଫ୍ଲାଟ୍ କିଣିବ ଓ ପରେ କମନ୍ ଏରିଆ କିଣିବ। ଏଭଳି ଦୁଇ ଦୁଇ ଥର ପଞ୍ଜୀକରଣ ଲାଗି କ୍ରେତା ଖର୍ଚ୍ଚାନ୍ତ ହେବ। ଯାହାକୁ ନେଇ ଆଲଟି ଆସୋସିଏସନ ବିରୋଧ କରିଛି। ଏହା ଉପରେ ସରକାର ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଏ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟତା ଆସିବ। ରେଜିଷ୍ଟ୍ରେସନ ଫି ଦୁଇ ଥର ନ ହୋଇ ଥରେ ହେବ। ଏହା କେଉଁସ୍ତରରେ ହେବ ପରୀକ୍ଷା କରାଯାଉଛି। ଦୀର୍ଘ ବର୍ଷ ଧରି ଅରାଜକତା ଚାଲିଥିଲା। ବିଭାଗ ବିଭାଗ ଭିତରେ ସମନ୍ୱୟ ଅଭାବରୁ ଅଭାବନୀୟ ପରିସ୍ଥିତି ଥିଲା।

୨୦୨୩ ଜୁନ୍ ୨୮ରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ଆସିଥିଲା। ଏହି ନିୟମ ଅନୁସାରେ ଫ୍ଲାଟ୍ ମାଲିକ ସଂଘ ନାଁରେ ଆପାର୍ଟମେଣ୍ଟର କମନ ଏରିଆ, ଖେଳ ପଡ଼ିଆ ଆଦି ପଞ୍ଜୀକୃତ ହେଉଥିଲା। ପରେ ଏହି ସାଧାରଣ ସ୍ଥାନକୁ ଫ୍ଲାଟ୍ ମାଲିକ ସଂଘ ବ୍ୟବହାର ଓ ନିୟନ୍ତ୍ରଣ କରୁଥିଲା। ଏହି ନିୟମ ଅନୁସାରେ ହିଁ ଫ୍ଲାଟ୍ ମାଲିକ ନିଜ ନାଁରେ କମନ ଏରିଆକୁ ପଞ୍ଜୀକୃତ କରୁଛନ୍ତି। ଏହା ପରେ ଯାଇ ଓସି ମିଳୁଛି। ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ, ରେରା ଆସିବା ଆଗରୁ ଯେଉଁ ସବୁ ଆପାର୍ଟମେଣ୍ଟ ଚାଲିଥିଲା, ସେ ସବୁ ଉପରେ ପ୍ରତିବନ୍ଧକ ଲଗାଇବାର କୌଣସି କାରଣ ନଥିଲା। ରେରା ପରିଧି ଭିତରକୁ ହିଁ ଏ ସବୁ ଆପାର୍ଟମେଣ୍ଟକୁ ଆଣିବାର କୌଣସି ଯଥାର୍ଥତା ନଥିଲା। ଏମିତି କରି ଉଭୟ କ୍ରେତା ଓ ବିକ୍ରେତା ହଇରାଣ ହେଉଥିଲେ। ବିଲଡର କ୍ଷତି ସହୁଥିଲେ। ସରକାରଙ୍କର ବି ରାଜସ୍ୱ ହାନୀ ହେଉଥିଲା। ଓଡ଼ିଶା ବିକାଶ ଅଭିଯାନ ବି ଆରମ୍ଭରୁ ଆଇଜିଆରଙ୍କ ସ୍ପଷ୍ଟତାକୁ ନେଇ ସନ୍ଦେହ କରିଥିଲା। ରାଜସ୍ୱ ବିଭାଗର ଏମିତି ଅଧପନ୍ତରିଆ ନିର୍ଦେଶାନାମା ସବୁବେଳେ ଲୋକଙ୍କୁ ହନ୍ତସନ୍ତ କରିଆସୁଛି ବୋଲି ପ୍ରଶ୍ନବାଚୀ ଲଗାଇଥିଲା।

କୌଣସି ଦ୍ୱନ୍ଦ୍ୱ କି ପରେ ଅଡ଼ୁଆ ହେବନି ବୋଲି ତ ବହୁ ମାନସମନ୍ଥନ ପରେ ନଗର ଉନ୍ନୟନ ବିଭାଗ ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟିଲା କହି ରାଜସ୍ୱ ବିଭାଗକୁ ଅବଗତ କରାଇଥିଲା। ହେଲେ ଏବେ ଆଇଜିଆରଙ୍କ ଏଭଳି ଦ୍ୱନ୍ଦାତ୍ମକ ସ୍ଥିତିରୁ ଏବେ ରାଜସ୍ୱ ବିଭାଗ ସ୍ପଷ୍ଟିକରଣ ସକାଶେ ଆଇଜିଆରଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *