ଜିପିଏଲଏଫ କର୍ମୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ କମ୍ପିଲା ଗୃହ

ଲୋୟର ପିଏମଜିରେ ଗର୍ଜୁଛି ଜିପିଏଲଏଫ କର୍ମୀ ମହାସଂଘ। ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ୮ ମାସର ଦରମା ବନ୍ଦ ହୋଇଯାଇଛି। ମିଶନ ଶକ୍ତି ବିଭାଗ ସହ ଜଡ଼ିତ ମହିଳାଙ୍କ ଆନ୍ଦୋଳନରେ କମ୍ପୁଛି ଗାନ୍ଧୀମାର୍ଗ। କାହିଁକି ଏଯାଏ ସେମାନଙ୍କ ଚୁକ୍ତିନାମା ନବୀକରଣ ହେଉନି। ମିଶନ ଶକ୍ତି ବନ୍ଦ ହୋଇଯିବ କି। ଏମବିକେ, ସିଆରପି, ବ୍ୟାଙ୍କମିତ୍ରଙ୍କ ଭିତରେ ଏହି ଆଶଙ୍କା ବଢ଼ିଚାଲିଛି। ଦରମା ପାଉନଥିବାରୁ ଘୋର ଆର୍ଥିକ ସଂକଟରେ ଗତି କରୁଛନ୍ତି।

ସେପଟେ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଏ ପ୍ରସଙ୍ଗରେ ଏକାଠି ହୋଇ ବିରୋଧୀ ବିଜେଡି ଓ କଂଗ୍ରେସ ବାଚସ୍ପତିଙ୍କ ପୋଡିଅମ ତଳେ ହଟ୍ଟଗୋଳ କରିଥିଲେ। ମୋସନ ଜରିଆରେ ଆଲୋଚନା ଲାଗି ବିଜେଡି ଦାବି କରିବାରୁ ପ୍ରଶ୍ନକାଳ ଚାଲିପାରିନଥିଲା। ଶୂନ୍ୟକାଳରେ ଦଳମତ ନିର୍ବିଶେଷରେ ଜିପିଏଲଏଫ କର୍ମୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ କମ୍ପିଥିଲା ଗୃହ। ଆଉ ସେତିକି ଆରୋପ ପ୍ରତ୍ୟାରୋପ ବି ତେଜିଥିଲା। ଚୁକ୍ତି ସରିବା ପରେ କାହିଁକି ନବୀକରଣ କରାଯାଉନି। ମିଶନ ଶକ୍ତି ବନ୍ଦ ଲାଗି ସରକାର ଚକ୍ରାନ୍ତ କରୁଛନ୍ତି ବୋଲି କହିଛି ବିଜେଡି। ସୁଭଦ୍ରା ନାଁରେ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏ ସନ୍ଦର୍ଭରେ ଉଦେଶ୍ୟକୁ ସ୍ପଷ୍ଟ କରନ୍ତୁ। କଂଗ୍ରେସ କହିଛି, ମିଶନ ଶକ୍ତି ମହିଳାଙ୍କୁ ଦଳୀୟ ନିର୍ବାଚନ ସ୍ୱାର୍ଥରେ ଲଗାଇ ସେମାନଙ୍କୁ ସଶକ୍ତିକରଣ କରିବାକୁ ଭୁଲିଯାଇଥିଲେ ଅତୀତ ସରକାର। ଏହାର ଠିକଣା ଜବାବ ନିର୍ବାଚନରେ ପାଇସାରିଛି ବିଜେଡି। ବିଜେଡି ଯେଉଁ ଭୁଲ୍ କରିଛି, ସେ ଭୁଲକୁ ସୁଧାରି ବିଜେପି ସରକାର ଆନ୍ଦୋଳନରତ ମହିଳାଙ୍କ ସ୍ୱାର୍ଥ ଓ ସୁରକ୍ଷା କଥା ଚିନ୍ତାକରନ୍ତୁ। ଆନ୍ଦୋଳନସ୍ଥଳରେ ନା ପାଣି ନା ଶୌଚାଳୟର ସୁବିଧା ଅଛି। ଶାସକ ଦଳ କହିଛି, ମହିଳାମାନଙ୍କୁ ନିଜର ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି ବିଜେଡି। ମହିଳାଙ୍କୁ ମଝି ଦରିଆରେ ବିଜେଡି ବସାଇଦେଇଛି। ଏପ୍ରିଲରେ ନବୀକରଣ ସରୁଥିଲା ବେଳେ ନିର୍ବାଚନ ଢାଲ ଦେଖାଇ ତା ପୂର୍ବରୁ ସରକାର କାହିଁକି କଲେନି। କେଉଁ ମନ୍ଦ ଉଦ୍ଦେଶ୍ୟ ରଖିଥିଲେ ନବୀନ ସରକାର। ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ। ସୁଭଦ୍ରା ମହିଳା ସଶକ୍ତିକରଣର ପ୍ରମୁଖ ବ୍ରାଣ୍ଡ୍ ସାଜିଛି। ମହିଳାଙ୍କ ପ୍ରତି ସମ୍ୱେଦନ ଅଛନ୍ତି ମୋହନ ସରକାର।

ଆନ୍ଦୋଳନରତ ଜିପିଏଲଏଫ କର୍ମୀଙ୍କ ଲାଗି ଦଳମତ ନିର୍ବିଶେଷରେ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ। କିନ୍ତୁ କାହାର ଦୋଷ ଲାଗି ସେମାନେ ଆଜି ରାଜରାସ୍ତାରେ, ତାକୁ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ।

ରିପୋର୍ଟ-ପ୍ରଦୀପ ନାୟକ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *