ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଦେଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ଅବସରରେ ପାଳିତ ହେଉଥିବା “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇଛନ୍ତି । ।ମା’ସମଲେଇଙ୍କ ଆଶୀର୍ବାଦରେ ସମ୍ବଲପୁରୀ ଅସ୍ମିତାର ପରବ “ସମ୍ବଲପୁରୀ ଦୀନ୍‌” ପାଳନ କରିବା । ଅନ୍ୟର ଉପକାର ଏବଂ ଅନ୍ୟର ଜୀବନରେ ଖୁସି ଆଣିଦେବା ସମ୍ବଲପୁରୀ ସଂସ୍କୃତି । ସମ୍ବଲପୁର ଅଞ୍ଚଳର ଭାଷା, ସାହିତ୍ୟ, ସଂସ୍କୃତି ସାଧାରଣ ଲୋକର ଜୀବନର କଥା କୁହେ । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ଉଜାଗର କରିବା ପାଇଁ ପରାମର୍ଶ । ଏକ ଭିଡ଼ିଓ ବାର୍ତ୍ତା ଯୋଗେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ସମ୍ବଲପୁରୀ ଦିନ ପାଳନ କରିବା ଉପରେ ସମଗ୍ର ବିଶ୍ୱର ଆଜି ନଜର ପଡିଛି । “ସମ୍ବଲପୁରୀ ଦିନ୍‌”ର ମୂଳ ଉଦ୍ଦେଶ୍ୟ ହେଉଛି ନିଜର ଭାଷା, ନିଜର ସାହିତ୍ୟ ଓ ନିଜର ସଂସ୍କୃତି ପ୍ରତି ଗୌରବମୟ ପରିଚୟ ତିଆରି କରିବାର ପ୍ରଚେଷ୍ଟା । ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ଗୋଟିଏ ଗରିମାମୟ ପରିଚୟ ଦେବା ପାଇଁ ନିଜର ଜୀବନକୁ ସମର୍ପିତ କରିଥିଲେ । ସମ୍ବଲପୁରୀ ଭାଷା ହେଉଛେ ମଧୁର ଭାଷା, ସମ୍ବଲପୁରୀ ସାହିତ୍ୟ ହେଉଛେ ଉଚ୍ଚକୋଟୀର ଜୀବନ-ଦର୍ଶନର ସାହିତ୍ୟ, ସମ୍ବଲପୁରୀ ସଂସ୍କୃତି ହେଉଛି ଅନ୍ୟର ଉପକାର ଏବଂ ଅନ୍ୟର ଜୀବନରେ ଖୁସି ଆଣିଦେବାର ମହାନ ସଂସ୍କୃତି । ସମ୍ବଲପୁର ଅଞ୍ଚଳର ଭାଷା, ସାହିତ୍ୟ, ସଂସ୍କୃତି ସାଧାରଣ ମନୁଷ୍ୟର ଜୀବନର କଥା କୁହେ । ଏହାସହ ସମ୍ବଲପୁର ଅଞ୍ଚଳର ବାନ୍ଧକଳାର ରଙ୍ଗୀନ ହାତବୁଣା କପଡ଼ା, ମନମୋହକ ନାଚ-ଗୀତ, ଖାଦ୍ୟପେୟର ସମ୍ଭାର ଜିଲ୍ଲାକୁ ଅନନ୍ୟ ପରିଚୟ ଦେଇଛି । ଏହି କଥାକୁ ନେଇ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଲେଖିଥିଲେ “ସମ୍ବଲପୁର ର୍ ମାଟି ପାନି, ଝର୍‌ସି ହୀରା ନୀଲା, ଜେ -ଜେ -ମାଁ ସମ୍‌ଲେଇ ଗୋ, ଧଏନ୍ ଧଏନ୍ ତୋର୍ ଲୀଲା ।।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଜିର ସମୟ ହେଉଛି ଆମର ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ଉଜାଗର କରିବା । ସମ୍ବଲପୁର ଅଞ୍ଚଳର ବିଚାର ଓ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା । ଆଜିର ସମୟ ହେଉଛି, ଟେକ୍ନୋଲୋଜିର ସମୟ । ଆମର ଉନ୍ନତ ଭାଷା, ସାହିତ୍ୟ, ସଂସ୍କୃତି, ନାଚ-ଗୀତ, ଖାଦ୍ୟପେୟ, ସାଂସ୍କୃତିକ ଉତ୍ସବ ଏବଂ ବାନ୍ଧକଲାର କପଡ଼ା ସହ ଟେକ୍ନୋଲୋଜିକୁ ଯୋଡିବା । ଏହି କାମର ଦାୟିତ୍ୱ ଯୁବପିଢିମାନଙ୍କୁ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନରେ “ସମ୍ବଲପୁରୀ ଦିନ୍” ଭାବରେ ପାଳନ କରିବା ଦିଗରେ ‘ପଶ୍ଚିମାଞ୍ଚଳ ଏକତା ମଞ୍ଚ’ର ସମର୍ପିତ ଉଦ୍ୟମ ଆଉ ଲୋକମାନଙ୍କର ସହଯୋଗ ବହୁତ ପ୍ରଶଂସନୀୟ । ମା’ ସମଲେଇଙ୍କର ଆଶୀର୍ବାଦ ନେଇ ହାତରେ ହାତ ମିଶାଇ ସମ୍ବଲପୁରୀ ଅସ୍ମିତାର ପରବ “ସମ୍ବଲପୁରୀ-ଦିନ୍‌” ପାଳନ କରିବା । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିର ମହକକୁ ସାରା ଦୁନିଆରେ ପ୍ରଚାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *