କେବେ ସରିବ ପୋଖରୀ କାର୍ଯ୍ୟ?

ଭୂତଳ ଜଳ ପରିଚାଳନା ପାଇଁ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ପାରଳାଖେମୁଣ୍ଡି ସହରର ଚତୁଃପାର୍ଶ୍ୱରେ ଖନନ କରିଥିଲେ ଏକାଧିକ ପୋଖରୀ। ସେତେବେଳେ ଏହା ଲୋକଙ୍କ ଶୌଚ ପାଇଁ ସହ ପାନୀୟ ଜଳ ପାଇଁ ବ୍ୟବହୃତ କୂଅର ଜଳ ପରିଚାଳନା କରିବାରେ ମଧ୍ୟ ସହାୟକ ହେଉଥିଲା । ହେଲେ ଏହାର ପୁନଃରୁଦ୍ଧାର ଆଳରେ ପୌର ପ୍ରଶାସନ ଗୋଟିଏ ପରେ ଗୋଟିଏ ପୋଖରୀକୁ ଶୁଖାଇ ଦେଇଥିବା ଅଭିଯୋଗ ହୋଇଛି । ସଦାରାମ ପୋଖରୀର ପୁନଃରୁଦ୍ଧାର ପାଇଁ ଅମୃତ ଯୋଜନାରେ ୪୫ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା ।  ୨୦୨୩ ମସିହାରେ ଏହି କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଗତ ପ୍ରାୟ ଦୁଇ ବର୍ଷ ଧରି ଏହି ପୋଖରୀ କାମ ଅଧାପନ୍ତରିଆ ହୋଇପଡିରହିଛି ।  ସେହିପରି ଦୋଳବନ୍ଧ ପଖୋରୀର ପୁନଃରୁଦ୍ଧାର କାମ ୨୦୨୦ ମସିହାରୁ ଆରମ୍ଭ ହୋଇଛି । ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ କାମ କରାଯାଇଥିଲେ ମଧ୍ୟ ତାହା ଅଧାପନ୍ତରିଆ ହୋଇ ପଡିରହିଛି । ଯାହାର କାମ ଏବେ ପୁଣି ଆରମ୍ଭ ହୋଇଛି ।  ଦୀର୍ଘ ୫ ବର୍ଷ ହେଲା ପୋଖରୀ ଶୁଖାଇ ରଖାଯିବା ଯୋଗୁଁ ସହରବାସୀ ନାହିଁନଥିବା ଅସୁବିଧା ଭୋଗ କରୁଥିବା ପ୍ରତିକ୍ରିୟା ରଖିଛନ୍ତି । 

କେବଳ ସଦାରାମ କିମ୍ବା ଦୋଳବନ୍ଧ ନୁହେଁ, ସହରର ସଙ୍ଖୁରୀ ୨୦୦୮ମସିହାରୁ ବନ୍ଧର ପୁନଃରୁଦ୍ଧାର କାମ ଜାରି ରହିଛି । ୨୦୦୮ ମସିହାରେ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୭ମସିହାରେ ପ୍ରାୟ ୫୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତଥାପି କାମ ସଂପୂର୍ଣ୍ଣ ହୋଇପାରିନାହିଁ । ଏବେ ପୁଣି ଏହି ପୋଖରୀ ପାଇଁ ୧କୋଟି ୪୫ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ୨୦୦୯ମସିହାରୁ ପଟ୍ଟନାୟକ ବନ୍ଧର ପୁନଃରୁଦ୍ଧାର କାମ ଆରମ୍ଭ ହୋଇଛି ଯେ, ଏହା ସରିବାର ନାଁ ଧରୁନାହିଁ ।  ବର୍ତ୍ତମାନ ସୁଦ୍ଧା ଏହି ପୋଖରୀରେ ୨କୋଟି ୧୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ତୁରନ୍ତ ଏହି ସବୁ ପୋଖରୀର କାମ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରାନଗଲେ ଗ୍ରୀଷ୍ମ ଦିନରେ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେବେ ବୋଲି ଅଭିଯୋଗ ହୋଇଛି । ସହରର ସମସ୍ତ ପୋଖରୀର ସ୍ଥିତି ଅତ୍ୟନ୍ତ ଦୟନୀୟ । ଫଳରେ ଲୋକେ ଏହାକୁ ବ୍ୟବହାର କରିପାରୁନାହାନ୍ତି ସେପଟେ ସହରର ଭୂତଳ ଜଳ ପରିଚାଳନାରେ ସମସ୍ୟା ଦେଖାଦେଇଛି । ସ୍ଥିତି ଏମିତି ହୋଇଛି ଯେ, ଆସନ୍ତା ଗ୍ରୀଷ୍ମ ଋତୁରେ ଜଳସଙ୍କଟ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି ।  ସେପଟେ ଏପ୍ରିଲ ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛି ପୌର ପ୍ରଶାସନ ।

ଗୋଟିଏ ପଟେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷ ବର୍ଷ ଧରି କାମ ଜାରି ରହିଛି । ତଥାପି ସରିପାରୁନାହିଁ।  ଯାହା ନିଶ୍ଚିତ ଭାବେ ଏକ ଚିନ୍ତାର କାରଣ । ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *