ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ୱାର ପ୍ଲାଣ୍ଟ!

ତାଳଚେର କଣିହାଁ ସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ଼ (JITPL) ପ୍ଲାଣ୍ଟ ଏବେ ପ୍ରଦୂଷଣ ପାଇଁ ବେଶ ଚର୍ଚ୍ଚାରେ । ରୋଜଗାର ବଦଳରେ ପ୍ଲାଣ୍ଟ ଏବେ ବାଣ୍ଟୁଛି ପାଉଁଶର ପ୍ରଦୂଷଣ ଯାହାକୁ ନେଇ ଅତିଷ୍ଠ ହେଲେଣି ଅଞ୍ଚଳବାସୀ। ପ୍ରତିକାର ଲାଗି ଯେତେ କହିଲେ ବି ଶୁଣୁନି କମ୍ପାନୀ।

 ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ୱାର ପ୍ଲାଣ୍ଟ! କୋଇଲା ପୋଡ଼ିରୁ ବାହାରୁଥିବା ପାଉଁଶକୁ ସଠିକ୍ ଢଙ୍ଗରେ ପରିଚାଳନା ହେଉନି। ଏମିତିରେ ପ୍ଲାଣ୍ଟ ଭିତରେ ଥିବା ଆସପଣ୍ଡ ବି ପାଉଁଶରେ ଭର୍ତ୍ତି ହୋଇସାରିଛି। ସେଥିଲାଗି ଶହ ଶହ ଟ୍ରକ୍ ଜରିଆରେ ପାଉଁଶକୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ପାଉଁଶ ଉଡ଼ି ରାସ୍ତା, ନଇନାଳ ଓ ଘରେ ପଶୁଛି। ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ପାଉଁଶ ପଡ଼ିବାରୁ ଛୋଟବଡ଼ ଦୁର୍ଘଟଣା ବି ହେଉଛି। ପରିବେଶ ପ୍ରଦୂଷଣର ମୁ଼୍ଖ୍ୟ କାରଣ ସାଜିଥିବାର ଆରୋପ ଲଦିଛନ୍ତି ଗ୍ରାମବାସୀ। କମ୍ପାନୀ ଓ ପ୍ରଶାସନକୁ ଯେତେ କହିଲେ ବି କେହି ଶୁଣୁନାହାନ୍ତି। ବାଧ୍ୟ ହୋଇ ପାଉଁଶକୁ ନିଜେ ସଫା କରିବା ସହ ପ୍ରତିବାଦର ପାଉଁଶ ଟ୍ରକ ଗୁଡ଼ିକୁ ବି ଅନେକ ସମୟରେ ଅଟକ ରଖିବାକୁ ବାଧ୍ୟ ହେଉଛନ୍ତି ସ୍ଥାନୀୟ ଲୋକ। ତାଳଚେର କଣିହାଁସ୍ଥିତ ଜେଆଇଟିପିଏଲକୁ ନେଇ ଏଭଳି ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ପାଉଁଶ ପ୍ରଦୂଷଣ ନିୟନ୍ତ୍ରଣ ନକରିବାରୁ ପ୍ରଦୂଷଣ ବିଭାଗ ଗତ ଏପ୍ରିଲ ମାସରେ JITPL ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନୋଟିସ କରିଥିଲା। କିନ୍ତୁ ପ୍ଲାଣ୍ଟ୍‌ କର୍ତ୍ତୃପକ୍ଷ ହାଇକୋର୍ଟଙ୍କଠୁ ରହିତାଦେଶ ଆଣି ପ୍ଲାଣ୍ଟ୍ ଚାଲୁ ରଖିଛନ୍ତି। ପ୍ଲାଣ୍ଟ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ଆମ ପ୍ରତିନିଧିଙ୍କୁ ସୁରକ୍ଷାକର୍ମୀ ବିରୋଧ କରିଥିଲେ। ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ଼ର କୋଇଲାଗୁଣ୍ଡ ଓ ପାଉଁଶର ପ୍ରଭାବରେ ପ୍ରଭାବିତ ସ୍ଥାନୀୟ ବାସିନ୍ଦା କହିଛନ୍ତି, ପ୍ରଶାସନକୁ ହାତବାରିସି କରି କମ୍ପାନୀ ଏଭଳି ଦାଦାଗିରି ଦେଖାଉଛି।  ସେପଟେ ଉପ-ଜିଲ୍ଲାପାଳ କହିଛନ୍ତି, ପ୍ଲାଣ୍ଟରୁ ପରିବହନ ହେଉଥିବା ପାଉଁଶ ଲାଗି ହେଉଥିବା ସମସ୍ୟା ଉପରେ ତଦନ୍ତ ହେବ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ହେବ।

କଣିହାଁ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ଼ (JITPL) କଣିହାଁ କୋଇଲାଖଣିରୁ କୋଇଲା ଆଣି 1200 ମେଗାଓ୍ୱାଟ୍ ବିଜୁଳି ଉତ୍ପାଦନ କରି ବାହାର ରାଜ୍ୟକୁ ବିକ୍ରି କରି ବେଶ ଲାଭବାନ ହେଉଛି । କିନ୍ତୁ ଯେଉଁଠି ହେଉଛି, ସେ ଅଞ୍ଚଳର ପାଣି ପବନକୁ ବିଷାକ୍ତ କରିସାରିଲାଣି କମ୍ପାନୀ। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *