ପାଣିରେ ବୁଡି ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା କମିବ । ଯଦି ପହଁରା ଶିଖି ନଥିବା କେହି ବ୍ୟକ୍ତି ପାଣିରେ ବୁଡି ଯାଉଥିବେ, ତାଙ୍କୁ ରକ୍ଷା ମଧ୍ୟ କରାଯାଇ ପାରିବ। ଏପରି ଉଦ୍ୟମ କରିଛି ଓଡ୍ରାଫ ପ୍ରଶିକ୍ଷଣ ଟିମ୍ ।ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ଓଡ୍ରାଫ ଟିମ ସବୁବେଳେ ସଜାଗ ରହିଥାଏ। ଏବଂ ଜନଜୀବନ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ତୁଲାଇଥାଏ। ତେବେ ଆଉ ପାଦେ ଆଗକୁ ଯାଇ ଓଡ୍ରାଫ ନେଇଛି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ତଥ୍ୟ ଅନୁସାରେ ଦିନକୁ ଦିନ ପାଣିରେ ବୁଡି ଜିବନ ହାରୁଥିବା ଯୁବକ ଯୁବତୀଙ୍କ ସଂଖ୍ୟା ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯାହା ଏବେ ଚିନ୍ତା ଜନକ ଘଟଣା ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ହେଲେ ଯୁବପୀଢ଼ିଙ୍କୁ ସଚେତନ ଏବଂ ପ୍ରଶିକ୍ଷଣ ହେବାକୁ ପଡ଼ିବ। ଯାହାକୁ ଦୃଷ୍ଟିରେ ରଖି ଓଡ୍ରାଫ ଟିମ ଚଳାଇଛି ପହଁରା ପ୍ରଶିକ୍ଷଣ ଶିବିର। ରାଜ୍ୟରେ ୨୦ଟି ଇଉନିଟ ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଚାଲୁ ରହିଛି। ବିଭିନ୍ନ ବ୍ଲକର ଗ୍ରାମାଞ୍ଚଳରୁ ୩୦ଜଣ ଲେଖାଏଁ ଟିମ କରି ଜଳାଶୟରେ ତାଲିମ ଦିଆ ଯାଉଛି। ଏବଂ ପହଁରା ଶିଖିବା ପରେ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି।
ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଶିକ୍ଷାର୍ଥୀ ମାନେ ଏଠାରେ ୬ଦିନ ଧରି ତାଲିମ ନେଉଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯୁବକ ମାନଙ୍କୁ ବିଭିନ୍ନ ପ୍ରକାରର ପହଁରା ତାଲିମ ପ୍ରଦାନ କରାଯାଉଛି। ତାଲିମ ପାଇବା ପରେ ଏମାନେ ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବାରେ ସକ୍ଷମ ବୋଲି କହିଛନ୍ତି ପ୍ରଶିକ୍ଷକ।
ଅନ୍ୟପଟେ ପହଁରା ଶିକ୍ଷାର୍ଥୀ ମାନେ ତାଲିମ ପାଇ ବେଶ ଖୁସି ଅଛନ୍ତି। ପାଣିକୁ ଦେଖି ଭୟ କରୁଥିବା ଯୁବକ ଏବେ ଗଭୀର ପାଣିରେ ନିର୍ଭୟରେ ପହଁରି ପାରୁଛନ୍ତି। ଏବଂ ଏମାନେ ପ୍ରତ୍ୟେକ ଜଣେ ଜଣେ ଜୀବନ ଉଦ୍ଧାରକାରୀ ଭାବେ କାର୍ଯ୍ୟ କରି ପାରିବେ। ଓଡ୍ରାଫ ପକ୍ଷରୁ ତାଲିମ ଦିଆ ଯାଉଥିବା ଶିକ୍ଷାର୍ଥୀ ମାନଙ୍କୁ ରହିବା ଖାଇବା ସହ ସମସ୍ତ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆ ଯାଉଛି। ତେବେ ଏଭଳି କାର୍ଯ୍ୟକ୍ରମ ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ସହିତ ମୂଲ୍ୟବାନ ଜୀବନ ରକ୍ଷାରେ ସହାୟକ ହେବ ବୋଲି ଆଶା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now