ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ | ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ।ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି 2ଟା ରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ, ଭୋର 5:30ରୁ 6 ଟା ମଧ୍ୟରେ ପହିଲି ଭୋଗ, ପରେ କୋଠଭୋଗ ହୋଇ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦ୍ଵିତୀୟ ଭୋଗ ମଣ୍ଡପ, ଦିବା ପହୁଡ଼ ଓ ସନ୍ଧ୍ୟା ଆଳତୀ, ମଇଲମ,
ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି, ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ଏକମାସ ବ୍ୟାପି ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯିବ | ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନେଦା , ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯିବ । ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି |
Naxatra News is now on Whatsapp
Join and get latest news update delivered to you via whatsapp
Join Now