ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

ଆଜିଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବି ମା ବିମଳାଙ୍କ ସମେତ ଅନାନ୍ୟ ଦେଵୀପିଠ ମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା ବା ଷୋଳପୂଜା l ଏ ନେଇ ଶ୍ରୀ ନଅରରେ ଵିଧି ଅନୁସାରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ୨୧ ଜଣ ସ୍ରୋତୀୟ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ ନୀତି କରିଛନ୍ତି l ଶ୍ରୀନଅରରେ ରାଜଗୁରୁ ଏହି ଅବସରରେ ଗୁଆ, ନଡ଼ିଆ, ପଇତା ପ୍ରଦାନ କରି ପାରମ୍ପରିକ ଭାବେ ବରଣ ନୀତି କରିଥିବା ପରିଲକ୍ଷିତ ହୋଇଛି l ସେପଟେ ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେଉଥିବା ବେଳେ ଦୁର୍ଗାମାଧବ ଉପାସନା ପାଳିତ ହେଉଛି।‌

ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି। ପରମ୍ପରା ଅନୁଯାୟୀ ଆଜି ମୁଳାଷ୍ଟମୀ ଅବସରରେ ଷୋଳପୂଜାର ବିଧି ଆରମ୍ଭ ହୋଇଛି ଗଜପତିଙ୍କ ଶ୍ରୀନହରରେ ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠର ଗୁଡ଼ିକରେ ଆଚାର୍ଯ୍ୟ ମାନଙ୍କୁ ବରଣ କାର୍ଯ୍ୟ କରାଯାଇଅଛି। ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ଆଜି ସ୍ତ୍ରୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡପ ବ୍ରହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡ଼ାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି। ପ୍ରାୟ ୨୧ ଜଣ ଆଚାର୍ଯ୍ୟ ଶ୍ରୀ ଫଳ, ଗୁଆ, ପଇତା ନେଇ ବରଣ ହୋଇଥିବାବେଳେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ମାନଙ୍କରେ ଚଣ୍ତିପାଠ, ଦୁର୍ଗା ଆରାଧନା କରିବେ। ତେବେ ଆଜି ଆଶ୍ବିନ ମାସ କୃଷ୍ଣପକ୍ଷ ଦିବସ ଠାରୁ ଆଗାମୀ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଏହି ବିଶେଷ ପୂଜାର୍ଚ୍ଚନା କରାଯିବ l

ଶ୍ରୀମନ୍ଦିରରେ ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ପରିଚିତ ମା ବିମଳାଙ୍କ ନିକଟରେ ମଧ୍ୟ ଷୋଡ଼ଶ ଦିନାତ୍ମକ ପୂଜା ବରଣ ହୋଇଥିବା ସ୍ରୋତୀୟ ବ୍ରାହ୍ମଣ ଙ୍କ ଦ୍ୱାରା କରାଯାଇଅଛି l ଏପରି କି ଶ୍ରୀ ମନ୍ଦିର ପରିସର ଭିତରେ ଥିବା ଭୁବନେଶ୍ୱରୀ ତଥା ଶ୍ରୀକ୍ଷେତ୍ର ରେ ବିଜେ କରିଥିବା ମା ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି। ମାଆଙ୍କର ଏହି ପାର୍ବଣ ପୂଜାକୁ ନିଷ୍ଠାର ସହ ପାଳନ କରିବାକୁ ଗଜପତି ମହାରାଜା ନିବେଦନ କରିଛନ୍ତି। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ମା ଦୁର୍ଗାଙ୍କ ସ୍ବର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ ହୋଇଥାଏ। ପରେ ମା ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ମାଜଣା ମଣ୍ଡପରେ ଠାକୁରାଣୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଅଛି l

ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ଏବେ ଠାରୁ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଆରମ୍ଭ କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *