ମାର୍ଚ୍ଚ ମାସ ଅଧାରୁ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତି। ଚଳିତ ବର୍ଷ ପ୍ରବଳ ଖରା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସତର୍କ କରିଛି। ମୁକାଵାଲା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ଓ ପର୍ଯ୍ୟଟକ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ପୁରୀ କୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ପର୍ଯ୍ୟଟକ ଙ୍କ ଆଗମନ ହୋଇଥାଏ। ଗ୍ରୀଷ୍ମ ମାସରେ ସୂର୍ଯ୍ୟଙ୍କ ପ୍ରକୋପକୁ ନଜର ରେ ରଖି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ କିପରି କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଦର ମୁଖ୍ୟ ଚିକିତ୍ସାଳୟ ରେ ୬ ବେଡ଼ ବିଶିଷ୍ଠ ଅଂଶୁଘାତ ୱାର୍ଡ, ଆଶାକର୍ମୀ ମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣ ରେ ors ମହଜୁତ ରହିଛି, ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ଛତ୍ର, ଶ୍ରୀ ମନ୍ଦିର ନିକଟରେ ଭକ୍ତ ଙ୍କ ପାଇଁ ଖରା ରୁ ବଂଚିବା ପାଇଁ ସେଡ୍, ପାନୀୟ ଜଳ ବ୍ୟବସ୍ଥା, ପାଦ ନ ତାତିବା ପାଇଁ କାର୍ପେଟ ଏବଂ ସମୟ ସମୟରେ କାର୍ପେଟକୁ ଅଗ୍ନିଶମ ବିଭାଗ ଦ୍ୱାରା ପାଣି ସିଞ୍ଚନ କରି ଓଦା କରାଯାଉଛି ।
ସେପଟେ ଗ୍ରୀଷ୍ମ ମୁକାଵାଲା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଯଥେଷ୍ଟ ନୁହେଁ ବୋଲି ସହରବାସୀ ପ୍ରକାଶ କରିଛନ୍ତି। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗରେ ଖରା ରୁ ରକ୍ଷା ପାଇବା ପାଇଁ ଆହୁରି ଛାମୁଣ୍ଡିଆର ବ୍ୟବସ୍ଥା ଆବଶ୍ୟକ ରହିଛି। ନଚେତ ଲୋକେ ଟିକେ ଛାଇ ପାଇଁ ଏଣେତେଣେ ବୁଲୁଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳଛତ୍ର ର ଆବଶ୍ୟକ ରହିଛି, ପ୍ରବଳ ଖରା ଯୋଗୁଁ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଏବେ ଅସୁସ୍ଥ ହେଉଛନ୍ତି। ଅନ୍ୟପଟେ ସହରବାସୀ ଙ୍କ କଥା ସମ୍ପୂର୍ଣ ସତ ବୋଲି ପ୍ରମାଣ ମିଳିଛି। କାରଣ ସହର ର କେଉଁଠି ବି ଜିଲ୍ଲା ପ୍ରଶାସନ ଦ୍ୱାରା ଜଳ ଛତ୍ର ନାହିଁ, ଏବଂ ଶ୍ରୀମନ୍ଦିର ନିକଟରେ ଭକ୍ତ ଙ୍କ ପାଇଁ ଖରା ରୁ ବଂଚିବା ପାଇଁ ବ୍ୟବସ୍ଥା ଯଥେଷ୍ଟ ନୁହେଁ ବୋଲି ଜଣାପଡ଼ିଛି।
ପୁରୀ ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ସହ ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ। ତେଣୁ ଗ୍ରୀଷ୍ମ ମୁକାଵାଲା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଆହୁରି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକ ରହିଛି ନେଇ ମତ ପ୍ରକାଶ ପାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now