ସାମ୍ପ୍ରଦାୟିକ ହିଂସାର ନିଆଁ। ରାଜସ୍ଥାନର ଉଦୟପୁରର ଜଣେ ସରକାରୀ ସ୍କୁଲରେ ଦୁଇ ଛାତ୍ରଙ୍କ ଭିତରେ ଗଣ୍ଡଗୋଳକୁ ନେଇ ପୁରା ସହରରେ ସାମ୍ପ୍ରଦାୟିକତାର ନିଆଁ ଲାଗିଥିଲା। ଜଣେ ଦଶମ ଶ୍ରେଣୀର ମୁସଲିମ ଛାତ୍ର ନିଜର ସହପାଠୀ ଦଳିତ ଛାତ୍ରକୁ ଛୁରୀ ଭୁଷିବା ଘଟଣାକୁ ନେଇ ତେଜିଥିଲା ହିଂସା। ଛୁରୀ ମାଡ଼ରେ ଗୁରୁତର ଆହତ ହୋଇଥିବା ଦଳିତ ଛାତ୍ର ଦେବରାଜ ମୋଚି ହସ୍ପିଟାଲର ଆଇସିୟୁରେ ମରଣ ସହ ସଂଘର୍ଷ କରୁଥିଲେ। ଆଉ ଏ ଖବର ପାଇବା ମାତ୍ରେ ଅଳ୍ପସମୟ ଭିତରେ ସାରା ସହରରେ ହିଂସା ବ୍ୟାପିଥିଲା। ଯଦିଓ ଅଭିଯୁକ୍ତ ଓ ତାଙ୍କ ବାପାଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ସହରର ବିଭିନ୍ନ ସ୍ଥାନରେ ମଲରେ ଭଙ୍ଗାରୁଜା, ଗାଡ଼ି ଭଙ୍ଗାରୁଜା, ପୋଡ଼ାଜଳା, ଟେକାପଥର ମାଡ଼ ଆରମ୍ଭ ହୋଇଥିଲା। ସେପଟେ ଗୁରୁତର ଛାତ୍ରଙ୍କ ଅବସ୍ଥା ବିପଦମୁକ୍ତ ଥିବା କହିଛନ୍ତି ଜିଲ୍ଲାପାଳ। ଗୁଜବକାରୀଙ୍କ ପ୍ରତି ସତର୍କ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ଜିଲ୍ଲାପାଳ। ସମସ୍ତେ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଥିଲା ପ୍ରଶାସନ। ପୁରା ସହରରେ ପୁଲିସ ଫ୍ଲାଗମାର୍ଚ୍ଚ କରିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୁଲିସ ଓ ପ୍ରଶାସନ ସତର୍କ ନଜର ରଖିଥିଲା। ଅପରାଧର କୌଣସି ଧର୍ମ ନଥାଏ। ଦୁ଼୍ଇ ପିଲାଙ୍କ ଭିତରେ କଲମକୁ କେନ୍ଦ୍ର କରି ହୋଇଥିବା ଏହି ଘଟଣାକୁ ନେଇ ସାମ୍ପ୍ରଦାୟିକତାର ରଙ୍ଗ ଦିଆନଯାଉ ବୋଲି ଅପିଲ୍ କରିଛି ପ୍ରଶାସନ। ହିଂସାରେ ଲିପ୍ତ ଅଜ୍ଞାତ ଲୋକଙ୍କ ନାଁରେ ଏତଲା ହୋଇଛି। ସେପଟେ ଆହତ ଛାତ୍ରଙ୍କ ଉତ୍ତମ ଚିକିତ୍ସା ଲାଗି ଜୟପୁରରେ ୩ ଜଣିଆ ବିଶେଷଜ୍ଞ ଡାକ୍ତରଙ୍କୁ ବିମାନ ଯୋଗେ ଉଦୟପୁର ପଠାଯାଇଥିଲା। ୨୪ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନ ପରବର୍ତ୍ତୀ ନିର୍ଦେଶ ଯାଏ ବନ୍ଦ କରି ଦିଆଯାଇଛି। ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ କହିଛନ୍ତି, ପିଲାଟିର ଜୀବନ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା। ରାଜସ୍ଥାନ ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ କୌଣସି ହିଂସା କରନ୍ତୁନି। ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଜେପି ବିଧାୟକ ଫୁଲ ସିଂ ମୀନା କହିଥିଲେ , ଅଭିଯୁକ୍ତ ଘରେ ବୁଲଡୋଜର ଚଳାଇବା ଜରୁରୀ। କହ୍ନେୟାଲାଲ ହତ୍ୟାକାଣ୍ଡରେ ଯେମିତି ପୁରା ସହର ଜଳିଥିଲା, ସେ ଘଟଣାର ପୁନରାବୃତ୍ତି ଦେଖିବାକୁ ଚାହୁଁନୁ। ହିନ୍ଦୁ ସଂଗଠନ ଏମବି ହସ୍ପିଟାଲ ଆଗରେ ନାରାବାଜି କରିଥିଲେ। ପ୍ରଶାସନ ୧୪୪ ଧାରା ଲାଗୁ କରିଥିଲା।
ସେପଟେ ମହାରାଷ୍ଟ୍ରର ନାସିକ ଓ ଜଲଗାଁଓରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ରାଲି ବେଳେ ଶୁକ୍ରବାର ଦୁଇ ଗୋଷ୍ଠୀ ଭିତରେ ମାଡ଼ପିଟ ଓ ପଥରମାଡ଼ରୁ ହିଂସା ବ୍ୟାପିଥିଲା। ନାସିକରେ ହିନ୍ଦୁ ସମାଜ ବନ୍ଦ ଡାକରା ଦେଇଥିଲା। ହିନ୍ଦୁ ସଂଗଠନ ଏହି ରାଲି କରୁଥିଲା ବେଳେ ଅନ୍ୟ ଗୋଷ୍ଠୀ ସହ ମୁହାଁମୁହିଁ ହୋଇଥିଲା। ବନ୍ଦ ଡାକରା ଦେଇ ହିନ୍ଦୁ ସଂଗଠନ ବାଇକ ରାଲି ବାହାର କରିଥିଲା। କିନ୍ତୁ ଭଦ୍ରକାଳୀ ଅଞ୍ଚଳରେ ବନ୍ଦ ଡାକରା ବିରୁଦ୍ଧରେ କିଛି ଦୋକାନ ଖୋଲା ହୋଇଥିଲା। ମୋର୍ଚ୍ଚା ଯେତେବେଳେ ପିକେଟିଂ କରି ଦୋକାନ ବନ୍ଦ କରିବାକୁ ବାହାରିଥିଲା, ଯୁକ୍ତିତର୍କରୁ ଗଣ୍ଡଗୋଳ ବଢ଼ିଥିଲା। ପରସ୍ପରକୁ ପଥରମାଡ଼ କରିଥିଲେ ଉଭୟ ଗୋଷ୍ଠୀ। ହିନ୍ଦୁ ପରିବାର ଉପରେ ଶତାଧିକ ମୁସଲିମ ଏକାଠି ହୋଇ ଆକ୍ରମଣ ଉଦ୍ୟମ କରିବା ପୂର୍ବରୁ ପୁଲିସ ସେଠାରେ ପହଞ୍ଚି ସ୍ଥିତିକୁ କାବୁ କରିଥିଲା। ସେଭଳି ଜଲଗାଓଁରେ ସୋରୁମ ଉପରେ ପଥର ମାଡ଼କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଭିତରେ ମାଡପିଟ୍ ହୋଇଥିଲା। ପୁଲିସ ଉପଦ୍ରବୀଙ୍କୁ ଘଉଡ଼ାଇବାକୁ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଫାଙ୍କା ଗୁଳିଚାଳନା ବି କରିଥିଲା ପୁଲିସ। ସ୍ଥିତି ନିୟନ୍ତ୍ରଣ ବେଳେ ଅନେକ ପୁଲିସ କର୍ମୀ ବି ଆହତ ହୋଇଥିଲେ। ହିଂସାରେ ଲିପ୍ତ ୧୫ଜଣଙ୍କୁ ପୁଲିସ ଗିରଫ କରିଛି। ଫଟୋ, ଭିଡ଼ିଓ ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ ଜାରି ରହିବ ବୋଲି କହିଛି ପୁଲିସ। ଶନିବାର ଯଦିଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। କିନ୍ତୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲାଗିଛି। ବିଭିନ୍ନ ସ୍ଥାନରେ ଚାପା ଉତ୍ତେଜନା ଲାଗିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।
କୌଣସି ଅଘଟଣକୁ ସାମ୍ପ୍ରଦାୟିକତାର ରଙ୍ଗ ଦେଇ ହଙ୍ଗାମାରୁ ଉଦୟପୁର ଓ ନାସିକରେ ହିଂସା ଦେଖୁ ଦେଖୁ ବ୍ୟାପିଯାଇଥିଲା। ଉପଦ୍ରବୀ ଓ ଗୁଜବକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ପ୍ରକ୍ରିୟା ଆରମ୍ଭ କରିଛି ପୁଲିସ। ଯେମିତି ସହରରେ ଶାନ୍ତି, ଭାଇଚାରା ବଜାୟ ରହିବ, ସେ ନେଇ ପ୍ରୟାସ ଜାରି ରଖିଛି ପ୍ରଶାସନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now