ଇତିହାସ ରଚିପାରିଲେନି ଭାରତୀୟ ଶୁଟିଂ ସେନସେସନ ମନୁ ଭାକର। ଗୋଟିଏ ସଂସ୍କରଣରେ ତୃତୀୟ ପଦକ ଜିତିବାର ଐତିହାସିକ ମୂହୂର୍ତ୍ତକୁ ନିଜ ନାଁର ରେକର୍ଡ କରାଇବାରେ ଅଳ୍ପକେ ଦୂରେଇ ରହିଗଲେ ମନୁ। ୨୨ ବର୍ଷୀୟା ମନୁ ପୂର୍ବରୁ ୧୦ ମିଟର ପିସ୍ତଲ ମହିଳା ଓ ମିକ୍ସଡ ଟିମ୍ ଇଭେଣ୍ଟରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରି ସାରିଥିଲେ। ଶୁକ୍ରବାର ମନୁ ୫୯୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ୨୫ ମିଟର ପିସ୍ତଲର ଫାଇନାଲରେ ମନୁଙ୍କ ପ୍ରବେଶ ପରେ ସମସ୍ତଙ୍କ ନଜର ଥିଲା ତାଙ୍କ ଉପରେ। ଆଉ ସେ ଆଶାକୁ ପୂରଣ କରିବାରେ ଅଳ୍ପକେ ଦୂରରେ ରହିଗଲେ। ଚତୁର୍ଥ ସ୍ଥାନରେ ରହିଗଲେ ମନୁ। ତା ସତ୍ତ୍ୱେ ଦମଦାର ପ୍ରଦର୍ଶନ କରି ଅଲମ୍ପିକ୍ସରେ ମନୁ ସମସ୍ତଙ୍କ ମନ ଜିଣିଲେ।
ମେଡାଲରେ ହ୍ୟାଟ୍ରିକ୍ ମାରିବା ସହ ଭାରତ ପାଇଁ ପ୍ୟାରିସ୍ ଅଲମ୍ପିକ୍ସରେ ଗୌରବମୟ ଅଧ୍ୟାୟ ଲେଖିବେ ମନୁ ଭାକର। ଶୁକ୍ରବାର ସୁଟିଂ ଫାଇନାଲରେ ପହଞ୍ଚିସାରିଥିବା ମନୁଙ୍କ ଉପରେ ଏହି ଆଶା ରଖି ସାରା ଦେଶର ନଜର ଥିଲା ଶନିବାର ଅପରାହ୍ନ ଗୋଟାଏକୁ। ମନୁ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିବେ ବୋଲି ସମସ୍ତେ ସେଇ ମୂହୂର୍ତ୍ତକୁ ଅନାଇ ବସିଥିଲେ ଚାତକ ଭଳି। କିନ୍ତୁ ଏ ଆଶା ପୂରଣ କରିପାରିଲେନି ମନୁ। ଇତିହାସ ରଚିବାରୁ ଅଳ୍ପକେ ବର୍ତ୍ତିଗଲେ। ୨୫ ମିଟର ପିସ୍ତଲ ସୁଟିଂରେ ଚତୁର୍ଥ ସ୍ଥାନରେ ରହିଗଲେ ମନୁ। କ୍ରୀଡ଼ା ମହାକୁମ୍ଭରେ ଶନିବାର ମନୁ ନୂଆ କୀର୍ତ୍ତି ଅର୍ଜିବାରୁ ଅଳ୍ପକେ ଦୂରରେ ରହିଗଲେ। ତୃତୀୟ ପଦକ ଆଶା ମଉଳିଗଲା ସିନା। କିନ୍ତୁ ସମସ୍ତଙ୍କ ମନ ଜିଣିଲେ ମନୁ ଭାକର। ପ୍ରଥମ ସୁଟରେ ମନୁଙ୍କର ଦୁଇଟି ସଟ୍ ନିଶାନାରେ ଲାଗିଥିଲା। ପ୍ରଥମ ସିରିଜ୍ ପରେ ମନୁ ଷଷ୍ଠ ନମ୍ୱରରେ ଥିଲେ। ଦ୍ୱିତୀୟ ସିରିଜରେ ମନୁଙ୍କର ୫ଟି ସଟରୁ ୪ଟି ସଟ୍ ଠିକ୍ ଲାଗିଥିଲା। ଆଉ ଏହା ପରେ ମନୁ ଚତୁର୍ଥ ନମ୍ୱରକୁ ଉଠିଥିଲେ। ତୃତୀୟ ସିରିଜରେ ବି ମନୁଙ୍କ ୫ଟି ସଟରୁ ୪ଟି ସଟ୍ ଠିକ୍ ବାଜିଥିଲା। ଆଉ ଏଥର ମନୁ ଦ୍ୱିତୀୟ ନମ୍ୱରକୁ ଉଠିଥିଲେ। ରେସ୍ରେ ୭ଜଣ ସୁଟର୍ସ ରହିଯାଇଥିଲେ। ଗୋଟାଏ ୧୧ ବେଳକୁ ମନୁ ପଞ୍ଚମ ସିରିଜରେ ୫ ଅଙ୍କ ହାସଲ କରିଥିଲେ। ସାତଟି ସିରିଜ ସମ୍ପୂର୍ଣ୍ଣ ବେଳକୁ ମନୁ ଭାକର ପଏଣ୍ଟ ଟେବୁଲରେ ଦ୍ୱିତୀୟ ନମ୍ୱରରେ କାଏମ ରହିଥିଲେ। ସେତେବେଳକୁ କେବଳ ୪ଜଣ ସୁଟର ଥିଲେ। ଆଉ ଶେଷ ମୂହୂର୍ତ୍ତରେ ଚତୁର୍ଥ ସ୍ଥାନରେ ରହିଗଲେ ମନୁ। ଅଷ୍ଟମ ସିରିଜ୍ ପରେ ମନୁ ଓ ହଙ୍ଗେରୀର ବେରୋନିକା ମେଜର ସମାନ ସମାନ ୨୮-୨୮ ଅଙ୍କରେ ରହିଥିଲେ। ଆଉ ଏଲିମିନେସନ ପାଇଁ ସୁଟ୍-ଅଫ୍ ହୋଇଥିଲା। ଯେଉଁଥିରେ ମନୁ ହାରିଗଲେ। ସୁଟ୍ ଅଫରେ ହଙ୍ଗେରୀର ସୁଟର ବେରୋନିକା ୫ରୁ ୩ଟି ସଟ୍ ସଠିକ୍ ଲଗାଇଥିଲା ବେଳେ ମନୁ ୫ଟି ସଟରୁ ଦୁଇଟି ସଟ୍ ସଠିକ୍ ଲଗାଇଥିଲେ। ଯାହା ଫଳରେ ବେରୋନିକା ବ୍ରୋଞ୍ଜ ପଦକ ହାସଲ କରିପାରିଲେ। ଦକ୍ଷିଣ କୋରିଆର ଜିନ୍ ୟାଙ୍ଗ୍ ସ୍ୱର୍ଣ୍ଣ ଓ ଫ୍ରାନ୍ସର କୈମିଲି ରୌପ୍ୟ ପଦକ ଜିତିଲେ। ୧୦ଟି ରାଉଣ୍ଡ ପରେ ଜିନ୍ ୟାଙ୍ଗ ଓ କେମିଲିଙ୍କ ଭିତରେ ସମାନ ସ୍କୋର ୩୭-୩୭ ଥିଲା। ଉଭୟଙ୍କ ଭିତରେ ସୁଟ୍ ଆଉଟରେ ଜିନ୍ ୪ଟି ସଟ୍ ସଠିକ୍ ଲଗାଇଥିଲା ବେଳେ କେମିଲି ମାତ୍ର ଗୋଟିଏ ସଟ୍ ସଠିକ୍ ଲଗାଇଥିଲେ। କହିବାକୁ ଗଲେ, ପୁରା ୮ଟି ରାଉଣ୍ଡରେ ୨୮ ସ୍କୋର ସହ ଚତୁର୍ଥ ସ୍ଥାନରେ ଥିବା ମନୁଙ୍କର ୪୦ରୁ ୨୮ ସଟ୍ସ ଗ୍ରୀନ୍ ହୋଇଥିଲା। ବାକି ନିଶାନାରେ ଲାଗିପାରିନଥିଲା।
ମନୁଙ୍କ ଏଭଳି ଉଚ୍ଚକୋଟିର ପ୍ରଦର୍ଶନ ଲାଗି ହକି ଇଣ୍ଡିଆ ପ୍ରଶଂସା କରିବା ସହ ଏଭଳି ଉପଲବ୍ଧି ଲାଗି କୃତଜ୍ଞତା ଜ୍ଞାପନ କରିଛି। ସ୍ୱାଧୀନ ଭାରତରେ ପ୍ରଥମ ଖେଳାଳୀ ଭାବେ ଗୋଟିଏ ଅଲମ୍ପିକ୍ସରେ ଦୁଇଟି ପଦ ଜିତିବାର ଗୌରବମୟ ଅଧ୍ୟାୟ ସମସ୍ତଙ୍କ ସମ୍ମାନ ବଢ଼ାଇଛି ବୋଲି ଚାରିଆଡ଼ୁ ଅଜସ୍ର ଶୁଭେଛାର ସୁଅ ଛୁଟିଥିଲା।
ମନୁ ପୂର୍ବରୁ ମହିଳା ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ଜିତିଥିଲା ବେଳେ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍ରେ ସରବଜୋତ ସିଂଙ୍କ ସହ ମିଶି ଆଉ ଏକ କାଂସ୍ୟ ପଦ ଜିତିଥିଲେ। ସୁନା ଆଶା ସିନା ମଉଳିଗଲା। ମନୁଙ୍କ ହ୍ୟାଟଟ୍ରିକ୍ ମେଡାଲ ସ୍ୱପ୍ନ ସିନା ପୂରଣ ହୋଇପାରିଲାନି। କିନ୍ତୁ ମନୁଙ୍କ ପ୍ରଦର୍ଶନ ଇତିହାସ ରଚିଲା କହିଲେ ଭୁଲ୍ ହେବନି।
Naxatra News is now on Whatsapp
Join and get latest news update delivered to you via whatsapp
Join Now