ଓଡ଼ିଶା

ଆଡ଼ପ ମଣ୍ଡପରେ ସଂନ୍ଧ୍ୟା ଦର୍ଶନ କରୁଛନ୍ତି ଭକ୍ତ : ଆସନ୍ତାକାଲି ବାହୁଡ଼ା ଯାତ୍ରା

ପୁରୀ : ଭକ୍ତଙ୍କୁ ଆଡ଼ପ ମଣ୍ଡପରେ ଆଜି ସଂନ୍ଧ୍ୟା ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ପୂର୍ବ ରାତ୍ରୀ ୩ଟା ୨୦ରୁ ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ଵାରଫିଟା, ୩ଟା ୫୦ରେ ଭିତରଶୋଧ, ଭୋର୍ ୪ଟାରେ ମଙ୍ଗଳ ଆଳତୀ, ୪ଟା ୫ ରେ ମଇଲମ, ୪ଟା ୨୫ ରେ ତଡ଼ପ ଲାଗି, ୪ଟା ୩୫ ରେ ଅବକାଶ ଠା ପୂଜା ଅନୁଷ୍ଠିତ ହୋଇଥିଲା । ଅନ୍ୟାନ୍ୟ ନୀତି ପରେ ସକାଳ ୬ଟା ୪୫ ରେ ଗୋପାଳ ବଲ୍ଲଭ ପୂଜା, ୭ଟା ୨୦ ରେ ସକାଳ ଧୂପ ପୂଜା, ପୂର୍ବାହ୍ନ ୧୦ଟା ୧୦ ରେ ଯାତ୍ରାଙ୍ଗି ମହାସ୍ନାନ ପରେ ୧୦ଟା ୩୫ରେ ଘଣ୍ଟା ଛତା ସର୍ବାଙ୍ଗ କରାଯାଇଥିଲା । ପରେ ଦିନ ୧୨ଟା ୧୦ରେ ଦ୍ଵିତୀୟ ଭୋଗ ମଣ୍ଡପ ଉଠିଥିଲା ।

ଆଜି ଭୋରରୁ ସଂଗ୍ରାମ କ୍ଲବ ସାମ୍ନା ବଡ଼ଦାଣ୍ଡ ଠାରୁ ଭକ୍ତ ମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ସଂନ୍ଧ୍ୟା ଦର୍ଶନ କରୁଛନ୍ତି । ବାହାରେ ଯେପରି ଧାଡ଼ି କରାଯାଇଛି, ମନ୍ଦିର ଭିତରେ ସେପରି ଧାଡ଼ି ବ୍ୟବସ୍ଥା ନଥିବାରୁ ଗରୁଡ଼ ସ୍ତମ୍ବ ନିକଟକୁ ଯିବା ବେଳେ ପ୍ରବଳ ଗହଳି ଓ ଠେଲା ପେଲା ଅବସ୍ଥା ସୃଷ୍ଟି ହେଉଛି । ଆଜି ଶେଷ ଦିନରେ ଭକ୍ତ ମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ଆଡ଼ପ ଅବଢ଼ା ସେବନ କରୁଥିବା ଦେଖିବାକୁ ମିଳିଛି । ଏହି ସଂନ୍ଧ୍ୟା ଦର୍ଶନ ସକାଳୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟାରେ ଶେଷ ହେବ । ପରେ ଭିତର ଦ୍ଵାର ବନ୍ଦ କରାଯାଇ ବାହୁଡ଼ା ଯାତ୍ରା ପାଇଁ ଦଇତାପତିଙ୍କ ଗୁପ୍ତ ସେବା ଓ ନୀତି ଆରମ୍ଭ ହେବ । ଅପରାହ୍ନ ୫ଟା ଠାରୁ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ଭକ୍ତ ମାନେ ନାକଚଣା ଦ୍ଵାର ଦେଇ ଆନନ୍ଦବଜାରରୁ ରାତି ୧୨ଟା ପର୍ଯ୍ୟନ୍ତ ଆଡ଼ପ ଅବଢ଼ା ପାଇପାରିବେ । ସଂନ୍ଧ୍ୟା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

୨୮ ତାରିଖ ବାହୁଡ଼ା ଯାତ୍ରା, ୨୯ରେ ସୁନାବେଶ ଅନୁଷ୍ଠିତ ହେବ । ୩୦ ତାରିଖରେ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହେବ । ଜୁଲାଇ ୧ ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published.

Back to top button