CJI

  • ଗଣମାଧ୍ୟମ ନିଜ ଦାୟିତ୍ବ ସମ୍ପାଦନ କରିବାକୁ ସିଜେଆଇଙ୍କ ଆହ୍ବାନ

    ନୂଆଦିଲ୍ଲୀ: ମିଛ ଖବର ଡିଜିଟାଲ ଯୁଗରେ ସମ୍ପ୍ରଦାୟଗୁଡିକ ମଧ୍ୟରେ ତୀକ୍ତତା ସୃଷ୍ଟି କରି ପାରେ। ଏଥିରେ ଗଣତନ୍ତ୍ରର ମୂଲ୍ୟବୋଧ ନଷ୍ଟ ହୋଇପାରେ। ଦେଶରେ ଗଣତନ୍ତ୍ର ପାଇଁ ଗଣମାଧ୍ୟମକୁ ସ୍ବତନ୍ତ୍ର ରହିବା ଆବଶ୍ୟକ। ରାମନାଥ ଗୋୟନକା ପୁରସ୍କାର ସମାରୋହରେ ଏପରି କହିବା ସହ ଚିନ୍ତା ବ୍ୟକ୍ତ କରିଛନ୍ତି ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ।

    ଗଣମାଧ୍ୟମ ଉପରେ ସତ୍ତାଧାରୀଙ୍କ ପ୍ରଭାବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସିଜେଆଇ। ମିଛ ଖବର ସମାଜରେ ପ୍ରେସର ସ୍ବତନ୍ତ୍ରତା ଓ ନିଷ୍ପକ୍ଷତା ପାଇଁ ଏକ ବିରାଟ ବିପଦ ହୋଇଛି। ତେଣୁ ଏହା ସାମ୍ବାଦିକଙ୍କ ସହ ସମସ୍ତ ସମୂହର ଦାୟିତ୍ବ କି, ସେମାନେ ଘଟଣାର ରିପୋର୍ଟ ନିରପେକ୍ଷ ଭାବେ କରନ୍ତୁ। କାରଣ ମିଛ ଖବର ଲକ୍ଷ ଲକ୍ଷ ଲୋକଙ୍କୁ ଭ୍ରମିତ କରିପାରେ। ଏହା ଲୋକତନ୍ତ୍ରର ମୌଳିକତା ବିରୋଧୀ। ଏପରି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ।  ଯଦି ସତ୍ତା ଗଣମାଧ୍ୟମକୁ ସତ ଉପସ୍ଥାପନ କରିବାକୁ ଅଟକାଇବ, ତେବେ ଏଥିରେ ଲୋକତନ୍ତ୍ର ପ୍ରଭାବିତ ହେବ ବୋଲି ସିଜେଆଇ କହିଛନ୍ତି।

    ସିଜେଆଇ ମିଡିଆ ଟ୍ରାଏଲ ଉପରେ କହିଛନ୍ତି କି, ଏମିତି ଅନେକ ଥର ଦେଖିବାକୁ ମିଳିଛି କି, କୋର୍ଟ କୌଣସି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ଗଣମାଧ୍ୟମ ଲୋକଙ୍କ ସମ୍ମୁଖରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିସାରିଥାନ୍ତି। ପ୍ରତ୍ୟେକ ସଂସ୍ଥା ପରି ସାମ୍ବାଦିକତାର ନିଜସ୍ବ ଚ୍ୟାଲେଞ୍ଜ ରହିଛି। ଦାୟିତ୍ବବାନ ସାମ୍ବାଦିକତା ଏପରି ଇଞ୍ଜିନ ଯାହା ଲୋକତନ୍ତ୍ରକୁ ଏକ ସୁଖଦ ଭବିଷ୍ୟତ ଆଡକୁ ବାଟ କଢାଇ ନିଏ। ଡିଜିଟାଲ ଯୁଗରେ ସାମ୍ବାଦିକମାନଙ୍କୁ ନିଜ ରିପୋର୍ଟିଂରେ ସଠିକ, ନିଷ୍ପକ୍ଷ, ଦାୟିତ୍ବପୂର୍ଣ୍ଣ ଓ ନିର୍ଭୀକ ହେବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ସେ ଆହୁରି ଜୋର ଦେଇ କହିଛନ୍ତି କି, ଏକ ସ୍ବସ୍ଥ ଗଣତନ୍ତ୍ରକୁ ଏମିତି ଏକ ମିଡିଆକୁ ପ୍ରୋତ୍ସାହିତ କରିବା ଜରୁରୀ, ଯିଏ ସତ୍ତା ନିକଟରେ କଠିନ ପ୍ରଶ୍ନ ଉପସ୍ଥାପନ କରିପାରୁଥିବ।

    ୧୯୭୫ର ଜରୁରୀକାଳୀନ ପରିସ୍ଥିତିକୁ ଉଠାଇ ସିଜେଆଇ କହିଥିଲେ, ମୌନତା ମଧ୍ୟ ବହୁତ କ୍ଷମତା ରଖିଥାଏ। ଏହାକୁ ଉପସ୍ଥାପନ କରିବାକୁ ସିଜେଆଇ କହିଥିଲେ, ଜରୁରୀ ପରିସ୍ଥିତିରେ କିପରି ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକୀୟ ପୃଷ୍ଠାକୁ ଖାଲି ଛାଡି ଦିଆଯାଇଥିଲା। ସେ ସମୟ ଅତ୍ୟନ୍ତ ଭୟଙ୍କର ସମୟ ଥିଲା, କିନ୍ତୁ ଏପରି ସମୟ ମଧ୍ୟ ନିର୍ଭୀକ ସାମ୍ବାଦିକତାକୁ ଜନ୍ମ ଦେଇଥାଏ ଓ ସେଥିପାଇଁ ୨୫ ଜୁନ ୧୯୭୫ରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ଇତିହାସରେ ଥିଲା ଏକ ନିର୍ଣ୍ଣାୟକ କ୍ଷଣ ଥିଲା। 

    ସିଜେଆଇ ଆହୁରି କହିଥିଲେ କି, ଗୋଟିଏ ଘୋଷଣା ଦର୍ଶାଇଦେଇଥିଲା ସ୍ବତନ୍ତ୍ରତା କେତେ ଦୁର୍ବଳ ହୋଇପାରେ। ସାମ୍ବାଦିକ, ଓକିଲ ଓ ତାଙ୍କ ପରି ବିଚାରପତି ଅନେକାଂଶରେ ଏକାପରି ହୋଇଥାନ୍ତି। କଲମ କେମିତି ଖଣ୍ଡାଠାରୁ ଶକ୍ତିଶାଳୀ ତାହା ଏମାନେ ପ୍ରମାଣିତ କରନ୍ତି। ଏଥିସହ ସେମାନଙ୍କ ପେସା ପାଇଁ ସେମାନଙ୍କୁ ଲୋକେ ମଧ୍ୟ ନାପସନ୍ଦ କରିପାରନ୍ତି। ଏହାକୁ ସହିବା ମଧ୍ୟ ସହଜ ନୁହେଁ ବୋଲି  ରାମନାଥ ଗୋୟନକା ପୁରସ୍କାର ସମାରୋହରେ ସିଜେଆଇ କହିଥିଲେ।

    ଅର୍ଥାତ୍ ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ସତ୍ତାରୁଢ ବ୍ୟବସ୍ଥା ପ୍ରତି ଆନୁଗତ୍ୟ ଆଗାମୀ ଦିନରେ ଯେ ଏକ ଭୟାବହ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ତାହା ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି। ଏଥିସହ ଭବିଷ୍ୟତକୁ ସୁଧାରିବା ଦିଗରେ ଗଣମାଧ୍ୟମ ନିଜ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିବାକୁ ଆହ୍ବନ ଦେଇଛନ୍ତି ସିଜେଆଇ।

  • ରାଜନୈତିକ ବିବାଦରେ ସିଜେଆଇ

    (ଆଙ୍କର) ଗୋଟିଏ ପଟେ ନ୍ୟାୟପାଳିକା ଓ ସରକାର ମୁହାଁମୁହିଁ, ଅନ୍ୟପଟେ ସିଜେଆଇଙ୍କୁ କରାଯାଉଛି  ଟ୍ରୋଲ। ଏହାକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଟାଣିଛି ବିରୋଧୀ। ଏହା ଭାରତୀୟ ନ୍ୟାୟପାଳିକା ଓ ସିଜେଆଇଙ୍କ ଉପରେ ଆକ୍ରମଣ ଅଭିଯୋଗ କରାଯିବା ସହ ଟ୍ରୋଲ ଆର୍ମି ବିଜେପିର ବୋଲି ଅଭିଯୋଗ କରି ବିରୋଧୀ ରାଷ୍ଟ୍ରପତିଙ୍କ ପଦକ୍ଷେପ କାମନା କରୁଛନ୍ତି। ସେପଟେ ରିଜିଜୁଙ୍କ ଆଣ୍ଟି ଇଣ୍ଡିଆ ଗ୍ୟାଙ୍ଗ ଉପରେ ବୟାନକୁ ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

    ବିପଦରେ ନ୍ୟାୟପାଳିକା, ସଂକଟରେ ସିଜେଆଇ। ଟ୍ରୋଲ ଆର୍ମି ଲଗାଇ ମହାରାଷ୍ଟ୍ର ସରକାର ଚଳାଇଛି ସିଜେଆଇଙ୍କ ବିରୋଧରେ କ୍ୟାମ୍ପେନ। ସିଜେଆଇଙ୍କୁ କରାଯାଉଛି ବଦନାମ। ଏମିତି ଅଭିଯୋଗ ଆଣି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ କାମନା କରିବା ସହ ଟ୍ରୋଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ନେତା। ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ପତ୍ରରେ କଂଗ୍ରେସ ସାଂସଦ ବିବେକ ତନ୍ଖା ଚିଠି ଲେଖିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ଦିଗ ବିଜୟ ସିଂହ, ଶକ୍ତି ସିଂହ ଗୋହିଲ, ପ୍ରମୋଦ ତିୱାରୀ, ଅମି ଯାଗ୍ନିକ, ରଞ୍ଜିତ ରଞ୍ଜନ, ଇମରାନ ପ୍ରତାପଗଢି, ଆମଆଦମୀ ପାର୍ଟିର ରାଘବ ଚଢା, ଶିବସେନା ଉଦ୍ଧବ ଗୋଷ୍ଠୀର ପ୍ରିୟଙ୍କା ଚତୁର୍ବେଦୀ ଓ ସପା ସଦସ୍ୟ ଜୟା ବଚନ ଓ ରାମ ଗୋପାଳ ଯାଦବ। ଏହାର କପି ଆଇନ ମନ୍ତ୍ରୀ, ଆଇଟି ମନ୍ତ୍ରୀ, ଦିଲ୍ଲୀ ପୁଲିସ କମିଶନରଙ୍କୁ ମଧ୍ୟ ପଠାଯାଇଛି।  ଏଥିରେ ଉଲ୍ଲେଖ ଅଛି କି, ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ନିକଟରେ ମହାରାଷ୍ଟ୍ରରେ ସରକାର ଗଠନ ଓ ପୂର୍ବତନ ରାଜ୍ୟପାଳଙ୍କ ଭୂମିକା ମାମଲାରେ ଶୁଣାଣି କରିଥିଲେ।

    ଏଥିରେ ସେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ଭୂମିକା ଉପରେ ସୃଷ୍ଟି କରିଥିଲେ ପ୍ରଶ୍ନବାଚୀ । ଏହା ଏକ ମହତ୍ବପୂର୍ଣ୍ଣ ସମ୍ବିଧାନିକ ମୁଦ୍ଦା।  କିନ୍ତୁ ଏହା ପରେ ସିଜେଆଇ ଓ ନ୍ୟାୟପାଳିକା ଉପରେ ଆରମ୍ଭ ହୋଇଛି ଆକ୍ରମଣ। ସୋସିଆଲ ମିଡିଆକୁ ଆୟୁଧ କରି ସିଜେଆଇଙ୍କୁ ରାଜ୍ୟ ସରକାର ଟାର୍ଗେଟ କରୁଥିବା ଚିଠିରେ ଉଲ୍ଲେଖ ଅଛି। ଆହୁରି ମଧ୍ୟ କୁହାଯାଇଛି କି, ଏପରି ଆଚରଣକୁ ଆମେ ନିନ୍ଦା କରୁଛୁ। ଏଥିସହ ଏପରି ଘୃଣିତ ଆଚରଣ କେବଳ ସତ୍ତାରୂଢ ବ୍ୟବସ୍ଥାର ସମର୍ଥନରେ ହିଁ ସମ୍ଭବ ବୋଲି ଦୃଢତାର ସହ ଉଲ୍ଲେଖ କରାଯାଇଛି। ଭାରତୀୟ ନ୍ୟାୟପାଳିକର ରକ୍ଷା ପାଇଁ  ମହାମହିମ ଓ ଭାରତର ସମ୍ବିଧାନ କର୍ତ୍ତବ୍ୟବଦ୍ଧ ବୋଲି କୁହାଯାଇଛି। ସେହିପରି କେନ୍ଦ୍ରର ଆଟର୍ନି ଜେନେରାଲଙ୍କୁ ମଧ୍ୟ ଚିଠି କରାଯାଇଛି। ସେ ଦେଶର ସର୍ବୋଚ୍ଚ ନ୍ୟାୟିକ ଅଧିକାରୀ ହୋଇଥିବାରୁ ତାଙ୍କୁ ଦେଶର ସର୍ବୋଚ୍ଚ କୋର୍ଟର ମୁଖ୍ୟ ବିଚାରପତିଙ୍କ ଉପରେ ହେଉଥିବା ଆକ୍ରମଣରେ ସରକାରକୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ତେବେସମ୍ପୂର୍ଣ୍ଣ ଘଟଣା ଏହିପରି ଥିଲା।  ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ରରେ ସରକାର ଗଠନ ଓ ପୂର୍ବତନ ରାଜ୍ୟପାଳଙ୍କ ଭୂମିକା ଉପରେ ଦାୟର ଯାଚିକାର  ଚୂଡାନ୍ତ ଶୁଣାଣି କାଳରେ ତତ୍କାଳୀନ ରାଜ୍ୟପାଳ ଭାଗତ ସିଂହ କୋଶ୍ୟାରୀଙ୍କ ଭୂମିକା ଉପରେ ସନ୍ଦେହ ପ୍ରକଟ କରିଥିଲେ। କୋଶ୍ୟାରୀ ଉଦ୍ଧବ ସରକାର ଭାଙ୍ଗିବା ସମୟରେ ପକ୍ଷପାତିତା କରିଥିବା କହିଥିଲେ ଖଣ୍ଡପୀଠ।

    ଶିବସେନାର ଏହା ଏକ ଆଭ୍ୟନ୍ତରିଣ ଆଦର୍ଶଗତ ବିବାଦ, ଏଥିରେ ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାର ନ ଥିଲା। ସେହିପରି ଖଣ୍ଡପୀଠ ଆହୁରି କହିଥିଲେ କି, ଶିବସେନାର ୩୯ ବିଧାୟକ ବିଦ୍ରୋହ କରିବା ପରେ ରାଜ୍ୟପାଳଙ୍କ ଦ୍ବାରା ବିଶ୍ବାସ ମତ ପାଇଁ ଆହ୍ବାନ ନିଷ୍ପତ୍ତି ତରବରିଆ ଥିଲା। ରାଜ୍ୟପାଳଙ୍କୁ ଜାଣିବା ଉଚିତ ଥିଲା କି, ଠାକରେଙ୍କୁ ବିଶ୍ବାସ ମତ ପାଇଁ କହିବା ଦ୍ବାରା ସରକାର ଭାଙ୍ଗି ଯିବ। ତେବେ ସିଜେଆଇ ଯାହା କହିଥିଲେ ତାହା ଏକନାଥ ସରକାରକୁ ଖଟିଥିଲା।

    ଅନ୍ୟପଟେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସପକ୍ଷରେ ବାହାରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ସଞ୍ଜୟ ରାଉତ।  ପୂର୍ବତନ ବିଚାରପତିଙ୍କୁ ଆଣ୍ଟି ଇଣ୍ଡଆ ଗ୍ୟାଙ୍ଗର ସଦସ୍ୟ କହିଥିବାରୁ ଏହାକୁ ନେଇ ବର୍ଷିଛନ୍ତି ସଞ୍ଜୟ। ଏ କିପରି ଗଣତନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି ସଂଜୟ। ଜଣେ ଆଇନ ମନ୍ତ୍ରୀଙ୍କୁ ନ୍ୟାୟପାଳିକା ଉପରେ ଆକ୍ରମଣ କରିବା ଠିକ କି? ସରକାର ନିକଟରେ ମୁଣ୍ଡ ନୁଆଁଇବାକୁ ମନା କରିଥିବା ବିଚାରପତିଙ୍କୁ ଧମକ ଦିଆଯାଉଛି ଓ ଚାପ ପକାଯାଉଛି ବୋଲି କହିଛନ୍ତି ରାଉତ। ରାଉତ କହିଛନ୍ତି, ସରକାରକୁ ସମାଲୋଚନା କରିବା ଅର୍ଥ ନୁହେଁ ଦେଶ ବିରୋଧୀ।    

    ସମ୍ପ୍ରତି ଦେଶର ସ୍ଥିତିକୁ ନେଇ ଗଣମାଧ୍ୟମ, କେନ୍ଦ୍ରୀୟ ତଦନ୍ତକାରୀ କଳକୁ କେନ୍ଦ୍ର ନିଜ ଅକ୍ତିଆରକୁ ନେଇଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଏବେ ସିଜେଆଇଙ୍କୁ ଟ୍ରୋଲ ଓ ଆଇନମନ୍ତ୍ରୀଙ୍କ ବୟାନ ନ୍ୟାୟପାଳିକା ଉପରେ କେନ୍ଦ୍ରର ନ୍ୟାୟପାଳିକାର ସ୍ବାଧୀନତା ପ୍ରତି ଅସହିଷ୍ଣୁତା କାରଣରୁ ହେଉଛି ବୋଲି ଧରାଯିବ। ଆଉ ଆଗକୁ ବିରୋଧୀଙ୍କୁ ବୟାନ ବାଜି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଯେ ନ କରିବ, ଏହାକୁ ଏଡାଇ ଦିଆଯାଇ ନ ପାରେ।

    ଶିଳାସ୍ମିତା ରାୟଙ୍କ ରିପୋର୍ଟ

  • ଆମେ ଏଠାରେ କଣ ପାଇଁ: ସିଜେଆଇ

    ନୂଆଦିଲ୍ଲୀ: ମାମଲା ସୁପ୍ରିମକୋର୍ଟ ପାଇଁ ଛୋଟ ନୁହେଁ, ଏପରି କହିଛନ୍ତି ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ। ଯଦି ଆମେ ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ କାର୍ଯ୍ୟାନୁଷ୍ଠାନ କରୁ ନାହୁଁ ଓ ଆଶ୍ବସ୍ତି ଦେଉଥାଉ ତେବେ ଆମେ ଏଠାରେ କଣ କରୁଛୁ।  ଗତକାଲି କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ସଂସଦରେ ବୟାନ ରଖିଥିଲେ କି, ସୁପ୍ରିମକୋର୍ଟଙ୍କୁ ଜାମିନ ଯାଚିକା ଉପରେ ଶୁଣାଣି କରିବା ଉଚିତ ନୁହେଁ, ବରଂ ସମ୍ବିଧାନିକ ମାମଲାର ଶୁଣାଣି କରିବା ଉଚିତ।

    ବିଚାରପତିଙ୍କ ନିଯୁକ୍ତିକୁ ନେଇ ସମ୍ପ୍ରତି ସୁପ୍ରିମକୋର୍ଟ ଓ କେନ୍ଦ୍ର ମଧ୍ୟରେ ଜାରି ଶୀତଳ ଯୁଦ୍ଧ ମଧ୍ୟରେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ସଂସଦରେ ସୁପ୍ରିମ କୋର୍ଟଙ୍କ କଲେଜିୟମ ଉପରେ ବର୍ଷିଥିଲେ। ଦେଶର ଜନତା ଓ ସଂସଦର ଭାବନା ଆଧାରରେ ସୁପ୍ରିମକୋର୍ଟ କାମ କରୁନି। ୫ କୋଟି ଛୁଇଁବାକୁ ବସିଛି ଦେଶର ବକେୟା ମାମଲା ସଂଖ୍ୟା। କିନ୍ତୁ ସେହି ଆଧାରରେ ବିଚାରପତି ନିଯୁକ୍ତି ହେଉନଥିବା ପଛରେ କଲେଜିୟମକୁ ଦାୟୀ କରିଥିଲେ ମନ୍ତ୍ରୀ।  ଠିକ ଗୋଟିଏ ଦିନ ପରେ ଶୁକ୍ରବାର ସିଜେଆଇ ଏକ ବିଦ୍ୟୁତ ଚୋରି ମାମଲାର   ଶୁଣାଣି କାଳରେ ସିଜେଆଇ ଆଇନ ମନ୍ତ୍ରୀଙ୍କ ବୟାନ ଉପରେ ପରୋକ୍ଷ ପ୍ରତିକ୍ରିୟା ରଖିଥିବା ପରି ମନେ ହେଉଛି। ସିଜେଆଇ  ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ପିଏସ ନରସିଂହାଙ୍କ ଖଣ୍ଡପୀଠକୁ ମାମଲା ଚୋରି ଆସିଛି। ଯେଉଁଥିରେ ଆବେଦନକାରୀଙ୍କୁ ବିଦ୍ୟୁତ ଚୋରି ପାଇଁ ୧୮ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି। ଯେଉଁଥିରୁ ସେ ୭ ବର୍ଷ କଟାଇ ସାରିଛନ୍ତି।

    ମାମଲାର ଶୁଣାଣି କାଳରେ ସିଜେଆଇ କହିଥିଲେ, ’ଯଦି ସୁପ୍ରିମକୋର୍ଟ ଏପରି ମାମଲାର ଶୁଣାଣି ପାଇଁ ନୁହେଁ, ଆମେ ଏଠାରେ କଣ ପାଇଁ ଅଛୁ? ଯଦି ଆମେ ବ୍ୟକ୍ତି ସ୍ବାତନ୍ତ୍ରତା ମାମଲାରେ ହସ୍ତକ୍ଷେପ ନ କରୁ ଓ ଆମେ ଏହି ବ୍ୟକ୍ତିର ମୁକ୍ତି ଆଦେଶ ନ ଦେଉ, ଆମେ ଏଠାରେ କଣ ପାଇଁ ଅଛୁ? ତେବେ ଆମେ ସମ୍ବିଧାନର ଆର୍ଟିକିଲ ୧୩୬ର ଉଲ୍ଲଙ୍ଘନ କରୁଛୁ ବୋଲି କହିଛନ୍ତି ସିଜେଆଇ।

    ସିଜେଆଇ ଆହୁରି କହିଛନ୍ତି, ଯେତେବେଳେ ଆପଣ ଏଠାରେ ବସୁଛନ୍ତି,  ସୁପ୍ରିମକୋର୍ଟ ପାଇଁ କୌଣସି ମାମଲା ଛୋଟ ନୁହେଁ  କି କିଛି କେଶ ବଡ ମଧ୍ୟ ନୁହେଁ। କାରଣ ଆମେ ଏଠାରେ ଅନ୍ତରାତ୍ମାର ସ୍ବର ଓ ନାଗରିକଙ୍କ ସ୍ବତନ୍ତ୍ରତାର ଆହ୍ବାନର ଉତ୍ତର ଦେବାକୁ ରହିଛୁ।  ଏହି ବିଦ୍ୟୁତ୍ ଚୋରି  ମାମଲା ଦର୍ଶାଏ ବ୍ୟକ୍ତିଙ୍କ ମୌଳିକ ଅଧିକାରର ସଂରକ୍ଷକ ରୂପେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରହିଛି। ଛୋଟ ନିୟମିତ ମାମଲାଗୁଡିକ ଉଭୟ ସମ୍ବିଧାନିକ ଓ ନ୍ୟାୟିକ ବ୍ୟବସ୍ଥାର ଅଂଶ ବୋଲି କହିଛନ୍ତି ଖଣ୍ଡପୀଠ। ତେବେ ଏହି ଆକ୍ଷେପ ଓ ପ୍ରତିଆକ୍ଷେପ ମଧ୍ୟରେ ସାଧାରଣ ଜନତାର ମୌଳିକ ଅଧିକାର କ୍ଷୁନ୍ନ ନ ହେଉ ତଥା ନ୍ୟାୟ ପ୍ରାପ୍ତିରେ ବାଧା ପ୍ରାପ୍ତ ନ ହେଉ ସେଥିପ୍ରତି ଉଭୟ ନ୍ୟାୟପାଳିକା ଓ ଲୋକପାଳିକା ଧ୍ୟାନ ଦେବା ଜରୁରୀ।  

  • ଭାରତୀୟ ସମ୍ବିଧାନ ମାନବୀୟ ସଂଘର୍ଷର ପ୍ରସଙ୍ଗ: ସିଜେଆଇ

    ନୂଆଦିଲ୍ଲୀ: ଆଜି ସମ୍ବିଧାନ ଦିବସ। ଏହି ଅବସରରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି କି, ଭାରତର ସମ୍ବିଧାନ କେବଳ ଆଇନ ସମ୍ବଳିତ ନୁହେଁ ବରଂ ମାନବୀୟ ସଂଘର୍ଷ ଓ ଉତ୍ଥାନର ପ୍ରସଙ୍ଗକୁ କହିଥାଏ। ସମାଜରେ ପଛୁଆ ଓ ଦଳିତ ଏହାର ବୁନିୟାଦ ରଖିଛି। ସମ୍ବିଧାନର ନିର୍ମାଣ ଲଗାତର ଚାଲୁଥିବା ପ୍ରକ୍ରିୟା ଅଟେ। ବ୍ରିଟିଶ ରାଜ ଓ ଏହା ପୂର୍ବର କୋର୍ଟରେ ନାଗରିକମାନଙ୍କ ଅଧିକାରର ହନନ ହେଉଥିଲା।

    ଡିୱାଇ ଚନ୍ଦ୍ରଚୂଡ କହିଥିଲେ କି, ମୁଁ ମୁଖ୍ୟ ବିଚାରପତି ଭାବେ ମୋର ଦାୟିତ୍ବ ସୁପ୍ରିମ କୋର୍ଟରେ ବିଚାରପତିମାନେଙ୍କ ସହ ଓ ଜିଲ୍ଲା ସ୍ତରରେ ନ୍ୟାୟପାଳିକା ସହ ମିଳିମିଶି ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁଲଭ କରାଇବାର ବ୍ୟବସ୍ଥା କରାଇବା। ଏହା ଆବଶ୍ୟକ କି, ନ୍ୟାୟପାଳିକା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିପାରୁ ଓ ଲୋକଙ୍କଠାରୁ ତା ପର୍ଯ୍ୟନ୍ତ ପହଞ୍ଚିବାର ଅପେକ୍ଷା କରାନଯାଉ।

    କେଭିଡ କାଳରେ ଆମେ ବୈଷୟିକ ଢାଞ୍ଚାକୁ ମଜବୁତ କରି ଜନତା ପର୍ଯ୍ୟନ୍ତ ନ୍ୟାୟକୁ ପହଞ୍ଚାଇଛେ। ସମସ୍ତ ହାଇକୋର୍ଟ ଓ ଜିଲ୍ଲା କୋର୍ଟକୁ ଅନୁରୋଧ କି, ଏହି ଢାଞ୍ଚାକୁ ଶେଷ ନ କରି ବରଂ ମଜବୁତ କରିପାରିବା। ଫଳରେ ଏହା ମାଧ୍ୟମରେ ଆମେ ସିଷ୍ଟମକୁ ଆହୁରି ସୁବିଧାଜନକ କରି ପାରିବା।

    ସେ ଆଗକୁ କହିଛନ୍ତି, ରାଷ୍ଟ୍ରପତି ଆଜି ବହୁ ଯୋଜନାଗୁଡିକର ଆରମ୍ଭ କରୁଛନ୍ତି। ଭର୍ଚ୍ୟୁଆଲ ଜଷ୍ଟିସ କ୍ଲାସ, ଡ୍ୟାସ ବୋଡ, ଜଷ୍ଟିସ ମୋବାଇଲ ଆପ ସହ ବହୁ ବ୍ୟବସ୍ଥାର ଆରମ୍ଭ ହେବାକୁ ଯାଉଛି। ଡିଜିଟାଲ ଗ୍ରୀନକୋର୍ଟ ବିନା ପେପେରର ହେବ। ଭାରତୀୟ ନ୍ୟାୟପାଳିକା ଜନତାଙ୍କ ଦ୍ବାର ପର୍ଯ୍ୟନ୍ତ ନ୍ୟାୟକୁ ଉପଲବ୍ଧ କରାଇବାକୁ ପ୍ରସ୍ତୁତ ଅଛି। ଯୁବା ଚିନ୍ତାଧାରା ନ୍ୟାୟକୁ ସୁଲଭ କରାଇବାର ପଥରେ ଆଗରେ ରହିଛି।

    ସମ୍ବିଧାନ ଦିବସରରେ ଆଇନ ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି କି, ବାବା ସାହେବ ଆମ୍ବେଦକର କହିଥିଲେ କି, ସ୍ବାଧୀନତା ପରେ ଆମେ ନିଜ ବିଫଳତାସବୁକୁ ଇଂରାଜୀ ଉପରେ ନଷ୍ଟ କରିବୁ ନାହିଁ। ଆମକୁ ଆମ ବିଫଳତାର ଦାୟିତ୍ବ ନେବାକୁ ହେବ। ନ୍ୟାୟ ପାଇବାକୁ ସୁବିଧା ପ୍ରଥମ ସର୍ତ୍ତ, ଯାହାକୁ ଆମେ ଆଧୁନିକ ଜ୍ଞାନ କୌଶଳରୁ ହାସଲ କରିବାରିବା। ଲୋକଙ୍କୁ ଆଇନର ପରିଭାଷା ଲୋକଭାଷାରେ ଉପଲବ୍ଧ କରାଇପାରିବା ବୋଲି ମନ୍ତ୍ରୀ କହିଛନ୍ତି।  

  • ବହୁ ବିବାଦ ସତ୍ତ୍ବେ ଜଷ୍ଟିସ ଚନ୍ଦ୍ରଚୂଡ ହେବେ ପରବର୍ତ୍ତୀ ସିଜେଆଇ

    () ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼। ତେବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଲାଗି ଆଗକୁ ଯେତିକି ଆହ୍ୱାନ ରହିଛି। ତାଙ୍କ ନିଯୁକ୍ତିକୁ ତାଳ ଦେଇ ବିବାଦ ବି ସମାନ୍ତରାଳ ଭାବେ ମୁଣ୍ଡ ଟେକିଥିଲା। କ୍ଷମତାର ଦୁରୁପଯୋଗ ଭଳି ସଙ୍ଗୀନ ଅଭିଯୋଗ ଆଣି ଛନ୍ଦି ଦିଆଯାଇଥିଲା ବିବାଦରେ। କିନ୍ତୁ ବାର୍ କାଉନସିଲ ଅଫ ଇଣ୍ଡିଆ ଚଟାଣ ଭଳି ଚନ୍ଦ୍ରଚୂଡ଼ଙ୍କ ସପକ୍ଷରେ ଛିଡ଼ାହୋଇଛି।

    ଆସନ୍ତା ୨ ବର୍ଷ ଭିତରେ ଅର୍ଥାତ୍‌ ଚଳିତ ମାସରୁ ସେପ୍ଟେମ୍ୱର ୨୦୨୪ ଭିତରେ, ୧୮ ବିଚାରପତି ପଦବୀ ଖାଲି ହେବାକୁ ଯାଉଛି। ଚଳିତ ବର୍ଷ ସୁପ୍ରିମକୋର୍ଟରୁ ୪ ବିଚାରପତି ଅବସର ନେବେ। ସର୍ବୋଚ୍ଚ ଅଦାଲତରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୩୪ ଥିଲା ବେଳେ ଏବେ ୨୯ ଜଣ ବିଚାରପତି ଅଛନ୍ତି। ଯେହେତୁ ସୁପ୍ରିମକୋର୍ଟ କଲେଜିୟମ ନୂଆ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଛି, ସେଥିଲାଗି ପରବର୍ତ୍ତୀ ତଥା ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ କଲେଜିୟମ ଲାଗି ବିଚାରପତି ପଦ ପୂରଣ କରିବା ବଡ଼ ଟାସ୍କ ସାଜିବ। ତାଙ୍କ କାର୍ଯ୍ୟକାଳର ଦୁଇ ବର୍ଷ ଭିତରେ ତାଙ୍କ ନେତୃତ୍ୱରେ ଗଠିତ କଲେଜିୟମକୁ ଖାଲି ପଡ଼ିବାକୁ ଯାଉଥିବା ୧୮ ବିଚାରପତି ପଦବୀ ପୂରଣ କରିବାକୁ ପଡ଼ିବ।

    ୧୪ ବିଚାରପତି ପଦବୀ ଖାଲି ଭିତରେ ଚଳିତ ବର୍ଷ ଦୁଇ ଜଣ, ୨୦୨୩ରେ ୯ ଜଣ ଓ ୨୦୨୪ରେ ୩ ଜଣ ଅବସର ନେବାକୁ ଯାଉଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତଙ୍କ ସମେତ ଆଉ ଜଣେ ବିଚାରପତିଙ୍କ ଅବସର ପରେ ଆସନ୍ତା ମାସରେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୨୭କୁ ଖସିଯିବ। ଏମିତିରେ ସିଜେଆଇ ଜଷ୍ଟିସ ଲଳିତଙ୍କ ନେତୃତ୍ୱାଧୀନ କଲେଜିୟମରେ ଅନ୍ୟତମ ସଦସ୍ୟ ଥାଇ ବି ବିନା ବିଚାରବିମର୍ଶରେ ବିଚାରପତି ନିଯୁକ୍ତି ସମ୍ପର୍କିତ ସୁପାରିଶକୁ ନେଇ ଆପତ୍ତି ଉଠାଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଚର୍ଚ୍ଚାର ପରିଧିକୁ ଆସିସାରିଛନ୍ତି।

    ସେପଟେ ଜଷ୍ଟିସ ଚନ୍ଦ୍ରଚୂଡ଼ ନିଜ ପଦବୀର ଦୁରୁପଯୋଗ କରି ନିଜ ପୁଅକୁ ଅହେତୁକ ଫାଏଦା ଦେଇଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ସୁପ୍ରିମକୋର୍ଟ ଆଣ୍ଡ ହାଇକୋର୍ଟ ଲିଟିଗାଣ୍ଟ ଆସୋସିଏସନର ସଭାପତି ଭାବରେ ଅଭିଯୋଗକାରୀ ରସିଦ ଖାନ୍ ପଠାନ୍ ଅଭିଯୋଗ କରିଛନ୍ତି କି, ବମ୍ୱେ ହାଇକୋର୍ଟରେ ଏକ ମାମଲାରେ ତାଙ୍କ ପୁଅ ଅଭିନବ ଚନ୍ଦ୍ରଚୂଡ଼ ଯେଉଁଠି ଜଣେ ଆଇନଜୀବୀ ହିସାବରେ ଲଢୁଥିଲେ, ସେ ମାମଲାରେ ତାଙ୍କ ମହକିଲ ସପକ୍ଷରେ ଅର୍ଡର ପାସ୍ କରିଛନ୍ତି ତାଙ୍କ ବାପା ତଥା ଜଷ୍ଟିସ ଚନ୍ଦ୍ରଚୂଡ଼। ମାମଲାଟି ଅର୍ଥ ହେରଫେର ସମ୍ପର୍କିତ ଥିଲା।

    ଅଭିଯୁକ୍ତ ସାଗର ସୂର୍ଯ୍ୟବଂଶୀ ଓ ଶୀତଲ ତେଜଓ୍ୱାନିଙ୍କ ଲାଗି ଲଢ଼ୁଥିଲେ ଅଭିନବ ଚନ୍ଦ୍ରଚୂଡ଼। ଉଭୟ ବାପ ପୁଅ ଅନ୍ୟ ପିଟିସନ ଦାଖଲକାରୀ ଓ ଏପରିକି ହାଇକୋର୍ଟ ଉପରେ ବି ଚାପ ପକାଇଥିବାର ଅଭିଯୋଗ ଆଣିଥିଲେ ପଠାନ୍। ଏପରିକି ରହିତାଦେଶ ଉଠାଇଦେବାକୁ କୁଆଡେ ରାଜ୍ୟ ସରକାର ବମ୍ୱେ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି ଆଉ ବମ୍ୱେ ହାଇକୋର୍ଟ ସେଥିଲାଗି ଅଭିଯୋଗକାରୀଙ୍କ କଥା ଶୁଣୁନାହାନ୍ତି ବୋଲି ମିଛ ଓ ଜାଲି ପିଟିସନ ପଡ଼ିଥିଲା।

    ବାସ୍ତବରେ କହିବାକୁ ଗଲେ ରାଜ୍ୟ ସରକାର କୌଣସି ଆବେଦନ କରିନାହାନ୍ତି କି ସୁପ୍ରିମକୋର୍ଟକୁ ବି ଯାଇନାହାନ୍ତି। କିନ୍ତୁ ଏହା ସତ୍ତ୍ୱେ କେମିତି ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଲା। ତା ପୁଣି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ଏହାର ଶୁଣାଣୀ ହେଲା ଓ ଯେଉଁ ଆବେଦନର କୌଣସି ଆଧାର ନାହିଁ, ତା ଉପରେ ବିଚାର ବି ହେଲା କହି ଅଭିଯୋଗକାରୀ ଅଙ୍ଗୁଳି ଉଠାଇଛନ୍ତି।

    ନଭେମ୍ୱର ୨୯, ୨୦୨୧ରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ଏହାର ଶୁଣାଣୀ ହୋଇଥିଲା। ଆଉ ପୂର୍ବ ପ୍ରାୟୋଜିତ ଷଡ଼ଯନ୍ତ୍ରର ଅଂଶବିଶେଷ ହେତୁ ରାଜ୍ୟ ସରକାରଙ୍କର କାଉନସେଲରଙ୍କୁ ନାଁ ପକ୍ଷ ରଖିବାକୁ ଡକାଗଲା ନା ପ୍ରତିପକ୍ଷଙ୍କୁ କୌଣସି ନୋଟିସ୍ କରାଗଲା। ଆଉ ନିଜ ପୁଅର ମହକିଲ ସପକ୍ଷରେ ଜଷ୍ଟିସ ଚନ୍ଦ୍ରଚୂଡ଼ ରାୟ ଦେଇଥିଲେ ବୋଲି ଅଭିଯୋଗକାରୀ ପଠାନ୍ ଅଙ୍ଗୁଳି ନିର୍ଦେଶ କରିଛନ୍ତି।

    କନଫ୍ଲିକ୍ଟ ଅଫ ଇଣ୍ଟେରେଷ୍ଟ ଆଧାରରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାଁ ପରବର୍ତ୍ତୀ ସିଜେଆଇ ଭାବରେ ସୁପାରିଶ ନ କରିବାକୁ ଏବେକାର ପ୍ରଧାନ ବିଚାରପତି ଜଷ୍ଟିସ ଲଳିତଙ୍କୁ ବି ଅନୁରୋଧ କରିଥିଲେ ଅଭିଯୋଗକାରୀ ରସିଦ୍ ପଠାନ୍। କେବଳ ଏତିକି ନୁହେଁ, ଜଷ୍ଟିସ ଚନ୍ଦ୍ରଚୂଡ଼ ୟୁଏସ ଗ୍ରୀନକାର୍ଡ ହାତେଇଥିବା ଅଭିଯୋଗ ହୋଇଛି। ମାଇକ୍ରୋ ବ୍ଲଗିଂ ସାଇଡପେ ଇନ୍ଦ୍ରା ବାଜରା ନାମକ ବ୍ୟକ୍ତି ଟ୍ୱିଟରରେ ଏହି ଅଭିଯାଗ ଆଣି ଏହା କଅଣ କନଫ୍ଲିକ୍ଟ ଅଫ ଇଣ୍ଟେରେଷ୍ଟର ସ୍ପଷ୍ଟ ମାମଲା ନୁହେଁ କି ବୋଲି ପଚାରିଛନ୍ତି।

    ସେପଟେ ଜଣେ ବିବାହିତା ମହିଳା ନିଜ ଇଛା ମୁତାବକ ବାହାରର କୌଣସି ବ୍ୟକ୍ତି ସହ ଯୌନସମ୍ୱନ୍ଧ ରଖିପାରେ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଇଥିବା ଏକ ରାୟକୁ ନେଇ ବିଦାବ ଓ ବିତର୍କର ପାହାଡ଼ ବି ଛିଡ଼ା ହୋଇଥିଲା। ଏଥିଲାଗି ସ୍ୱାମୀର କୌଣସି ସହମତି ଲୋଡ଼ିବା ଆବଶ୍ୟକ ନାହିଁ। ଜଣେ ମହିଳାଙ୍କ ଯୌନସମ୍ପର୍କ ଉପରେ ସ୍ୱାମୀର ଏକଚାଟିଆ ଅଧିକାର ନାହିଁ। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଶାଣିତ ଟାର୍ଗେଟ କରାଯାଇଥିଲା ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ।

    ସେପେଟ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବିରୁଦ୍ଧରେ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟକୁ ନେଇ ଉଠିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଛି ବାର୍ କାଉନସିଲ୍ ଅଫ ଇଣ୍ଡିଆ। ଜଷ୍ଟିସ ଚନ୍ଦ୍ରଚୂଡ଼ ଭାରତର ନାଗରିକ। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନ୍ୟାୟିକ ପ୍ରଶାସନରେ ଅଯଥା ହସ୍ତକ୍ଷେପ କରି ନ୍ୟାୟାଳୟରେ ଥିବା ସ୍ୱଛତାକୁ କଳୁଷିତ କରିବାରେ ବ୍ୟସ୍ତ। ଯେତେବେଳେ ପରବର୍ତ୍ତୀ ପ୍ରଧାନ ବିଚାରପତି ଦୌଡ଼ରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଥିବା ଜଣାପଡ଼ିଲା, ସେତେବେଳେ ନାନା ମିଛ ଆରୋପ ଲଦି ତାଙ୍କ ଛବିକୁ ମଳିନ କରିବାକୁ କେତେକଙ୍କ ଚକ୍ରାନ୍ତ ବୋଲି କହିଛି ବାର୍ କାଉନସିଲ ଅଫ ଇଣ୍ଡିଆ।

    ଏପରିକି ନିଜ ପୁଅ ଉକ୍ତ ମାମଲାରେ ଲଢ଼ୁଥିବା କଥା ବି ଜାଣିନଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। କେବଳ ଶସ୍ତା ପ୍ରଚାର ଲାଗି ଉଦ୍ଦିଷ୍ଟ ଏଭଳି ଭିତ୍ତିହୀନ ଅଭିଯୋଗ। ଆଇନଜୀବୀ ରସିଦ ଖାନ୍ ପଠାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଆକ୍ସନ ଲାଗି ସୁପାରିଶ କରିବା ସହ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଭଳି ଜ୍ଞାନୀ, ସ୍ୱଛ ଓ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ସାଙ୍ଗରେ ସବୁବେଳେ ଛିଡା ହୋଇଛୁ ବୋଲି ବାର୍ କାଉନସିଲ ଅଫ ଇଣ୍ଡିଆ କହିଛି। ଏହା ସହ ଏଭଳି ମିଛ ଅଭିଯୋଗକୁ ନଜରଅନ୍ଦାଜ କରି ଲୋକଙ୍କୁ ନ୍ୟାୟ ଦେବା ବାଟରେ ଆଗେଇଯାଆନ୍ତୁ କହି ଚନ୍ଦ୍ରଚୂଡ଼ଙ୍କୁ ଅପିଲ ବି କରିଛି ବାର୍ କାଉନସିଲ ଅଫ ଇଣ୍ଡିଆ।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ପୂର୍ବତନ ବିଚାରପତିଙ୍କ ପୁଅ ହେବେ ୫୦ ତମ ବିଚାରପତି

    () ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼। ଏ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ତାଙ୍କ ନାଁ ସୁପାରିଶ କରିବା ସହ ଆଜି ସୁପ୍ରିମକୋର୍ଟ ପରିସରରେ ଥିବା ବିଚାରପତି ଲାଉଞ୍ଜରେ ବିଧିବଦ୍ଧ ଭାବେ ତାଙ୍କୁ ଏ ସମ୍ପର୍କିତ ଚିଠିକୁ ବି ହସ୍ତାନ୍ତର କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଯାହା ପରମ୍ପରା ଅଛି, ସିଜେଆଇ ପଦବୀରେ ସବୁଠୁ ବରିଷ୍ଠ ତାଲିକାରେ ଥିବା ବ୍ୟକ୍ତି ହିଁ ବସିବେ। ତାହାର ଅନୁପାଳନ କରାଯାଇଛି।

    ଜଷ୍ଟିସ ଡି. ଓ୍ୱାଇ.ଚନ୍ଦ୍ରଚୂଡ଼ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ସେ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ସୁପ୍ରିମକୋର୍ଟରେ ଏବେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଆସନ୍ତା ନଭେମ୍ୱର ୮ ତାରିଖରେ ଅବସର ନେବାକୁ ଯାଉଛନ୍ତି। ଦେଶର ୫୦ ତମ ପ୍ରଧାନ ବିଚାରପତି ତଥା ତାଙ୍କର ଉତ୍ତରାଧିକାରୀଙ୍କ ନାଁ ସୁପାରିଶ କରିବାକୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ତାଙ୍କୁ ଚିଠି ଲେଖିଥିଲେ। ଆଉ ଏହି କ୍ରମରେ ଓ ପ୍ରୋଟୋକଲକୁ ଦେଖିଲେ, ସିଜେଆଇ ତାଙ୍କର ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତିଙ୍କ ନାଁ ସୁପାରିଶ କରିଥାଆନ୍ତି। ତେଣୁ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାଁ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିଶ କରିଛନ୍ତି। ଏମିତିରେ ଜଷ୍ଟିସ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠତମ ବିଚାରପତି।

    ଚନ୍ଦ୍ରଚୂଡ଼ଙ୍କ ନାଁ ସରକାରଙ୍କୁ ସେ ସୁପାରିଶ କରିଥିବାର ଚିଠିକୁ ସୁପ୍ରିମକୋର୍ଟ ପରିସରରେ ଥିବା ବିଚାରପତି ଲାଉଞ୍ଜରେ ସମସ୍ତଙ୍କ ଉପସ୍ଥିତିରେ ମଙ୍ଗଳବାର ହସ୍ତାନ୍ତର କରିଥିଲେ ସିଜେଆଇ। ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ନଭେମ୍ୱର ୯ରେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ନଭେମ୍ୱର ୧୦, ୨୦୨୪ରେ ସେ ଅବସର ନେବେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପିତା ଜଷ୍ଟିସ୍ ଓ୍ୱାଇ ଭି ଚନ୍ଦ୍ରଚୂଡ଼ ଦେଶର ୧୬ତମ ପ୍ରଧାନ ବିଚାରପତି ଥିଲେ। ସେଥିଲାଗି ଏବେଠୁ କୁହାଯାଉଛି କି, ପୂର୍ବତନ ସିଜେଆଇଙ୍କ ପୁଅ ଏବେ ଦେଶର ପରବର୍ତ୍ତୀ ସିଜେଆଇ ହେବାକୁ ଯାଉଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ୭୪ ଦିନର କାର୍ଯ୍ୟକାଳ ଆସନ୍ତା ମାସ ୮ ତାରିଖରେ ଶେଷ ହେଉଛି।

    ସେଥିଲାଗି ପ୍ରଧାନ ବିଚାରପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ, ସେ ସମ୍ପର୍କିତ ନାଁ ଓ ସୁପାରିଶ ପତ୍ର ଏବେକାର ପ୍ରଧାନ ବିଚାରପତିଙ୍କଠୁ ଲୋଡ଼ିଥିଲେ ଆଇନ ମନ୍ତ୍ରୀ କିରଣ ରିଜ୍ଜୁ। କାରଣ ନାଁ ଓ ସୁପାରିଶ ପତ୍ର ପାଇବା ପରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥାଏ ଆଇନ ମନ୍ତ୍ରଣାଳୟ। ଆଉ ମହାମହିମ ରାଷ୍ଟ୍ରପତିଙ୍କୁ ପରବର୍ତ୍ତୀ ସିଜେଆଇ ନିଯୁକ୍ତି ଉପରେ ମୋହର ଲଗାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦିଅନ୍ତି। ତେବେ ଏ ସବୁ ପ୍ରକ୍ରିୟା ଏବେକାର ସିଜେଆଇଙ୍କ ଅବସରର ମାସକ ଆଗରୁ ସରିଥାଏ। ଆଉ ଏହି କ୍ରମରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିଶ କରିବା ଓ ସେ ହିଁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାର ପ୍ରକ୍ରିୟାକୁ ସମାପନ କରିଛନ୍ତି ସିଜେଆଇ ଜଷ୍ଟିସ ୟୁୟୁ ଲଳିତ। ବଡ଼ କଥା ହେଲା କି, ସୁପ୍ରିମକୋର୍ଟ କଲେଜିୟମରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ବିବାଦ ଘନେଇଥିଲା ସମୟରେ ଏଭଳି ସୁପାରିଶ ଓ ନିଯୁକ୍ତିକୁ ନେଇ ଚର୍ଚ୍ଚା ହେଉଛି।

    ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ନିଯୁକ୍ତ ହେବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିବା ସକାଶେ ସିଜେଆଇଙ୍କ ନିଷ୍ପତ୍ତିକୁ କଲେଜିୟମରେ ଯେଉଁ ଦୁଇ ବିଚାରପତି ଆପତ୍ତି ଉଠାଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କଲେଜିୟମ ୨ ବିଚାରପତିଙ୍କ ନାଁ ପ୍ରଘଟ କରିବାରୁ ଏ କଥା ସାମ୍ନାକୁ ଆସିଛି। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ ଏସ.ଅବଦୁଲ୍ ନାଜିର ସିଜେଆଇଙ୍କ ସୁପାରିଶ ଉପରେ ଆପତ୍ତି ଉଠାଇଥିଲେ। ଅକ୍ଟୋବର ୯ରେ ସ୍ୱାକ୍ଷରିତ ବିବୃତ୍ତିକୁ ସାର୍ବଜନୀନ କରାଯାଇଛି। କଲେଜିୟମ ବୈଠକଗୁଡ଼ିକୁ ସାଧାରଣତଃ ବିଚାରପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥାଏ। ଯଦି ପ୍ରାର୍ଥୀଙ୍କ ନାଁକୁ ନେଇ କୌଣସି ମତଭେଦ ଦେଖାଦିଏ, ଚୂଡ଼ାନ୍ତ ତାଲିକା ବାହାରିବା ଆଗରୁ ପ୍ୟାନେଲ ତାକୁ ଆପୋଷ ଆଲୋଚନା ଜରିଆରେ ଦୂର କରିଥାଏ।

    ତେବେ ସେପ୍ଟେମ୍ୱର ୩୦ ବୈଠକରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇପାରିନଥିବା କଲେଜିୟମ ସଦସ୍ୟଙ୍କ ମତାମତ ପତ୍ର ଜରିଆରେ ଗ୍ରହଣ କରିବାକୁ ସିଜେଆଇ ନିଷ୍ପତ୍ତି ନେଇଥିଲେ। ଏହି ଲେଟର ରୁଟ୍ ପ୍ରସ୍ତାବ ସପକ୍ଷରେ ଜଷ୍ଟିସ ସଞ୍ଜୟ କିଷାନ୍ କୌର, କେ.ଏମ.ଜୋସେଫ୍ ସହମତି ପ୍ରକାଶ କରିଥିଲା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓ  ଜଷ୍ଟିସ ନାଜିର୍ ବିରୋଧ କରିଥିଲେ। ଆପତ୍ତି ଉଠାଇଥିବା ଦୁଇ ବିଚାରପତିଙ୍କ ନାଁ କଲେଜିୟମ ପକ୍ଷରୁ ପ୍ରଘଟ ପରେ ଏବେକାର ସିଜେଆଇ ଲଳିତ ଓ ତାଙ୍କର ଉତ୍ତରାଧିକାରୀ ଜଷ୍ଟିସ ଚନ୍ଦ୍ରଚୂଡ଼ ଏକ ପ୍ରକାର ମୁହାଁମୁହିଁ ଅବସ୍ଥାକୁ ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଛି। କଲେଜିୟମର ଏଭଳି ଆଭିମୁଖ୍ୟ ଉଚିତ ପରମ୍ପରା ସୃଷ୍ଟି କରିନି ବୋଲି ଅନେକ ଆଇନ ବିଶାରଦ ମତ ଦେଉଛନ୍ତି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଯୁବ ଓକିଲଙ୍କୁ ପ୍ରଧାନ ବିଚାରପତିଙ୍କ ପରାମର୍ଶ

    ନୂଆଦିଲ୍ଲୀ: ଆଇନ ସହାୟତା ଯୋଗାଣରେ ଅବହେଳା । ସେଥିଲାଗି ଯଥାସମ୍ଭବ ଲୋକଙ୍କୁ ଆଇନ ସହାୟତା ଦେବାକୁ ଯୁବ ଓକିଲଙ୍କୁ ଆହ୍ୱାନ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ନାସନାଲ ଲ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ।

    ଦେଶରେ ଲୋକଙ୍କୁ ଉଚିତ୍ ସମୟରେ ଆଇନ ସହାୟତା ମିଳୁନି। ଆଇନ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ଏହି ସେବା ଦେବାକୁ କୁଣ୍ଠାବୋଧ କରୁଛନ୍ତି ଆଇନଜୀବୀ। ସେଥିଲାଗି ଏହି ସହାୟତା ସେବା କ୍ରମାଗତ ଅବହେଳା ହୋଇଚାଲିଛି। ଏଭଳି ଶବ୍ଦରେ ଆଇନ ସହାୟତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ। ନାସନାଲ ଲିଗାଲ ସର୍ଭିସ ଅଥୋରିଟି ବା ନାଲସାର ପୂର୍ବତନ ନିର୍ବାହୀ ଅଧ୍ୟକ୍ଷ ଭାବରେ ଜଷ୍ଟିସ ଲଳିତ ଏ କାମକୁ ତ୍ୱରାନ୍ୱିତ କରିବାକୁ ଯୁବ ଓକିଲଙ୍କୁ ଅପିଲ୍ କରିଛନ୍ତି। ଯୁବ ଲ ଗ୍ରାଜୁଏଟ୍ ଯଥାସମ୍ଭବ ସେମାନଙ୍କର ସମୟ ଓ ଶକ୍ତିକୁ ଆଇନ ସହାୟତା ଦେବାରେ ସମର୍ପିତ କରନ୍ତୁ ବୋଲି ଚାହିଁଛନ୍ତି ପ୍ରଧାନ ବିଚାରପତି।

    ଗତ ଦେଢ଼ ବର୍ଷ ହେଲା ଆଇନ ସହାୟତା ସେବା ସହ ସେ ସଂପୃକ୍ତ ଅଛନ୍ତି। କିନ୍ତୁ ଦେଖିଲେ ଯେ, ଦେଶରେ ଏହି ସେବା ପୁରା ଅବହେଳିତ ଅବସ୍ଥାରେ ଅଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି। ନିଜର ଲିଗାଲ ପ୍ରଫେସନକୁ ପ୍ୟାସନ ଭାବେ ଗ୍ରହଣ କରନ୍ତୁ। କିନ୍ତୁ ତା ସହ ସମାନ୍ତରାଳ ଭାବେ ଭଲ ମଣିଷ ଓ ଦେଶ ପାଇଁ ଉପଯୋଗୀ ମଣିଷ ଭାବେ ବି ବିବେଚିତ ହେବାକୁ ପ୍ରୟାସ କରନ୍ତୁ ବୋଲି କହିଛନ୍ତି ଜଷ୍ଟିସ୍ ଲଳିତ।

    ଦୁର୍ବଳ ବର୍ଗଙ୍କୁ ମାଗଣାରେ ଆଇନ ସହାୟତା ଦେବା, ଆଇନ ସଚେତନତା ସୃଷ୍ଟି, ଲୋକ ଅଦାଲତ ଜରିଆରେ ସମାଧାନ କରିବା, ଆପୋଷ ଆଲୋଚନା ଜରିଆରେ ସମସ୍ୟା ଦୂର କରିବା, ପୀଡିତଙ୍କୁ କ୍ଷତିପୂରଣ ଆଦି ଦେବା ଉଦ୍ଦେଶ୍ୟରେ ୧୯୯୫ରେ ନାଲସା ଗଠନ ହୋଇଥିଲା। ତ୍ୱରିତ ବିଚାର ଲାଗି ନାଲସାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତୀତରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମାଗଣା ଆଇନ ସହାୟତା ବାବଦରେ ଅନେକ ଜାଣିନଥିବା ସହ ଏଥିଲାଗି ଆଇନଜୀବିଙ୍କ ଅନାଗ୍ରହ ବିଚାରାଧୀନ ବନ୍ଦୀଙ୍କ ବିଚାରରେ ପ୍ରତିବନ୍ଧକ ସାଜିଛି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ମୋ ପାଖରେ କୌଣସି ଚାମ୍ବର ନ ଥିଲା: ସିଜେଆଇ

    ନୂଆଦିଲ୍ଲୀ: ମୋ ପାଖରେ କେବେ କୌଣସି ଚାମ୍ବର ନ ଥିଲା।  ସୁପ୍ରିମକୋର୍ଟ ଓକିଲଙ୍କ ପାଇଁ ଚାମ୍ବର ବ୍ଲକ୍ସ ତିଆରି ପାଇଁ ୧.୩୩ ଏକର ଜମି ଆବଣ୍ଟନର ନିର୍ଦ୍ଦେଶ ସହରୀ ବିକାଶ ମନ୍ତ୍ରଣାଳୟକୁ ଦେବାକୁ ନେଇ ହୋଇଥିବା ଯାଚିକାର ଶୁଣାଣି କାଳରେ ସିଜେଆ ୟୁୟୁ ଲଳିତ ଏହା କହିଛନ୍ତି।

    ୧.୩୩ ଏକର ଜମିରେ ଓକିଲଙ୍କ ଚାମ୍ବର ନିର୍ମାଣ ପାଇଁ ସୁପ୍ରିମ କୋର୍ଟରେ ଦାୟର ଯାଚିକାର ଶୁଣାଣି ସିଜେଆଇ ୟୁୟୁ ଲଳିତ ଓ ଜଷ୍ଟିସ ରବିନ୍ଦ୍ର  ଭଟ୍ଟଙ୍କ ଖଣ୍ଡପୀଠରେ ହୋଇଛି। ଶୁଣାଣି କାଳରେ ସିଜେଆଇ କହିଥିଲେ, କୌଣସି ଓକିଲକୁ ସର୍ବକାଳୀନ ଚାମ୍ବର ମିଳିନ ଥାଏ, ନାହିଁ ବଂଶାନୁଗତ। ଏହା ଜନତାଙ୍କ ସମ୍ପତ୍ତି, ଲୋକ ସମ୍ପତ୍ତି। ଆପଣମାନଙ୍କୁ ନିୟମ କରିବାକୁ ହେବ କି, ଓକିଲଙ୍କୁ ସର୍ବକାଳୀନ ପାଇଁ ଚାମ୍ବର ମିଳିବ ନାହିଁ।

    ଜଷ୍ଟିସ ରବିନ୍ଦ୍ର ଭଟ୍ଟ ଏହାକୁ ନେଇ କହିଥିଲେ କି,  କିନ୍ତୁ ଆମେ ଅନ୍ୟର ସମ୍ପତ୍ତିରେ କଣ କରିପାରିବା?  ମୋର ଓ ସିଜେଆଇଙ୍କ ନାମରେ କୌଣସି ଚାମ୍ବର ଅଛି କି? ବୋଲି ପ୍ରଶ୍ନ କରିବାରୁ ସିଜେଆଇ କହିଥିଲେ, ମୋ ନିକଟରେ କେବେ କୌଣସି ଚାମ୍ବର ନଥିଲା।  ଏହା ଉପରେ ବାର ଆସୋସିଏସନ ଅଧ୍ୟକ୍ଷ ବିକାଶ ସିଂହ କହିଥିଲେ, ତେବେ ସୁପ୍ରିମ କୋର୍ଟରେ ପ୍ରାକ୍ଟିସ କରୁଥିବା ଓକିଲଙ୍କ ସଂଖ୍ୟା ସୀମିତ କରିବାକୁ ହେବ। ଆମକୁ ଓକିଲଙ୍କୁ କହିବାକୁ ହେବ କି ଏହି ସୀମାରୁ ଅଧିକ ଓକିଲ ପ୍ରାକ୍ଟିସ ନ କରନ୍ତୁ। ଏହା ପରେ ସିଜେଆଇ କହିଛନ୍ତି କି, କମନ ଏରିଆକୁ ମହକିଲଙ୍କ ସହ ସାକ୍ଷତପାଇଁ ବ୍ୟବହାର କରାଯାଇ ପାରିବ।

    ଶୁଣାଣି କାଳରେ ବିକାଶ ସିଂହ କୋର୍ଟଙ୍କୁ କହିଥିଲେ କି, ପ୍ରଗତି ମୈଦାନ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ୧.୩୩ ଏକର ଜାଗା ରହିଛି। ଏହା ନିକଟରେ ଫରେନ କରେସ୍ପୋଡେନ୍ସ କ୍ଲବ ଅଛି।  ତାହାକୁ ଖାଲି କରିବାକୁ ଆଦେଶ ଦିଆଯାଇ ପାରେ।  ତେବେ ଏପରି ନିର୍ଦ୍ଦେଶକୁ କୋର୍ଟ ମନା କରିଥିବା ବେଳେ ୧.୩୩ ଏକର ଜାଗାକୁ ନେଇ କହିଥିଲେ, ଆପଣଙ୍କୁ ୧.୩୩ ଏକର ଜମି ମିଳିଯାଉ, ଆପଣଙ୍କ ଯେତେ ଇଛା ସେତେବେଳେ ଚାମ୍ବର କରନ୍ତୁ।

  • ୧୬ ମାସରେ ମିଳିଲା ମାତ୍ର ୫୦ ଫୁଲ ଫେଜ ଶୁଣାଣି: ଜଷ୍ଟିସ ରମଣା

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ ଏନ.ଭି.ରମଣା। ୧୬ ମାସ ଧରି ସର୍ବୋଚ୍ଚ ଅଦାଲତର ଶୀର୍ଷ ଆସନରେ ବସି କାର୍ଯ୍ୟ ତୁଲାଇଥିଲେ ବି ମନରେ ଅବଶୋଷ ରହିଗଲା ବୋଲି କହିଛନ୍ତି ଜଷ୍ଟିସ ରମଣା। କାରଣ କେବଳ ୫୦ ଦିନ ଫୁଲ୍ ଫ୍ଲେଜରେ ଶୁଣାଣୀ ସମ୍ଭବ ହୋଇପାରିଥିଲା ତାଙ୍କ ଟର୍ମରେ। ଏହା ସହ ମାମଲାଗୁଡ଼ିକୁ ତାଲିକାଭୁକ୍ତ ଓ ପୋଷ୍ଟିଂ କରିବା ଦିଗରେ ବି ଯଥେଷ୍ଟ ଧ୍ୟାନ ଦେଇପାରିଲେନି ବୋଲି ଦୁଃଖ ପ୍ରକାଶ କରିଛନ୍ତି।

    ଦୀର୍ଘ ୨୨ ବର୍ଷ ଧରି ନ୍ୟାୟିକ ବ୍ୟବସ୍ଥାରେ ନିଜକୁ ଜଡ଼ିତ କରି ରଖିଥିଲେ ଜଷ୍ଟିସ ରମଣା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ୧୬ ମାସ ଧରି ସଫଳତାର ସହ ଦାୟିତ୍ୱ ତୁଲାଇବା ପରେ ଆଜି ଅବସର ନେଇଛନ୍ତି। ତେବେ ଫେୟାରଓ୍ୱେଲ ସେରିମନିରେ ଅନେକ ଉପାଦେୟ ପରାମର୍ଶ ଦେବା ସହ ମନରେ ରହିଯାଇଥିବା କିଛି ଅବଶୋଷକୁ ବି ଜାହିର କରିଛନ୍ତି ଜଷ୍ଟିସ ଏନ.ଭି.ରମଣା। ବରିଷ୍ଠ ଜୁନିଅରଙ୍କୁ ଗାଇଡ୍ କରନ୍ତୁ। ଯେଉଁମାନେ ଲିଗାଲ ପ୍ରଫେସନକୁ ଆସୁଛନ୍ତି, ସେମାନଙ୍କୁ ଠିକ୍ ଦିଶା ଦିଅନ୍ତୁ ବୋଲି କହିଛନ୍ତି ରମଣା। ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସମସ୍ତଙ୍କ ସହଯୋଗ ଦରକାର। ଦୁର୍ଭାଗ୍ୟବଶତଃ ତାଙ୍କର ସିଜେଆଇ ଭାବରେ ୧୬ ମାସର କାର୍ଯ୍ୟକାଳ ଭିତରେ କେବଳ ୫୦ ଦିନ ଫୁଲ୍ ଫ୍ଲେଜରେ କୋର୍ଟ ଶୁଣାଣୀ ସମ୍ଭବ ହୋଇପାରିଲା ବୋଲି କହିଛନ୍ତି।

    ଯୁଗ ବଦଳୁଛି। ଆଉ ତାକୁ ତାଳ ଦେଇ ନୂଆ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ସମାଧାନ ଯାଏ ପହଞ୍ଚିବାକୁ ହେବ। କୋର୍ଟରେ ଗଡ଼ୁଥିବା ମାମଲା ସଂଖ୍ୟାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜଷ୍ଟିସ ରମଣା। କାରଣ ତ୍ୱରିତ ବିଚାର କରି ସଂଖ୍ୟାକୁ ହ୍ରାସ କରିବା ସବୁଠୁ ବଡ଼ ଆହ୍ୱାନ। ଏହା ସହ ମାମଲାକୁ ତାଲିକାଭୁକ୍ତ ଓ ପୋଷ୍ଟିଂକୁ ନେଇ ସଠିକ୍ ଭାବରେ ସେ ଧ୍ୟାନ ଦେଇପାରିନାହାନ୍ତି ବୋଲି କହିଛନ୍ତି ଜଷ୍ଟିସ ରମଣା। ଏଥିଲାଗି ସେ ଦୁଃଖପ୍ରକାଶ କରିଛନ୍ତି।

    ରମଣା ଅବସର ନେବାର ଦିନକ ଆଗରୁ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତି ପ୍ରସଙ୍ଗ, ପେଗାସସ ଗୁଇନ୍ଦାଗିରି ମାମଲାର ଶୁଣାଣୀ କରି ଦେଇଥିବା ମନ୍ତବ୍ୟ ସରକାରଙ୍କ ଅଡ଼ୁଆ ବଢ଼ାଇଛି। ଜୁଡିସିଆଲ ଭିତ୍ତିଭୂମି ସୁଦୃଢ଼ ଓ ପଦବୀ ପୂରଣ, ଆଜିକା ଦୁନିଆରେ ବ୍ରିଟିଶ ଅମଳର ରାଜଦ୍ରୋହ ମାମଲାର କି ପ୍ରାସଙ୍ଗିକତା ଆଦି ଅନେକ ମାମଲା ଓ ପ୍ରସଙ୍ଗ ଉପରେ ନିର୍ଭୀକ ଭାବେ ନିଜର ମତ ଓ ରାୟ ରଖୁଥିଲେ। ୪୮ ତମ ସିଜେଆଇ ଭାବେ ଏପ୍ରିଲ ୨୪, ୨୦୨୧ରେ ଦାୟିତ୍ୱ ନେଇଥିଲେ। ସୁପ୍ରିମକୋର୍ଟରେ କାର୍ଯ୍ୟକାଳ ଭିତରେ ସେ ୬୫୭ ଖଣ୍ଡପୀଠର ଅଂଶବିଶେଷ ସାଜିଥିଲେ ଓ ୧୭୪ ରାୟ ଦେଇଥିଲେ। ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ସେ ଜଷ୍ଟିସ ୟୁୟୁ ଲଳିତଙ୍କ ନାଁ ସୁପାରିଶ କରିଥିଲେ।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଲଞ୍ଚ ପ୍ୟାଡରେ କେବେ ଚାପର ସମ୍ମୁଖୀନ ହୋଇନାହିଁ: ସିଜେଆଇ

    ନୂଆଦିଲ୍ଲୀ: ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ଅବସରର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟାଜିତ ହୋଇଯାଇଛି ଅବସରକାଳୀନ ସମ୍ବର୍ଦ୍ଧନା ସଭା। ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରମଣା ବିଚାରପତି ଭାବେ ତାଙ୍କ ପ୍ରାରମ୍ଭିକ ଦିନକୁ ମନେ ପକାଇଥିଲେ।

    ରମଣା କହିଥିଲେ, ଦିଲ୍ଲୀ ହାଇକୋର୍ଟ ହେଉଛି ତାଙ୍କ କ୍ୟାରିୟରର ଲଞ୍ଚ ପ୍ୟାଡ। ସେ ମୁଖ୍ୟ ବିଚାରପତି ଭାବେ ଏଠାରୁ ସ୍ବଳ୍ପକାଳୀନ ତାଲିମ ନେଇଥିଲେ।  ଦେଶର ରାଜଧାନୀରେ ଅନେକ ଭୟ ଓ ଆଶଙ୍କା ନେଇ ସେ ପହଞ୍ଚିଥିଲେ, କିନ୍ତୁ କର୍ମକ୍ଷେତ୍ରରେ କୌଣସି ପ୍ରକାରର ଚାପର ସମ୍ମୁଖୀନ ହୋଇ ନାହାନ୍ତି। ସେ କହିଛନ୍ତି, ଯେତେବେଳେ ସେ ଆନ୍ଧ୍ର ପ୍ରଦେଶରୁ ରାଜଧାନୀକୁ ଆସିଥିଲେ ତାଙ୍କୁ କୁହାଯାଇଥିଲା ଯେ, ତାଙ୍କ ପରି ଜଣେ ଚାଷୀ ପରିବାରରୁ ଆସିଥିବା ବ୍ୟକ୍ତିଙ୍କ ପାଇଁ ଦେଶର ସବୁଠାରୁ ଜଟିଳ ସହର ସହଜ ହେବ ନାହିଁ।  ତେଣୁ ତାଙ୍କୁ ଜଗି ରଖି ପ୍ରତି ଶବ୍ଦ ଉଚ୍ଚାରଣ କରିବାକୁ ହେବ ବୋଲି କୁହାଯାଇଥିଲା।

    ତେବେ ବିଚାରପତି ଭାବେ ମୋ ଜୀବନର ସବୁଠାରୁ ସୁଖଦ ସମୟ କଥା ପଚରା ଯାଏ ତେବେ ମୁଁ ଗର୍ବର ସହ କହିବି କି, ଦିଲ୍ଲୀ ହାଇକୋର୍ଟରେ ଥିବା ସମୟ। କାରଣ ଆନ୍ଧ୍ର ପ୍ରଦେଶରେ ୧୩ ବର୍ଷର ବିଚାରପତି କ୍ୟାରିୟରରେ ବହୁ ଚାପ ଓ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। କିନ୍ତୁ ଏଠାକୁ ଆସିବା ପରେ ମୁଁ ଆଶ୍ଚର୍ଯ୍ୟ ଚକିତ ରହିଥିଲି। ଏମିତି ଗୋଟିଏ ଦିନ ନ ଥିଲା ଯାହାକୁ ମୁଁ ଉପଭୋଗ କରି ନ ଥିଲି ବୋଲି ଜଷ୍ଟିସ ରମଣା କହିଛନ୍ତି।

    ଅଗଷ୍ଟ ୨୬ ତାରିଖରେ ଜଷ୍ଟିସ ରମଣା ଅବସର ନେବାକୁ ଯାଉଛନ୍ତି।

Back to top button