digital currency

  • ସାରା ଦେଶରେ ଆରମ୍ଭ ହେଲା ଡିଜିଟାଲ କରେନ୍ସି ପ୍ରଚଳନ

    () ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଡିଜିଟାଲ କରେନ୍ସିର ପ୍ରଚଳନ । ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁଜ ସଙ୍କେତ ଦେବା ପରେ ଦେଶରେ ଇ-ରୂପୀର ପାଇଲଟ ପ୍ରୋଜେକ୍ଟର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ଡିଜିଟାଲ ଟଙ୍କାକୁ ହୋଲସେଲ ଜରିଆରେ ପ୍ରଚଳନ କରାଯାଇଛି। ଏପରିକି ପରୀକ୍ଷାମୂଳକ ଭାବେ ଏହାର ପ୍ରଚଳନକୁ ବି ସୀମିତ କ୍ଷେତ୍ରରେ କରାଯିବ। ଦେଶର ପ୍ରମୁଖ ୯ଟି ବ୍ୟାଙ୍କକୁ ଏଥିରେ ସାମିଲ୍ କରାଯାଇଛି।

    ବିଟ କଏନ ଭଳି କ୍ରିପ୍ଟୋକରେନ୍ସିର ମୁକାବିଲା କରିବାକୁ ଆରବିଆଇ ପ୍ରସ୍ତୁତ କରିଥିବା ନିଜସ୍ୱ ଡିଜିଟାଲ ମୁଦ୍ରା ଇ-ଟଙ୍କାର ପରୀକ୍ଷଣ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଇକାରୀ ଓ  ମାସକ ଭିତରେ ଖୁଚୁରା କ୍ଷେତ୍ରରେ ଏହାର ପରୀକ୍ଷଣ କରାଯିବ। କିଛି ନିର୍ଦ୍ଦିଷ୍ଟ ଗ୍ରାହକ ଓ ବ୍ୟବସାୟୀଙ୍କୁ ନେଇ ଏଇ ପରୀକ୍ଷଣ ହେବ। ପରୀକ୍ଷଣର ସଫଳତା ପରେ ଏହାର ଦେଶବ୍ୟାପୀ କାର୍ଯ୍ୟକାରିତା ନିର୍ଭର କରୁଛି। ଏହି ପରୀକ୍ଷୀମୂଳକ ପ୍ରୋଜେକ୍ଟରେ ଏସବିଆଇ, ବ୍ୟାଙ୍କ ଅଫ ବରୋଦା, ୟୁନିଅନ ବ୍ୟାଙ୍କ, ଏଚଡିଏଫସି, ଆଇସିଆଇସିଆଇ, କୋଟାକ୍ ମହିନ୍ଦ୍ରା, ୟେସ୍ ବ୍ୟାଙ୍କ୍, ଆଇଡିଏଫସି ଫାଷ୍ଟ୍ ଓ ଏଚଏସବିସି ବ୍ୟାଙ୍କ ଅଂଶଗ୍ରହଣ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ବଜେଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ କି, ଆରବିଆଇ ଚଳିତ ବର୍ଷ ଇ-ଟଙ୍କାର ପ୍ରଚଳନ ଆରମ୍ଭ କରିବ। ଆରବିଆଇ ବି ଅକ୍ଟୋବର ୭, ୨୦୨୨ରେ କହିଥିଲା, ଖୁବ ଶୀଘ୍ର ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି।

    ତେବେ ଏହି ଇ-ଟଙ୍କା ହେଉଛି ପେମେଣ୍ଟର ଏକ ମାଧ୍ୟମ। ଯାହା ପ୍ରଚଳିତ ନୋଟ୍ ଓ କଏନ ଭଳି ବୈଧ ଅଟେ। ଏହାକୁ ସାଧାରଣ ଜନତା, ବ୍ୟବସାୟୀ, ସରକାର ଓ ଅନ୍ୟମାନେ ବି ବ୍ୟବହାର କରିପାରିବେ। ଏହାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇପାରିବ ଓ ନଗଦ ଟଙ୍କାରେ ବି ପରିଣତ କରାଯାଇପାରିବ। ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଏହାର କାରବାର ହେବ। ବିଟ କଏନ ଭଳି କ୍ରିପ୍ଟୋକରେନ୍ସିର ବିକଳ୍ପ ଭାବେ ଏହା କାମ କରିବ। କ୍ରିପ୍ଟୋକରେନ୍ସିରେ ଅନେକ ରିସ୍କ ରହିଥିବା ବେଳେ ଡିଜିଟାଲ କରେନ୍ସି ସମ୍ପୂର୍ଣ୍ଣ ସୁରକ୍ଷିତ। ଯେହେତୁ ଆରବିଆଇ ଏହାର ମୂଲ୍ୟକୁ ନିଶ୍ଚିତ କରୁଛି। ସେଥିଲାଗି ଏହାର ବ୍ୟବହାରକୁ ନେଇ କୌଣସି ଆଶଙ୍କା ନାହିଁ। ଆଗରୁ ବି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରିପ୍ଟୋକରେନ୍ସିକୁ ଦୃଢ଼ ବିରୋଧ କରି ଆସିଛନ୍ତି। କାରଣ ଏହାର କୌଣସି ମୂଲ୍ୟ ନାହିଁ। ଯେଉଁମାନେ କ୍ରିପ୍ଟୋକରେନ୍ସିରେ କାରବାର କରୁଛନ୍ତି ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ଶକ୍ତିକାନ୍ତ। କ୍ରିପ୍ଟୋକରେନ୍ସିକୁ ଅନୁମତି ଦିଆଗଲେ, ଏହା ଘୋର ଆର୍ଥିକ ଅସ୍ଥିରତା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକଟ କରିଥିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ବ୍ଲକ ଚେନ୍ ପ୍ରଯୁକ୍ତି ନୂଆ ନୁହେଁ। ଏହା ୧୦ ବର୍ଷର ପୁରୁଣା। ବିନା କ୍ରିପ୍ଟୋରେ ବି ପ୍ରଯୁକ୍ତି ଆଗକୁ ବଢିପାରିବ ବୋଲି କହିଥିଲେ ଶକ୍ତିକାନ୍ତ।

    ଏହି ଡିଜିଟାଲ କରେନ୍ସିର ପ୍ରଚଳନ ପରେ ଆଉ ଏଣିକି ଲୋକଙ୍କୁ ପାଖରେ ନଗଦ ଅର୍ଥ ରଖିବାର ଆବଶ୍ୟକ ନାହିଁ। ଏହାକୁ ନିଜ ମୋବାଇଲ୍ ଓ୍ୱାଲେଟରେ ରଖିପାରିବେ। ଏହାର ପ୍ରଚଳନରେ ଏହା ଭାରତର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବ। ପରିଷେଧ ପ୍ରଣାଳୀକୁ ଏହା ଅଧିକ ଦକ୍ଷ କରିବ। ଆଉ ଅନଲାଇନରେ ଟଙ୍କା ଠକେଇକୁ ବି ରୋକିପାରିବ। ସିବିଡିସି ବା କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଦ୍ୱାରା ଜାରି କରାଯାଇଥିବା ମୁଦ୍ରାର ଏକ ଡିଜିଟାଲ ରୂପ ଅଛି। ଦୁନିଆରେ ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କ ଏହି ସମୟରେ ସିବିଡିସି ଜାରି ଲାଗି ବିଚାର କରୁଛନ୍ତି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button