highcourt

  • ହାଇକୋର୍ଟ ଗଲା ଅର୍ଚ୍ଚନା ମାମଲା

    କଟକ: ହାଇକୋର୍ଟ ଗଲା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା।  ଅର୍ଚ୍ଚନା ନାଗଙ୍କ ବେଆଇନ ସମ୍ପତ୍ତିର ତଦନ୍ତ କରୁ ଇଡି। ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜ୍ଜୁ ହୋଇଛି। ମାମଲାରେ ଭୁବନେଶ୍ବର ଡିସିପିଙ୍କ ସମେତ ୭ ଜଣ ପକ୍ଷଭୁକ୍ତ। ଅର୍ଚ୍ଚନାଙ୍କ ସହ ସମ୍ପର୍କ ନେଇ ଯେଉଁ  ନାଁ ଆସିଛି ତଦନ୍ତ ହେଉ। ସେପଟେ ଜାମିନ ଆବେଦନ କଲେ ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନର ଶୁଣାଣି ହୋଇପାରିନଥିଲା। ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇପାରିନଥିଲା।

  • ଏଏସଓ ପରୀକ୍ଷା ହେବ : ହାଇକୋର୍ଟ

    ଏଏସଓ ପରୀକ୍ଷା ଘୁଞ୍ଚାଇବା ମାମଲା। ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ। ପରୀକ୍ଷା ଘୁଞ୍ଚାଇବାକୁ ଆବେଦନ କରିଥିଲେ ଆଶାୟୀ। ବନ୍ୟା ସ୍ଥିତି ସୁଧୁରି ନଥିବାରୁ ଘୁଞ୍ଚାଇବାକୁ ଆବେଦନ କରିଥିଲେ। ପୂର୍ବରୁ ଅଗଷ୍ଟ ୨୧ରେ ହେବାକୁ ଥିବା  ପରୀକ୍ଷା ୨୭କୁ ଘୁଂଚିଥିଲା।

  • ଓଟିଏମ୍ ର ଅନ୍ତିମ ସଂସ୍କାର!

    ଓଟିଏମର ବଦଳିବ ଭାଗ୍ୟ। ରୁପ ଆଉ ସ୍ୱରୁପ ବି ବଦଳିବ। ବନ୍ଦ ପଡ଼ିଥିବା ସଂସ୍ଥା ପୁଣି ଖୋଲିବ। ରାଜ୍ୟ ସରକାର ଏହି ଦାୟିତ୍ୱ ନିଜ ହାତକୁ ନେବା ଲାଗି ଦେଢଶହ କୋଟି ଟଙ୍କା ଜମା କରିବେ। ପୂର୍ବରୁ ୨ ପର୍ଯ୍ୟାୟରେ ୩୫ କୋଟି ଜମା ଦେଇସାରିଛନ୍ତି। ଯଦି ସବୁକିଛି ଠିକ୍ ଠାକ ହୁଏ ତେବେ ଖୁବଶୀଘ୍ର ସେଠାରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ୍ ପାର୍କ । ଓଟିଏମ୍ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷ ଏମିତି ହିଁ ରଖାଯାଇଛି। ଯାହା ସବୁ ଓଟିଏମ ପ୍ରେମୀଙ୍କୁ ସାମାନ୍ୟ ଆଶ୍ୱସ୍ଥ କରିଥିବ। ଓଟିଏମ୍ ନହେଲେ ନାହିଁ ସେ ସ୍ଥାନରେ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ହେଲେ ଓଟିଏମର ଅଭାବ ପୁରଣ ହେବ, ନିଯୁକ୍ତି ସୁଯୋଗ ମିଳିବ ଓ ଚୌଦ୍ୱାର ମାଟି ପୁଣି ଶିଳ୍ପାଞ୍ଚଳ ବୋଲି ତାର ପୂର୍ବ ମର୍ଯ୍ୟଦା ଫେରି ପାଇବ । କିନ୍ତୁ ଏ ଘୋଷଣା ବହୁ ପୂର୍ବର ଯାହା ଏବେ ମଧ୍ୟ କେବଳ ଘୋଷଣା ମାତ୍ର ହୋଇ ରହିଛି। ଓଟିଏମ୍ ଗେଟ ବାହାରେ ଯେଉଁ ଉତ୍ସର୍ଗୀକୃତ ଆନ୍ଦୋଳନ ଚାଲିଥିଲା ତାହା ସମୟ ସହ କିଛି ଲୋକଙ୍କ ପ୍ରତୀକାତ୍ମକ ଆନ୍ଦୋଳନ ରେ ପରିଣତ ହୋଇଛି। ଓଟିଏମ୍ ଭିତରେ ଜୀବଜନ୍ତୁ ଓ କାରଖାନାର ସ୍ମୃତି ଧରି ରଖିଥିବା ଭଙ୍ଗା ଆସବାବପତ୍ର କେବଳ ବାକି ରହିଛି ବୋଲି କୁହାଯାଉଛି । ନିକଟରେ ଥିବା ଅନ୍ୟ ଏକ କମ୍ପାନୀ ଓଟିଏମର କିଛି ଜମିକୁ ଜବରଦଖଲ କରି ରଖିଛି। ବହୁତ ଲୋକ ଓଡ଼ିଶାରୁ ଗୁଜରାଟ ଯାଏ ଓଟିଏମ୍ ପୁରନୁଦ୍ଧାର ଦାୟିତ୍ୱ ହାତକୁ ନେବାକୁ କହିଛନ୍ତି। ପଇସାପତ୍ର ଦିଆନିଆ ବି ହୋଇଥିଲା କିନ୍ତୁ ସେ ସବୁ ବଭିନ୍ନ କାରଣରୁ ବିଫଳ ହୋଇଛି । ଓଟିଏମକୁ ନେଇ ରାଜନୀତି ଢେର ହୋଇଛି,କିନ୍ତୁ ତାର ଅର୍ଥନୀତିକୁ ବୁଝି ପଦକ୍ଷେପ ନେବା ସମ୍ଭବ ହୋଇନି ।

    ତେବେ ଯେତେବେଳେ ଲିକ୍ୱିଡେସନ୍ ପ୍ରକ୍ରିୟା ଆଗକୁ ବଢିବ ସେଠି ବର୍ଷ ବର୍ଷ ଧରି ବକେୟା ଦରମା ଅପେକ୍ଷାରେ ଥିବା ଓଟିଏମ୍ କର୍ମଚାରୀଙ୍କ ମଧ୍ୟରେ ପୁରୁଣା ପ୍ରାପ୍ୟ ଫେରିବା ଆଶା ଅଧିକ ଦୃଢ ରହିବା ସ୍ୱାଭାବିକ। କାରଣ ଓଟିଏମର ସଂସାଧନ ବିକ୍ରି ହେଲେ ଯେଉଁ ଆୟ ହେବ ତାର ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ସେଠିକାର କର୍ମଚାରୀ ହିଁ ରହିବେ । ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି ସମୟରେ କର୍ମଚାରୀଙ୍କ ଦରମା କେତେ ବାକି ଅଛି ଅନ୍ୟ ସ୍ତରରେ କ’ଣ ପୈଠ ହୋଇନାହିଁ ସେ ସବୁର ହିସାବକିତାବ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ଙ୍କୁ ଦାୟିତ୍ୱ ଦେବା ଲାଗି ଅଫିସିଆଲ ଲିକ୍ୱିଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଓଟିଏମ୍ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସଂସ୍ଥାକୁ ୧କୋଟି ୨୫ ଲକ୍ଷ ଫେରସ୍ତ ଦେବା ବ୍ୟବସ୍ଥା ହୋଇଥିବା ଶୁଣାଣି ବେଳେ ମଧ୍ୟ ସ୍ପଷ୍ଟ ହୋଇଛି । ଶ୍ରମିକ, କର୍ମଚାରୀ, ଅଧିକାରୀ ସମସ୍ତେ ଚାତକ ଭଳି ଅପେକ୍ଷା କରିଛନ୍ତି ସେ ସମୟକୁ ଯେତେବେଳେ ପୁରୁଣା ପ୍ରାପ୍ୟ ତାଙ୍କ ହାତକୁ ଆସିବ। ଏ ମଧ୍ୟରେ ୭ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । ଆର୍ଥିକ ଦୁଃସ୍ଥିତିରେ ପ୍ରାୟ ୩୦ ଜଣ ଆତ୍ମହତ୍ୟା କରିଥିବା କୁହାଯାଏ। ତାଲାବନ୍ଦ ସମୟରେ କିଏ ସ୍ୱେଚ୍ଛାକୃତ ଅବସର ନେଇଥିଲା ତ କିଏ ବାଧ୍ୟତାମୁଳକ ଅବସର ନେଇଥିଲା। ବକେୟା ମିଳିଲେ ମଧ୍ୟ ସରକାର ଯଦି ଗତ ୫ ଦଶନ୍ଧି ଧରି ରହି ଆସୁଥିବା ପରିବାରର ଥଇଥାନ କଥା ଚିନ୍ତା ନକରନ୍ତି ଆଉ ଅଳ୍ପ କିଛି ଦେଇ ଚୁପ ରୁହନ୍ତି ତେବେ ଯେଉଁ ଉତ୍ସାହ ଆଜି ଦେଖିବାକୁ ମିଳିଛି ତାହା ପାଣିଚିଆ ହୋଇଯିବ ନିଶ୍ଚୟଁ। ଏମିତି ଶ୍ରମିକ ମଧ୍ୟ ଅଛନ୍ତି ଯେଉଁମାନଙ୍କ ପିଏଫ ମଧ୍ୟ ୧୯୯୭ ରୁ ଡିପୋଜିଟ୍ ହୋଇନି। ଏ ମଧ୍ୟରେ ଅନେକ ଜୀବିକା ବଦଳାଇଛନ୍ତି। କିନ୍ତୁ ପୂର୍ବ ଜୀବିକା ଫେରିବା ଆଶା ସେମାନଙ୍କର ମରିନାହିଁ ।

    ଓଟିଏମର ସ୍ୱର୍ଣ୍ଣିମ ସମୟ କଥା ଏତେ ଉପର ପିଢି ବର୍ଣ୍ଣନା କରିଛନ୍ତି ଯେ ତଳପିଢି ମଧ୍ୟ ସେଥିରେ ପ୍ରଭାବିତ ହୋଇଛନ୍ତି । କାରଣ ଓଡ଼ିଶା ଟେକ୍ସଟାଇଲ ମିଲ ରାଜ୍ୟର ପରିଚୟ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୪୬ରେ ବିଜୁ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ୧୯୫୦ରୁ କପଡ଼ା ଉତ୍ପାଦନ ଆରମ୍ଭ ହୋଇଥିଲା । ୧୯୮୦ପର୍ଯ୍ୟନ୍ତ ଏହାର ପରିଚାଳନା ଉତ୍ପାଦନର ଦକ୍ଷତା, ମିଲ କପଡ଼ାର ସ୍ୱତନ୍ତ୍ରତାକୁ ନେଇ ସନ୍ଦେହ ନଥିଲା । ରାଜ୍ୟରେ ଓ ରାଜ୍ୟ ବାହାରେ ବେଶ ଲୋକପ୍ରିୟତା ପାଇଥିଲା । ୧୯୮୧ରେ ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱରେ ସିଧାସଳଖ ହସ୍ତକ୍ଷେପ କଲେ । ତଥ୍ୟ କୁହେ, ୧୯୮୬ ଯାଏଁ ଲାଭରେ ଚାଲିଥିଲା ଓଟିଏମ୍ । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ପ୍ରାଇଭେଟ କମ୍ପାନୀ କପଡ଼ାର ବଜାର ପ୍ରବେଶ ସହ ଓଟିଏମ୍ ତାର ପୂର୍ବ ଗୌରବ ବଜାୟ ରଖିପାରିଲାନି। ନିୟମିତ ବ୍ୟବଧାନରେ ଯୁଗୋପଯୋଗୀ କରିବା ପାଇଁ ଯେଉଁ ଭଳି ଅର୍ଥ ବିନିଯୋଗ ଓ ଆଧୁନିକ ମେସିନାରୀ ଦରକାର ଥିଲା ତାହା ଯୋଗା ଯାଇନଥିଲା । ଯାହା କିଛି ବାକି ଥିଲା ୧୯୯୯ର ମହାବାତ୍ୟା ସବୁ ଉଜାଡ଼ି ଦେଲା । ତା ପରେ ସରକାର ବଦଳିଲା କିନ୍ତୁ କାରଖାନାର ରୁଗ୍ଣ ଅବସ୍ଥା ସୁଧାରିବା ଆଉ ସମ୍ଭବ ନଥିଲା ବୋଲି ଯୁକ୍ତି ଦିଆଗଲା । ଅବଶ୍ୟ କିଛି ଅର୍ଥ କାରଖାନା ପରିଚାଳନା ପାଇଁ ସମୟ ସମୟରେ ସରକାରମାନେ ଦେଇଥିଲେ । କିନ୍ତୁ ତାର ଖର୍ଚ୍ଚ କେଉଁଭଳି ହେଲା ତାହା ଦେଖିବା ପ୍ରାଥମିକତାରେ ରହିଲାନି । ପରେ ୨୦୦୧ ଜୁଲାଇ ୩୧ରେ ଓଟିଏମ୍ ଗେଟରେ ତାଲା ପଡ଼ି ଯାଇଥିଲା । କୁହାଗଲା କାରଖାନା ବନ୍ଦ ବେଳକୁ ପ୍ରାୟ ୩ହଜାର ୭ଶହ ଶ୍ରମିକ କାମ କରୁଥିଲେ। କିନ୍ତୁ ଓଟିଏମ୍ ଗେଟ ବାହାରେ ଶ୍ରମିକଙ୍କ ଆନ୍ଦୋଳନ କେବେ ସଡ଼କରେ କେବେ ବିଧାନସଭାରେ ନିରବଚ୍ଛିନ୍ନ ଭାବେ ଚର୍ଚ୍ଚାରେ ରହିଆସିଥିଲା । ଯେବେ ଯେବେ ନବୀନ ସରକାରଙ୍କ ଶିଳ୍ପାୟନର ବିଫଳତା କଥା ଉଠିଛି ସେଠି ସର୍ବାଗ୍ରେ ଓଟିଏମର ପୁନରୁଦ୍ଧାର ସରକାର କାହିଁକି କଲେନାହିଁ ବୋଲି ପ୍ରଶ୍ନ ଶୁଭିଛି । କିନ୍ତୁ କାରଖାନା ଦିନକରେ ଏଭଳି ସ୍ଥିତିକୁ ଯାଇନାହିଁ ସେଥିପାଇଁ କଂଗ୍ରେସ ଏଥିରୁ ନିଜକୁ ସମ୍ପୁର୍ଣ୍ଣ ମୁକ୍ତ କରିପାରିବ ନାହିଁ କି ବିଜେଡି ବିଜେପି ଭାଗୁଆଳି ସରକାରରେ ଥାଇ ବିଜେପି ଶିଳ୍ପ ବିଭାଗ ପାଇ କ’ଣ କରିଥିଲା ଓଟିଏମ ପାଇଁ ସେ ପ୍ରଶ୍ନରୁ ମଧ୍ୟ ବର୍ତ୍ତି ପାରିବନାହିଁ ।

    ପ୍ରଚାର ତ ହେଉଛି ସରକାର ୧୫୦ କୋଟି ଦେବେ ଯେଉଁଥିରେ ଶ୍ରମିକଙ୍କ ପାଉଣା ଭରଣା ହେବ । କିନ୍ତୁ ଏହାର ବାସ୍ତବତା ଭିନ୍ନ । ଏହି ପ୍ୟାକେଜର ସର୍ବାଧିକ ଫାଇଦା ପାଇବ ବ୍ୟାଙ୍କ । ଯେଉଁ ବ୍ୟାଙ୍କ ଅର୍ଥାତ ଆହ୍ଲାବାଦ ବ୍ୟାଙ୍କ ତାର ସୁଧ ମୂଳ ପାଇଯିବ। ଶ୍ରମିକଙ୍କ ପାଉଣା ସମ୍ପର୍କିତ ତଥ୍ୟ ସବୁବେଳେ ଭ୍ରମାତ୍ମକ ରହିଆସିଛି। କିଛି ଲୋକ ଗ୍ରାଚ୍ୟୁଟି ପାଇଯିବେ। କିଛି ଅଧିକାରୀ ସ୍ତରର ଲୋକ ତାଙ୍କ ବକେୟା ଦରମା ପାଇବେ। ଅଧିକାଂଶ ଶ୍ରମିକ ଯେହେତୁ ଭିଆରଏସ, ସିଆରଆର ନେଇ ଯାଇଛନ୍ତି,ତେଣୁ ତାଙ୍କ ଭାଗରେ କ’ଣ ପଡ଼ିବ କେତେ ପଡ଼ିବ ତାର ହିସାବକିତାବ ନହେଲା ଯାଏଁ ସବୁ ଅସ୍ପଷ୍ଟ। କିନ୍ତୁ ଆକଳନ ହେଉଛି ଯେତିକି ଶ୍ରମିକଙ୍କ ପାଉଣା ପାଇଁ ହିସାବ ରହିବ ତାହା ୨୦କୋଟିରୁ ଅଧିକ ନହୋଇପାରେ। ଅନ୍ୟପଟେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରର ଳିଗାଲ ହେୟାର ସମସ୍ୟା ଯଦି ରୁହେ ସେମାନଙ୍କୁ ନ୍ୟାୟ ମିଳିବା ସହଜ ନହୋଇ ପାରେ । ତା ବ୍ୟତୀତ କ୍ୱାଟର ବାବଦ ଅର୍ଥ କଟନିଛଟନି କଥା ଯଦି ସରକାରୀ ଅଧିକାରୀଙ୍କ ପାଉଣା ଫେରସ୍ତ ନକ୍ସାରେ ସର୍ବାଗ୍ରେ ଥିବ ତେବେ ସେଠି ମଧ୍ୟ ନିରାଶ ହୋଇପାରନ୍ତି ଶ୍ରମିକ ପରିବାର । ଏମିତିରେ ତ ୯୦ଜଣ ପୂର୍ବତନ କର୍ମଚାରୀଙ୍କ କ୍ୱାଟରକୁ ଗୋଟିଏ ମିଟରରୁ ବିଦ୍ୟୁତ ସଂଯୋଗକୁ ନେଇ କେତେ ହିନସ୍ତା ହୋଇଛନ୍ତି ସେମାନେ । ଯେଉଁ ପ୍ରସଙ୍ଗ ମଧ୍ୟ କୋର୍ଟଙ୍କ ଶୁଣାଣି ବେଳେ ଉଠିଛି । ତେଣୁ ସର୍ବଶେଷ ଶୁଣାଣି, ସର୍ବଶେଷ ନିର୍ଦ୍ଦେଶ ଓ ସରକାରଙ୍କ ଆଭିମୁଖ୍ୟ ହିଁ ଶ୍ରମିକଙ୍କ ଭାଗ୍ୟ ଭବିଷ୍ୟତ ନିର୍ଣ୍ଣୟ କରିବ। କିନ୍ତୁ ପ୍ରାୟ ୫ଶହ ଏକର ଓଟିଏମ୍ ଜମି ଏବଂ ସେଥିରୁ ଜବରଦଖଲରେ ଥିବା ଜମି ସରକାରଙ୍କ ହାତକୁ ଆସିଲେ ତାର ସଦୁପଯୋଗ ସମ୍ଭବତଃ ରାଜକୋଷ ସମୃଦ୍ଧ କରିପାରେ । ତେଣୁ ୬ ସପ୍ତାହ ପରେ ଅର୍ଥାତ୍ ସେପ୍ଟେମ୍ବର ୧୩ର ଶୁଣାଣି ଉପରେ ଅନେକ କିଛି ନିର୍ଭର କରେ ।

    ଏସବୁ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ସଂଘର୍ଷରତ କର୍ମଚାରୀଙ୍କ ବିଜୟ ହୋଇପାରେ କିନ୍ତୁ କେବେ ଓଡ଼ିଶାର ପରିଚୟ ସହ ଯୋଡ଼ା ହୋଇଥିବା ଓଟିଏମ୍ ର ପରାଜୟ ନିଶ୍ଚିତ। ‘ନୂଆ ରୁପରେ ଖୋଲିବ ଓଟିଏମ୍ ଦାୟିତ୍ୱ ନେବେ ସରକାର । ନିଯୁକ୍ତିର ସୁଯୋଗ ମିଳିବ, ଚୌଦ୍ୱାର ମାଟି ପୁଣି ଚଳଚଞ୍ଚଳ ହେବ ପୂର୍ବ ମର୍ଯ୍ୟଦା ଫେରିପାଇବ’। ଏ ସ୍ଲୋଗାନ ପ୍ରତି ନିର୍ବାଚନରେ ହାରିଥିବା ଓ ଜିତି କ୍ଷମତାକୁ ଆସିଥିବା ନେତା ସମସ୍ତେ କହିଛନ୍ତି। ତେଣୁ ଓଟିଏମ୍ ଭଙ୍ଗାଯିବା ଓ ତାର ସଂସାଧନ ବିକ୍ରି ହେବା ଓଡ଼ିଶା ପାଇଁ ସେତେବେଳ ଯାଏଁ ଭଲ ଖବର ନୁହେଁ ଯେତେବେଳ ଯାଏଁ ସରକାର ଦେଇଥିବା ଟେକ୍ସଟାଇଲ ପାର୍କ ନିର୍ମାଣର ପ୍ରତିଶ୍ରୁତି ପୁରଣ ନହୋଇଛି। ଚୌଦ୍ବାରବାସୀ ତାକୁ ନିଜ ଆଖିରେ ନଦେଖିଛନ୍ତି।

    ସୁପ୍ରିୟା ଦାଶଙ୍କ ରିପୋର୍ଟ

  • ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ

    ବହୁଚର୍ଚ୍ଚିତ ଲକ୍ଷ୍ମୀପୁର ଖେରି ହିଂସା ମାମଲା । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହୋଇଛି । ଜାମିନ ଆବେଦନକୁ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ କୃଷ୍ଣ ପହଲଙ୍କ ବେଞ୍ଚ ଶୁଣାଣି ଶେଷ କରିବା ପରେ ଜୁଲାଇ ୧୫ରୁ ଏହାର ଆଦେଶ ସଂରକ୍ଷିତ ରଖିଥିଲେ କୋର୍ଟ ।କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଅଦାଲତି ଝଟକା। ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ଏହି ହିଂସାକାଣ୍ଡରେ ଆଶିଷ ମିଶ୍ରା ଆନ୍ଦୋଳନରତ ଥିବା ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଥିଲେ। ଫଳରେ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉପୁଜିଥିବା ହିଂସାରେ ୩ ଜଣ ମୃତ୍ୟୁବରଣ କରିଥିଲେ  । ଏହି ଭଳି ଏକ ସମ୍ବେଦନଶୀଳ ଘଟଣାରେ ତାଙ୍କୁ ଜାମିନ ମିଳିବ ନାହିଁ ବୋଲି କହିଥିଲେ ଉଚ୍ଚତମ ନ୍ୟାୟାଳୟ । ଜାମିନ ନିବେଦନର ଶୁଣାଣି କରିଥିବା ବିଚାରପତି ଜଷ୍ଟିସ୍ କୃଷ୍ଣ ପହଲଙ୍କ ଖଣ୍ଡପୀଠ ସାକ୍ଷ ପ୍ରମାଣକୁ ପ୍ରଭାବିତ କରିପାରନ୍ତି ବୋଲି କହି ଜାମିନ ଖାରଜ କରିଥିଲେ  । ଚଳିତ ବର୍ଷ ଫେବୃୟାରୀରେ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏପ୍ରିଲରେ ସୁପ୍ରିମକୋର୍ଟ ଆଶିଷଙ୍କୁ ହାଇକୋର୍ଟରୁ ଦିଆଯାଇଥିବା ଜାମିନଙ୍କୁ ରଦ୍ଦ କରି ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଘଟଣାରେ ପୀଡିତଙ୍କ ପକ୍ଷକୁ ଭଲଭାବରେ ଶୁଣି ଅଭିଯୁକ୍ତଙ୍କ ଜାମିନ ଉପରେ ରାୟ ଦେବା ପାଇଁ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହାପରେ ହାଇକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ପୁର୍ନବାର ଶୁଣାଣି କରିବା ପାଇଁ ଜୁଲାଇ ୧୫ କୁ ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ଏହାର ପୂର୍ନର୍ବାର ବିଚାର କରି ଜାମିନକୁ ପ୍ରତ୍ୟାହାର କରିଛନ୍ତି  ।

    ସୂଚନା ଅନୁଯାୟୀ, ୨୦୨୧ ଅକ୍ଟୋବର ୩ ରେ ଉତ୍ତରପ୍ରଦେଶ ଲଖିମପୁର ଖେରିରେ କୃଷି ଆଇନ ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଦୃତ ଗତିରେ ୨ଟି ଗାଡି ଆସି ଚାଷୀଙ୍କ ଉପରେ ଚଢାଇଥିଲା ଯାହାଦ୍ବାରା ୭ ଜଣ ଙ୍କ ଜୀବନ ଯାଇଥିଲା ।  ଗାଡି ଚଢାଇବା ଘଟଣାକୁ କେନ୍ଦ୍ରକରି ଆଶିଷ ମିଶ୍ରାଙ୍କ ନାମରେ ଅଭିଯୋଗ ହୋଇଥିଲା  । ପୋଲିସ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରିଥିଲା।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

  • ଗର୍ଭପାତ ବଦଳରେ ଶିଶୁକୁ ଜନ୍ମଦେଇ ପୋଷ୍ୟ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ

    ନୂଆଦିଲ୍ଲୀ: ଗର୍ଭପାତ ବଦଳରେ ଶିଶୁକୁ ଜନ୍ମଦେଇ ପୋଷ୍ୟ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ। ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟବିଚାରପତିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏକ ଗର୍ଭପାତ ଯାଚିକାର ଶୁଣାଣି ବେଳେ ଏପରି କହିଛନ୍ତି। ୨୫ ବର୍ଷୀୟା ଜଣେ ଅବିବାହିତା ଯୁବତୀ ତାଙ୍କ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିବାକୁ କୋର୍ଟଙ୍କ ନିକଟରେ ଗୁହାର କରିଥିଲେ।

    ଖଣ୍ଡପୀଠଙ୍କ ନିକଟରେ ଆବେଦନକାରୀଙ୍କ ଓକିଲ ଜଣାଇଥିଲେ କି, ଯୁବତୀଙ୍କ ମାମଲାଟି ଏମଟିପି ଆକ୍ଟର ଧାରା ୩ (୨)(ବି) ଅନ୍ତଭୁକ୍ତ। ଯୁବତୀ ଜଣକ ଶାରୀରିକ, ମାନସିକ ଓ ଆର୍ଥିକସ୍ତରରେ ଦୁର୍ବଳ। ସେ ଅବିବାହିତ ଓ ଏକକ ଅଭିଭାବକ ହୋଇଥିବାରୁ ତାଙ୍କ ସମ୍ମୁଖରେ ମାନସିକ ଚାପ ଓ ସାମାଜିକ କଟକଣା ରହିଛି।

    ଏହାକୁ ନେଇ ଖଣ୍ଡପୀଠ ଯାଚିକାକର୍ତ୍ତାଙ୍କ ଓକିଲଙ୍କୁ ପଚାରିଥିଲେ, ପୋଷ୍ୟ ସନ୍ତାନ ନେବାକୁ ଲୋକଙ୍କ ଧାଡି ଲାଗିଛି। ଆପଣଙ୍କ ଯାଚିକାକର୍ତ୍ତାଙ୍କୁ ପଚାରନ୍ତୁ, ଯଦି ସେ ରାଜି ହୁଅନ୍ତି ତେବେ ତାଙ୍କ ପରିଚୟ ଗୋପନ ରଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ। ସେ ସନ୍ତାନ ଜନ୍ମ ପରେ ସେଠାରୁ ଚାଲିଯିବେ। ଜଣେ ବିଧାବାଙ୍କୁ ଦେଖି ସନ୍ତାନ ହସ୍ତାନ୍ତର କରାଯିବ ଓ ହସ୍ପିଟାଲର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଯଦି ସରକାର ବହନ ନ କରନ୍ତି, ତେବେ ମୁହଁ ଅଛି ବୋଲି ମୁଖ୍ୟ ବିଚାରପତି କହିଛନ୍ତି।

    ଯାଚିକାକର୍ତ୍ତାଙ୍କୁ ଖଣ୍ଡପୀଠଙ୍କ ପ୍ରସ୍ତାବ ଶୁଣାଇ ତାଙ୍କ ମତ ଲୋଡିଛନ୍ତି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଅପରାହ୍ନ ୨ଟାରେ ହେବ।

  • ଅପରାଧୀଙ୍କୁ ଯାଞ୍ଚ ରିପୋର୍ଟ ପାଇବାର ରହିଛି ଅଧିକାର…

    ଅପରାଧୀଙ୍କର ସେମାନଙ୍କ ବିରୋଧରେ ହୋଇଥିବା ଯାଞ୍ଚର ରିପୋର୍ଟ ପାଇବାର ଅଧିକାର ରହିଛି। ଅପରାଧୀଙ୍କୁ ରିପୋର୍ଟ ଦେବା ଅନିର୍ବାଯ୍ୟ। ସେମାନଙ୍କୁ ରିପୋର୍ଟ ଦେବାକୁ ମନା କରିବା ଅନୁଶାସନାତ୍ମକ କାର୍ଯ୍ୟବାହୀରେ ନିଜ ରକ୍ଷା ପାଇଁ ବ୍ୟବହାର କରିବା ସେମାନଙ୍କ ଅଧିକାରର ଉଲ୍ଲଙ୍ଘନ ବୋଲି ଏକ ମାମଲାର ଶୁଣାଣି କାଳରେ କେରଳ ହାଇକୋର୍ଟ କହିଛନ୍ତି।ଜଷ୍ଟିସ ଏ କେ ଜୟଶଙ୍କରନ ନାମ୍ୱିୟାର ଓ ଜଷ୍ଟିସ ମହମ୍ମଦ ନିୟାସ ସିପିଙ୍କ ଖଣ୍ଡପୀଠ କହିଛନ୍ତି କି, ଯଦିଓ ଏପରି ଅଧିକାରକୁ ଆଇନରେ ସ୍ପଷ୍ଟରୂପେ କିଛି କୁହାଯାଇନାହିଁ, କିନ୍ତୁ ନ୍ୟାୟ ବ୍ୟବସ୍ଥାରେ ଯାଞ୍ଚ ରିପୋର୍ଟ ପାଇବା ଅପରାଧୀଙ୍କ ମୌଳିକ ଅଧିକାର।

    ତେଣୁ ଏହାକୁ ଆଇନରେ ପଢାଯିବା ଦରକାର।ଘଟଣାଟି ଏହି ପରିଥିଲା। ଯାଚିକାକର୍ତ୍ତା ଜଣେ ପୁଲିସ ଇନସ୍ପେକ୍ଟର ଭାବେ କାମ କରୁଥିବା ବେଳେ ତାଙ୍କ ବିରୋଧରେ ଜରିମାନା ହୋଇଥିଲା। ଏହା ଅନ୍ତର୍ଗତ ତିନି ବେତନ ବୃଦ୍ଧିକୁ ରୋକି ଦିଆଯାଇଥିଲା। ହେଲେ ଯାଚିକାକର୍ତ୍ତା ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡ କରିବା ସହ ଦାବି କରିଥିଲେ, ଯେଉଁ ଦିନ ପ୍ରଧାନମନ୍ତ୍ରୀ ଆସିଥିଲେ, ସେହିଦିନ ରାଜଭବନ ନିକଟରେ ତାଙ୍କ କାର ପାର୍କ କରିବା କ୍ଷଣି ତାଙ୍କୁ ଗିରଫ କରି ନିଆଯାଇଥିଲା ଓ ପୁଲିସ ଥାନାକୁ ନିଆଯାଇଥିଲା। ଏହି ଘଟଣାକୁ ନେଇ ଯାଞ୍ଚ

    ଅଧିକାରୀ ପକ୍ଷପାତ କରି ଯାଚିକାକର୍ତ୍ତାଙ୍କ ବିରୋଧରେ ରିପୋର୍ଟ ପ୍ରସ୍ତୁତ କରିଥିଲେ, ଯେମିତି ଅନୁଶାସନାତ୍ମକ ପ୍ରାଧିକାରୀ ଗ୍ରହଣ କରିଥିଲେ। ଏହା ବିରୋଧରେ ଯେତେବେଳେ ଯାଚିକାକର୍ତ୍ତା ପୁନ ଆବେଦନ କରିଥିଲେ ତାହାକୁ ଖାରଜ କରି ଦିଆଯାଇଥିଲା। ଏହା ପରେ ଯାଚିକାକର୍ତ୍ତା ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ତାଙ୍କୁ ଯାଞ୍ଚ ଅଧିକାରୀ ଯାଞ୍ଚ ରିପୋର୍ଟ ଦେଇ ନ ଥିବା ଜଣାଇଥିଲେ। ଏହି ମାମଲାରେ ଖଣ୍ଡପୀଠ କହିଛନ୍ତି କି, ସରକାର ଦ୍ବାରା ନିଷ୍କର୍ସ ସ୍ବିକାର କରିବା ଓ ଅସ୍ଥାୟୀ ରୂପେ ଜରିମାନା କରିବା ପରେ ଯାଞ୍ଚ ରିପୋର୍ଟ ଅଭିଯୁକ୍ତଙ୍କୁ ଦିଆ ନ ଯିବା ଆଇନର ଉଲ୍ଲଙ୍ଘନ।

    • ଶିଳାସ୍ମିତା ରାୟ ଙ୍କ ରିପୋର୍ଟ
Back to top button