ଓଟିଏମ୍ ର ଅନ୍ତିମ ସଂସ୍କାର!

ଓଟିଏମର ବଦଳିବ ଭାଗ୍ୟ। ରୁପ ଆଉ ସ୍ୱରୁପ ବି ବଦଳିବ। ବନ୍ଦ ପଡ଼ିଥିବା ସଂସ୍ଥା ପୁଣି ଖୋଲିବ। ରାଜ୍ୟ ସରକାର ଏହି ଦାୟିତ୍ୱ ନିଜ ହାତକୁ ନେବା ଲାଗି ଦେଢଶହ କୋଟି ଟଙ୍କା ଜମା କରିବେ। ପୂର୍ବରୁ ୨ ପର୍ଯ୍ୟାୟରେ ୩୫ କୋଟି ଜମା ଦେଇସାରିଛନ୍ତି। ଯଦି ସବୁକିଛି ଠିକ୍ ଠାକ ହୁଏ ତେବେ ଖୁବଶୀଘ୍ର ସେଠାରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ୍ ପାର୍କ । ଓଟିଏମ୍ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷ ଏମିତି ହିଁ ରଖାଯାଇଛି। ଯାହା ସବୁ ଓଟିଏମ ପ୍ରେମୀଙ୍କୁ ସାମାନ୍ୟ ଆଶ୍ୱସ୍ଥ କରିଥିବ। ଓଟିଏମ୍ ନହେଲେ ନାହିଁ ସେ ସ୍ଥାନରେ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ହେଲେ ଓଟିଏମର ଅଭାବ ପୁରଣ ହେବ, ନିଯୁକ୍ତି ସୁଯୋଗ ମିଳିବ ଓ ଚୌଦ୍ୱାର ମାଟି ପୁଣି ଶିଳ୍ପାଞ୍ଚଳ ବୋଲି ତାର ପୂର୍ବ ମର୍ଯ୍ୟଦା ଫେରି ପାଇବ । କିନ୍ତୁ ଏ ଘୋଷଣା ବହୁ ପୂର୍ବର ଯାହା ଏବେ ମଧ୍ୟ କେବଳ ଘୋଷଣା ମାତ୍ର ହୋଇ ରହିଛି। ଓଟିଏମ୍ ଗେଟ ବାହାରେ ଯେଉଁ ଉତ୍ସର୍ଗୀକୃତ ଆନ୍ଦୋଳନ ଚାଲିଥିଲା ତାହା ସମୟ ସହ କିଛି ଲୋକଙ୍କ ପ୍ରତୀକାତ୍ମକ ଆନ୍ଦୋଳନ ରେ ପରିଣତ ହୋଇଛି। ଓଟିଏମ୍ ଭିତରେ ଜୀବଜନ୍ତୁ ଓ କାରଖାନାର ସ୍ମୃତି ଧରି ରଖିଥିବା ଭଙ୍ଗା ଆସବାବପତ୍ର କେବଳ ବାକି ରହିଛି ବୋଲି କୁହାଯାଉଛି । ନିକଟରେ ଥିବା ଅନ୍ୟ ଏକ କମ୍ପାନୀ ଓଟିଏମର କିଛି ଜମିକୁ ଜବରଦଖଲ କରି ରଖିଛି। ବହୁତ ଲୋକ ଓଡ଼ିଶାରୁ ଗୁଜରାଟ ଯାଏ ଓଟିଏମ୍ ପୁରନୁଦ୍ଧାର ଦାୟିତ୍ୱ ହାତକୁ ନେବାକୁ କହିଛନ୍ତି। ପଇସାପତ୍ର ଦିଆନିଆ ବି ହୋଇଥିଲା କିନ୍ତୁ ସେ ସବୁ ବଭିନ୍ନ କାରଣରୁ ବିଫଳ ହୋଇଛି । ଓଟିଏମକୁ ନେଇ ରାଜନୀତି ଢେର ହୋଇଛି,କିନ୍ତୁ ତାର ଅର୍ଥନୀତିକୁ ବୁଝି ପଦକ୍ଷେପ ନେବା ସମ୍ଭବ ହୋଇନି ।
ତେବେ ଯେତେବେଳେ ଲିକ୍ୱିଡେସନ୍ ପ୍ରକ୍ରିୟା ଆଗକୁ ବଢିବ ସେଠି ବର୍ଷ ବର୍ଷ ଧରି ବକେୟା ଦରମା ଅପେକ୍ଷାରେ ଥିବା ଓଟିଏମ୍ କର୍ମଚାରୀଙ୍କ ମଧ୍ୟରେ ପୁରୁଣା ପ୍ରାପ୍ୟ ଫେରିବା ଆଶା ଅଧିକ ଦୃଢ ରହିବା ସ୍ୱାଭାବିକ। କାରଣ ଓଟିଏମର ସଂସାଧନ ବିକ୍ରି ହେଲେ ଯେଉଁ ଆୟ ହେବ ତାର ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ସେଠିକାର କର୍ମଚାରୀ ହିଁ ରହିବେ । ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି ସମୟରେ କର୍ମଚାରୀଙ୍କ ଦରମା କେତେ ବାକି ଅଛି ଅନ୍ୟ ସ୍ତରରେ କ’ଣ ପୈଠ ହୋଇନାହିଁ ସେ ସବୁର ହିସାବକିତାବ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ଙ୍କୁ ଦାୟିତ୍ୱ ଦେବା ଲାଗି ଅଫିସିଆଲ ଲିକ୍ୱିଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଓଟିଏମ୍ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସଂସ୍ଥାକୁ ୧କୋଟି ୨୫ ଲକ୍ଷ ଫେରସ୍ତ ଦେବା ବ୍ୟବସ୍ଥା ହୋଇଥିବା ଶୁଣାଣି ବେଳେ ମଧ୍ୟ ସ୍ପଷ୍ଟ ହୋଇଛି । ଶ୍ରମିକ, କର୍ମଚାରୀ, ଅଧିକାରୀ ସମସ୍ତେ ଚାତକ ଭଳି ଅପେକ୍ଷା କରିଛନ୍ତି ସେ ସମୟକୁ ଯେତେବେଳେ ପୁରୁଣା ପ୍ରାପ୍ୟ ତାଙ୍କ ହାତକୁ ଆସିବ। ଏ ମଧ୍ୟରେ ୭ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । ଆର୍ଥିକ ଦୁଃସ୍ଥିତିରେ ପ୍ରାୟ ୩୦ ଜଣ ଆତ୍ମହତ୍ୟା କରିଥିବା କୁହାଯାଏ। ତାଲାବନ୍ଦ ସମୟରେ କିଏ ସ୍ୱେଚ୍ଛାକୃତ ଅବସର ନେଇଥିଲା ତ କିଏ ବାଧ୍ୟତାମୁଳକ ଅବସର ନେଇଥିଲା। ବକେୟା ମିଳିଲେ ମଧ୍ୟ ସରକାର ଯଦି ଗତ ୫ ଦଶନ୍ଧି ଧରି ରହି ଆସୁଥିବା ପରିବାରର ଥଇଥାନ କଥା ଚିନ୍ତା ନକରନ୍ତି ଆଉ ଅଳ୍ପ କିଛି ଦେଇ ଚୁପ ରୁହନ୍ତି ତେବେ ଯେଉଁ ଉତ୍ସାହ ଆଜି ଦେଖିବାକୁ ମିଳିଛି ତାହା ପାଣିଚିଆ ହୋଇଯିବ ନିଶ୍ଚୟଁ। ଏମିତି ଶ୍ରମିକ ମଧ୍ୟ ଅଛନ୍ତି ଯେଉଁମାନଙ୍କ ପିଏଫ ମଧ୍ୟ ୧୯୯୭ ରୁ ଡିପୋଜିଟ୍ ହୋଇନି। ଏ ମଧ୍ୟରେ ଅନେକ ଜୀବିକା ବଦଳାଇଛନ୍ତି। କିନ୍ତୁ ପୂର୍ବ ଜୀବିକା ଫେରିବା ଆଶା ସେମାନଙ୍କର ମରିନାହିଁ ।
ଓଟିଏମର ସ୍ୱର୍ଣ୍ଣିମ ସମୟ କଥା ଏତେ ଉପର ପିଢି ବର୍ଣ୍ଣନା କରିଛନ୍ତି ଯେ ତଳପିଢି ମଧ୍ୟ ସେଥିରେ ପ୍ରଭାବିତ ହୋଇଛନ୍ତି । କାରଣ ଓଡ଼ିଶା ଟେକ୍ସଟାଇଲ ମିଲ ରାଜ୍ୟର ପରିଚୟ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୪୬ରେ ବିଜୁ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ୧୯୫୦ରୁ କପଡ଼ା ଉତ୍ପାଦନ ଆରମ୍ଭ ହୋଇଥିଲା । ୧୯୮୦ପର୍ଯ୍ୟନ୍ତ ଏହାର ପରିଚାଳନା ଉତ୍ପାଦନର ଦକ୍ଷତା, ମିଲ କପଡ଼ାର ସ୍ୱତନ୍ତ୍ରତାକୁ ନେଇ ସନ୍ଦେହ ନଥିଲା । ରାଜ୍ୟରେ ଓ ରାଜ୍ୟ ବାହାରେ ବେଶ ଲୋକପ୍ରିୟତା ପାଇଥିଲା । ୧୯୮୧ରେ ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱରେ ସିଧାସଳଖ ହସ୍ତକ୍ଷେପ କଲେ । ତଥ୍ୟ କୁହେ, ୧୯୮୬ ଯାଏଁ ଲାଭରେ ଚାଲିଥିଲା ଓଟିଏମ୍ । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ପ୍ରାଇଭେଟ କମ୍ପାନୀ କପଡ଼ାର ବଜାର ପ୍ରବେଶ ସହ ଓଟିଏମ୍ ତାର ପୂର୍ବ ଗୌରବ ବଜାୟ ରଖିପାରିଲାନି। ନିୟମିତ ବ୍ୟବଧାନରେ ଯୁଗୋପଯୋଗୀ କରିବା ପାଇଁ ଯେଉଁ ଭଳି ଅର୍ଥ ବିନିଯୋଗ ଓ ଆଧୁନିକ ମେସିନାରୀ ଦରକାର ଥିଲା ତାହା ଯୋଗା ଯାଇନଥିଲା । ଯାହା କିଛି ବାକି ଥିଲା ୧୯୯୯ର ମହାବାତ୍ୟା ସବୁ ଉଜାଡ଼ି ଦେଲା । ତା ପରେ ସରକାର ବଦଳିଲା କିନ୍ତୁ କାରଖାନାର ରୁଗ୍ଣ ଅବସ୍ଥା ସୁଧାରିବା ଆଉ ସମ୍ଭବ ନଥିଲା ବୋଲି ଯୁକ୍ତି ଦିଆଗଲା । ଅବଶ୍ୟ କିଛି ଅର୍ଥ କାରଖାନା ପରିଚାଳନା ପାଇଁ ସମୟ ସମୟରେ ସରକାରମାନେ ଦେଇଥିଲେ । କିନ୍ତୁ ତାର ଖର୍ଚ୍ଚ କେଉଁଭଳି ହେଲା ତାହା ଦେଖିବା ପ୍ରାଥମିକତାରେ ରହିଲାନି । ପରେ ୨୦୦୧ ଜୁଲାଇ ୩୧ରେ ଓଟିଏମ୍ ଗେଟରେ ତାଲା ପଡ଼ି ଯାଇଥିଲା । କୁହାଗଲା କାରଖାନା ବନ୍ଦ ବେଳକୁ ପ୍ରାୟ ୩ହଜାର ୭ଶହ ଶ୍ରମିକ କାମ କରୁଥିଲେ। କିନ୍ତୁ ଓଟିଏମ୍ ଗେଟ ବାହାରେ ଶ୍ରମିକଙ୍କ ଆନ୍ଦୋଳନ କେବେ ସଡ଼କରେ କେବେ ବିଧାନସଭାରେ ନିରବଚ୍ଛିନ୍ନ ଭାବେ ଚର୍ଚ୍ଚାରେ ରହିଆସିଥିଲା । ଯେବେ ଯେବେ ନବୀନ ସରକାରଙ୍କ ଶିଳ୍ପାୟନର ବିଫଳତା କଥା ଉଠିଛି ସେଠି ସର୍ବାଗ୍ରେ ଓଟିଏମର ପୁନରୁଦ୍ଧାର ସରକାର କାହିଁକି କଲେନାହିଁ ବୋଲି ପ୍ରଶ୍ନ ଶୁଭିଛି । କିନ୍ତୁ କାରଖାନା ଦିନକରେ ଏଭଳି ସ୍ଥିତିକୁ ଯାଇନାହିଁ ସେଥିପାଇଁ କଂଗ୍ରେସ ଏଥିରୁ ନିଜକୁ ସମ୍ପୁର୍ଣ୍ଣ ମୁକ୍ତ କରିପାରିବ ନାହିଁ କି ବିଜେଡି ବିଜେପି ଭାଗୁଆଳି ସରକାରରେ ଥାଇ ବିଜେପି ଶିଳ୍ପ ବିଭାଗ ପାଇ କ’ଣ କରିଥିଲା ଓଟିଏମ ପାଇଁ ସେ ପ୍ରଶ୍ନରୁ ମଧ୍ୟ ବର୍ତ୍ତି ପାରିବନାହିଁ ।
ପ୍ରଚାର ତ ହେଉଛି ସରକାର ୧୫୦ କୋଟି ଦେବେ ଯେଉଁଥିରେ ଶ୍ରମିକଙ୍କ ପାଉଣା ଭରଣା ହେବ । କିନ୍ତୁ ଏହାର ବାସ୍ତବତା ଭିନ୍ନ । ଏହି ପ୍ୟାକେଜର ସର୍ବାଧିକ ଫାଇଦା ପାଇବ ବ୍ୟାଙ୍କ । ଯେଉଁ ବ୍ୟାଙ୍କ ଅର୍ଥାତ ଆହ୍ଲାବାଦ ବ୍ୟାଙ୍କ ତାର ସୁଧ ମୂଳ ପାଇଯିବ। ଶ୍ରମିକଙ୍କ ପାଉଣା ସମ୍ପର୍କିତ ତଥ୍ୟ ସବୁବେଳେ ଭ୍ରମାତ୍ମକ ରହିଆସିଛି। କିଛି ଲୋକ ଗ୍ରାଚ୍ୟୁଟି ପାଇଯିବେ। କିଛି ଅଧିକାରୀ ସ୍ତରର ଲୋକ ତାଙ୍କ ବକେୟା ଦରମା ପାଇବେ। ଅଧିକାଂଶ ଶ୍ରମିକ ଯେହେତୁ ଭିଆରଏସ, ସିଆରଆର ନେଇ ଯାଇଛନ୍ତି,ତେଣୁ ତାଙ୍କ ଭାଗରେ କ’ଣ ପଡ଼ିବ କେତେ ପଡ଼ିବ ତାର ହିସାବକିତାବ ନହେଲା ଯାଏଁ ସବୁ ଅସ୍ପଷ୍ଟ। କିନ୍ତୁ ଆକଳନ ହେଉଛି ଯେତିକି ଶ୍ରମିକଙ୍କ ପାଉଣା ପାଇଁ ହିସାବ ରହିବ ତାହା ୨୦କୋଟିରୁ ଅଧିକ ନହୋଇପାରେ। ଅନ୍ୟପଟେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରର ଳିଗାଲ ହେୟାର ସମସ୍ୟା ଯଦି ରୁହେ ସେମାନଙ୍କୁ ନ୍ୟାୟ ମିଳିବା ସହଜ ନହୋଇ ପାରେ । ତା ବ୍ୟତୀତ କ୍ୱାଟର ବାବଦ ଅର୍ଥ କଟନିଛଟନି କଥା ଯଦି ସରକାରୀ ଅଧିକାରୀଙ୍କ ପାଉଣା ଫେରସ୍ତ ନକ୍ସାରେ ସର୍ବାଗ୍ରେ ଥିବ ତେବେ ସେଠି ମଧ୍ୟ ନିରାଶ ହୋଇପାରନ୍ତି ଶ୍ରମିକ ପରିବାର । ଏମିତିରେ ତ ୯୦ଜଣ ପୂର୍ବତନ କର୍ମଚାରୀଙ୍କ କ୍ୱାଟରକୁ ଗୋଟିଏ ମିଟରରୁ ବିଦ୍ୟୁତ ସଂଯୋଗକୁ ନେଇ କେତେ ହିନସ୍ତା ହୋଇଛନ୍ତି ସେମାନେ । ଯେଉଁ ପ୍ରସଙ୍ଗ ମଧ୍ୟ କୋର୍ଟଙ୍କ ଶୁଣାଣି ବେଳେ ଉଠିଛି । ତେଣୁ ସର୍ବଶେଷ ଶୁଣାଣି, ସର୍ବଶେଷ ନିର୍ଦ୍ଦେଶ ଓ ସରକାରଙ୍କ ଆଭିମୁଖ୍ୟ ହିଁ ଶ୍ରମିକଙ୍କ ଭାଗ୍ୟ ଭବିଷ୍ୟତ ନିର୍ଣ୍ଣୟ କରିବ। କିନ୍ତୁ ପ୍ରାୟ ୫ଶହ ଏକର ଓଟିଏମ୍ ଜମି ଏବଂ ସେଥିରୁ ଜବରଦଖଲରେ ଥିବା ଜମି ସରକାରଙ୍କ ହାତକୁ ଆସିଲେ ତାର ସଦୁପଯୋଗ ସମ୍ଭବତଃ ରାଜକୋଷ ସମୃଦ୍ଧ କରିପାରେ । ତେଣୁ ୬ ସପ୍ତାହ ପରେ ଅର୍ଥାତ୍ ସେପ୍ଟେମ୍ବର ୧୩ର ଶୁଣାଣି ଉପରେ ଅନେକ କିଛି ନିର୍ଭର କରେ ।
ଏସବୁ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ସଂଘର୍ଷରତ କର୍ମଚାରୀଙ୍କ ବିଜୟ ହୋଇପାରେ କିନ୍ତୁ କେବେ ଓଡ଼ିଶାର ପରିଚୟ ସହ ଯୋଡ଼ା ହୋଇଥିବା ଓଟିଏମ୍ ର ପରାଜୟ ନିଶ୍ଚିତ। ‘ନୂଆ ରୁପରେ ଖୋଲିବ ଓଟିଏମ୍ ଦାୟିତ୍ୱ ନେବେ ସରକାର । ନିଯୁକ୍ତିର ସୁଯୋଗ ମିଳିବ, ଚୌଦ୍ୱାର ମାଟି ପୁଣି ଚଳଚଞ୍ଚଳ ହେବ ପୂର୍ବ ମର୍ଯ୍ୟଦା ଫେରିପାଇବ’। ଏ ସ୍ଲୋଗାନ ପ୍ରତି ନିର୍ବାଚନରେ ହାରିଥିବା ଓ ଜିତି କ୍ଷମତାକୁ ଆସିଥିବା ନେତା ସମସ୍ତେ କହିଛନ୍ତି। ତେଣୁ ଓଟିଏମ୍ ଭଙ୍ଗାଯିବା ଓ ତାର ସଂସାଧନ ବିକ୍ରି ହେବା ଓଡ଼ିଶା ପାଇଁ ସେତେବେଳ ଯାଏଁ ଭଲ ଖବର ନୁହେଁ ଯେତେବେଳ ଯାଏଁ ସରକାର ଦେଇଥିବା ଟେକ୍ସଟାଇଲ ପାର୍କ ନିର୍ମାଣର ପ୍ରତିଶ୍ରୁତି ପୁରଣ ନହୋଇଛି। ଚୌଦ୍ବାରବାସୀ ତାକୁ ନିଜ ଆଖିରେ ନଦେଖିଛନ୍ତି।
ସୁପ୍ରିୟା ଦାଶଙ୍କ ରିପୋର୍ଟ