ncrb report

  • ‘ଆତ୍ମହତ୍ୟା’ ସମାଧାନ ନୁହେଁ

    ସ୍ୱତନ୍ତ୍ର ରିପୋର୍ଟ: ସୁପ୍ରିୟା ଦାଶ

     () ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ କହୁଛି, ଦେଶରେ ୨୦୨୧ରେ ବଢିଛି ଆତ୍ମହତ୍ୟା। ବର୍ଷକ ମଧ୍ୟରେ ୧ଲକ୍ଷ ୬୪ ହଜାର ୩୩ ଜଣ ଆତ୍ମହତ୍ୟା କରିଛନ୍ତି । ତାର ଅର୍ଥ ଦିନକୁ ୪୫୦ ଜଣ ଏବଂ ପ୍ରତି ଘଣ୍ଟାରେ ୧୮ ଜଣ ଦେଶରେ ଆତ୍ମହତ୍ୟା କରିଛନ୍ତି । ସରକାରୀ ତଥ୍ୟ ଅନୁସାରେ ଏହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଛି ଯାହା କେଉଁ ମାନସିକ ସ୍ଥିତିରେ ଲୋକମାନେ ଅଛନ୍ତି ତାହାର ସୂଚନା ଦେଇଛି । ସେ ମଧ୍ୟରେ ୧ଲକ୍ଷ ୧୯ ହଜାର ପୁରୁଷ, ୪୫ହଜାର୨୬ ମହିଳା ଏବଂ ୨୮ ଟ୍ରାନ୍ସଜେଣ୍ଡର ଅଛନ୍ତି । ତେବେ ୨୦୨୦ରେ ୧ଲକ୍ଷ ୫୩ହଜାର, ୨୦୧୯ରେ ୧ ଲକ୍ଷ ୩୯ ହଜାର, ୨୦୧୮ ରେ ୧ଲକ୍ଷ ୩୪ ହଜାର, ୨୦୧୭ରେ ୧ଲକ୍ଷ ୨୯ ହଜାର ଆତ୍ମହତ୍ୟା ମୃତ୍ୟୁ ହୋଇଥିଲା । ୧୯୬୭ ପରଠାରୁ ଏହି ଆତ୍ମହତ୍ୟା ପରିସଂଖ୍ୟାନର ତଥ୍ୟ ସାମ୍ନାକୁ ଅଣାଯାଉଛି । ସେହି ବର୍ଷ ୩୮ହଜାର ୮୨୯ ଜଣ ଦେଶରେ ଆତ୍ମହତ୍ୟା କରିଥିଲେ । ୧୯୮୪ ପରେ ପ୍ରଥମ କରି ୫୦ ହଜାର ଟପିଥିଲା ଏବଂ ୧୯୯୧ ପରେ ୭୫ହଜାର ପାର କରିଥିଲା ଆତ୍ମହତ୍ୟା ସଂଖ୍ୟା । ୧୯୯୮ ପରେ ୧ଲକ୍ଷ ଟପିଥିଲା ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ।

    () ତେବେ ଆତ୍ମହତ୍ୟାର ବହୁ କାରଣ ମଧ୍ୟରୁ ପାରିବାରିକ କଳହ, ଅସୁସ୍ଥତା, ବୃତ୍ତି ଓ ପେସାଗତ ସମସ୍ୟା, ମାନସିକ ରୋଗ, ନିଶା ସେବନ, ଆର୍ଥୀକ ଦୁଃସ୍ଥିତି ମୂଳତଃ ଚିନ୍ତାଜନକ ହୋଇଛି । ଯାହା ସମୟ ସହ ବିଭିନ୍ନ ବର୍ଗର ଲୋକଙ୍କୁ ଆହୁରି ପ୍ରଭାବିତ କରୁଛି । ଏନସିଆରବି ତଥ୍ୟ କହୁଛି, ଦେଶରେ ୨୦୨୦ ତୁଳନାରେ ୨୦୨୧ରେ ୭.୨% ଆତ୍ମହତ୍ୟା ବଢିଛି । ସେ ଦୃଷ୍ଟିରୁ ଓଡ଼ିଶାର ସ୍ଥିତି ଉଦବେଗଜନକ ରହିଛି । ଜାତୀୟ ସ୍ତରରେ ଏକ ଲକ୍ଷ ଜନ ସଂଖ୍ୟାରେ ୧୨ଜଣ ଆତ୍ମହତ୍ୟା କରୁଥିବା ବେଳେ ଆମ ରାଜ୍ୟରେ ଦିନକୁ ୧୫ ଜଣ ଭିନ୍ନ ଭିନ୍ନ କାରଣରେ ଆତ୍ମହତ୍ୟା କରୁଛନ୍ତି। କରୋନା ପରବର୍ତ୍ତୀ ଆର୍ଥୀକ ଦୁଃସ୍ଥିତି ଓ ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହୋଇଥିବା ବେଳେ ଦିନ ମଜୁରିଆଙ୍କ ଆତ୍ମହତ୍ୟା ସର୍ବାଧିକ ୨୫.୬% ଓ ଆତ୍ମ ନିଯୁକ୍ତି ଧାରୀଙ୍କ ୧୨.୩% ଆତ୍ମହତ୍ୟା ରିପୋର୍ଟ ପ୍ରସଙ୍ଗର ଗମ୍ଭୀରତା ଦର୍ଶାଇଛି । ବର୍ଷକରେ ୪୨ ହଜାର୪ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏପରିକି ପାରିବାରିକ ସମସ୍ୟା ରେ ଆତ୍ମହତ୍ୟା କରିବା ତାଲିକାରେ ଓଡ଼ିଶାର ସ୍ଥିତି ଗମ୍ଭୀର । ସରକାରୀ ହିସାବରେ ୨୦୨୧ରେ ଓଡ଼ିଶାରେ ମୋଟ ଆତ୍ମହତ୍ୟା ସଂଖ୍ୟା ୫ହଜାର ୬୫୧ ଯାହା ପୂର୍ବ ବର୍ଷ ତୁଳନାରେ ୨% ଅଧିକ । ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ୪ହଜାର୪୧୨ ଜଣ ପୁରୁଷ ଓ ୧ହଜାର ୨୩୯ ମହିଳା ଅଛନ୍ତି । ତେବେ ବାସ୍ତବ ସଂଖ୍ୟା ଢେର ଅଧିକ ହେବ ବୋଲି ବିଶେଷଜ୍ଞ ମତ ଦିଅନ୍ତି । ବିଭିନ୍ନ ଆତ୍ମହତ୍ୟା କାରଣର ବର୍ଗୀକରଣ ମଧ୍ୟ ଭ୍ରମାତ୍ମକ ବୋଲି କୁହାଯାଉଛି । ରାଜ୍ୟମାନେ ସଂଖ୍ୟା ଲୁଚାଇଲେ ଓ ଆତ୍ମହତ୍ୟାର କାରଣ ଲୁଚାଇଲେ ଏନସିଆରବି ରିପୋର୍ଟ ବାସ୍ତବତା ଠାରୁ ଦୂରେଇ ଯିବ ବୋଲି ଅଭିଯୋଗ ହୁଏ ।

    () ଅନ୍ୟପଟେ ଆଜି ମଧ୍ୟ ଆତ୍ମହତ୍ୟାକୁ ମାନସିକ ସ୍ୱାସ୍ଥ୍ୟର ଚରମ ପରିଣତି ବୋଲି ସ୍ୱୀକାର କରାଯାଇନି । ତେଣୁ ସମାଜ ଆତ୍ମହତ୍ୟା କରୁଥିବା ଲୋକକୁ ଭିନ୍ନ ଦୃଷ୍ଟିରେ ଦେଖେ । ତାର ମୃତ୍ୟୁ ପରେ ମଧ୍ୟ ଘର ପରିବାର ସେ ଅପବାଦକୁ ସହେ । ତେଣୁ ଅନେକ ସମୟରେ ଆତ୍ମହତ୍ୟା ମୃତ୍ୟୁର ସଠିକ୍ ରିପୋର୍ଟିଂ ମଧ୍ୟ ହୁଏନାହିଁ । ପରିବାର ଲୋକ ଆତ୍ମହତ୍ୟାକୁ ଲୁଚାଇବାର ଉଦ୍ୟମ କରନ୍ତି । ପରିଜନର ମୃତ୍ୟୁର ଦୁଃଖ ସହ ପୁଲିସର ତନାଘନା, କୋର୍ଟ କଚେରୀର ଝାମେଲା ପରିବାର ଲୋକଙ୍କୁ ବ୍ୟତିବ୍ୟସ୍ତ କରେ । ଅନ୍ୟପଟେ ଯେଉଁ ବୟସର ଲୋକ ଆତ୍ମହତ୍ୟା ଅଧିକ କରୁଛନ୍ତି ସେଠି ଜୀବିକା ଓ ପ୍ରେମ ସମ୍ପର୍କରେ ବିଫଳତା ମୂଳ କାରଣ ହେଉଛି । ବିଫଳତାକୁ ଗ୍ରହଣ କରିବାର ମାନସିକ ବଳର ଅଭାବ ତା ସାଙ୍ଗକୁ ସାଙ୍ଗସାଥୀ କ’ଣ କହିବେ ଓ ନିଶାର ପ୍ରଭାବ ଅନେକ ସମୟରେ ଆତ୍ମହତ୍ୟା ଭଳି ଚରମ ରାସ୍ତା ବାଛିବାକୁ ପ୍ରରୋଚିତ କରୁଛି ।

    () ଅନେକ ସମୟରେ ପରିବାରର ସଦସ୍ୟ ଯଦି କୌଣସି ମାନସିକ ଚାପ ଭିତରେ ରହୁଛି କି ତାର ବ୍ୟବହାରରେ କୌଣସି ପରିବର୍ତ୍ତନ ଦେଖା ଦେଉଛି ସେଠି ତୁରନ୍ତ ଅନ୍ୟମାନେ ଯେଉଁ ପଦକ୍ଷେପ ନେବା କଥା ତାହା କରାଯାଉନି । ଆଲୋଚନା କରି ମନ କଥା ଜାଣିବା । ଆବଶ୍ୟକସ୍ଥଳେ ମନସ୍ତତ୍ତ୍ୱବିତ୍ କିମ୍ୱା ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନେବାରେ କୁଣ୍ଠା ହିଁ ପରିସ୍ଥିତିକୁ ବେଶୀ ଉଦବେଗଜନକ କରିଛି । ତା ସହ ସରକାରୀ ସ୍ତରରେ ମଧ୍ୟ ଆତ୍ମହତ୍ୟା ପ୍ରବଣତାର ହାର ବୃଦ୍ଧିକୁ ଗୁରୁତ୍ୱ ଦେଇ ବିଶେଷ ଉଦ୍ୟମ କରିବା ଆବଶ୍ୟକ । ବିଦେଶରେ ଯେଉଁ ଭଳି ହଟଲାଇନ୍ ନମ୍ୱର ମାନସିକ ଅସୁସ୍ଥତା ପାଇଁ ଅଛି ସେଭଳି ଜାରି ହେବା ଆବଶ୍ୟକ । ଯେହେତୁ ମନସ୍ତତ୍ତ୍ୱବିତ୍, କ୍ଲିନିକାଲ ସାଇକୋଲୋଜିଷ୍ଟ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ସଂଖ୍ୟା ଆମ ଦେଶରେ ପର୍ଯ୍ୟାପ୍ତ ନୁହେଁ ତେଣୁ ପ୍ରତ୍ୟେକ ଲୋକଙ୍କୁ ସଚେତନ କରି ଆତ୍ମହତ୍ୟା ପ୍ରବଣତାର କାରଣ,ଲକ୍ଷଣ ଓ ନୀରାକରଣ ସମ୍ପର୍କରେ ସୂଚନା ଦେବା ଆବଶ୍ୟକ । ଦିନକୁ ଦିନ ଏ ଆହ୍ୱାନ ବଢୁଥିବା ବେଳେ ସବୁ ବୟସ ଓ ବର୍ଗ ମାନସିକ ଅସୁସ୍ଥତା ଭିତରେ ରହୁଛନ୍ତି । ନିଜ ନିଜ ସ୍ତରରେ ସଫଳ ବା ବିଫଳ ଲୋକ ସମସ୍ତେ ଏ ଚରମ ନିଷ୍ପତ୍ତି ନେଉଛନ୍ତି । ତେଣୁ ପରିବାର,ଗୋଷ୍ଠୀ, ସମାଜ ସମସ୍ତେ ଏଭଳି ଅପମୃତ୍ୟୁକୁ ରୋକିବା ଦିଗରେ ନିଜ ଦାୟିତ୍ୱ ତୁଲାଇବା ଉଚିତ ।

Back to top button