ନାଇଟ କ୍ଲବରେ ୨ ଜଣଙ୍କ ମୃତ୍ୟୁ

Spread the love

ଗୁରୁଗ୍ରାମ: ହରିଆଣାର ଗୁରୁଗ୍ରାମର ଏକ ନାଇଟକ୍ଲବ ଭିତରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଅତ୍ୟନ୍ତ ସନ୍ଦେହାସ୍ପଦ ସ୍ଥିତିରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରୁ ପୁରୁଷଙ୍କ ପରିଚୟ ମିଳିଛି। ସେ ସଞ୍ଜିବ ଯୋଶୀ ଓ ନାଇଟ କ୍ଲବର ମାଲିକ। ସୋମବାର ସମସ୍ତ ୪ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପ୍ରାରମ୍ଭିକ ତଦନ୍ତରୁ ଶ୍ବାସରୁଦ୍ଧକୁ କାରଣ ଦର୍ଶାଯାଇଛି। ଥଣ୍ଡା କାରଣରୁ କୋଠରୀ ଭିତରେ ଜଳୁଥିବା ନିଆଁରୁ   ଧୂଆଁ ବାହାରି ଶ୍ବାସରୁଦ୍ଧ ହୋଇଛି। ସେଠାରେ କୌଣସି ଅପରାଧିକ ଘଟଣା ଘଟିଥିବାର ସୁରାକ ମିଳି ନ ଥିବା ସୂଚନା ଦେଇଛନ୍ତି ଏସିପି ବିକାଶ କୌଶିକ। ତେବେ ଏହାକୁ ନେଇ ବିସ୍ତୃତ ତଦନ୍ତ ହେବ।

ସୂଚନା ମୁତାବକ, ସଞ୍ଜିବ ତିନି ଜଣ ମହିଳାଙ୍କ ସହ ରବିବାର ରାତିରେ ସେଠାକୁ ଆସିଥିଲେ ନିଜ ଜନ୍ମଦିନ ପାଳନ ପାଇଁ। ସେ ସେଠାରେ ଏକ କୋଠରୀରେ ଜନ୍ମଦିନ ପାଳନ କରିବା ସହ ଖାଦ୍ୟ ଅର୍ଡର କରିଥିଲେ। କ୍ଲବର କର୍ମଚାରୀମାନେ ସେଠାରୁ ଚାଲିଯାଇଥିବା ବେଳେ ତିନି ଜଣ ମହିଳା ସେଠାରେ ରହିଥିଲେ ସଞ୍ଜିବଙ୍କ ସହ।

ସୋମବାର ସଂଧ୍ୟାରେ କର୍ମଚାରୀମାନେ କ୍ଲବରେ ପହଞ୍ଚି ସମସ୍ତ ୪ ଜଣଙ୍କୁ ସଙ୍କଟାପନ୍ନ ସ୍ଥିତିରେ ପାଇଥିଲେ। ସମସ୍ତଙ୍କୁ ହସ୍ପିଟାଲକୁ ନେବା ପରେ ସଞ୍ଜିବ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା।

Leave a Reply

Your email address will not be published. Required fields are marked *