ସପ୍ତାହରେ ଦ୍ୱିତୀୟ ଥର ଜଳବନ୍ଦୀ

Spread the love

ବେଙ୍ଗାଲୁରୁ:  ପ୍ରବଳ ବର୍ଷାରେ ବେଙ୍ଗାଲୁରୁ ବେହାଲ୍ । ଲଗାତାର ବର୍ଷାରେ ସହରର ଅଧିକାଂଶ ଅଞ୍ଚଳ ବୁଡ଼ି ଯାଇଛି। ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସହରରେ ଜଳବନ୍ଦୀ ଅବସ୍ଥା ଉପୁଜିଛି। ୮ ବର୍ଷ ତଳର ରେକର୍ଡ ବର୍ଷାକୁ ଭାଙ୍ଗିଛି ଏଥର ବେଙ୍ଗାଲୁରୁ। ବର୍ଷା ଲାଗି ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଗୁରୁତର ଟ୍ରାଫିକ ସମସ୍ୟା ସାଙ୍ଗକୁ ରାସ୍ତାରେ ପାଣିର ସୁଅ ଛୁଟିଛି। ରାସ୍ତା ଉପରେ ବୋଟ୍ ଚାଲୁଛି।

ପ୍ରବଳ ବର୍ଷାରେ ବେଙ୍ଗାଲୁରୁ ଉବୁଟୁବୁ। ଲଗାଣ ବର୍ଷା ଲାଗି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ କୃତ୍ରିମ ବନ୍ୟା ସୃଷ୍ଟି କରିଛି। ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜଳ ନିଷ୍କାସନ ଲାଗି ଯଦିଓ ବେଙ୍ଗାଲୁରୁ ମହାନଗର ପାଳିକା ପକ୍ଷରୁ ମୋଟର ଲଗାଯାଇଥିଲା। ହେଲେ ତାହା ଯଥେଷ୍ଟ ନଥିଲା। ଲୋକଙ୍କୁ ଉଦ୍ଧାର ଲାଗି ଏସଡିଆରଏଫର ୨ଟି ବାହିନୀକୁ ବି ନିୟୋଜିତ କରାଯାଇଥିଲା। ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ଏସଡିଆରଏଫ ଟିମ୍ ଉଦ୍ଧାର କରିଛନ୍ତି। ବିଶେଷ କରି ଆଇଟି କମ୍ପାନୀଗୁଡ଼ିକ ଅଧିକ କ୍ଷତି ସହିଛନ୍ତି। ଆଇଟି ପ୍ରଫେସନାଲ ଟ୍ରାକ୍ଟରରେ ଅଫିସ ଯିବା ଆସିବା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ୟେମାଲୁରୁ ଅଞ୍ଚଳରୁ ଏ ଦୃଶ୍ୟ ଆସିଛି। ୟେମାଲୁରୁ ଅଞ୍ଚଳ ହାଲ୍ ବିମାନବନ୍ଦରରୁ ପାଖରେ ଥିଲେ ବି ପୁରା ଜଳବନ୍ଦୀ। ବିପୁଳ କ୍ଷତି ହୋଇଥିବା ଦୃଷ୍ଟିରୁ ଆଇଟି କମ୍ପାନୀଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସହର ତଳି ଅଞ୍ଚଳ ଲୋକଙ୍କ ଅବସ୍ଥା ତ ନ କହିବା ଭଲ। ଜଳବନ୍ଦୀ ଅବସ୍ଥାରେ ଥିବା ଲୋକେ ବୋଟ୍ ଓ ଟ୍ରାକ୍ଟର ଜରିଆରେ ଯିବା ଆସିବା ଛଡ଼ା ଚାରା ନାହିଁ। ପାଣି ନିଷ୍କାସନ ହୋଇପାରୁନଥିବାରୁ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଇଛି। ଏହାରି ଭିତରେ ଅନେକ ଅଘଟଣର କଥା ବି ସାମ୍ନାକୁ ଆସିଛି। ୨୩ ବର୍ଷୀୟ ଯୁବତୀ ଜଳାର୍ଣ୍ଣବ ରାସ୍ତାରେ ସ୍କୁଟିରେ ଯାଉଥିଲା ବେଳେ ଏକ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି। ହ୍ୱାଇଡ୍ ଫିଲ୍ଡ ଥାନା ଅନ୍ତର୍ଗତ ଜଳବନ୍ଦୀ ଅଞ୍ଚଳରେ ସ୍କୁଟି ସହ ଯୁବତୀ ଜଣକ ପଡ଼ିଯାଇ ଖୁଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ୩ ଦିନ ହେଲାଣି ଦୀପା ନର୍ସିଂ ହୋମ୍ ପାଖରେ ଥିବା ମାରାଥାହାଲି ଅଞ୍ଚଳରେ ବିଦ୍ୟୁତ୍ ନଥିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ପାଣି କମିବାର ନାଁ ଧରୁନି ଏଠାରେ। ଅତ୍ୟାବଶକୀୟ ସାମଗ୍ରୀ ଆଣିବାକୁ ଲୋକେ ଘରୁ ବାହାରି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ପୁରା ବେଙ୍ଗାଲୁରୁକୁ ଏହି ପ୍ରବଳ ବର୍ଷା ବିପଦ ସୃଷ୍ଟି କରିନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଦୁଇଟି ଜୋନ୍ ରେ ବର୍ଷାଜନିତ ବିପତ୍ତି ସୃଷ୍ଟି ହୋଇଛି। ମହାଦେବପୁରାରେ ଜଟିଳ ସ୍ଥିତି ଉପୁଜିଛି। ୬୯ଟି ଟ୍ୟାଙ୍କ ଏହି ଛୋଟ ଅଞ୍ଚଳରେ ରହିଛି ଓ ସବୁ ଓଭରଫ୍ଲୋ କରୁଛି। ଆଉ ଦ୍ୱିତୀୟରେ ତଳି ଅଞ୍ଚଳ ଓ ତୃତୀୟରେ ଜବରଦଖଲ ସମସ୍ୟା ଲାଗି ଜଳ ନିଷ୍କାସନ ହୋଇପାରୁନି। ଜଳ ନିଷ୍କାସନ ଲାଗି ୧୫ଶହ କୋଟି ଟଙ୍କା ଓ ଜବରଦଖଲ ହଟାଇବାକୁ ଅତିରିକ୍ତ ୩ଶହ କୋଟି ଟଙ୍କା ସରକାର ଦେଇଛନ୍ତି। ଭବିଷ୍ୟତରେ ଏଭଳି ଜଳବନ୍ଦୀର ଅବସ୍ଥା ଯେଭଳି ଉପୁଜିବନି, ସେ ଦିଗକୁ ସୁନିଶ୍ଚିତ କରାଯିବ।

ତେବେ ଏଭଳି ଜଳବନ୍ଦୀ ଅବସ୍ଥା ଲାଗି କଂଗ୍ରେସକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ। କଂଗ୍ରେସ ସରକାର ଅମଳରେ ବିନା ପ୍ଲାନରେ ପ୍ରଶାସନ ଯେଉଁଠି ପାରିଲା ଘର କରିବାକୁ ଅନୁମତି ଦେଇଥିଲା। ଏପରିକି ହ୍ରଦ ଓ ବଫର ଜୋନର ବାମ, ଡାହାଣ ଯେଉଁଠି ପାଇଲେ, ଅନୁମତି ଦେଇଥିବାରୁ ଏଭଳି ଅବସ୍ଥା।

ମହାଦେବପୁର, ବୋମାନାହାଲି ଓ କେ.ଆର.ପୁରମରେ ୩୦୭ ପ୍ରତିଶତ ବର୍ଷା ରେକର୍ଡ

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *