ଶନିବାରରୁ ଜମିବ ଖଣ୍ଡଗିରି ମେଳା

() ଶନିବାର ଠୁ ଜମିବ ଖଣ୍ଡଗିରି ମେଳା। ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଝଲସିବ ଖଣ୍ଡଗିରି ଯାତ୍ରା। ମାଘ ସପ୍ତମୀରୁ ଏହି ଯାତ୍ରା ଅନୁଷ୍ଠିତ ହେବ। ବହୁ ଦୂରଦୂରାନ୍ତରୁ ଏହି ଯାତ୍ରା ଦେଖିବାକୁ ଦର୍ଶକ ବା ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି ଖଣ୍ଡଗିରିକୁ। ଏବେ ଠାରୁ ଅନେକ ସାଧୁସନ୍ଥଙ୍କ ଭିଡ଼ ଦେଖିବାକୁ ମିଳିଲାଣି ।
ଆସନ୍ତାକାଲି ମାଘ ସପ୍ତମୀ । ଆରମ୍ଭ ହେବା ବହୁ ପ୍ରତିକ୍ଷୀତ ଖଣ୍ଡଗିରି ମେଳା। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥଙ୍କ ସମାଗମ ହେଲାଣି। ସେଠାରେ ପହଞ୍ଚିବା ପରେ ସାଧୁ ସନ୍ଥ ଯଜ୍ଞ କୁଣ୍ଡ ମଧ୍ୟ ପ୍ରସ୍ତୁତ କଲେଣି। ଆସନ୍ତାକାଲି ଠୁ ଫେବୃଆରୀ ୬ପର୍ଯ୍ୟନ୍ତ ଚାଲିବ ହୋମ ଯଜ୍ଞ। ମାତ୍ର ମେଳା ଓ ଯାତ୍ରା ଫେବୃଆରୀ୧୦ ଯାଏଁ ଚାଲିବ। ତେବେ କରୋନା କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଚଳିତ ବର୍ଷ ଖଣ୍ଡଗିରି ମାଘ ମେଳା ଆରମ୍ଭ ହୋଇଛି। ପୁରା ପରିବେଶ ଏବେ ଉତ୍ସବମୁଖର।
ଅପରପକ୍ଷେ ଖଣ୍ଡଗିରି ମେଳା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ବିଏମସି ଏବଂ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ମେଳାରେ ଯେମିତି କୌଣସି ତ୍ରୁଟି ନରୁହେ ସେଥିପ୍ରତି ଧ୍ୟାନ ଦେଇଛନ୍ତି ଆୟୋଜକ। ବାବାଙ୍କ ବିଶୃଙ୍ଖଳିତ ଆଚରଣ ପ୍ରତି ମଧ୍ୟ ଧ୍ୟାନ ଦେବ ଆୟୋଜକ ମଣ୍ଡଳୀ। ମେଳା 8 ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ଥିବାବେଳେ ଯାତ୍ରାକୁ ନେଇ ବି ପ୍ରସ୍ତୁତ ଅଛନ୍ତି ଯାତ୍ରା କମିଟି। ୫ଟି ମଞ୍ଚରେ ୧୦ ଅପେରାଦଳ ସେମାନଙ୍କର ଦମଦାର ପ୍ରଦର୍ଶନ କରିବେ। ଆସନ୍ତା ୩୦ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ତେବେ ବିଏମସି ପକ୍ଷରୁ ଜାରି ଗାଇଡଲାଇନକୁ ଧ୍ୟାନରେ ରଖି ଯାତ୍ରା କରାଯିବ ବୋଲି କହିଛନ୍ତି ଆୟୋଜକ ମଣ୍ଡଳୀ। ତେବେ ଅଶ୍ଲୀଳତା ତଥା ନଗ୍ନ ନାଚ କଲେ ସେହି କମିଟିର ଲାଇସେନସ ରଦ୍ଧ ହେବ ବୋଲି କହିଛନ୍ତି କମିଟି ମୁଖ୍ୟ।
ଦୁଇ ବର୍ଷର କୋଭିଡ କଟକଣା ପରେ ଏଥର ମାଘ ମେଳାରେ ଜମିବ ଯାତ୍ରା କଳାକାରଙ୍କ ମନମତାଣିଆ ସଂଳାପ। ଏହାସହ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେଉଛି।
ଅକ୍ଷୟଙ୍କ ରିପୋର୍ଟ…..