୪୫ କୃତି ଶିକ୍ଷକ ରାଷ୍ଟ୍ରୀୟ ପୁରଷ୍କାରରେ ସମ୍ମାନିତ

Spread the love

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ସର୍ବତ୍ର ପାଳିତ ହୋଇଛି ୫୦ତମ ଜାତୀୟ ଗୁରୁ ଦିବସ। ଏହି ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଦେଶର ୪୫ କୃତି ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରଷ୍କାରରେ ସମ୍ମାନିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ଶିକ୍ଷିତ ଭାରତ, ବିକଶିତ ଭାରତକୁ ସାକାର କରିବାକୁ ଶିକ୍ଷକ ସମାଜକୁ ଆହ୍ୱାନ ଦେବା ସହ ମାତୃଭାଷାରେ ଜ୍ଞାନ ଆହରଣ ଉପରେ ଅଧିକ ଜୋର୍ ଦେଇଛନ୍ତି ରାଷ୍ଟ୍ରପତି।

ଦେଶର ୪୫ କୃତି ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରଷ୍କାରରେ ସମ୍ମାନିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଲ୍ଲୀ ବିଜ୍ଞାନ ଭବନରେ ସମ୍ମାନିତ କରି ଶିକ୍ଷକ ସମାଜର ଦାୟିତ୍ୱବୋଧ ଓ ସମର୍ପଣ ମନୋଭାବକୁ ସ୍ମରଣ କରାଇ ଦେଇଛନ୍ତି ରାଷ୍ଟ୍ରପତି। ସମ୍ମାନିତ ହୋଇଥିବା ଶିକ୍ଷକଙ୍କ ଭିତରେ ଜଣେ ଦିବ୍ୟାଙ୍ଗ ଥିଲା ବେଳେ ୧୮ ଜଣ ମହିଳା ଥିଲେ। ଓଡ଼ିଶାରୁ ଈଶ୍ୱର ଚନ୍ଦ୍ର ନାୟକ ଏହି ସମ୍ମାନ ପାଇଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୧ ବର୍ଷ ହେଲା ଶିକ୍ଷାଦାନ କରୁଥିବା ଈଶ୍ୱରଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଇଞ୍ଜିନିୟରିଂ ଚାକିରୀ ଛାଡ଼ି ସେ ଶିକ୍ଷକତାକୁ ଅଧିକ ପସନ୍ଦ କରିଥିଲେ। ରାଷ୍ଟ୍ରପତି ସମସ୍ତ କୃତି ଶିକ୍ଷକଙ୍କୁ ଶୁଭେଛା ଦେବା ସହ ତାଙ୍କୁ ଯିଏ ପଢ଼ାଇଥିଲେ, ସଂଘର୍ଷ କରିବାକୁ ପ୍ରେରଣା ଦେଇଥିଲେ, ସେ ଶିକ୍ଷକଙ୍କୁ ବି ସ୍ମରଣ କରିଛନ୍ତି। ଗାଁର ପ୍ରଥମ ଝିଅ ଭାବେ କଲେଜ ଯିବାର ଗୌରବଶାଳୀ ଅଧ୍ୟାୟକୁ ମନେ ପକାଇଛନ୍ତି। ଅବଦୁଲ କଲାମଙ୍କ ଲାଗି ଶିକ୍ଷକର ପରିଚୟ କିଭଳି ସବୁ ପରିଚୟରୁ ଅଧିକ ଗୁରୁତ୍ବ ବହନ କରୁଥିଲା, ତାହାର ନଜିର ବି ଦେଇଥିଲେ।

ସେପଟେ ନଲେଜ ଇକୋନୋମିରେ ବିଜ୍ଞାନ, ଅନୁସନ୍ଧାନ, ଗବେଷଣା କିଭଳି ଦେଶ ବିକାଶର ଆଧାର ସାଜିଛି, ତାହାର ଅବତାରଣା କରିଛନ୍ତି ରାଷ୍ଟ୍ରପତି। ବିଜ୍ଞାନ, ସାହିତ୍ୟ, ସମାଜଶାସ୍ତ୍ରରେ ମୌଳିକ ପ୍ରତିଭାର ବିକାଶ କେବଳ ମାତୃଭାଷା ଦ୍ୱାରା ଅଧିକ ପ୍ରଭାବୀ ହୋଇପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି।

ଶିକ୍ଷାଦାନ ବେଳେ କିଭଳି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ, ଭାବନାତ୍ମକ ଶୈଳୀ ଭଲ ରହିବ, ତା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଶିକ୍ଷିତ ଭାରତ, ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି। ନିଆରା ଶିକ୍ଷାଦାନ, ଶିକ୍ଷାଦାନକୁ ଜୀବନର ସର୍ବସ୍ୱ କରିଦେଇଥିବା କୃତୀ ଶିକ୍ଷକଙ୍କୁ ସମ୍ମାନ ବେଳେ ବିଜ୍ଞାନ ଭବନ କରତାଳିରେ ଫାଟି ପଡ଼ିଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *