ରାଜୀବଙ୍କ ୬ ହତ୍ୟାକାରୀ ମୁକୁଳିଲେ

Spread the love

() ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୬ ଦୋଷୀ ଜେଲରୁ ମୁକ୍ତ ହୋଇଛନ୍ତି।  ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ସମସ୍ତ ୬ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜେଲରୁ ମୁକୁଳିବା ପରେ ସମସ୍ତ ଦୋଷୀଙ୍କ ମୁହଁରେ ଥିଲା ଖୁସି, ଆତ୍ମୀୟ ସ୍ବଜନଙ୍କୁ ଭେଟିବା ବେଳେ ଥିଲା ଆଖିରେ ଲୁହ। ସମସ୍ତ ଦୋଷୀ କୋର୍ଟଙ୍କୁ ଧନ୍ୟବାଦ ଦେବା ସହ ଲୋକଙ୍କ ସହଯୋଗ ଓ ଧୈର୍ଯ୍ୟପୂର୍ଣ୍ଣ ଅପେକ୍ଷା କାମନା କରିଛନ୍ତି। ସେପଟେ କିନ୍ତୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ଏହାକୁ ବିରୋଧ କରିଛି। ଦଳ ଦେଶର ସର୍ବୋଚ୍ଚ ନ୍ୟାୟଳୟଙ୍କ ରାୟ ଉପରେ ଉଠାଇଛି ପ୍ରଶ୍ନ।

୩୧ ବର୍ଷ ପରେ ୬ ରାଜୀବ ହତ୍ୟାକାରୀଙ୍କ ପାଇଁ ରବିବାର ସୂର୍ଯୋଦୟ ଥିଲା ସମ୍ପୂର୍ଣ୍ଣ ନୂଆ ଓ ନିଆରା। ଜେଲର କାଳ କୋଠରୀରୁ ନୁହେଁ  ଖୋଲା ଆକାଶ ତଳେ ମୁକ୍ତ ହୋଇ ଦେଖିଛନ୍ତି ନୂଆ ସକାଳ। ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୬ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଦୋଷୀ ନଳିନୀ, ଆରପି ରବୀଚନ୍ଦ୍ରନ, ସନ୍ଥନ, ମୁରୁଗନ, ରୋବର୍ଟ ପୟସ ଓ ଜୟକୁମାରଙ୍କୁ ମୁକ୍ତ କରାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସୁପାରିଶକ୍ରମେ ଶୁକ୍ରବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୬ ଜଣଙ୍କୁ ମୁକ୍ତ କରିବାକୁ ଦେଇଥିଲେ ନିର୍ଦ୍ଦେଶ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶନିବାର ଦୋଷୀ ମାନଙ୍କୁ ମୁକ୍ତ କରାଯାଇଛି। ମୁକ୍ତ ହେବା ପରେ ସମସ୍ତ ଦୋଷୀଙ୍କ ମଧ୍ୟରେ ଥିଲା ଆନନ୍ଦ ଓ ଉଲ୍ଲାସ। ଭେଲୋର ଜେଲରୁ ବାହାରିବା ପରେ  ଦୋଷୀଙ୍କ ମଧ୍ୟରେ ଥିବା ଏକମାତ୍ର ମହିଳା ଅପରାଧୀ ନଳୀନି ନିଜ ସ୍ବାମୀ ମୁରୁଗନଙ୍କୁ ଭେଟି କାନ୍ଦି ପକାଇଥିଲେ।  ଜେଲରେ ୩୨ ବର୍ଷ କାଳ ନର୍କ ଯନ୍ତ୍ରଣାଠାରୁ କମ ନ ଥିଲା ବୋଲି କହିଥିଲେ। ଆଜିର ମୁକ୍ତି ମୋତେ ଖୁସି ଦେଇ ପାରୁନି। ମୋ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ମୁଁ ଜେଲର ଚାରି କାନ୍ଥ ଭିତରେ ବିତାଇ ଦେଇଛନ୍ତି।  ଏଥିସହ ସେ କହିଛନ୍ତି, ମୋ ସ୍ବାମୀ ମୁରୁଗନଙ୍କୁ ତିରୁଚି ସ୍ବତନ୍ତ୍ର କ୍ୟାମ୍ପକୁ କୁକୁର ବୁହାହେବା ଗାଡିରେ ନିଆଯାଇଛି, ଯାହା ମତେ ଅତ୍ୟନ୍ତ ବାଧିଛି।  ତେବେ ମୋର ସଂଗ୍ରାମ ଜାରି ରହିବ ତାଙ୍କୁ ସେଠାରୁ ମୁକୁଳେଇବାକୁ। ଏଥିସହ ନଳିନୀ ନିଜକୁ ବାରମ୍ବାର ନିର୍ଦ୍ଦୋଶ କହିଥିଲେ। ସେ କହିଥିଲେ,  ମୋର ନିଜ ନିର୍ଦ୍ଦୋଶତା ଉପରେ ଥିବା  ବିଶ୍ବାସ ହିଁ ମୋତେ ୩ ଦଶକ ଧରି ଜୀବିତ ରଖିବାରେ ସହାୟକ ହୋଇଛି। ଏହି ବିଶ୍ବାସ ନ ଥିଲେ ହୁଏତ ମୁଁ ମୋର ଜୀବନ ହାରିଦେଇଥାନ୍ତି। ଏହି ସମୟରେ ମିଡିଆକୁ ତଥା ଦେଶବାସୀଙ୍କୁ ନଳିନୀ ପ୍ରଶ୍ନ କରିଛନ୍ତି, ଆପଣମାନେ ଭାବୁଛନ୍ତି କି ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା କରିଛି? ମୋ ବିରୋଧରେ ୧୭ ଟି ହତ୍ୟା ମାମଲା ଦାୟର ହୋଇଥିଲା।

କେବଳ ନିଜ କଳା ଅତୀତକୁ ମନେ ପକାଇ ନ ଥିଲେ ନଳିନୀ। ସେ ରାଜ୍ୟ ଓ କେନ୍ଦ୍ର ସରକାର ତଥା ତାମିଲନାଡୁବାସୀଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ନଳିନୀ କହିଥିଲେ, ମୋର ମୁକ୍ତି ପାଇଁ ସହଯୋଗ କରିଥିବା ସହୃଦୟ ବ୍ୟକ୍ତିଙ୍କ ପ୍ରତି ମୁଁ କୃତଜ୍ଞ। ତେବେ ଜେଲ ଭିତରେ ଥିବା ସମୟରେ ମୁଁ ନିଆରା ଶିକ୍ଷା ହାସଲ କରିଛି, ଯାହାକୁ କେହି ବି ଶିଖାଇ ପାରି ନ ଥାନ୍ତେ। ମୁଁ ଧୈର୍ଯ୍ୟ ଓ ସହନଶୀଳତା ଶିକ୍ଷା ପାଇଛି କାରାକୋଠରୀର ରହଣି କାଳରେ। ନିଜ ଭବିଷ୍ୟତ ଜୀବନ ସମ୍ପର୍କରେ ନଳିଳୀ କହିଛନ୍ତି କି, ସେ ତାଙ୍କ ଝିଅ ନିକଟକୁ ଲଣ୍ଡନ ଯିବେ। ସେଠାରେ ସେ ନିଜ ସ୍ବାମୀ ଓ ଝିଅର ସେବା ଯତ୍ନରେ କାଳାତିପାତ କରିବେ। ଏକ ଗୃହିଣୀର କାର୍ଯ୍ୟ ସୁଚାରୁରୂପେ ତୁଲାଇବେ।

ସେପଟେ ମଦୁରାଇ ସେଣ୍ଟ୍ରାଲ ଜେଲରୁ ମୁକୁଳିବା ପରେ ଅନ୍ୟତମ ଦୋଷୀ ରବିଚନ୍ଦ୍ରନ ମଧ୍ୟ ନିଜକୁ ନିର୍ଦ୍ଦୋଶ ଦାବି କରିଛନ୍ତି। ରବିଚନ୍ଦ୍ରନ କହିଛନ୍ତି କି, ଉତ୍ତର ଭାରତ ଲୋକେ ଆମକୁ ଆତଙ୍କବାଦୀ ବା ହତ୍ୟାକାରୀ ଭାବେ ନ ଦେଖି ପୀଡିତ ଭାବେ ଦେଖନ୍ତୁ। ସମୟ ଓ କ୍ଷମତା ଲୋକଙ୍କୁ ଆତଙ୍କୀ ବା ସ୍ବାଧୀନତା ସଂଗ୍ରାମୀ ସଜାଉଛି। କିନ୍ତୁ ସମୟ ଆସିବ, ଆମେ ଆତଙ୍କବାଦୀ ଭାବେ ନିନ୍ଦିତ, ଅପମାନିତ ହୋଇଥିଲେ ମଧ୍ୟ ନିର୍ଦ୍ଦୋଶ ସାବ୍ୟସ୍ତ ହେବୁ। ଅବଶ୍ୟ ଆମେ ତାମିଲ ଗୌରବ ଓ ତାମିଲ ଆନ୍ଦୋଳନ ପାଇଁ କାମ କରିଥିଲୁ, ହେଲେ ଆମେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଷଡଯନ୍ତ୍ରରେ ସାମିଲ ନ ଥିଲୁ। ଆମେ ଏମତି କୌଣସି କାର୍ଯ୍ୟ କରିନଥିଲୁ ଯେଉଁଥି ପାଇଁ ଆମକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ ବା ଆଜୀବନ ଜେଲ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ରବିଚନ୍ଦ୍ରନ।

ରାଜୀବ ହତ୍ୟା ମାମଲାର ୬ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ  ପାଇବା ପରେ ଜେଲ କର୍ତ୍ତୃପକ୍ଷ ସେମାନଙ୍କ ମୁକ୍ତି ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। ସଂଧ୍ୟା ସୁଦ୍ଧା ସମସ୍ତ ଫର୍ମାଲିଟି ପୂରା କରାଯାଇ ସେମାନଙ୍କୁ ମୁକ୍ତ କରାଯାଇଥିବା କହିଛନ୍ତି ଜେଲ ଡିଜି ଅମରେଶ ପୂଜାରୀ। ରବୀଚନ୍ଦ୍ରନ ଓ ନଳିନୀ ପାରୋଲରେ ଥିଲେ। ସେମାନଙ୍କୁ ଜେଲକୁ ଡକାଇ ଫର୍ମାଲିଟି ପୁରା କରାଯାଇଥିଲା।

ସମସ୍ତ ଫର୍ମାଲିଟି ପୂରା କରାଯାଇ ଶନିବାର ସଂଧ୍ୟାରେ ସେମାନଙ୍କୁ ଜେଲରୁ ଛଡା ଯାଇଥିଲା। ନଳିନୀ ଭେଲୋର ଜେଲର ମହିଳା ସେଲରୁ ମୁକୁଳିଥିବା ବେଳେ ମୁରୁଗନ ଓ ସନ୍ଥାନଙ୍କୁ ଭେଲୋର ସେଣ୍ଟ୍ରାଲ ଜେଲରୁ ଖଲାସ କରାଯାଇଥିଲା। ସେହିପରି ରୋବର୍ଟ ଓ ଜୟକୁମାର ବାହାରି ଥିଲେ ପୁଝାଲ ସେଣ୍ଟ୍ରାଲ ଜେଲରୁ  । ରବୀଚନ୍ଦ୍ରନ ମୁକୁଳିଥିଲେ ମଦୁରାଇ ସେଣ୍ଟ୍ରାଲ ଜେଲରୁ। ଜେଲ କର୍ତ୍ତୃପକ୍ଷ ସେମାନଙ୍କ ଜେଲ ରହଣୀ କାଳରେ ସେମାନେ ଉପାର୍ଜନ କରିଥିବା ଅର୍ଥ ପ୍ରଦାନ କରିଥିଲେ। ଏହା ବ୍ୟତୀତ ସେମାନଙ୍କ ବ୍ୟକ୍ତିଗତ ସାମଗ୍ରୀ ଓ ବହିସବୁ ନେଇ ଜେଲରୁ ବାହାରିଥିଲେ ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ୬ ଦୋଷୀ।  ଚଳିତ ମେ ମାସରେ ସୁପ୍ରିମ କୋର୍ଟ ଧାରା ୧୪୨ର ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ଅନ୍ୟତମ ଅଭିଯୁକ୍ତ ଏ ଜି ପେରାରିଭାଲାନଙ୍କୁ ମୁକ୍ତ କରିଥିଲେ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *