କାହିଁକି କଂଗ୍ରେସରେ ଭିନ୍ନ ମତ

Spread the love

() ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରାଯିବାକୁ କଂଗ୍ରେସର ବିରୋଧ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି ପାରୁ ନାହିଁ ଦଳ। ସୁପ୍ରିମକୋର୍ଟଙ୍କ ଆଦେଶକୁ ଦୁର୍ଭାଗ୍ୟ ପୂର୍ଣ୍ଣ ଓ ଅଗ୍ରହଣୀୟ ବୋଲି କହିଛି କଂଗ୍ରେସ। କୋର୍ଟଙ୍କ ନିର୍ଦ୍ଦେଶ ଉପରେ ପ୍ରଶ୍ନବାଚୀ ଠିଆକରିଛି କଂଗ୍ରେସ।

ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ରାଜୀବ ହତ୍ୟା ମାମଲାରେ ବନ୍ଦୀ ଥିବା ୬ ଅଭିଯୁକ୍ତଙ୍କୁ ମୁକ୍ତ ନିର୍ଦ୍ଦେଶ ଦେବା ପରେ କଂଗ୍ରେସରେ ଦେଖାଦେଇଥିଲା ତାତି।  କଂଗ୍ରେସ ପ୍ରବକ୍ତା ତଥା ସାଂସଦ ଜୟରାମ ରମେଶ କୋର୍ଟଙ୍କ ନିଷ୍ପତ୍ତି ଉଠାଇଥିଲେ ପ୍ରଶ୍ନ। ଏହାକୁ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଓ ଭୁଲ ବୋଲି କହିଛନ୍ତି ସାଂସଦ। କୋର୍ଟଙ୍କ ନିର୍ଦ୍ଦେଶକୁ ଦଳ ସମାଲୋଚନା କରିବା ସହ ଏହାକୁ ଅସମ୍ଭବ ଓ ଅଯୁକ୍ତିକର ବୋଲି କହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେବା ସମୟରେ ଭାରତର ଆତ୍ମା ସହ ନ୍ୟାୟ କରି ନାହାନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ କହିଛନ୍ତି କି, ଆଇନର ନୀତି ସମାନ ଅପରାଧ  କ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ। ଯଦି ଆଇନ ଏହାକୁ ଅନୁମତି ଦିଏ ତେବେ କୌଣସି ସମସ୍ୟା ନାହିଁ। ଏପରି ହେଲେ ଆମ ଜେଲରେ ଥିବା ବହୁ କଏଦୀ ମୁକ୍ତ ହୋଇପାରନ୍ତେ ବୋଲି କାର୍ତ୍ତି କହିଛନ୍ତି।  ସେହିପରି ସୁପ୍ରିମକୋର୍ଟଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମନିକାମ ଟେଗୋର।  ତିନି ଶ୍ରୀଲଙ୍କୀୟ ଅପରାଧୀଙ୍କୁ ମୁକ୍ତ କରାଯିବାକୁ ନେଇ ମୋଦିଙ୍କ ରାଷ୍ଟ୍ର ସୁରକ୍ଷା ଉପରେ ପ୍ରଶ୍ନ କରିଛନ୍ତି ଟେଗୋର। ସେ ଟ୍ବିଟ ମାଧ୍ୟମରେ ପ୍ରଶ୍ନ କରିଛନ୍ତି, କିପରି ତୁମେ ନିଜ ଆଖି ବନ୍ଦ କରିବ ଓ ଆତଙ୍କବାଦୀଙ୍କୁ ସହଯୋଗ କରିବ? ସେହିପରି ରାଜୀବଙ୍କ ସହ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପୁଅ କୋର୍ଟଙ୍କ ରାୟକୁ ନିକୃଷ୍ଟ ବୋଲି କହିଛନ୍ତି।  ଏସବୁ ରାଜନୀତି ପାଇଁ ହେଉଛି ବୋଲି କ୍ଷୋଭକ୍ତି ପ୍ରକାଶ କରିଛନ୍ତି ମୃତକଙ୍କ ପୁତ୍ର।

କିନ୍ତୁ କଂଗ୍ରେସର ଏହି ବିରୋଧ ଓ ଅସନ୍ତୋଷର କାରଣ କଣ? କାହିଁକି କଂଗ୍ରେସରେ ଏପ୍ରକାର ଭିନ୍ନତା। କଣ ଗାନ୍ଧୀ ପରିବାର ପ୍ରତି ନିଜ ଆନୁଗତ୍ୟ ପ୍ରକାଶ କରୁଛନ୍ତି ଦଳୀୟ ନେତୃବୃନ୍ଦ? କାରଣ, ପୂର୍ବରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ରାଜୀବଙ୍କ ହତ୍ୟାକାରୀଙ୍କୁ କ୍ଷମା ଦେଇ ସାରିଛନ୍ତି। ଲିଖିତ ହେଉ ବା ବାଚନିକ, ଗାନ୍ଧୀ ପରିବାର ଦୋଷୀଙ୍କ ଅପରାଧ ପାଇଁ ସେମାନଙ୍କୁ କ୍ଷମାଦେଇଛନ୍ତି। ଏପରି କି ସୋନିଆ ଏମାନଙ୍କ ରାଜକ୍ଷମା ଲାଗି ମଧ୍ୟ ସୁପାରିଶ କରିଥିଲେ। ୧୯୯୯ ମସିହାରେ ସୋନିଆ କଂଗ୍ରେସର ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତି କେ ଆର ନାରାୟଣନଙ୍କୁ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଚିଠି ଲେଖିଥିଲେ। ସେତେବେଳେ ସୋନିଆ କହିଥିଲେ କି, ମୋ ସ୍ବାମୀଙ୍କ ହତ୍ୟା କରିଥିବାରୁ  ୪ ଜଣଙ୍କୁ ଫାଶୀ ଖୁଣ୍ଟରେ ଟାଙ୍ଗି ଦିଆଯାଉ ଏହା ମୋର ପରିବାର ଚାହୁଁନାହିଁ। ମୁଁ, ମୋର ପୁଅ ଓ ଝିଅ ଦୋଷୀଙ୍କ ଜୀବନ ନେବାକୁ କଦାପି ଗ୍ରହଣ କରି ପାରୁ ନାହୁଁ। ମୋର ପିଲାମାନେ ପିତାଙ୍କୁ ହରାଇ ଯେଉଁ ଦୁଃଖ ଭୋଗୁଛନ୍ତି, ସେହିପରି ଦୁଃଖ କଷ୍ଟ ଦୁନିଆର ଆଉ କୌଣସି ଶିଶୁକୁ ମିଳୁ ଏହା ମୋର ଚିନ୍ତାର ବାହାରେ ବୋଲି କହିଥିଲେ  ସୋନିଆ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ୧୯୯୧ ମେ ୨୧ରେ ଏକ ନିର୍ବାଚନୀ ପ୍ରଚାର କାଳରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ରାଜୀବ ବିଶାଳ ରାଲିକୁ ସମ୍ବୋଧନ ଦେବାକୁ ଧଳା ଆମ୍ବାସାଡର କାରରେ ଯାଉଥିଲେ। ରାଲି ସ୍ଥଳିରେ ପହଞ୍ଚିବା ପରେ ସେ କାରରୁ ବାହାରି ଡାଏସ ଆଡକୁ ଆଗେଇ ଯାଉଥିବା ସମୟରେ ବହୁ କଂଗ୍ରେସ କର୍ମକର୍ତ୍ତା ସ୍କୁଲ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ କରୁଥିଲେ।  ଧାନୁ ନାମକ ମହିଳା ଆତ୍ମଘାତୀ ମଧ୍ୟ ରାଜୀବଙ୍କ ନିକଟକୁ ଯାଇ  ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଦ ଛୁଇଁବାକୁ ନଇଁପଡିଲା। ଆଉ ଧାନୁର ଡେସ ତଳେ ଥିବା ଆରଡିଏକ୍ସ ବିସ୍ଫୋରକ ଖଚ୍ଚିତ ବେଲ୍ଟ ବିସ୍ଫୋରଣ ହୋଇଥିଲା। । ଏହି ବିସ୍ଫୋରଣରେ ରାଜୀବଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୩ ଜଣ ଗୁରୁତର ଆହତ ହୋଇଥିଲେ। ସାରା ଦେଶରେ ଖେଳି ଯାଇଥିଲା ହଇଚଇ। ବିରାଟ ଜନ ସମୁଦ୍ର ଭିତରେ ଆତତାୟୀଙ୍କୁ ଧରିବା ସମ୍ଭବ ନ ଥିଲା। କିନ୍ତୁ ସେଠାରେ ପଡିଥିବା ଏକ କ୍ୟାମେରା ଧରାଇଥିଲା ହତ୍ୟାକାରୀଙ୍କୁ। ହେଲେ କ୍ୟାମେରାର ମାଲିକ ତଥା ସ୍ଥାନୀୟ ଫଟୋଗ୍ରାଫର କିନ୍ତୁ ବିସ୍ଫୋରଣରେ ପ୍ରାଣ ହରାଇଥିଲେ।

ଏହି ଦୁର୍ଘଟଣା ପରେ ପରେ ତାମିଲନାଡୁର ଚନ୍ଦ୍ରଶେଖର ସରକାର ଘଟଣାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିଥିଲେ। ଡି ଆର କାର୍ତ୍ତିକେୟନଙ୍କ ନେତୃତ୍ବରେ ଗଠିତ ହୋଇଥିଲା ଏକ ଏସଆଇଟି ଗଠନ କରାଯାଇ ରାଜୀବଙ୍କ ହତ୍ୟାରେ ଏଲଟିଟିଇର ହାତ ଥିବା ସ୍ପଷ୍ଟ ହୋଇଥିଲା। ଏଲଟିଟିଇ ଦମନ ପାଇଁ ଶ୍ରୀଲଙ୍କା ସରକାରକୁ  ରାଜୀବଙ୍କ ସହାୟତା ଓ ଭାରତରୁ ସେନା ପ୍ରେରଣକୁ ନେଇ ଏଲଟିଟିଇ ରାଜୀବଙ୍କୁ ହତ୍ୟା କରିଥିବା ପରେ ଜଣାପଡିଥିଲା। ଏହି ମାମଲାରେ ନଳିନୀଙ୍କ ସମେତ ୨୫ ଜଣଙ୍କୁ ଦଣ୍ଡିତ କରିଥିଲେ କୋର୍ଟ, ସେମାନଙ୍କ ଭିତରୁ ୪ ଜଣଙ୍କୁ  ମୃତ୍ୟୁ ଦଣ୍ଡ ଦିଆଯାଇଥିଲା।  ତେବେ ୨୫ ଅଭିଯୁକ୍ତଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି।  

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *