ଖଡଗେଙ୍କ ଅଲୱର ବୟାନକୁ ନେଇ ଗୃହରେ ଝଡ

Spread the love

() ଦେଶ ପାଇଁ କିଏ ବଳିଦାନ ଦେଇଛି। ଏହାକୁ ନେଇ ରାଜସ୍ଥାନ ଅଲଓ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନକୁ ନେଇ ଆଜି ସଂସଦ ହୁଲସ୍ତୁଲ ହୋଇଛି। ରାଜ୍ୟସଭାରେ ଏଭଳି ବୟାନକୁ ନେଇ ଖଡଗେଙ୍କ କ୍ଷମାପ୍ରାର୍ଥନା ଦାବି କରି ବିଜେପି ହଟ୍ଟଗୋଳ କରିଥିଲା। ଆଉ ଖଡଗେ ବି ଏହାର ଜବାବ ରଖିଥିଲେ। କିନ୍ତୁ ଉଭୟ ପକ୍ଷର ହଟ୍ଟଗୋଳକୁ ନିୟନ୍ତ୍ରଣ କରିବା ସହ ଉଭୟ ପକ୍ଷର ଏଭଳି ଆଚରଣକୁ ନେଇ ପୁଣି ଥରେ କଡ଼ା ତାଗିଦ୍ କରିଛନ୍ତି ଅଧ୍ୟକ୍ଷ।

ରାଜସ୍ଥାନ ଅଲଓ୍ୱରରେ କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି ବୟାନ ଆଜି ସଂସଦରେ ନିଆଁ ଲଗାଇଦେଇଥିଲା। ଦେଶ ପାଇଁ ବିଜେପିର କୌଣସି ଅବଦାନ ନାହିଁ। କଂଗ୍ରେସ ଦେଶକୁ ସ୍ୱାଧୀନତା ଦେଇଛି। ଇନ୍ଦୀରା, ରାଜୀବଙ୍କ ଭଳି ନେତା ବଳିଦାନ ଦେଇଛନ୍ତି। କିନ୍ତୁ ବିଜେପିରୁ ତ କାହାଘରର କୁକୁରଟିଏ ବି ମରିନି ଦେଶ ପାଇଁ। ତେବେ ଏଭଳି ବୟାନକୁ ଅଭଦ୍ର, ଅସତ୍ୟ, ଭିତ୍ତୀହିନ କହିବା ସହ କ୍ଷମା ମାଗନ୍ତୁ ଖଡ଼ଗେ ବୋଲି ରାଜ୍ୟସଭାରେ ଦାବି କରି ହଟ୍ଟଗୋଳ କରିଥିଲା ଶାସକ ବିଜେପି। ଏଭଳି ମନ୍ତବ୍ୟ ବିଜେପି, ସଂସଦ ଓ ସର୍ବୋପରି ଦେଶବାସୀଙ୍କୁ ଅପମାନ। ଇର୍ଷାପରାୟଣ ହୋଇ ହତାଶ କଂଗ୍ରେସ ଏଭଳି କହିବା ଦୁଃର୍ଭାଗ୍ୟଜନକ। ବରଂ ଆମ୍ୱେଦକର, ସର୍ଦ୍ଦାର ପଟେଲ ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଳି ସଂଗ୍ରାମୀଙ୍କୁ ସଦା ଅପମାନ କରି ଆସିଥିବା କଂଗ୍ରେସଠୁ ଆଉ କଅଣ ଆଶା କରାଯାଇପାରେ ବୋଲି ବିଜେପି ସାଂସଦ କହିଥିଲେ।

ତେବେ ଖଡ଼ଗେ କହିଥିଲେ, ଦେଶ ଲାଗି ଲଢ଼ିବା ଲୋକଙ୍କୁ ପାଲଟା କ୍ଷମା ମାଗିବାକୁ କହୁଛି ବିଜେପି। ଯଦି ଅଲଓ୍ୱରରେ କହିଥିବା କଥାର ପୁନରାବୃତ୍ତି କରିବି, ତେବେ ଶାସକ ଦଳ ଲାଗି ମୁସ୍କିଲ୍ ହୋଇଯିବ ବୋଲି ଚେତାଇଦେଇଥିଲେ। ଗୃହ ବାହାରେ ରାଜନୈତିକ ମଞ୍ଚରେ କହିଥିବା କଥାକୁ ଗୃହରେ କାହିଁକି ଆଲୋଚନା ହେଉଛି ବୋଲି ପଚାରିଥିଲେ।

ତେବେ ଗୃହର ନେତା ଓ ବିରୋଧୀ ଦଳ ନେତା କହୁଥିଲା ବେଳେ ଉଭୟ ଟ୍ରେଜେରୀ ଓ ବିରୋଧୀ ବେଞ୍ଚରୁ ସଭ୍ୟଙ୍କ ହଟ୍ଟଗୋଳକୁ ନେଇ କ୍ଷୁବ୍ଧ ଅଧ୍ୟକ୍ଷ କଡ଼ା ତାଗିଦ୍ କରିଥିଲେ। କୌଣସି ପକ୍ଷକୁ ଦେଖିବିନି। ଯାହା ସମ୍ୱିଧାନସମ୍ମତ ତାହା କରିବି। ୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି। ଭିନ୍ନମତ ଥାଇପାରେ। ଏହାର ଅର୍ଥ ନୁହେଁ ଯେ, ପରସ୍ପରକୁ ଶୁଣିବାନି। କେଉଁସ୍ତରକୁ ସଭ୍ୟଙ୍କ ଚିନ୍ତନ ଓ ମନ୍ଥନ ଗଲାଣି, ତାକୁ ନେଇ ଖପ୍ପା ହୋଇଥିଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ।

ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦରେ ଅବଶ୍ୟ ବେଶ୍ ଝଡ଼ ବୋହିଥିଲା। କିନ୍ତୁ ଆଲୋଚନା,ତର୍କର ପ୍ଲାଟଫର୍ମରେ ବିଶୃଙ୍ଖଳା ଓ ପରସ୍ପରକୁ ଅସହନୀୟତାର ଫର୍ଦ୍ଦର ପୁନାରବୃତ୍ତି ହେଲେ ଏହା ସଂସଦର ଗାରିମାକୁ କ୍ଷୁର୍ଣ୍ଣ କରୁଛି, ତାହା ବି ଦେଶ ଦେଖିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *