ଦିଲ୍ଲୀରୁ ପୁଣି ଭାରତ ଯୋଡ ଯାତ୍ରା ଆରମ୍ଭ

Spread the love

ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ମଙ୍ଗଳବାର ରାହୁଲଙ୍କ ଭାରତ ଯୋଡ ଯାତ୍ରା ଦିଲ୍ଲୀରୁ  ପୁଣି ଆରମ୍ଭ ହୋଇଛି। ରାହୁଲ  କାଶ୍ମୀର ଗେଟ୍‌ର ହନୁମାନ ମନ୍ଦିରରେ ଦର୍ଶନ ଓ ପୂଜା କରି ଯାତ୍ରା ଆରମ୍ଭ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ  ରାହୁଲଙ୍କ ସହ ହନୁମାନ ମନ୍ଦିରରେ ବଜରଙ୍ଗବାଲୀଙ୍କ ଦର୍ଶନ କରି ଯାତ୍ରାରେ ଯୋଗ ଦେଇଛନ୍ତି।

ଯାତ୍ରାର ଦ୍ବିତୀୟ ଚରଣରେ ରାହୁଲ ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ମୌଜପୁର, ଜାଫରାବାଦ୍‌, ଗୋକୁଲପୁରି‌ ହୋଇ ୟୁପିରେ ପ୍ରବେଶ କରିବେ। ଉତ୍ତର ପ୍ରଦେଶ କଂଗ୍ରେସକୁ ଯାତ୍ରାର ପତାକା ଦିଆଯିବ। ୪ ଜାନୁୟାରୀରେ ବାଗପତରୁ ଶାମଲି ଯାତ୍ରା ବାହାରିବ। ୟୁପିର ଲୋନିରୁ ଗଜିଆବାଦ୍ ହୋଇ ବାଗପତରେ ରାତ୍ରୀ ଯାପନ କରିବେ। ଏହି ଯାତ୍ରାକୁ ନେଇ  ପୁଲିସ୍ ପକ୍ଷରୁ ଏକ ଟ୍ରାଫିକ୍ ଆଡ୍‌ଭାଇଜରି ଜାରି କରାଯାଇଛି। କିଛି ରାସ୍ତାରେ ଡାଇଭର୍ସନ ପ୍ଲାନ ଲାଗୁ କରାଯାଇଛି। ଦିଲ୍ଲୀର ଲୋହା ପୁଲ୍‌, ପୁସ୍ତା ରୋଡ୍‌, ଜାଫରାବାଦ୍‌, ଗୌଜପୁର ଏବଂ ଗୋକୁଲପୁରରେ ଅଧିକ ଭିଡ ସମ୍ଭାବନା ଥିବା ପୁଲିସ ଆଶଙ୍କା  କରିଛି।

ଭାରତ ଯୋଡ ଯାତ୍ରାରେ ସାମିଲ ହେବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ କଂଗ୍ରେସ ନିମନ୍ତ୍ରଣ କରିଛି। ଏଥିପାଇଁ ଉଭୟ ଅଖିଳେଶ ଏବଂ ମାୟାବତୀ ଧନ୍ୟବାଦ ଜଣାଇଛନ୍ତି। ତେବେ ଅଖିଳେଶ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବେନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହେଲେ ଅଖିଳେଶ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇବା ସହ ଯାତ୍ରାର ସଫଳତା କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *