ସିଏଏ: ମାସେ ଭିତରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ ତାଗିଦ

Spread the love

ନୂଆଦିଲ୍ଲୀ: ସିଏଏକୁ ବିରୋଧ କରି ହୋଇଥିବା ଯାଚିକାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ଅକ୍ଟୋବର ୩୧ରେ କରିବେ। ଏହି ମାମଲାରେ କୋର୍ଟ ଏକ ମାସ ଭିତରେ କେନ୍ଦ୍ରରୁ ମାଗିଛନ୍ତି ରିପୋର୍ଟ।  ସୋମବାର ଶୁଣାଣି କାଳରେ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ କି, କେନ୍ଦ୍ର ପକ୍ଷରୁ କିଛି ରିପୋର୍ଟ ଆସିଛି, କିଛି ଆସିବାକୁ ବାକି ଅଛି। ଅନ୍ୟପଟେ ଯାଚିକାକର୍ତ୍ତାଙ୍କ ପକ୍ଷରୁ କପିଲ ସିବଲ କହିଥିଲେ କି, ସମସ୍ତ ଯାଚିକାର କାଣ୍ଟଛାଣ୍ଟ ଜରୁରୀ।

ସିଏଏ ର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଚ କରି ବହୁ ଯାଚିକା ସୁପ୍ରିମ କୋର୍ଟରେ ଦାୟର ହୋଇଛି। ଏହା ଉପରେ ସିଜେଆଇ ୟୁ ୟୁ ଲଳିତ ଓ ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି। ୨୦୨୦ରେ ସିଏଏ ଉପରେ ରୋକ ଲଗାଇବାକୁ ହୋଇଥିବା ମୋଟ ୨୨୦ଟି ଯାଚିକା ଉପରେ ଶୁଣାଣି ହୋଇଛି। ସିଏଏର ସମ୍ବିଧାନିକ ବୈଧତାକୁ ନେଇ କଂଗ୍ରେସ, ତ୍ରିପୁରା ରାଜ ପରିବାରର ବଂଶଜ ପ୍ରଦ୍ୟୋତ କିଶୋର ଦେବ ବର୍ମନ, ଆସାମ ଗଣ ପରିଷଦ, ଇଣ୍ଡଆନ ୟୁନିୟନ ମୁସଲିମ ଲିଗ ଦ୍ବାରା କଂଗ୍ରେସ ସାଂସଦ ଜୟରାମ ରମେଶ, ଟିଏମସି ସାଂସଦ ମହୁଆ ମୈତ୍ରା, ସିପିଆଇ ଓ ଡିଏମକେ ସହ ଅନ୍ୟ ବହୁ ବ୍ୟକ୍ତିଙ୍କ ଦ୍ବାରା ଯାଚିକା ଦାୟର ହୋଇଥିଲା।

ସଂଶୋଧିକ ଆଇନ ଅନୁସାରେ ଧାର୍ମିକ ପ୍ରତାଡନା ଦୃଷ୍ଟିରୁ ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି, ଇସାଇ ସମ୍ପଦାୟର ଲୋକମାନଙ୍କୁ ଅବୈଧ ପ୍ରବାସୀ ବୋଲି କୁହାଯିବ ନାହିଁ ଓ ସେମାନଙ୍କୁ ଭାରତର ନାଗରିକତା ମିଳିବ ବୋଲି ରାଷ୍ଟ୍ରପତି ନାଗରିକତା ସଂଶୋଧନ ବିଧେୟକକୁ ୨୦୧୯ରେ ସ୍ବୀକୃତି ଦେଇଥିଲେ ଓ ଏହା ଆଇନରେ ପରିଣତ ହୋଇଥିଲା।

ତେବେ ଏହି ଆଇନକୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ହୋଇଥିଲା। ଏହାକୁ ବିରୋଧ କରି ଜୟରାମ ରମେଶ ନିଜ ଯାଚିକାରେ କହିଥିଲେ କି, ଏହି ଆଇନ ସମ୍ବିଧାନ ଦ୍ବାରା ପ୍ରଦତ ମୌଳିକ ଅଧିକାର ଉପରେ ଆକ୍ରମଣ। ସେ ଆହୁରି କହିଥିଲେ, ନ୍ୟାୟାଳୟରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ଥିବା ବେଳେ ଏହା ସେମଧ୍ୟରୁ ଅନ୍ୟତମ। ଭାରତରେ ନାଗରିକତା ପାଇବାକୁ ବା ନାଗରିକତାକୁ ମନା କରିବାକୁ ଧର୍ମ ଏକ କାରକ ହୋଇପାରେ। ମୈତ୍ରା କହିଥିଲେ କି, ଅସମ୍ବିଧାନିକତା ଭାରତର ଧର୍ମନିରପେକ୍ଷତା ଉପରେ ଆକ୍ରମଣ। ଏହା ଆଇନରେ ବିଭେଦ ସୃଷ୍ଟିକାରୀ ଓ ଭେଦଭାବପୂର୍ଣ୍ଣ।

ସିଏଏକୁ ନେଇ ଦେଶର ରାଜଧାନୀରୁ ଆରମ୍ଭ କରି ଦେଶବ୍ୟାପୀ ଜଳିଥିଲା ନିଆଁ। ମାସ ମାସ ଧରି ଲୋକେ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଶାହିନବାଗରେ ସିଏଏ ବିରୋଧରେ ପ୍ରାୟ ଏକ ବର୍ଷ ଧରି ରାସ୍ତା ଜାମ ହୋଇଥିଲା।

Leave a Reply

Your email address will not be published. Required fields are marked *