‘ସରକାରଙ୍କ ସହ ଆଲୋଚନା ପରେ ଦାମ ନିର୍ଦ୍ଧାରଣ ହେବ’

Spread the love

ନୂଆଦିଲ୍ଲୀ: ସର୍ଭିକାଲ କ୍ୟାନସରରୁ ରକ୍ଷା ପାଇବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ ଟିକା କିଛି ଦିନରେ ବଜାରରେ ଉପଲବ୍ଧ ହେବ। ଏହି ଟିକା ସମ୍ପର୍କରେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା କହିଛନ୍ତି କି, ଟିକାର ଦାମ ସରକାର ସହ ଆଲୋଚନା ପରେ ସ୍ଥିର ହେବ। ତେବେ କ୍ୟାନ୍ସର ଟିକା ମୂଲ୍ୟ ୨୦୦ରୁ ୪୦୦ ମଧ୍ୟରେ ରହିବ ବୋଲି ଅନୁମାନ କରୁଛନ୍ତି ପୁନାୱାଲା।

ଗୁରୁବାର ଟିକାର ସଫଳ ଉତ୍ପାଦନ ପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ପୁନାୱାଲା। ସେ ଆହୁରି କହିଛନ୍ତି କି, ଟିକାର ବିକାଶ କାର୍ଯ୍ୟ ସଫଳ ରହିଛି। ଏବେ ଜନତାଙ୍କ ନିକଟରେ ଏହାକୁ ଉପଲବ୍ଧ କରାଇବା ଉପରେ ପରବର୍ତ୍ତୀ ଚରଣରେ କାମ ହେବ।

ସେ ଆହୁରି କହିଛନ୍ତି କି, ସର୍ଭିକାଲ କ୍ୟାନ୍ସର ଉପରେ ନିୟନ୍ତ୍ରଣ ପାଇବାକୁ ଦେଶରେ ବିକଶିତ ହୋଇଛି ପ୍ରଥମ ଟିକା। ମୋଦିଙ୍କ ପ୍ରୟାସରୁ ଏହା ସମ୍ଭବ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି କି, ଭାରତ ସର୍ଭିକାଲ କ୍ୟାନ୍ସର ପାଇଁ ସ୍ବଦେଶରେ ବିକଶିତ ପ୍ରଥମ ଟିକା ଆଣିଛି। ଏହି ରୋଗ ସାଧାରଣତଃ କମ ବୟସର ମହିଳାଙ୍କଠାରେ ଦେଖିବାକୁ ମିଳିଥାଏ। ଏହି ଟିକାକୁ କମ ଦରରେ ଯୋଗାଇ ଦିଆଯିବ।

ସର୍ଭାଇକାଲ କ୍ୟାନ୍ସର ପରି ଗମ୍ଭୀର ରୋଗରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଟିକାକୁ ୯ରୁ ୧୪ ବର୍ଷରୁ ବାଳିକାଙ୍କୁ ଦିଆଯାଇପାରେ। ବର୍ତ୍ତମାନ ଦେଶରେ ଏଚପିଭିର ଦୁଇଟି ଟିକା ମିଳୁଛି, ଯାହା ବିଦେଶରୁ ଆମଦାନୀ ହେଉଛି।   ପ୍ରଥମ ଟିକା ଗାଡିସିଲକୁ ମର୍କ କମ୍ପାନୀ ପ୍ରସ୍ତୁତ କରୁଥିବା ବେଳେ ଦ୍ବିତୀୟଟି ହେଉଛି ସର୍ଭେରିକ୍ସ, ଏହାକୁ ଗ୍ଲେକ୍ସୋ ସ୍ମିଥକ୍ଲାଇନ ପ୍ରସ୍ତୁତ କରୁଛି। ଏହି ଟିକାର ଦାମ ୨ହଜାରରୁ ୩ ହଜାର ପ୍ରତି ଡୋଜ କରିଛି। 

ଦେଶରେ ମହିଳାଙ୍କୁ ହେଉଥିବା ସର୍ଭିକାଲ କ୍ୟାନ୍ସର ହେଉଛି ଦ୍ବିତୀୟ ସବୁଠାରୁ  ସାଧାରଣ କ୍ୟାନ୍ସର। ପ୍ରଥମରେ ରହିଛି ବ୍ରେଷ୍ଟ କ୍ୟାନ୍ସର। ଭାରତରେ ପ୍ରତି ବର୍ଷ ୧ଲକ୍ଷ ୨୩ ହଜାରରୁ ଅଧିକ ମହିଳା  ଏହି କ୍ୟାନ୍ସରର ଶିକାର ହୋଇଥାନ୍ତି ଓ ୭୭ହଜାରରୁ ଅଧିକ ମୃତ୍ୟୁବରଣ କରିଥାନ୍ତି। 

ଏଚପିଭି ସେଣ୍ଟର ପକ୍ଷରୁ ଆହୁରି କୁହାଯାଇଛି କି,  ବର୍ତ୍ତମାନ ଦେଶର ୫ ପ୍ରତିଶତ ମହିଳା ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଏନପିଭି-୧୬-୧୮ ସଂକ୍ରମଣ ହୋଇଥାଏ।  ସେହିପରି ପ୍ରାୟ ୮୩ ପ୍ରତିଶତ ସର୍ଭିକାଲ  କ୍ୟାନ୍ସରରେ ଏଚପିଭି ୧୬ ବା ୧୮ ସଂକ୍ରମଣ ହୋଇଥାଏ। ସାରା ବିଶ୍ବରେ ପ୍ରାୟ ୭୦ ପ୍ରତିଶତ ସର୍ଭିକାଲ କ୍ୟାନ୍ସର ପାଇଁ ଏଚପିଭି ୧୬ ଓ ୧୮ ସଂକ୍ରମଣ ହିଁ କାରକ ହୋଇଥାଏ।

Leave a Reply

Your email address will not be published. Required fields are marked *