କ୍ଷତିପୂରଣକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ

Spread the love

() ଦବୁଛି ଯୋଶୀମଠ। ଏଥିଯୋଗୁ ଏକାଧିକ ଘର ଓ ହୋଟେଲ ଫାଟି ଆଁ କରିଛି। ମାଟିରେ ମିଶିବ ଯୋଶୀମଠର ୭୨୩ ଘର। ଦବିବାକୁ ଯାଉଥିବା ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଥିବା ବିପଦସଙ୍କୁଳ ହୋଟେଲ ଓ ଘର ଗୁଡିକ ସପ୍ତାହକ ମଧ୍ୟରେ ଭଙ୍ଗାଯିବ। ପ୍ରଭାବିତ ହୋଇଥିବା ପ୍ରତ୍ୟେକ ପରିବାରକୁ ସରକାରଙ୍କ ପକ୍ଷରୁ ଦେଢ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବଢିଛି ଅସନ୍ତୋଷ। ସରକାରଙ୍କ କ୍ଷତିପୂରଣ ଅଙ୍କକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି। ପ୍ରଭାବିତ ଲୋକମାନେ ସରକାରଙ୍କ କ୍ଷତିପୂରଣକୁ ନେଇ ଅସନ୍ତୋଷ ଜାହିର କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ଅସ୍ତିତ୍ୱ ହରାଇବ ଉତ୍ତରାଖଣ୍ଡର ଯୋଶୀମଠ। ମାଟିରେ ମିଶିବ ୭୨୩ଟି ଘର! ପ୍ରଥମେ ଦୁଇଟି ହୋଟେଲ ମାଉଣ୍ଟ ଭିଉ ଏବଂ ମଲ୍ଲାରି ଇନ୍‌ ନାମକ ହୋଟେଲକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ପରେ ଘର ଭାଙ୍ଗିବା ଆରମ୍ଭ କରିବ ପ୍ରଶାସନ। ଲାଲ ଛକି ମାରି ଘର ଚିହ୍ନଟ କରାଯାଇଛି। ଫାଟ ବଢୁଥିବା ବେଳେ ଘର ଛାଡ଼ି ଅନ୍ୟତ୍ର ଯାଉଛନ୍ତି ଲୋକେ। ତେବେ ବିନା ନୋଟିସରେ ଘର ଭଙ୍ଗାଯାଉଥିବା ଅଭିଯୋଗ ହୋଇଛି। ଯୋଶୀମଠରେ ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ସିବିଆରଆଇ ଯାଞ୍ଚ କାର୍ଯ୍ୟ ଶେଷ କରିବା ପରେ ଅସୁରକ୍ଷିତ କୋଠାଗୁଡ଼ିକୁ ମାଟିରେ ମିଶାଇ ଦେବାପାଇଁ ବୁଲ୍‌ଡୋଜର ପହଞ୍ଚିଯାଇଛି। ତେବେ ବିପଦସଙ୍କୁଳ ହୋଟେଲ ଓ ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ପରେ ଲୋକମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି। ଉତ୍ତରାଖଣ୍ଡରେ ପ୍ରବଳ ଥଣ୍ଡା ହେଉଥିଲେ ମଧ୍ୟ ଶତାଧିକ ଲୋକ ଉଚ୍ଛେଦ ବିରୋଧରେ ରାତିତମାମ ରାସ୍ତାରେ ବସି ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ଯେଉଁମାନେ ନିଜ ଭିଟା ମାଟି ଛାଡ଼ୁଛନ୍ତି, ସେମାନେ ମଧ୍ୟ ଲୁହ ଓ କୋହକୁ ସମ୍ଭାଳି ପାରୁ ନାହାନ୍ତି।

ସେପଟେ କ୍ଷତିପୂରଣ ପ୍ରସଙ୍ଗରେ ପ୍ରଶାସନ ସହ ଆଲୋଚନା ବିଫଳ ହେବାରୁ ଧାରଣାରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା ଓ ହୋଟେଲ ମାଲିକ। ସରକାର ପ୍ରତି ପରିବାରକୁ ଦେଢ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ଲୋକମାନେ ନିଜ ଭିଟା ମାଟିକୁ ଛାଡ଼ିବାକୁ ନାରାଜ। ବିନା କୌଣସି ଥଇଥାନ ଓ କ୍ଷତିପୂରଣ ବିନା ଏପରି ଉଚ୍ଛେଦକୁ ସେମାନେ ବିରୋଧ କରିଛନ୍ତି। ସରକାର ସ୍ଥିର କରିଥିବା ସ୍ୱଳ୍ପ କ୍ଷତିପୂରଣକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ପ୍ରଭାବିତମାନେ ଅଭିଯୋଗ କରିଛନ୍ତି ଯେ, ସରକାର ରିଲିଫ୍ ନାମରେ ଯନ୍ତ୍ରଣା ଦେଉଛନ୍ତି। ଅନ୍ୟପଟେ, ମଲ୍ଲାରୀ ହୋଟେଲ ମାଲିକ ଠାକୁର ସିଂହ ରାଣା କହିଛନ୍ତି, ମୁଁ ହୋଟେଲକୁ ଭାଙ୍ଗିବାକୁ ବିରୋଧ କରୁନାହିଁ। ମୁଁ କେବଳ ଉପଯୁକ୍ତ କ୍ଷତିପୂରଣ ଦାବି କରୁଛି।

ଯୋଶୀମଠର ବିପର୍ଯ୍ୟୟକୁ ଦେଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏକ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯୋଶୀମଠକୁ ବଞ୍ଚାଇବା ତଥା ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ଥଇଥାନ ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ଧାମୀ।

ଦିନକୁ ଦିନ ଅଧିକ ଦବି ଦବି ଯାଉଛି ଯୋଶୀମଠର ମାଟି । ଧିରେ ଧିରେ ବଢୁଛି ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀର ଶହ ଶହ କୋଠାବାଡ଼ିର କାନ୍ଥ ବାଡ଼ର ଫାଟ।  ଯୋଶୀମଠ ଦବିବା ଯୋଗୁଁ ଏଯାଏ ୭୦୦ରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି। ଏଥିପାଇଁ ୧୩୧ଟି ପରିବାରର ଲୋକଙ୍କୁ ଅସ୍ଥାୟୀ ଭାବେ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ୩୪୪ଟି ରିଲିଫ୍ କ୍ୟାମ୍ପ ଓ ୪୯୧ଟି ରୁମ୍ ତିଆରି କରାଯାଇଛି। ବର୍ତ୍ତମାନେ ସୁଦ୍ଧା ୮୬ରୁ ଅଧିକ ଘରକୁ ବିପଦସଙ୍କୁଳ ଘୋଷଣା କରାଯାଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ ଦୈନନ୍ଦିନ ଜିନିଷ କିଣିଦେବାକୁ ମାସିକ ୫ ହଜାର ଟଙ୍କା ଲେଖାଏଁ ପ୍ରଶାସନ ଦେଇଛି। ପ୍ରଶାସନ ପକ୍ଷରୁ ଖାଦ୍ୟ, କ୍ଷୀର ଓ କମ୍ୱଳ ମଧ୍ୟ ଯୋଗାଇ ଦିଆଯାଇଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *