ଖାଦ୍ୟ ସୁରକ୍ଷା ଯୋଜନା ବାଟବଣା

Spread the love

କୁଜଙ୍ଗ:  ବାଟବଣା ହେଉଛି ଖାଦ୍ୟ ସୁରକ୍ଷା ଯୋଜନା । ଚାଉଳ ଓ ଗହମ ନ ପାଇ ହିତାଧିକାରୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଗତସିଂହପୁର କୁଜଙ୍ଗ ବ୍ଲକରେ ଡିସେମ୍ବରରେ ଏକ ହଜାର ୩୩ କୁଇଣ୍ଟାଲ ଗହମ ଯୋଗାଣ ହୋଇପାରିନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ବାଟବଣା ହେଉଛି ଖାଦ୍ୟ ସୁରକ୍ଷା ଯୋଜନା । ହିତାଧିକାରୀଙ୍କ ନିକଟରେ ପହଂଚିପାରୁନି ରାସନ ସାମଗ୍ରୀ । ବିଭାଗୀୟଙ୍କ ଅବହେଳା ଯୋଗୁଁ ମାସକୁ ମାସ ଏହି ଚାଉଳ ,ଗହମ ଗରିବ ଜନସାଧାରଣଙ୍କ ନିକଟରେ ପହଞ୍ଚୁନି । ରାସନ କାର୍ଡ ଜରିଆରେ ଟଙ୍କିକିଆ ଚାଉଳ, ଗହମ ସମେତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମାଗଣା ଚାଉଳ ଗହମ ପ୍ରଦାନ କରାଯାଉଛି । ହେଲେ ଏହି କାର୍ଯ୍ୟରେ ବ୍ୟତିକ୍ରମ ଦେଖାଦେଇଛି । ଜଗତସିଂହପୁର କୁଜଙ୍ଗ ବ୍ଲକରେ ଡିସେମ୍ବର ମାସରେ ଏକ ହଜାର ୩୩ କୁଇଣ୍ଟାଲ ଗହମ ଯୋଗାଣ ହୋଇପାରିନି । ଯେଉଁଥିପାଇଁ କୁଜଙ୍ଗ ବ୍ଲକ ଓ ପାରାଦୀପ ମୁନିସିପାଳିଟିକୁ ମିଶାଇ ମୋଟ ଲକ୍ଷେ ତେତିଶ ହଜାର ହିତାଧିକାରୀ ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

କୁଜଙ୍ଗ ବ୍ଲକ ଓ ପାରାଦୀପ ମୁନିସିପାଳିଟିରେ ମୋଟ ତେତିଶ ହଜାର ରାସନକାର୍ଡଧାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ମୋଟ ଏକ ଲକ୍ଷ ତେତିଶ ହଜାର ହିତାଧିକାରୀ ରହିଛନ୍ତି । ବଣ୍ଟନ ନିମନ୍ତେ ମାସିକ ପ୍ରାୟ ଚାରି ହଜାର କୁଇଣ୍ଟାଲ ଚାଉଳ ଓ ଦୁଇ ହଜାର କୁଇଣ୍ଟାଲ ଗହମ ଡିଲରଙ୍କ ମାଧ୍ୟମରେ ରାସନ କାର୍ଡ ଜରିଆରେ ବଣ୍ଟନ ହୋଇଥାଏ । ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମଧ୍ୟ ଚାଉଳ ଓ ଗହମ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥାଏ । ମାତ୍ର ଗତ ଡିସେମ୍ବର ମାସରେ ବଣ୍ଟନ ସମ୍ଭବ ହୋଇନି । 

ସେପଟେ ଡିସେମ୍ବର ମାସରେ ଗହମ ଯୋଗାଣ ବନ୍ଦ ରହିଥିବା ଘଟଣାକୁ ସ୍ୱୀକାର କରିଛନ୍ତି ସ୍ଥାନୀୟ ବିଡ଼ିଓ। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଏଫସିଆଇ (ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆ) ମାଧ୍ୟମରେ ଆସୁଥିବା ଗହମ ଯୋଗାଣ ବନ୍ଦ ଥିବା ଯୋଗୁ ହିତାଧିକାରୀ ମାନେ ଗହମ ପାଇପାରୁ ନଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । 

ତେବେ କାରଣ ଯାହା ହେଉନା କାହିଁକି ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଗରିବ ଜନସାଧାରଣଙ୍କୁ ରାସନ ଯୋଗାଣକୁ ତ୍ୱରାନ୍ୱିତ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ହୋଇପଡିଛି।

ରଶ୍ମୀରଞ୍ଜନ ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *