ହିମାଚଳପ୍ରଦେଶରେ କଡ଼ା ଟକ୍କର

Spread the love

() ଭାରି ପଡ଼ିଲେ ବିଦ୍ରୋହୀ। ଉଭୟ ବିଜେପି ଓ କଂଗ୍ରେସ ଲାଗି ଏଥର ସ୍ୱାଧୀନ ପ୍ରାର୍ଥୀ ଯେମିତି ପ୍ରତିବନ୍ଧକ ସାଜିଲେ କ୍ଷମତା ଚୌକିକୁ ଅଳ୍ପକେ ହାତଛଡ଼ା କରିବାକୁ। ବିଶେଷ କରି ଟିକଟ ନ ପାଇ ଅସନ୍ତୁଷ୍ଟ ଥିବା କିଛି ବିଦ୍ରୋହୀ ସ୍ୱାଧୀନ ଭାବେ ମୈଦାନରେ ଓହ୍ଲାଇବାରୁ ଏହା କାଳ ସାଜିଲା କଂଗ୍ରେସ ଓ ବିଜେପିକୁ। ତେବେ କିଏ ସେ ବିଦ୍ରୋହୀ ଆଉ କେଉଁ ଆସନରେ ସେମାନେ ଦଳ ଲାଗି କଣ୍ଟା ସାଜିଲେ। ଫଳକୁ ନେଇ କିଭଳି କଂଗ୍ରେସ ଓ ବିଜେପି ଭିତରେ ଗୋଡଟଣା ପର୍ବ ଆରମ୍ଭ ହୋଇଛି ଦେଖନ୍ତୁ ଏହି ରିପୋର୍ଟରେ।

ହିମାଚଳପ୍ରଦେଶରେ କଡ଼ା ଟକ୍କର। ଆରମ୍ଭରୁ ଶେଷ ଯାଏ ବିଜେପି ଓ କଂଗ୍ରେସ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଥିଲା, ତାହା ତାଜୁବ୍ କରୁଥିଲା ସଭିଙ୍କୁ। କେତେବେଳେ ବିଜେପି ଆଗରେ ତ କେତେବେଳେ କଂଗ୍ରେସ। ପୁଣି ବ୍ୟବଧାନ ମାତ୍ର ଗୋଟିଏ ଆସନରେ ତ ପୁଣି କେତେବେଳେ ସମାନ ସମାନ ସ୍ଥିତିରେ। କିଏ ଜିତିବ ତାକୁ କହିବା ମୁସ୍କିଲ୍ ହୋଇପଡ଼ିଥିଲା। ବଡ଼ କଥା ହେଲା ହିମାଚଳ ଭୋଟରେ ଟିକଟ ପାଇନଥିବା ବିଦ୍ରୋହୀ ଯେମିତି ବେଶୀ କାଳ ସାଜିଲେ ଉଭୟ ବିଜେପି ଓ କଂଗ୍ରେସ ପାଇଁ। କଂଗ୍ରେସରୁ ଟିକଟ ନ ପାଇ ସ୍ୱାଧୀନ ଭାବେ ଛିଡ଼ା ହୋଇଥିଲେ ଇନ୍ଦୁ ବର୍ମା। ଜୁଲାଇରେ ଇନ୍ଦୁ କଂଗ୍ରେସରେ ସାମିଲ୍ ହୋଇଥିଲେ। ତାଙ୍କ ସ୍ୱାମୀ ରାକେଶ ବର୍ମା ଥିଓଗ ଆସନରୁ ତିନି ଥର ବିଧାୟକ ହୋଇଥିଲେ। ସ୍ୱାଧୀନ ଭାବେ ଦୁଇ ଥର ଓ ବିଜେପି ଟିକଟରେ ଥରେ ଜିତିଥିଲେ।

ହୃଦଘାତରେ ରାକେଶଙ୍କର ଦୁଇ ବର୍ଷ ତଳେ ଅକାଳ ବିୟୋଗ ଘଟିଛି। ଏହି ଆସନରୁ ଇନ୍ଦୁଙ୍କୁ କଂଗ୍ରେସ ଟିକଟ ନ ଦେଇ ପୂର୍ବତନ ହରିଆଣା ପିସିସି ସଭାପତି କୁଲଦୀପ ସିଂ ରାଠୋରଙ୍କୁ ଟିକଟ ଦେଇଥିଲା। ଫତେପୁର ଉପନିର୍ବାଚନ ବେଳେ ପୂର୍ବତନ ରାଜ୍ୟସଭା ସାଂସଦ କିରପାଲ ସିଂ ପରମାରଙ୍କୁ ଟିକଟ ନ ମିଳିବାରୁ ସେ ଗଲାବର୍ଷ ରାଜ୍ୟ ବିଜେପି ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ। ଦଳ ବଲଦେବ ଠାକୁରଙ୍କୁ ଟିକଟ ଦେଇଥିଲା ବେଳେ ସେ କଂଗ୍ରେସର ଭବାନୀ ପଠାନିଆଙ୍କଠୁ ୫ହଜାରରୁ ବେଶୀ ଭୋଟରେ ହାରିଥିଲେ। ଆଉ ଚଳିତ ନିର୍ବାଚନରେ ପରମାର ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟ ମନ୍ତ୍ରୀ ରାକେଶ ପଠାନିଆଙ୍କ ବିରୁଦ୍ଧରେ ଲଢିଥିଲେ। ସେହିଭଳି କୁଲୁରେ ବିଚିତ୍ର ସ୍ଥିତି ଉପୁଜିଥିଲା। ରାଜ ପରିବାରରୁ ଆସିଥିବା ମହେଶ୍ୱର ସିଂଙ୍କୁ ବିଜେପି ଆଗ ଟିକଟ ଦେଇଥିଲା। କିନ୍ତୁ ତାଙ୍କ ପୁଅ ହିତେଶ୍ୱରଙ୍କୁ ବଞ୍ଜାର ଆସନରୁ ଦଳ ଟିକଟ ଦେବାକୁ ମନା କରିବା ପରେ ସେ ସ୍ୱାଧୀନ ଭାବେ ଲଢିବାକୁ ଘୋଷଣା କରିଥିଲେ। ପୁଅକୁ ବୁଝାଇବାକୁ ବାପା ମହେଶ୍ୱରଙ୍କ ଉପରେ ଚାପ ପକାଇଥିଲେ ଦଳୀୟ ନେତୃତ୍ୱ। ପୁଅ ନ ବୁଝିବାରୁ ବାଧ୍ୟ ହୋଇ ବାପା ମହେଶ୍ୱରଙ୍କ ଟିକଟ ବି କାଟିଦେଲା ବିଜେପି।

ହିତେଶ୍ୱର ସ୍ୱାଧୀନ ଭାବେ ଲଢିଥିଲେ। କୁଲୁ ଓ ବଞ୍ଜାରରେ ହିତେଶ୍ୱରଙ୍କ ବିଦ୍ରୋହ ବିଜେପି ଲାଗି ଅଡ଼ୁଆ କରିବ ବୋଲି ଆକଳନ କରାଯାଉଥିଲା। ୬୮ଟି ଆସନରୁ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ଆସନ ପଛଡ଼ରେ ବି ବିଦ୍ରୋହୀ ଭାରି ପଡ଼ିଛନ୍ତି। ଏଠି ଦୁଇ ମହିଳା ପରସ୍ପର ବିରୁଦ୍ଧରେ ଲଢିଥିଲେ। ଦୟାଲ ପୟାରି ଓ ଗଙ୍ଗୁରାମ ମୁସାଫିରଙ୍କ ଭିତରେ ଲଢେଇ ହୋଇଥିଲା। ଦୟାଲ କଂଗ୍ରେସ ଟିକଟରେ ଲଢୁଥିଲେ ଏଥର। ଗଲା ଥର ବିଜେପି ବିଦ୍ରୋହୀ ପ୍ରାର୍ଥୀ ଭାବେ ଲଢି ଦୟାଲ ପରାଜିତ ହୋଇଥିଲେ। ୨୦୧୯ ଉପନିର୍ବାଚନରେ ଟିକଟ ପାଇଁ ପ୍ରମୁଖ ଦାବିଦାର ଥିଲେ ଦୟାଲ। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ସୁରେଶ କାଶ୍ୟପଙ୍କ କ୍ୟାମ୍ପ ତାଙ୍କ ଟିକଟ କାଟିଥିଲା। ଯେହେତୁ ଦୟାଲ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମାଲଙ୍କ ଗ୍ରୁପର ଥିଲେ। ସେଥିଲାଗି ବିଜେପି ଜିଲ୍ଲା ପରିଷଦ ସଭ୍ୟ ରୀନା କାଶ୍ୟପଙ୍କୁ ଉପନିର୍ବାଚନରେ ଟିକଟ ଦେଇଥିଲା। ସେହିଭଳି କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ଗଙ୍ଗୁରାମ ମୁସାଫିର୍ ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାତ ସାତ ଥରର ପଛଡ଼ ଆସନରୁ ପ୍ରତିନିଧିତ୍ୱ କରିଥିବା ସ୍ୱର୍ଗତ ବୀରଭଦ୍ର ସିଂଙ୍କ ନାଁରେ ମୈଦାନକୁ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ଭାବେ ଓହ୍ଲାଇଥିଲେ ଗଙ୍ଗୁରାମ। ସେହିଭଳି ନାଲାଗଡ଼ରୁ କେଏଲ ଠାକୁର ବିଜେପି ବିଦ୍ରୋହୀ ଭାବେ ସ୍ୱାଧୀନ ଭାବେ ଲଢ଼ିଥିଲେ। ଯନ୍ତ୍ରୀ ଚାକିରୀରୁ ଇସ୍ତଫା ଦେଇ ବିଜେପି ଟିକଟରେ ୨୦୧୨ରେ ନାଲାଗଡ଼ ଆସନରୁ ଜିତିଥିଲେ ଠାକୁର। କିନ୍ତୁ ୨୦୧୭ରେ କଂଗ୍ରେସର ଲଖବିନ୍ଦର ସିଂ ରାଣାଙ୍କଠୁ ୧୩ଶହ ଭୋଟରେ ହାରିଥିଲେ। କିନ୍ତୁ ଏଥର ଦଳ ଠାକୁରଙ୍କୁ ଟିକଟ ଦେଇନଥିଲା। କାରଣ ଲଖବିନ୍ଦର ରାଣା କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇ ଦଳୀୟ ଟିକଟ ପାଇଥିଲେ।

ସେଥିଲାଗି ଠାକୁର ବିଜେପିର ବିଦ୍ରୋହୀ ସାଜି ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇଥିଲେ। ଆଉ ଗୋଟିଏ ବଡ଼ କଥା ହେଲା, ହିମାଚଳପ୍ରଦେଶରେ ସଚିନ ପାଇଲଟ ପର୍ଯ୍ୟବେକ୍ଷକ ଥିଲା ବେଳେ ଗୁଜରାଟରେ ଅଶୋକ ଗେହଲଟ ପର୍ଯ୍ୟବେକ୍ଷକ ଥିଲେ। ହିମାଚଳରେ କଂଗ୍ରେସର କମ୍ ବ୍ୟାକ ଓ ଗୁଜରାଟରେ କଂଗ୍ରେସର ଦୁର୍ଦ୍ଦଶାକୁ ତୁଳନା କରି କିଛି କଂଗ୍ରେସିଆ ଗେହଲଟ ଓ ପାଇଲଟଙ୍କ ଦକ୍ଷତା ଭିତରେ ତୁଳନାତ୍ମକ ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସଂସଦୀୟ କ୍ଷେତ୍ର ହମିରପୁରରେ ଥିବା ୧୭ଟି ବିଧାନସଭା ଆସନରୁ ବିଜେପି ୧୫ଟି ଆସନ ହରାଇଛି। ସୋସିଆଲ ମିଡ଼ିଆରେ ଅନେକ ୟୁଜର୍ସ ତ ହମିରପୁରରେ ବିଜେପି ଅମାନତ ହରାଇଦେଇଥିବର କଟାକ୍ଷ ଲଦି ଅନୁରାଗଙ୍କ ଦକ୍ଷତାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। କାରଣ ହମିରପୁରରେ ବିଜେପି ବିଦ୍ରୋହୀ ଆଶିଷ ଶର୍ମା ଜିତାପଟ୍ଟ ମାରିଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *