ଭାରତ-ଚୀନ ସେନା ସଂଘର୍ଷକୁ ନେଇ ସଂସଦରେ ହଙ୍ଗାମା

Spread the love

ନୂଆଦିଲ୍ଲୀ: ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ। ଭାରତ-ଚାଇନା ସୀମା ବିବାଦ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧିଙ୍କ ହୋହଲ୍ଲା। ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦେବାକୁ ବିରୋଧିଙ୍କ ଦାବି। ଦାବି ପରେ ୪୦ ମିନିଟ୍ ପାଇଁ ତିନିଥର ଗୃହକୁ ରଖାଯାଇଥିଲା ମୁଲତବୀ। ସେପଟେ ସୀମାବିବାଦକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ। ଆଡଜର୍ଣ୍ଣମେଣ୍ଟ ନୋଟିସ୍ କରିଛି କଂଗ୍ରେସ।

ଭାରତ-ଚୀନ ସେନା ସଂଘର୍ଷକୁ ନେଇ ସଂସଦରେ ହଙ୍ଗାମା। ଚୀନର ଅତିକ୍ରମଣକୁ ନେଇ ପୁଣିଥରେ ଗୃହରେ ଆଲୋଡନ। ପ୍ରତିରକ୍ଷା ମନ୍ତ୍ରୀ ଗୃହରେ ବିବୃତ୍ତି ରଖିବା ଆଗରୁ ଓ ବିବୃତ୍ତି ରଖିବା ପରେ ବିରୋଧୀ ଏହା ଉପରେ ଆଲୋଚନା ଲାଗି ଅଡ଼ି ବସିଥିଲେ। ଡିସେମ୍ୱର ୯ରେ ତଓ୍ୱାଙ୍ଗରେ ଭାରତ-ଚୀନ ସେନା ସଂଘର୍ଷକୁ ନେଇ ହୁଲସ୍ତୁଲ ସଡ଼କରୁ ସଂସଦ। ସୀମା ଓ ଭାରତୀୟ ସେନା ସୁରକ୍ଷା ଅଛନ୍ତି କି ନାଁ, ତାକୁ ନେଇ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ। ସବୁ କାର୍ଯ୍ୟ ବାତିଲ୍ କରି ଆଗ ଏହା ଉପରେ ଆଲୋଚନାକୁ ଆସନ୍ତୁ ସରକାର ବୋଲି ଗର୍ଜିଥିଲେ। ବୁଧବାର ମଧ୍ୟ ଲୋକସଭା ଓ ରାଜ୍ୟସଭାର ଶୁଣାଣି ସମୟରେ ଅନେକ ଦଳ ଏକ ପଦଯାତ୍ରା କରିଥିଲେ। ଆଜି ବି ଆଲୋଚନା ପାଇଁ ବିରୋଧି ସାଂସଦମାନେ ଗୃହରେ ନୋଟିସ୍ ଜାରି କରିଛନ୍ତି। ଟ୍ରେଜେରୀ ବେଞ୍ଚ, ମଦ ମୃତ୍ୟୁ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଲଗାତର ରାଜ୍ୟସଭାରେ କରିଥିଲେ ହୋହଲ୍ଲା। ଫଳରେ ଗୃହକୁ ବାରମ୍ୱାର ସ୍ଥଗିତ ରଖିଥିଲେ ଗୃହାଧ୍ୟକ୍ଷ। ମଦ ମୃତ୍ୟୁକୁ ନେଇ ଆଜି ୧୧ଟା ସୁଦ୍ଧା ଗୃହକୁ ୩ ଥର ମୁଲତବୀ କରାଯାଇଥିଲା। ୪୦ ମିନିଟ୍ ପାଇଁ ଗୃହକୁ ମୁଲତବି ରଖିଥିଲେ ଉପାଧ୍ୟକ୍ଷ।

ସେପଟେ ସୀମାବିବାଦକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଟ୍ୱିଟ କରି ଖଡଗେ କହିଛନ୍ତି, ମୋଦି ସରକାରଙ୍କ ଲାଲ ଆଖି ଚାଇନାର ଚଷମା ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ସେଥିପାଇଁ ଭାରତୀୟ ସଂସଦରେ ଚୀନ୍ ବିରୋଧରେ କହିବାକୁ କାହାରିକୁ ଅନୁମତି ନାହିଁ। କେନ୍ଦ୍ର ସରକାର ଚୀନ୍ ଉପରେ ଆଲୋଚନା କରିବାକୁ କାହିଁକି ଅନୁମତି ଦେଉନାହାଁନ୍ତି? ବୋଲି ପ୍ରଶ୍ନ କରିଛନ୍ତି ଖଡଗେ। ସେହିଭଳି କଂଗ୍ରେସ ସାଂସଦ ମନୀଷ ତିୱାରୀ ଏହି ପ୍ରସଙ୍ଗରେ ଲୋକସଭାକୁ ଦେଇଥିଲେ ଆଡଜର୍ଣ୍ଣମେଣ୍ଟ ନୋଟିସ୍। 

ବୁଧବାର ମଧ୍ୟ ସଂସଦରେ ସୀମା ବିବାଦକୁ ନେଇ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ୧୯୬୨ରେ ଯେବେ ଭାରତ-ଚୀନ ସୀମା ବିବାଦ ହୋଇଥିଲା, ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ୧୬୫ ସାଂସଦଙ୍କୁ ସଂସଦରେ ଆଲୋଚନା ଲାଗି ସୁଯୋଗ ଦେଇଥିଲେ। ଆଉ ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯାଇଥିଲା। ହେଲେ ମୋଦି କାହିଁକି ପଛଘୁଞ୍ଚା ଦେଉଛନ୍ତି। ଲୋକସଭାରେ ଅଧିର ଏଭଳି ଗର୍ଜିଥିଲା ବେଳେ ରାଜ୍ୟସଭାରେ ଖଡ଼ଗେ ସମାନ ଆରୋପ ଆଣି ଏଲଏସିରେ ବାସ୍ତବ ସ୍ଥିତି କଅଣ, ସେ ବାବଦରେ ସଦନରୁ ନେଇ ଦେଶବାସୀଙ୍କୁ ଅନେକ କଥା ପ୍ରତିରକ୍ଷା ମନ୍ତ୍ରୀ ଲୁଚାଇବା ଦେଶ ଲାଗି ଶୁଭଙ୍କର ନୁହେଁ ବୋଲି କହିଥିଲେ।

ତେବେ ସୀମା ବିବାଦ ପ୍ରସଙ୍ଗକୁ ନେଇ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଅନେକ କଥାକୁ କମ୍ପ୍ରମାଇଜ୍ କରାଯିବା ଗ୍ରହଣୀୟ ନୁହେଁ ବୋଲି କହିଥିଲେ ବିରୋଧୀ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *