ନୂଆଦିଲ୍ଲୀ: ବାୟୁସେନାରେ ସାମିଲ୍ ହେଲା କମ୍ୱାଟ୍ ହେଲିକେପ୍ଟର। ପାହାଡିଆ ଅଞ୍ଚଳରେ ମିସାଇଲ୍ ଓ ଯୁଦ୍ଧାସ୍ତ୍ର ନେଇଯାଇପାରିବ ଏହି ସ୍ୱଦେଶୀ ହାଲୁକା ହେଲିକେପ୍ଟର। ଆକାଶମାର୍ଗରେ ରଚିପାରିବ ମୃତ୍ୟୁର ତାଣ୍ଡବ। ସର୍ଜିକାଲ ଷ୍ଟ୍ରାଇକରେ ଏହା ବ୍ୟବହାର ହୋଇପାରିବ। ରାଜସ୍ଥାନ ଯୋଧପୁର ଏୟାରବେସ୍ ରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛି ହାଲୁକା ବିମାନ ପ୍ରଚଣ୍ଡ।
ଦେଶର ପ୍ରତିରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଆଉ ଏଥିଲାଗି ଆମେ ପ୍ରତିବଦ୍ଧ। ଆଗାମୀ ଦିନରେ ଭାରତ ବିଶ୍ୱ ଦରବାରରେ ସୁପରପାଓ୍ୱାର୍ ମିଲିଟାରୀ ଭାବେ ପରିଗଣିତ ହେବାକୁ ଯାଉଛି। ୟୁକ୍ରେନ ଯୁଦ୍ଧ ବହୁତ୍ କିଛି ଶିକ୍ଷା ଦେଇଛି। ଯୁଦ୍ଧକ୍ଷେତ୍ରକୁ ବଡ଼ ଓ ଭାରି ଯୁଦ୍ଧାସ୍ତ୍ରକୁ ଦ୍ରୁତ ଗତିରେ ନେବା କାଠିକର ପାଠ ଥିଲା। ହେଲେ ଏବେ ସେ ସମସ୍ୟା ଟଳିଛି। ଶତୃକୁ ସହଜ ଟାର୍ଗେଟ କରିବାକୁ ଭାରତ ପାଖରେ ସାଧନ ଆସିଗଲା। ଆଉ ତାହା ହେଲେ ସ୍ୱଦେଶୀ ହାଲୁକା ହେଲିକେପ୍ଟର।
ରାଜସ୍ଥାନ ଯୋଧପୁର ଏୟାରବେସ୍ ରୁ ବାୟୁସେନାରେ ଲାଇଟ୍ କମ୍ୱାଟ୍ ହେଲିକେପ୍ଟରର ବିଧିବଦ୍ଧ ସାମିଲ ଅବସରରେ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦୀର୍ଘ ଦୁଇ ଦଶନ୍ଧିର ଗବେଷଣାର ଏହା ହେଉଛି ପ୍ରତିଫଳନ।
ବିଶ୍ୱରେ ଏହି ଏଲସିଏଚ ସର୍ବୋତ୍କୃଷ୍ଟ ଅଟେ। ଏଭଳି ଏକ ଆକ୍ରମଣାତ୍ମକ ହେଲିକେପ୍ଟର, ଯିଏ ୫ହଜାର ମିଟର ଅଲଟିଚ୍ୟୁଡ ବା ୧୬ହଜାର୪ଶହ ଫୁଟରୁ ଯୁଦ୍ଧାସ୍ତ୍ର ନେଇ ଲ୍ୟାଣ୍ଡିଂ କରିପାରିବ ଓ ଟେକ୍ଅଫ ବି। ଏହି ହାଲୁକା ହେଲିକେପ୍ଟରର ସ୍ୱତନ୍ତ୍ର ଦକ୍ଷତା ରହିଛି। ହିମାଳୟ ରିଜିଅନରେ ବି ଏହା ନିଜର ଦକ୍ଷତା ଓ ସାମର୍ଥ୍ୟ ଦେଖାଇପାରିବ। ଦୁଇ ଇଞ୍ଜିନ ବିଶିଷ୍ଟ ଏହି ଲାଇଟ କମ୍ୱାଟ୍ ହେଲିକେପ୍ଟର ଉଭୟ ସ୍ଥଳ ଓ ବାୟୁସେନା ପାଇଁ ବହୁ ଆବଶ୍ୟକତା ଥିଲା। ବାୟୁସେନା ଲାଗି ୧୦ଟି ଓ ସ୍ଥଳସେନା ଲାଗି ୫ଟି ଏଲସିଏଚ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ମୋହର ମାରିଥିଲା।
ଅଗଷ୍ଟ ୨୦୧୭ରେ ବାୟୁସେନାରେ ଏଲସିଏଚ ବିଧିବଦ୍ଧ ଭାବେ ସାମିଲ୍ ହେବାର ପ୍ରକ୍ରିୟା ଆରମ୍ଭ କରିଥିଲା। ସେପ୍ଚେମ୍ୱର ୨୦୨୨ରେ ପ୍ରଥମ ଏଲସିଏଚକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଥିଲା। ଅକ୍ଟୋବର ୨୨ ସୁଦ୍ଧା ଆଉ ଚାରୋଟି ଏଲସିଏଚକୁ ହସ୍ତାନ୍ତର କରାଯିବ। ଆଉ ନଭେମ୍ୱର ପହିଲାରୁ ଏହାର ଅପରେସନ ଆରମ୍ଭ ହେବ। ବାୟୁସେନାର ବଳ ବଢ଼ାଇବାକୁ ଏହି ସ୍ୱଦେଶୀ ହାଲୁକା ହେଲିକେପ୍ଟରକୁ ସାମିଲ ଅବସରରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଜାତୀୟ ନିରାପତ୍ତା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବାୟୁସେନାକୁ ଏହି ଏଲସିଏଚ ଅଧିକ ଦକ୍ଷସମ୍ପନ୍ନ କରିବ ବୋଲି ଆଶାବାଦୀ।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now