ସୀମା ବିବାଦକୁ ନେଇ ମୁହାଁମୁହିଁ ମହାରାଷ୍ଟ୍ର-କର୍ଣ୍ଣାଟକ

Spread the love

ବେଙ୍ଗାଲୁରୁ:  ସୀମା ବିବାଦକୁ ନେଇ ମୁହାଁମୁହିଁ ମହାରାଷ୍ଟ୍ର-କର୍ଣ୍ଣାଟକ ସରକାର। ଉଭୟ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଥିବାବେଳେ କିନ୍ତୁ ଉଭୟ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ସୀମା ବିବାଦକୁ ନେଇ ରାଜନୀତି। ସେପଟେ ପ୍ରସଙ୍ଗ ଯାଇ ସଂସଦରେ ପହଞ୍ଚିଛି। ସଂସଦର ଶୀତକାଳୀନ ଅଧିବେସନ ଆରମ୍ଭ ହୋଇଥିବାବେଳେ ସୀମା ବିବାଦକୁ ନେଇ ସଂସଦରେ ମୁହାଁମୁହିଁ ହୋଇଛନ୍ତି ଉଭୟ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର।

ସୀମା ବିବାଦକୁ ନେଇ ତୁଟୁନି ମହାରାଷ୍ଟ୍ର-କର୍ଣ୍ଣାଟକ ସରକାରଙ୍କ କଳି। ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ସଂସଦରେ ହଙ୍ଗାମା। ସଂସଦର ଶୀତକାଳୀନ ଅଧିବେସନର ପ୍ରଥମ ଦିନରେ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ପ୍ରସଙ୍ଗକୁ ନେଇ ବଡିଛି ସଂସଦରେ  ଝଡ଼ । ବିବାଦକୁ ନେଇ ଏନସିପି ନେତା ସୁପ୍ରିୟା ସୁଲେଙ୍କ ସଙ୍ଗୀନ ଆରୋପ। ମହାରାଷ୍ଟ୍ରକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର ରଚାଯାଇଛି । ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ଥିବା ସତ୍ତ୍ୱେ ମହାରାଷ୍ଟ୍ରର ଲୋକଙ୍କୁ ପ୍ରତିଦିନ ମାଡ ଦିଆଯାଉଛି। ଗତ ଦଶ ଦିନ ଧରି ମହାରାଷ୍ଟ୍ରକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର କରାଯାଉଛି। ତେଣୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହସ୍ତକ୍ଷେପ କରିବା ଉଚିତ୍ ଏବଂ ମହାରାଷ୍ଟ୍ରକୁ ନ୍ୟାୟ ପ୍ରଦାନ କରାଯିବା ଉଚିତ୍ ବୋଲି ସୁଲେ କହିଥିଲେ। ସେପଟେ ସଂସଦର ଶୂନ୍ୟକାଳରେ ସୁପ୍ରିୟା ସୁଲେ ଉଠାଇଥିବା ଏହି ମୁଦ୍ଦାକୁ ବିରୋଧ କରିଥିଲେ କର୍ଣ୍ଣାଟକର ସାଂସଦମାନେ। ମାମଲା କୋର୍ଟରେ ବିଚାରାଧୀନ ରହିଥିବା କହିଥିଲେ କର୍ଣ୍ଣାଟକ ବିଜେପି ସାଂସଦ।

ଅନ୍ୟପଟେ, ସୀମା ବିବାଦ ପ୍ରସଙ୍ଗକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି, କର୍ଣ୍ଣାଟକ ସରକାର ମରାଠୀ ଭାଷାଭାଷୀ ଲୋକମାନଙ୍କ ପ୍ରତି ଅତ୍ୟାଚାର କରୁଛନ୍ତି, ଯାହା ଅନ୍ୟାୟ। ସଂସଦକୁ ମହାରାଷ୍ଟ୍ର ମନ୍ତ୍ରୀ ମାନଙ୍କୁ ଆସିବାକୁ ମଧ୍ୟ କର୍ଣ୍ଣାଟକ ସରକାର ରୋକିବାକୁ ଚାହୁଁଛନ୍ତି। ଯାହାକୁ କଡା ନିନ୍ଦା କରୁଛି ବୋଲି କହିଥିଲେ ସଞ୍ଜୟ। ସେହିଭଳି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଥିଲେ, ଏହା ଅତ୍ୟନ୍ତ ସମ୍ୱେଦନଶୀଳ ପ୍ରସଙ୍ଗ ଏବଂ ଦୁଇ ରାଜ୍ୟ ମଧ୍ୟରେ ମାମଲା।

କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସୀମା ବିବାଦକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଫୋନ୍ ବାର୍ତ୍ତାଳାପ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ କହିଥିଲେ, ବିବାଦକୁ ନେଇ ଲଢେଇ ସୁପ୍ରିମକୋର୍ଟରେ ହେବ। ତେବେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଏତେ ବଢିଯାଇଛି ଯେ, ବେଲଗାଭିରେ ହିଂସା ପରିସ୍ଥିତି ଦେଖିବାକୁ ମିଳିଛି। କର୍ଣ୍ଣାଟକର ରକ୍ଷଣ ବେଦିକା ନାମକ ସଂଗଠନ ବିରୋଧ ପ୍ରଦର୍ଶନ କରିବା ପରେ ମହାରାଷ୍ଟ୍ରର କିଛି ଟ୍ରକକୁ ଅଟକାଇ ତା ଉପରେ କାଳି ପକାଇଥିଲେ। ଏହାସହ ଟ୍ରକ ଉପରେ ପଥରମାଡ ମଧ୍ୟ କରିଥିଲେ। ଫଳରେ କର୍ଣ୍ଣାଟକକୁ ବସ୍ ସେବା ବନ୍ଦ କରିଦେଇଛି ମହାରାଷ୍ଟ୍ର। ତେବେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। ମହାରାଷ୍ଟ୍ରର କିଛି ଗାଁକୁ କର୍ଣ୍ଣାଟକ ନିଜର ବୋଲି ଦାବି କରିଛି। ଯାହାକୁ ନେଇ ଦେଖାଦେଇଛି ବିବାଦ।

ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦର କେନ୍ଦ୍ରବିନ୍ଦୁ ହେଉଛି ବେଲଗାଭି। ୬୦ ଦଶକରେ ଭାଷାଭିତ୍ତିକ ରାଜ୍ୟ ସୀମା ପୁନଃ ନିର୍ଦ୍ଧାରଣ ବେଳେ ମରାଠୀ ବହୁଳ ଅଞ୍ଚଳକୁ ଭୁଲରେ କର୍ଣ୍ଣାଟକକୁ ଦିଆଯାଇଥିବା ମହାରାଷ୍ଟ୍ର ଅଭିଯୋଗ କରୁଛି। ସେହିପରି କର୍ଣ୍ଣାଟକ ମଧ୍ୟ ମହାରାଷ୍ଟ୍ରର କେତେକ ଗାଁକୁ ନିଜର ବୋଲି ନିକଟରେ ଦାବି ଉଠାଇଛି। ଏହାକୁ ନେଇ ଉଭୟ ଭାଜପା ଶାସିତ ରାଜ୍ୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *