ପିଏଫଆଇ ବନ୍ଦ ବିରୋଧରେ କେରଳ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ

Spread the love

ଭୁବନେଶ୍ବର:  ପିଏଫଆଇ ବିରୋଧରେ ବଡ଼ ଧରଣର ଧଡ଼ପଗଡ଼ ବିରୁଦ୍ଧରେ କେରଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ସଂଗଠନ। ଅନେକ ସ୍ଥାନରେ ଏହି ବନ୍ଦ ହିଂସାର ରୂପ ନେଇଛି। ପିଏଫଆଇ ସଦସ୍ୟ ରକ୍ତମୁଖା ହୋଇପଡ଼ିଛନ୍ତି। ଏଭଳି ସ୍ଥିତି ଦେଖି କେରଳ ହାଇକୋର୍ଟ ବି ନିଜ ଆଡ଼ୁ ମାମଲାର ସଂଜ୍ଞାନ ନେଇଛନ୍ତି। ବିନା ଅନୁମତିରେ ବନ୍ଦ ପାଳିବା ଓ ହିଂସାତ୍ମକ ଆଚରଣ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ମୌଲବାଦୀ ମୁସଲମାନ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ ବିରୁଦ୍ଧରେ ଗୁରୁବାର ଦେଶବ୍ୟାପୀ ବଡ଼ ଧରଣର ଧରପଗଡ଼ କରିଥିଲା ଏନଆଇଏ,ଇଡି ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା। ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ଚଢ଼ାଉ ସହ ୧୦୬ ଜଣ ପିଏଫଆଇ କ୍ୟାଡ଼ର ଓ ନେତାଙ୍କୁ ଗିରଫ କରାଯାଇଥିଲା। ପିଏଫଆଇର ଅଫିସ ସିଲ୍ ହୋଇଛି। ଏନଆଇଏର ଇତିହାସରେ ଏହା ସବୁଠୁ ବଡ଼ ଧରଣର ରେଡ୍ ଅଭିଯାନ ଥିଲା। ଦେଶବିରୋଧୀ କାର୍ଯ୍ୟକଳାପ ଲାଗି ଏହି ଗିରଫଦାରି ହୋଇଥିଲା ବେଳେ ଆଜି ଏହାର ପ୍ରତିବାଦ କରିଛି ପିଏଫଆଇ। କେରଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ସଂଗଠନ।

ତେବେ ବନ୍ଦ ବେଳେ ଅନେକ ସ୍ଥାନରେ ହିଂସା ଦେଖାଦେଇଥିଲା। ପୁଲିସକୁ ପଥର ଫିଙ୍ଗିବା, ଆକ୍ରମଣ କରିବା, କର୍ଣ୍ଣାଟକ ଏସଆରଟିଏସ ବସକୁ ଭଙ୍ଗାରୁଜା କରିବା ଆଦି ତମାମ ହିଂସାକାଣ୍ଡ ସୃଷ୍ଟି ହୋଇଛି।  ଥିରୁବନନ୍ତପୁରମରେ କିଛି ଅଟୋ, କାରକୁ ବି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି ପିଏଫଆଇ କର୍ମକର୍ତ୍ତା। ଅନେକ ଦୋକାନକୁ ବି ଭାଙ୍ଗିଛନ୍ତି ଆନ୍ଦୋଳନକାରୀ।ସକାଳ ୬ରୁ ସଂଧ୍ୟା ୬ ଯାଏ ଏହି ବନ୍ଦ ଡାକରା ଦିଆଯାଇଥିଲା। ଆରଏସଏସ ଦ୍ୱାରା ପରିଚାଳିତ ସରକାର ପିଏଫଆଇ ପ୍ରତି ଆକ୍ରୋଶମୂଳକ ଆକ୍ସନ ନେଇଛି ବୋଲି କହିଛି ସଂଗଠନ।

ଏଭଳି ହରତାଳ ଲାଗି ପୁଲିସ ବି ଅନୁମତି ଦେଇନଥିଲା। ତା ସତ୍ତ୍ୱେ ଏଭଳି ବନ୍ଦ କରିବା ଓ ହିଂସାତ୍ମକ ଆଚରଣ କରି ସର୍ବସାଧାରଣ ଓ ସରକାରୀ ସମ୍ପତ୍ତି ନଷ୍ଟ ହେଉଥିବା ଦେଖି କେରଳ ହାଇକୋର୍ଟ ବି ନିଜ ଆଡ଼ୁ ମାମଲାର ସଂଜ୍ଞାନ ନେଇଛନ୍ତି। ଏଭଳି ବନ୍ଦ ଦ୍ୱାରା କୌଣସି କ୍ଷତି, ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ତଥା ସାଧାରଣ ନାଗରିକ ଯିଏ ଏହି ବନ୍ଦକୁ ସମର୍ଥନ କରୁନାହାନ୍ତି, ସେମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ ଅଦାଲତ।

ସେପଟେ ତାମିଲନାଡ଼ୁରେ ଗୁରୁବାର ରାତିରେ କୋଏମ୍ୱାଟୋରରେ ଥିବା ବିଜେପି ପାର୍ଟି ଅଫିସ ଉପରେ ପେଟ୍ରୋଲ ବୋମା ପକାଇଛନ୍ତି ଦୁର୍ବୃତ୍ତ। ପିଏଫଆଇର ଏହା କାରନାମା ବୋଲି ସନ୍ଦେହ କରୁଛି ବିଜେପି। କାରଣ ଏନଆଇଏ ଗୁରୁବାର ପିଏଫଆଇର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏ.ଏସ.ଇସମାଇଲଙ୍କୁ ଗିରଫ କରିଥିଲା। ଏହି ପିଏଫଆଇର ଆତଙ୍କି କାର୍ଯ୍ୟକଳାପର ଏକ ଅଂଶବିଶେଷ ବୋଲି କହିଛି ବିଜେପି।

ବନ୍ଦ ପାଇଁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ବନ୍ଦ ଲାଗି କେରଳ ୟୁନିଭରସିଟି ପରିଚାଳିତ ଅନେକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଅବଶ୍ୟ କେରଳ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ଓ ସର୍ଭିସ ଭେରିଫିକେସନ୍ ପ୍ରକ୍ରିୟା ପୂର୍ବଭଳି ଚାଲୁ ରହିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *