() ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡରେ ପୁଲିସ ପ୍ରମାଣ ଯୋଗାଡିବାରେ ଲାଗିଛି। ଅଭିଯୁକ୍ତ ପ୍ରେମିକକୁ ନେଇ ପୁଲିସ ସିନ ରିକ୍ରିଏସନ କରିଛି। ସେ ଯେଉଁ ଜଙ୍ଗଲରେ ଶ୍ରଦ୍ଧାର ଶରୀରର ଖଣ୍ଡ ବିଖଣ୍ଡତ ଅଂଶ ସାଉଁଟୁଛି। ଏଯାବତ୍ ଶ୍ରଦ୍ଧାଙ୍କ ୧୦ ଖଣ୍ଡ ମିଳିଛି। ହେଲେ ଏଯାବତ୍ ପୁଲିସକୁ ମିଳିପାରି ନାହିଁ ଶ୍ରଦ୍ଧାର ସମ୍ପୂର୍ଣ୍ଣ ମୃତଦେହ। ସେପଟେ ଏହି ହତ୍ୟାକାଣ୍ଡକୁ ନେଇ ପୁଣି ଲଭ ଜିହାଦ ଟ୍ବିଟରରେ ଟ୍ରେଣ୍ଡିଂ କରୁଛି। ପୁଣି ତେଜୁଛି ଲଭ ଜିହାଦକୁ ନେଇ ତାତି।
ପୁଣି ପ୍ରେମରେ ଲାଗିଛି କଳଙ୍କ। ଜଲ୍ଲାଦ ପ୍ରେମିକ ପାଇଁ ପ୍ରେମ ଠିଆହୋଇଛି କାଠଗଡାରେ। ଉଠିଛି ଲଭ ଜିହାଦ ବିବାଦ। ଜାତୀୟ ରାଜଧାନୀ ଲଭ ଜିହାଦ ପାଇଁ ଲଜ୍ଜିତ। ଦିଲ୍ଲୀର ଜନଗହଳି ଭିତରେ ଜଲ୍ଲାଦ ପ୍ରେମିକ ଅଫତାବ ଆମିନ ପୁନାୱାଲା ଘଟାଇଥିଲା ପ୍ରେମିକାର ହତ୍ୟା। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ପ୍ରେମିକାର ଶରୀରରୁ ନିଷ୍ଠୁର ପ୍ରେମିକ କରିଥିଲା ୩୫ ଖଣ୍ଡ। ଖଣ୍ଡଗୁଡିକୁ ଗୋଟିଏ ଗୋଟିଏ କରି ପ୍ରତି ରାତି ୨ଟାରେ ଫିଙ୍ଗୁ ଥିଲା ଏଣେତେଣେ। ଖାଲି ସେତିକି ନୁହେଁ ଏସିଡ୍ ଆଣି ହତ୍ୟା କରିଥିବା କୋଠରୀର ଚଟାଣକୁ ସଫାକରିଥିଲା। ଏହି ଜଲ୍ଲାଦର କାରନାମା ଯେତିକି ଖୁଲାସା ହେଉଛି ସେତିକି ଚହଳ ସୃଷ୍ଟି କରୁଛି। ଶ୍ରଦ୍ଧାର ହତ୍ୟାକାଣ୍ଡ ସାମ୍ନାକୁ ଆସିବା ପରେ ପୁଣି ତେଜୁଛି ଲଭ ଜିହାଦ ମାମଲା। ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ନେତାଙ୍କ ବୟାନ ବାଜି। ବିଜେପି ନେତା ରାମ କଦମ ଲଭ ଜିହାଦ ଦିଗକୁ ନେଇ ତଦନ୍ତ ଆରମ୍ଭ କରିବାକୁ ଦିଲ୍ଲୀ ପୁଲିସ ନିକଟରେ ଦାବି କରିଛନ୍ତି। କଦମ ଟ୍ବିଟ କରି ହାସଟ୍ୟାଗ ଜଷ୍ଟିସଫର ଶ୍ରଦ୍ଧା ଦେଇ ଶ୍ରଦ୍ଧା ୱାଲକର ହତ୍ୟାକୁ ଲଭ ଜିହାଦ ଷଡଯନ୍ତ୍ର କହିଛନ୍ତି। ଅଭିଯୁକ୍ତ ଶ୍ରଦ୍ଧାର ଧର୍ମ ପରିବର୍ତ୍ତନ ପାଇଁ ତା ଉପରେ ଅତ୍ୟାଚାର କରୁଥିଲା କି? କଣ ଶ୍ରଦ୍ଧା ଧର୍ମ ପରିବର୍ତ୍ତନ ପାଇଁ ରାଜି ନ ହେବାରୁ ତାକୁ ହତ୍ୟା କରିଛି? ଏହି ସବୁ ଦିଗକୁ ନେଇ ତଦନ୍ତ କରିବାକୁ କଦମ ଦାବି କରିଛନ୍ତି। କାରଣ ଅଭିଯୁକ୍ତ ହତ୍ୟାକୁ ନେଇ ତାର ମତ ବଦଳାଉଛି। ଖାଲି କଦମ ନୁହଁନ୍ତି, ଶ୍ରଦ୍ଧାଙ୍କ ବାପା ମଧ୍ୟ ଲଭ ଜିହାଦକୁ ନେଇ ସନ୍ଦେହ କରୁଛନ୍ତି। ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାକୁ ଅସହାୟ ବାପା ଦାବି କରିଛନ୍ତି। ଶ୍ରଦ୍ଧାଙ୍କ ବାପା ବିକାଶ ୱାଲକର କହିଛନ୍ତି, ମୋର ସନ୍ଦେହ ହେଉଛି ଏପରି ହୋଇଛି ଲଭ ଜିହାଦ ପାଇଁ । ଆମର ଦିଲ୍ଲୀ ପୁଲିସ ଉପରେ ଓ ତାର ତଦନ୍ତ ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି। ତେବେ ଏହି ପିସାଚ ଲଭ ଜିହାଦ ପାଇଁ ମୋର ଝିଅକୁ ହତ୍ୟା କରିଥିବା ମୋର ସନ୍ଦେହ ହେଉଛି। ତେଣୁ ତାକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଉ।
ଏହି ଘଟଣାରେ ଲଭ ଜିହାଦ ପ୍ରସଙ୍ଗ ଆସିବା ପରେ ଟ୍ବିଟରରେ ହାସଟ୍ୟାଗ ଲଭ ଜିହାଦ ଟ୍ରେଣ୍ଡ ଚାଲିଛି। ମାକ୍ରୋବ୍ଲଗିଂ ସାଇଟ ଟ୍ବିଟରରେ ଏହି ବର୍ବରୋଚିତ ହତ୍ୟାକୁ ନେଇ ସୁଅ ଛୁଟିଛି ପୋଷ୍ଟସ। ଅଭିଯୁକ୍ତ ମୁସଲମାନ ହୋଇଥିବାରୁ ଲଭ ଜିହାଦ ଦିଗକୁ ନେଇ ୟୁଜର ସେମାନଙ୍କ ମତାମତ ଦେଉଛନ୍ତି। ଜଣେ ୟୁଜର ହାସଟ୍ୟାଗ ଲଭ ଜିହାଦ ବାସ୍ତବ ଓ ସୁଚିନ୍ତ । ଶ୍ରଦ୍ଧା ଓ ଅଫତାବର କାହାଣୀ ପ୍ରଥମ ନୁହେଁ ଓ ଏହା ଶେଷ ମଧ୍ୟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟ ଜଣେ ୟୁଜର ଦେଶର ଅନ୍ୟ ଶ୍ରଦ୍ଧାମାନଙ୍କୁ ସୁରକ୍ଷା ଦେବାକୁ ଆହ୍ବାନ ଦେଇଛନ୍ତି। ଅଉଜଣେ ଏହି ଘଟଣାରେ ମିଡିଆ ଦ୍ବାରା ଅଭିଯୁକ୍ତର ନାମ ଲୁଚାଇବାକୁ ନେଇ ନିର୍ଲଜ୍ଜ ମିଡିଆ କହିବା ସହ ୧୯୪୭ରେ ଗାନ୍ଧୀ ଓ ନେହରୁଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ହିନ୍ଦୁ ମାନେ ମୂଲ୍ୟ ଦେଉଥିବା କହିଛନ୍ତି। ପୋଷ୍ଟ ଗୁଡିକୁ ନେଇ ଲୋକଙ୍କ ଭିତରେ ଥିବା ଆକ୍ରୋଶ ସ୍ପଷ୍ଟ ହେଉଛି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଜୋର ଧରିଛି।
ତେବେ ଦେଶରେ ବାରମ୍ବାର ଏହି ଲଭ ଜିହାଦକୁ ନେଇ ହୋଇଆସୁଛି ଚର୍ଚ୍ଚା। ଏପରି ମାମଲା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟି ରଖି କିଛି ରାଜ୍ୟରେ କଡା ଆଇନର ମଧ୍ୟ ବ୍ୟବସ୍ଥା ହୋଇଛି। ଉତ୍ତର ପ୍ରଦେଶରେ ଲଭ ଜିହାଦ ଉପରେ ଆଇନ ପ୍ରଣୟନ ହୋଇଛି। କାରଣ ଲଭ ଜିହାଦରେ ମୁସଲମାନ ପୁରୁଷ ଅଣ ମୁସଲମାନ ମହିଳାଙ୍କୁ ପ୍ରଥମେ ଶୁଖାଇ ମତାଇ, ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ପ୍ରେମ ସମ୍ପର୍କ ଗଢିଥାନ୍ତି। ଥରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଗଲେ ପୁରୁଷମାନେ ମହିଳାଙ୍କୁ ମୁସଲମାନ ଧର୍ମ ଆପଣାଇବାକୁ ପ୍ରବର୍ତ୍ତାଇଥାନ୍ତି। ଏମତି କି, ସେମାନଙ୍କ ଉପରେ ଚାପ ପ୍ରୟୋଗ କରନ୍ତି, ଅତ୍ୟାଚର ମଧ୍ୟ କରନ୍ତି। ତେଣୁ ଏହାକୁ ଲଭ ଜିହାଦ କୁହାଯାଏ। ଜିହାଦ ଏକ ଆରବିକ ଶବ୍ଦ। ଏହାର ଆକ୍ଷରିକ ଅର୍ଥ ନିଜ ଉଦ୍ଦେଶ୍ୟ ପୂରା କରିବାକୁ ନିଜର ସମ୍ପୂର୍ଣ୍ଣ କ୍ଷମତା ବା ଶକ୍ତି ଲଗାଇଦେବା। କଟର ମୁସଲମାନ ନିଜ ଧର୍ମକୁ ସଶକ୍ତ କରିବା ଲାଗିଥାନ୍ତି। ପ୍ରେମ ଆଳରେ ଅନ୍ୟ ଧର୍ମାବଲମ୍ବୀ ମହିଳାଙ୍କ ଧର୍ମପରିବର୍ତ୍ତନ କରିବା ହେଉଛି ଲଭଜିହାଦ। ଏହି ପ୍ରସଙ୍ଗ ସେତେବେଳେ ଗୁରୁତ୍ବବହନ କରିଥିଲା, ଯେତେବେଳେ କେରଳ ହାଇକୋର୍ଟ ହିନ୍ଦୁ ମହିଳା ଅଖିଳା ଅଶୋକନଙ୍କ ବିବାହକୁ ରଦ୍ଦ କରି ଦେଇଥିଲେ। ନିକାହ ପୂର୍ବରୁ ଅଖିଳା ନିଜ ଧର୍ମ ପରିବର୍ତ୍ତନ କରି ନିଜ ନାମ ହଦିୟା ରଖିଥିଲେ। ଏହାକୁ ବିରୋଧ କରି ଅଖିଳାଙ୍କ ପିତା ମାତା କେରଳ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା କି, ଆତଙ୍କୀ ସଂଗଠନ ଆଇଏସଆଇଏସରେ ତାଙ୍କ ଯୌନ ଦାଷୀ କରିବାକୁ ଲଭ ଜିହାଦର ସାହାରା ନିଆଯାଇଛି। ଏହା ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିକାହକୁ ରଦ୍ଦ କରିଦେଇଥିଲେ। ଯାହାକୁ ଅଖିଳା ଓରଫ ହାଦିଆ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ମେ ମାସରେ ଏହି ଘଟଣା ହୋଇଥିବା ବେଳେ ଏହାକୁ ନେଇ ସୁପ୍ରିମ କୋର୍ଟଙ୍କ ଅଭିମୁଖ୍ୟ ମାମଲା ଆହୁରି ଗୁରୁତ୍ବ ବହନ କରିଛି।
ଶିଳାସ୍ମିତାଙ୍କ ରିପୋର୍ଟ