13/04/23
() କ୍ୟୁ-ନେଟ୍। ଲୋକଙ୍କୁ ଲକଜରି ପ୍ରଡକ୍ଟ ବିକ୍ରି ସହ ଚେନ୍ ସିଷ୍ଟମରେ ଯୋଡ଼ିବାକୁ ପ୍ରୟାସ କରିଥିଲା। ଆଉ ଲାଭ ଦେଖାଇ ଲୋଭର ବଶବର୍ତ୍ତୀ କରିଥିଲା। କେତେ ଯେ ନିବେଶକାରୀ ଫସିଲେ, ତାହାର ସୀମା ନାହିଁ। ଏବେ କ୍ୟୁ ନେଟ୍ ବିରୁଦ୍ଧରେ ନିବେଶକାରୀ ଆଇନଗତ ଫାଇଟ୍ କରୁଛନ୍ତି। ଅନୁରୂପ ଭାବରେ ଓଡ଼ିଶାରେ କ୍ୟୁ-ନେଟ୍ ଢାଞ୍ଚାରେ ୪ ବର୍ଷ ତଳେ ମୁଣ୍ଡ ଟେକିଥିଲା ଆଲିଆଞ୍ଜ ମଲଟିନାସନାଲ ହୋଲଡିଂ। ଏହାର ମାର୍କେଟିଂ ଦାୟିତ୍ୱ ନେଇଥିଲା ରେଭାଟାଜ୍ ଗ୍ଲୋବାଲ୍। ଏଥିରେ ବି ମୁଖ୍ୟ କାର୍ପଟଦାର ଥିଲେ ରାଜୀବ ଦାସ, ସୋନିଆ ତ୍ରିପାଠୀ ଓ ତାଙ୍କ ସହଯୋଗୀ। ଏବେ ଏହି କମ୍ପାନୀ କ୍ୟୁ-ନେଟ୍ ଭଳି ଛୁ। ଦେଖନ୍ତୁ ଏହି ରିପୋର୍ଟରେ। ଆଲିଆଞ୍ଜ ଇଣ୍ଟର ନାସନାଲ ହୋଲଡିଂର ଫ୍ଲାଗସିପ୍ ବ୍ରାଣ୍ଡ୍ ସେଲୋଜିଆ। ଓଡ଼ିଶା ମାର୍କେଟରେ ପ୍ରବେଶ କରିଥିଲା ନଭେମ୍ୱର ୧୫, ୨୦୧୯ରେ। ଆଉ ଓଡ଼ିଶାରେ ଏହାର ମାର୍କେଟିଂ ଦାୟିତ୍ୱ ନେଇଥିଲା ରେଭାଟାଜ୍ ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍। ମେ ଫେୟାର ହୋଟେଲରେ ବଡ଼ ଜାକଜମକରେ ଏହାର ପ୍ରଡକ୍ଟ ଲଞ୍ଚ୍ର ଶୁଭାରମ୍ଭ ହୋଇଥିଲା। ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ ଏହାର ଓଡ଼ିଶାର ବ୍ରାଣ୍ଡ୍ ଆମ୍ୱାସାଡର ସାଜିଥିଲେ। ବଡ଼ କଥା ଥିଲା କି, ରେଭାଟାଜ୍ ଗ୍ଲୋବାଲ୍ କମ୍ପାନୀର ନିର୍ଦେଶକ ବି ରାଜୀବ ଦାସ। ତାଙ୍କ ସହଯୋଗୀ ବିକ୍ରମ ସାହୁଙ୍କ ସହ ଏହି କମ୍ପାନୀ ଖୋଲିଥିଲେ ରାଜୀବ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜୀବଙ୍କ ପତ୍ନୀ ସୋନିଆ ତ୍ରିପାଠୀ। କମ୍ପାନୀର ବ୍ରାଣ୍ଡ୍ କସମେଟିକ୍ସ, ଫୁଡ୍ ଆଇଟମ୍ ଓ ପ୍ରଡକ୍ଟ ବାବଦରେ ନିବେଶକଙ୍କୁ ବୁଝାଇଥିଲେ ରାଜୀବ ଓ ବିକ୍ରମ। ନାଚଗୀତରେ କମ୍ପୁଥିଲା ପରିବେଶ। ଇଏ ହେଉଛି ସେଇ ରେଭାଟାଜ ଗ୍ଲୋବାଲ କମ୍ପାନୀ। ଯାହାକୁ ଗୁଗଲରେ ସର୍ଚ୍ଚ କଲେ ଏବେ ଅସ୍ଥାୟୀ ବନ୍ଦ ବୋଲି ଦେଖିବେ। ଯେଉଁ ଠିକଣା ବି ଦିଆଯାଇଛି, ସେଠି ଏହାର କୌଣସି ଚିହ୍ନବର୍ଣ୍ଣ ନାହିଁ। ଆଉ ୪ ବର୍ଷ ତଳେ ଲୋକଙ୍କୁ କଥା ଦିଆଯାଇଥିଲା କି, ଦେଶର ୧୦ଟି ରାଜ୍ୟରେ ଏହାର ପ୍ରଡକ୍ଟ ଲଞ୍ଚ ହେବାକୁ ଯାଉଛି। ତେଲେଙ୍ଗାନା ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ, ଯେଉଁଠି ଏହି ପ୍ରଡକ୍ଟର ବଜାର ପ୍ରବେଶ ହୋଇଥିଲା ଆଉ ଓଡ଼ିଶାରେ ବଜାର ଦାୟିତ୍ୱ ନେଇଥିଲା ରେଭାଟାଜ୍। ଲୁମେକ୍ସ ନାଁରେ ନିବେଶକଙ୍କୁ ଲୁଟି ଏବେ ରାଜୀବ ସୋନିଆ ଫେରାର୍। ପୁଣି ରେଭାଟାଜ୍ ଗ୍ଲୋବାଲ୍ ନାଁରେ ସଂସ୍ଥା ଗଢ଼ି ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଲୁଟିଲେ ରାଜୀବ ଓ ତାଙ୍କ ସହଯୋଗୀ। କାରଣ ଲୁମେକ୍ସରୁ ରେଭାଟାଜ୍ ଗ୍ଲୋବାଲ କମ୍ପାନୀକୁ ୧ କୋଟି ୭୨ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି। ଆଉ ଏହି ଅର୍ଥ ନିବେଶକଙ୍କର। ନିବେଶକଙ୍କ ଅର୍ଥରେ ନିବେଶକଙ୍କୁ ଭୂଆଁ ବୁଲାଇବା ଥିଲା ଯେମିତି ଏ ସବୁ ଗ୍ରୁପର କାରସାଦି। ଆଉ ଏହି ଅର୍ଥରେ ହିଁ ମେ ଫେୟାର ହୋଟେଲରେ ଏତେ ବଡ଼ ଧରଣର କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ୪ ବର୍ଷ ବିତିଗଲାଣି। ଆଉ କେଉଁଠି ବି ଏହି ସଂସ୍ଥାର ପ୍ରଡକ୍ଟ ଆଉ କେଉଁଠି ଲଞ୍ଚ୍ ହେବାର ଖୋଜଖବର ନାହିଁ କାହା ପାଖରେ। ବିଭିନ୍ନ ଶ୍ରେଣୀର ଗ୍ରାହକଙ୍କ କିଣିବା କ୍ଷମତାକୁ ଦୃଷ୍ଟିରେ ଦେଖି ବଜାରପ୍ରବେଶ ହୋଇଥିଲା। ଯେମିତି ତେଲେଙ୍ଗାନାରେ କ୍ୟୁ–ନେଟ୍ ର କାୟାରେ ମାତିଥିଲେ ଲୋକେ। ଆଉ ଠକାମୀରେ ପଡ଼ିବା ପରେ ଏବେ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ଏବେ ପୀଡ଼ିତମାନେ ଏହାର ଏସଆଇଟି ତଦନ୍ତ ଦାବି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ନିବେଦନ କରିଛନ୍ତି, ଏତେ ବଡ଼ ଧରଣର ଆର୍ଥିକ ଅନିୟମିତତାର ଯାଞ୍ଚ ଲାଗି ସ୍ୱତନ୍ତ୍ର ଏସଆଇଟି ହେଉ। ଏହା ସହ ଏହାର ବ୍ରାଣ୍ଡ୍ ଆମ୍ୱାସାଡର ସାଜିଥିବା ସାନିଆ ମୀର୍ଜାଙ୍କୁ ଏଥିରୁ ହଟାଯାଉ ବୋଲି ଦାବି କରିଛନ୍ତି ନିବେଶକାରୀ। କାରଣ ସାନିଆ ହିଁ କ୍ୟୁ-ନେଟ୍ କୁ ପ୍ରମୋଟ କରିଥିଲେ। କ୍ୟୁ–ନେଟ୍ ଏକ ଚେନ୍ ସିଷ୍ଟମ। ଆଉ ଏହାର ମାୟାରେ ପକାଇବାକୁ ଅନେକ ସେଲିବ୍ରିଟିଙ୍କୁ ଆଣି ମୋହରା କରିଥିଲା କ୍ୟୁ-ନେଟ୍। ହଜାର ହଜାର ଯୁବକ, ମହିଳା ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଅର୍ଥ ନେଇ ଛୁ ମାରିଥିଲା ଏହି ଠକ ନେଟଓ୍ୱର୍କ। ଗଲା ଜାନୁଆରୀ ମାସରେ କ୍ୟୁ–ନେଟ୍ ସଂପୃକ୍ତିରେ ଇଡି ୩୬ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୯୦ କୋଟିରୁ ଅଧିକ ଟଙ୍କା ଅଚଳ କରିଦେଇଛି। କ୍ୟୁ-ନେଟ ର ମାଷ୍ଟର ଫ୍ରାଞ୍ଚାଇଜ୍ ଭିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆର ଅନେକ କମ୍ପାନୀ, ବ୍ୟକ୍ତିବିଶେଷ ଓ ପ୍ରୋପ୍ରାଇଟରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିଥିଲା। ମୁମ୍ୱାଇ, ବେଙ୍ଗାଲୁରୁ ଓ ଚେନ୍ନାଇରେ ତନାଘନା କରିଥିଲା ଇଡ଼ି। ୨୦୧୪ରେ କ୍ୟୁ–ନେଟ୍ ୪୨୫ କୋଟି ଟଙ୍କାର ବଡ଼ ଧରଣର ଆର୍ଥିକ ଅନିୟମିତତାକୁ ନେଇ ମାମଲା ରୁଜୁ କରିଥିଲା ଇଡି। ୨୦୧୯ ଅଗଷ୍ଟରେ କର୍ପୋରେଟ ମନ୍ତ୍ରଣାଳୟ ଓ କଞ୍ଜୁମର ଆଫାୟାର୍ସ ମନ୍ତ୍ରଣାଳୟ ପିଟିସନ ଦାଖଲ ସହ ୧୨ ଜଣଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ ବି ଜାରି କରିଥିଲା। କ୍ୟୁ–ନେଟ୍ କୁ ରେଭାଟାଜ୍ ଗ୍ଲୋବାଲ୍ ସହ ତୁଳନା କରିବା କେତେଦୂର ଯୁକ୍ତିଯୁକ୍ତ। ଏ ପ୍ରଶ୍ନର ଉତ୍ତର ହେଉଛି ବିଲକୁଲ ଯୁକ୍ତିଯୁକ୍ତ। କାରଣ ରେଭାଟାଜ୍ ଗ୍ଲୋବାଲ କମ୍ପାନୀ ଭଳି ଅନେକ ଠକ କମ୍ପାନୀ ଗଢ଼ିଥିଲେ ରାଜୀବ ଓ ତାଙ୍କ ସହଯୋଗୀ। ଲୁମେକ୍ସର କାରସାଦିକୁ ଗୋଟିଏ ପଟେ ରାଜନୀତି ଉଠୁଛି ପଡ଼ୁଛି। ଆଉ ଅଭିଯୁକ୍ତଙ୍କୁ କେବେ ଧରିବ ଓ ଘାଣ୍ଟିବ ତଦନ୍ତକାରୀ ସଂସ୍ଥା ବୋଲି ଏ ପ୍ରଶ୍ନର ଉତ୍ତର ଏ ଯାଏ ମିଳିନି। ତଥାପି ନିବେଶକାରୀ ନିଶ୍ଚିତ। ନ୍ୟାୟ ମିଳିବ। କିନ୍ତୁ ମନରେ ବି ସନ୍ଦେହ। ଆଉ କେତେ ଦିନ। ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ ନା ଅଭିଯୁକ୍ତଙ୍କୁ ଆଣିବାକୁ ପୁଲିସ ପାଖରେ ବାଟ ନାହିଁ। କାରଣ କଥାରେ ଅଛି, ବିଳମ୍ୱିତ ନ୍ୟାୟ କାହା ପାଇଁ। ଅଭିଯୁକ୍ତ ଯଦି ବେଫିକର ହୋଇ ବୁଲିବେ। ଆଉ ତଦନ୍ତ ବିଳମ୍ୱ ହେଲେ ନା ପ୍ରମାଣ ଥିବ ନା ହରାଇଥିବା ଟଙ୍କା ପାଇବେ ନିବେଶକାରୀ। କ୍ୟୁ–ନେଟ୍ ଭଳି ପୋଞ୍ଜି ସ୍କାମ୍ ଚହଳ ପକାଇସାରିଛି ଦେଶରେ। ଆଉ ଓଡ଼ିଶାରେ ଧୃତ ରାଜୀବ, ସୋନିଆ ଓ ତାଙ୍କର ସହଯୋଗୀଙ୍କ କାରନାମାର ଗୋଟି ଗୋଟି କରି ଚିଠା, ପ୍ରମାଣ ଓ ଦସ୍ତାବିଜ୍ ଖୋଲା ବହି ଭଳି ରହିଛି। ଅଥଚ ଏମାନେ ମୁକୁଳା। ଅଭିଯୋଗକାରୀ ଅନିଶ୍ଚିତତା ଭିତରେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now