କେନ୍ଦ୍ରମନ୍ତ୍ରୀ ଏବଂ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ

Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର : ଉତରାଖଣ୍ଡ ଉତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଆଢୁଆଳ ଅବସ୍ଥାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଉକ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୁଚାରୁରୂପେ ହେବା ସହ ମନ୍ଦିର ସୌନ୍ଦର୍ଯ୍ୟକରଣ ହେବ ଏବଂ ଉତରାଖଣ୍ଡ ସରକାରଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ଯୋଜନାରେ ସେହି ମନ୍ଦିରକୁ ସାମିଲ କରିବା ପାଇଁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବିକାଶ ପାଇଁ ତୁରନ୍ତ ଅନୁରୋଧ ରକ୍ଷା କରିଥିବାରୁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଲୋକଙ୍କର ଆଗ୍ରହ ଏବଂ ମହାପ୍ରଭୁଙ୍କ ଇଚ୍ଛା କାରଣରୁ ଏହା ସମ୍ଭବ ହୋଇପାରିଛି । ଉତରାକାଶୀରେ ଥିବା ଏହି ଜଗନ୍ନାଥ ଧାମ ଉତରାଖଣ୍ଡ ଏବଂ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ମଜଭୂତ୍ କରିବା ସହ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ହେବ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ । ଏହି ମନ୍ଦିରକୁ ଲୋକଲୋଚନକୁ ଆଣିଥିବାରୁ ଶ୍ରୀମନ୍ଦିରର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ସାଧୁବାଦ ।

ଘଟଣା ଅନୁସାରେ, ଗତବର୍ଷ ପୁରୀ ଶ୍ରୀମନ୍ଦିରର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ତାଙ୍କ ଝିଅକୁ ଉତରାଖଣ୍ଡର ଡେରାଡୁନରେ ଏକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ସେଠାକୁ ଯାଇଥିଲେ । ସେଠାରେ ସେ ଶ୍ରୀଜଗନ୍ନାଥ ମନ୍ଦିରର ଅନ୍ୱେଷଣରେ ଯାଇ ଉତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଥିବା ଏକ ଜଗନ୍ନାଥ ମନ୍ଦିର ଥିବା ଜାଣିବାକୁ ପାଇଥିଲେ । ମନ୍ଦିରରେ ଜଗନ୍ନାଥ ସପ୍ତାହରେ ତିନି ଦିନ ପୂଜା ପାଉଥିବା ବେଳେ ଚାରି ଦିନ ପୂଜା ପାଉନଥିବା ସେ ଜାଣି ଦୁଃଖ ପ୍ରକାଶ କରିବା ପରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଅବଗତ କରାଇଥିଲେ । ପରବର୍ତୀ ସମୟରେ ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ଋଷିକେଶରେ ଚଳଚ୍ଚିତ୍ରର ସୁଟିଂ ପାଇଁ ଯିବା ଅବସରରେ ସେହି ଉତରକାଶୀର ଶ୍ରୀଜଗନ୍ନାଥ ମନ୍ଦିରକୁ ଗସ୍ତ କରିଥିଲେ । ଉକ୍ତ ଜଗନ୍ନାଥ ମନ୍ଦିର ଉପରେ ଗବେଷଣା କରି ମନ୍ଦିରଟି ଆଢୁଆଳ ଅବସ୍ଥାରେ ଥିବା ଜାଣିବାକୁ ପାଇବା ପରେ ସାମାଜିକ ଗଣମାଧ୍ୟମରେ ଏହାର ପ୍ରଚାର କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଜାଣିବା ପରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ବିଷୟରେ କହିବା ସହ ମନ୍ଦିରର ଉନ୍ନତି ପାଇଁ ଅନୁରୋଧ କରିଥିଲେ ।

ମନ୍ଦିରର ପୂଜକଙ୍କ କହିବାନୁସାରେ, ଉତରାଖଣ୍ଡର ଉତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଥିବା ଏହି ମନ୍ଦିରର ନିର୍ମାଣ କାଳ ୧୨ଶହ ଖ୍ରୀଷ୍ଟାବ୍ଦ ବୋଲି ଜଣାପଡିଛି । ଆଜି ଅନୁଷ୍ଠିତ ଏହି ଭର୍ଚ୍ଚୁଆଲ ବୈଠକରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ପୁରୀ ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ମଧ୍ୟ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *