ଦେଶବ୍ୟାପୀ ଆରମ୍ଭ ହେବ ‘ମେରୀ ମାଟି ମେରା ଦେଶ’ ଅଭିଯାନ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନିଜର ମନ କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ ‘ମେରି ମାଟୀ ମେରା ଦେଶ’ ଅଭିଯାନ ଘୋଷଣା କରିଥିଲେ । ବର୍ତ୍ତମାନ ଦେଶବ୍ୟାପୀ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି । ଦେଶପାଇଁ ପ୍ରାଣବଳୀ ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀ ଓ ସାହସୀ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଅଭିଯାନ ଅନ୍ତର୍ଗତ ବୀରମାନଙ୍କର ସ୍ମୃତିଚାରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସବୁ ଗ୍ରାମପଞ୍ଚାୟତରେ ସ୍ମୃତି ଉଦ୍ଦେଶ୍ୟରେ ଅମୃତ ସରୋବର ନିକଟରେ ଶିଳାଫଳକ ସ୍ଥାପନ କରାଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଦୂରସଞ୍ଚାର ବିଭାଗର ସଚିବ ଅପୂର୍ବ ଚନ୍ଦ୍ର, ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଏବଂ ଯୁବ ବ୍ୟାପାର ସଚିବ ମୀତା ରାଜୀବ ଲୋଚନ, ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ପ୍ରମୁଖ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଅପୂର୍ବ ଚନ୍ଦ୍ର କହିଛନ୍ତି ଯେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ ଭାବେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶିଳାଫଳକ ସଂଯୋଗ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚନ୍ଦ୍ର କହିଛନ୍ତି, ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା କାର୍ଯ୍ୟକ୍ରମକୁ ଏହି ଅଭିଯାନର ଏକ ପ୍ରମୁଖ ଉପାଦାନ ଭାବେ କାର୍ଯ୍ୟକାରୀ କରାଯିବ । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅଭିଯାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବା ଚନ୍ଦ୍ର କହିଥିଲେ ।

ସଂସ୍କୃତି ମନ୍ତ୍ରଣାଳୟ ସଚିବ ଗୋବିନ୍ଦ ମୋହନ କହିଥିଲେ, ପ୍ରତି ଗ୍ରାମ, ପଞ୍ଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଞ୍ଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଶିଳାଫଳକ ସଂଯୋଗ କରାଯିବ, ପଞ୍ଚ ପ୍ରାଣ ଶପଥ ନିଆଯିବ, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦେଶ ପାଇଁ ବଳିଦାନ ଦେଇଥିବା ସେହି ଅଞ୍ଚଳର ବୀରଙ୍କ ନାମ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଶିଳାଫଳକରେ ସ୍ଥାନ ଦିଆଯିବ।

Leave a Reply

Your email address will not be published. Required fields are marked *