ମୋଦିଙ୍କ ଅପିଲ ସତ୍ତ୍ୱେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ

Spread the love

() ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଦରବୃଦ୍ଧି, ବେକାରୀ ସମସ୍ୟା ଓ ସୀମା ବିବାଦ ପ୍ରସଙ୍ଗକୁ ନେଇ ଆରମ୍ଭରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଗୃହକୁ ସୁରୁଖୁରୁରେ ଚଳାଇବାକୁ ଯଦିଓ ଗୃହ କାର୍ଯ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଓ ମଙ୍ଗଳବାର ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଆରମ୍ଭରୁ ହିଁ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ଧରି ହୋହଲ୍ଲା, ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି।

ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। କିଭଳି ସଂସଦ ସୁରୁଖୁରୁରେ ଚାଲିବ, ତାକୁ ନେଇ ଗୃହ କାର୍ଯ୍ୟର ଅବ୍ୟବହିତ ଆଗରୁ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ବିଶେଷ କରି ପ୍ରଥମ ଥର ସଂସଦକୁ ଆସିଥିବା ସଭ୍ୟ ଓ ଯୁବ ସାଂସଦ କିଭଳି ଅଧିକରୁ ଅଧିକ ଆଲୋଚନା ଲାଗି ସୁଯୋଗ ପାଇବେ, ତାକୁ ଧ୍ୟାନରେ ରଖି ଗୃହରେ ବିଶୃଙ୍ଖଳା କି ହଟ୍ଟଗୋଳ କରିବା ସମୀଚିନ ହେବନି ବୋଲି ଅପିଲ୍ କରିଥିଲେ ସଭିଙ୍କୁ। କାରଣ ହଟ୍ଟଗୋଳ ଲାଗି ଗୃହ ମୁଲତବୀ ହେବାରୁ ଯୁବ ସାଂସଦ ସଂସଦର ଉପାଦେୟତା ବୁଝିବା ଓ ଏଥିରୁ  ଶିଖିବାରୁ ବଞ୍ଚିତ ହେଉଛନ୍ତି।

ସେପଟେ ଗୃହ କାର୍ଯ୍ୟ ଆରମ୍ଭ ଆଗରୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ୱରରେ ବିରୋଧୀ ଦଳ ବି ନିଜର ରଣନୀତି ପ୍ରସ୍ତୁତ କରିଥିଲେ। ମୁଦ୍ରାସ୍ଫୀତି, ଦରବୃଦ୍ଧି, ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ, ବେକାରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ଉପ-ରାଜ୍ୟପାଳଙ୍କ ଭୂମିକା ସହ ଭାରତ-ଚୀନ୍ ସୀମା ସଂଲଗ୍ନ ପ୍ରସଙ୍ଗକୁ ନେଇ ଘେରିବାକୁ ସ୍ଥିର କରିଛନ୍ତି। ସେପଟେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ପ୍ରଥମ ଥର ଦାୟିତ୍ୱ ନିର୍ବାହ କରିଛନ୍ତି ଜଗଦୀପ ଧନକଡ଼। ଜଗଦୀପଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ପିୟୂଷ ଗୋଏଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ସଂସଦକୁ ପାଛୋଟି ନେଇଥିଲେ। ରାଜ୍ୟସଭାରେ ବି ପ୍ରଧାନମନ୍ତ୍ରୀ ଜଗଦୀପ ଧନକଡ଼ଙ୍କୁ ସ୍ୱାଗତ କରିଥିଲେ। ଯେଭଳି ଆଦିବାସୀ ପରମ୍ପରାକୁ ନେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତକୁ ଗର୍ବିତ କରିଛନ୍ତି, ସେଭଳି ଜଣେ ଚାଷୀର ପୁଅ ହୋଇ ଜଗଦୀପ ଧନକଡ଼ ଉପରାଷ୍ଟ୍ରପତି ଭଳି ପଦର ଗାରିମା ବଜାୟ ରଖିବେ ଓ ଭାରତକୁ ଗର୍ବିତ କରିବେ ବୋଲି ଆଶାବାଦୀ। ଗୃହ କାର୍ଯ୍ୟ ଆରମ୍ଭରୁ ୧୫ ଦିଗଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆସିଥିଲା ଗୃହରେ। ମୁଲାୟମ ସିଂ ଯାଦବଙ୍କ ସମେତ ୮ଜଣ ପୂର୍ବତନ ଲୋକସଭା ସଦସ୍ୟ ଓ ୬ ଜଣ ରାଜ୍ୟସଭା ସଦସ୍ୟଙ୍କ ବିୟୋଗରେ ଗୃହରେ ଶୋକପ୍ରସ୍ତାବ ଆସିଥିଲା। ଦିବଂଗତ ସଦସ୍ୟଙ୍କ ସମ୍ମାନାର୍ଥେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ଘଣ୍ଟାଏ ଲାଗି ମୁଲତବୀ କରାଯାଇଥିଲା।

ଶୀତ ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସରେ ୧୬ଟି ବିଲ୍ ଆଣିବା ପାଇଁ ଯୋଜନା କରିଛନ୍ତି ସରକାର। ୨୯ ତାରିଖ ଯାଏ ଚାଲିବ ଅଧିବେଶନ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *