ବଡ ଭାଇ କୋଳରେ ସାନ ଭାଇର ମୃତଦେହ

Spread the love

ମୁରେନା: ବଡ ଭାଇ କୋଳରେ ସାନ ଭାଇର ମୃତଦେହ। ଏତିକିବେଳେ ପୁଅର ମୃତଦେହକୁ ଘରକୁ ନେବା ପାଇଁ ବାପା ଏପଟ ସେପଟ ହୋଇ ଖୋଜୁଥିଲେ ଆମ୍ୱୁଲାନ୍ସ। ଏଭଳି ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ। ଆଜିବି ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଆମ୍ୱୁଲାନ୍ସ ସେବା ସ୍ବପ୍ନ। ମଧ୍ୟପ୍ରଦେଶ ମୁରେନା ଜିଲ୍ଲା ଅମ୍ୱାହର ବଡଫରା ଗାଁରୁ ଏଭଳି ଦାରୁଣ ଚିତ୍ର ଆସିଛି। ସେଠାକାର ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହେବା ପରେ ଆମ୍ୱୁଲାନ୍ସ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିବାରୁ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ଶନିବାର ଦିନ ପୂଜାରାମ ଜାଟୱାଙ୍କ ୮ ବର୍ଷର ବଡ ପୁଅ ଗୁଲସନ,  ୨ ବର୍ଷର ସାନ ଭାଇ ରାଜାର ମୃତଦେହକୁ କୋଳରେ ଧରି ରାସ୍ତା କଡରେ ବସିଥିଲା। କାହିଁକି ନା ବାପାଙ୍କ ପାଖରେ ଆମ୍ୱୁଲାନ୍ସକୁ ଦେବାକୁ ଟଙ୍କା ନଥିଲା।

ପୂଜାରାମଙ୍କ ୨ ବର୍ଷର ପୁଅ ରାଜାର ହଠାତ ଦେହ ଖରାପ ହୋଇଥିଲା। ବାପା ରାଜାର ଘରୋଇ ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୁଅକୁ ମୋରେନା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ପୂଜାରାମ ସହ ବଡ ପୁଅ ଗୁଲସନ ମଧ୍ୟ ଯାଇଥିଲା। ତେବେ ସେଠାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ପୂଜାରାମ ଜଣେ ଗରିବ ହୋଇଥିବାରୁ ହସ୍ପିଟାଲରୁ ଘରକୁ ପୁଅର ମୃତଦେହ ନେବା ପାଇଁ ଟଙ୍କା ନଥିଲା। ସେ ସେଠାରେ ଆମ୍ୱୁଲାନ୍ସ ଯୋଗାଡ କରିଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ୱାର ନିବେଦନ କରିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ସିଧା ସିଧା ମନା କରି ଦେଇଥିଲେ।  ନିରାଶ ହୋଇ ବାହାରକୁ ଚାଲି ଯାଇଥିଲେ ପୂଜାରାମ କିଛି ଗୋଟିଏ ବ୍ୟବସ୍ଥା କରିବାକୁ। ଆଉ ସାନଭାଇକୁ କୋଳରେ ଧରି ଗୁଲସନ ଅପେକ୍ଷା କରିଥିଲା ବାପାଙ୍କ ପାଇଁ। କଅଁଳ ପିଲା କୋଳରେ ଆଉ ଏକ ଶିଶୁର ମୃତଦେହ। ଯିଏ ଏହି ଦୃଶ୍ୟ ଦେଖିଥିଲା ତା ଆଖିରେ ଆସିଯାଉଥିଲା ଲୁହ। ଏନେଇ ପୋଲିସକୁ ଖବର ଦେବାରୁ ପୋଲିସ ଆମ୍ୱୁଲାନ୍ସର ବ୍ୟବସ୍ଥା କରିଥିଲା।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ…

Leave a Reply

Your email address will not be published. Required fields are marked *