ନୂଆଦିଲ୍ଲୀ: ବଦଳିବାକୁ ଯାଉଛି ରାଜପଥର ନାମ। ରାଜପଥ ହେବ କର୍ତ୍ତବ୍ୟ ପଥ। ନାମ ପରିବର୍ତ୍ତନ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ବିଜୟ ଚୌକରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ପଥ କର୍ତ୍ତବ୍ୟପଥ ଭାବେ ପରିଚିତ ହେବ। ଜାତୀୟ ରାଜଧାନୀ ସ୍ଥିତ ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁ ଅଞ୍ଚଳରେ ଆସୁଥିବା ରାଜପଥର ନାମ ବଦଳାଇ କର୍ତ୍ତବ୍ୟପଥ ପ୍ରସ୍ତାବକୁ ମିଳିଛି ଅନୁମତି । ବୁଧବାର ଅନୁଷ୍ଠିତ ଦିଲ୍ଲୀ ମୁନସିପାଲ କର୍ପୋରେସନ ବୈଠକରେ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସର୍ବସମ୍ମତିରେ ଏହାକୁ ପାରିତ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ମନ୍ତ୍ରୀ ମୀନାକ୍ଷା ଲେଖି। ମନ୍ତ୍ରୀ କହିଛନ୍ତି, ଗୋଲାମୀର ସବୁ ଚିହ୍ନବର୍ଣ୍ଣ ବଦଳାଇବାକୁ ଏଣିକି ରାଜପଥ ବଦଳରେ କର୍ତ୍ତବ୍ୟ ପଥ ଭାବେ ଏହି ଗୁରୁତ୍ବପୂର୍ଣ୍ଣ ପଥ ଜଣାଯିବ। ଦେଶ ସ୍ବାଧୀନ ହୋଇଥିଲେ ମଧ୍ୟ ପରାଧୀନତାର ଛାପ ରହିଯାଇଛି। କାରଣ ରାଜପଥ ନାମକରଣ ପୂର୍ବରୁ ବ୍ରିଟିଶ ଶାସନ ଅମଳରେ ଏହାର ନାମ ଥିଲା କିଙ୍ଗସ୍ ୱେ।
ସେପଟେ ଚଳିତ ବର୍ଷ ସ୍ବାଧୀନତା ଦିବସ ଅଭିଭାଷଣ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପନିବେଷବାଦ ମାନସିକତା ଦର୍ଶାଉଥିବା ସମସ୍ତ ପ୍ରତୀକକୁ ଶେଷ କରିବା ଉପରେ ଜୋର ଦେଇଥିଲେ। ଯାହାର ପ୍ରଥମ ପଦକ୍ଷେପ ନିଆଯାଇଛି ରାଜପଥ କ୍ଷେତ୍ରରେ। ଏହି ପ୍ରସ୍ତାବର ମଞ୍ଜୁରୀ ପରେ ପ୍ରଧାନ ମନ୍ତ୍ରୀ ଗୁରୁବାର କର୍ତ୍ତବ୍ୟପଥର ଉଦ୍ଘାଟନ କରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now