ସିନ୍ଧେ- ଉଦ୍ଧବଙ୍କ ଶକ୍ତି ପ୍ରଦର୍ଶନ

Spread the love

ମୁମ୍ବାଇ: ବିଜେପିକୁ ସମର୍ଥନ ଓ ବିରୋଧ କରି ମହାରାଷ୍ଟ୍ରରେ ଦୁଇ ଫାଳ ହୋଇଯାଇଥିବା ଶିବସେନା ଦଶହରାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୋଟିଏ ପଟେ ଉଦ୍ଧବଙ୍କ ସମର୍ଥକ ଶିବାଜୀ ପାର୍କରେ ପହଞ୍ଚିଥିଲା ବେଳେ ସେପଟେ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ବି ବଡ଼ ରାଲି ଓ ସମାବେଶର ଆୟୋଜନ କରିଛି। ପ୍ରକୃତ ଶିବସେନା କିଏ, ତାକୁ ନେଇ ଅଦାଲତି ଲଢ଼େଇ ଜାରି ଥିଲା ବେଳେ, ଉଭୟ ଗୋଷ୍ଠୀ ଭିତରେ ଶକ୍ତି ପ୍ରଦର୍ଶନ ପାଇଁ ଦଶହରା ରାଲିରୁ ଆଉ ବଡ଼ ମଉକା ମିଳିବନି ଯେମିତି ରାଜନୈତିକ ଗତିବିଧି ସଙ୍କେତ ଦେଉଥିଲା।

ଯଦିଓ ଅଦାଲତ ଉଦ୍ଧବଙ୍କୁ ଶିବାଜୀ ପାର୍କରେ ରାଲି କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏକନାଥ ବି ଠାକରେଙ୍କ ରାଲିକୁ ଭଣ୍ଡୁର ଓ  ନିଜ ରାଲିକୁ ସଫଳ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଏମଏମଆରଡିଏ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ ସିନ୍ଧେ ଗୋଷ୍ଠୀର ଶିବସୈନିକ। ବସ,ଟ୍ରେନ ଓ ପ୍ରାଇଭେଟ୍ ଗାଡ଼ିରେ ହଜାର ହଜାର ଠାକରେ ସମର୍ଥକ ଆସିଥିଲା ବେଳେ ସିନ୍ଧେ କ୍ୟାମ୍ପରୁ ବି ହଜାର ହଜାର ସମର୍ଥକ ଆସିଥିଲେ।

କାହାର କେତେବଡ଼ ରାଲି ଓ ସମାବେଶ ହେବ, ତାକୁ ନେଇ ଯେମିତି ଦଶହରାରେ ଲାଗିଥିଲା ଶକ୍ତି ପ୍ରଦର୍ଶନର ମେଳା। ବାଲାସାହେବଙ୍କ ହିନ୍ଦୁତ୍ୱ ଲିଗାସିକୁ କିଏ ଆଗେଇନେବ, ସେ ନେଇ ସୋସିଆଲ ମିଡିଆରେ ଉଭୟ ଗୋଷ୍ଠୀର ଟିଜର୍ ସାମ୍ନାକୁ ଆସିଥିଲା। କିଏ ବାଲାସାହେବଙ୍କ ଆଦର୍ଶ ବିରୋଧୀ ଓ କିଏ ଛଳନା କରିଛି, ଏହି ଦଶହରା ରାଲି ଯେମିତି ଜବାବ ଦେଇଛି।

ଉଭୟ ଉଦ୍ଧବ ଓ ସିନ୍ଧେ ଗୋଷ୍ଠୀ ଦଶହରା ରାଲିକୁ ପ୍ରାଧାନ୍ୟ ଦେଉଛନ୍ତି। କାରଣ ବାଲା ସାହେବଙ୍କ କାଳରୁ ପ୍ରତି ବର୍ଷ ଶିବସେନା ପକ୍ଷରୁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥାଏ ଶିବାଜୀ ପାର୍କରେ। ଦଳର ଆଭିମୁଖ୍ୟ ଜନତାଙ୍କ ନିକଟରେ ଉପସ୍ଥାପିତ କରିବା ସହ ନିଜର ଶକ୍ତି ପ୍ରଦର୍ଶନ ଶିବସେନା ଗଠନ ପରଠାରୁ ଦଶହରା ରାଲିକୁ ଗୁରୁତ୍ବ ଦିଆଯାଇ ଆସୁଛି। ତେଣୁ ବର୍ତ୍ତମାନ ଦଳରେ ଫାଟ ପରେ ଉଭୟ ଗୋଷ୍ଠୀ ରାଲି ପାଇଁ ଶିବାଜୀ ପାର୍କକୁ ନେଇ ଟଣା ଓଟରା ପରେ ଉଦ୍ଧବଙ୍କୁ କୋର୍ଟରୁ ମିଳିଥିଲା ବିଜୟ।

Leave a Reply

Your email address will not be published. Required fields are marked *