ଗୁଜରାଟର ରାଜକୋଟ ଠାରେ ପ୍ରଧାନମନ୍ତ୍ରୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦରକୁ ଦେଶ ପ୍ରତି ଉତ୍ସର୍ଗ କରିଛନ୍ତି

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଗୁଜରାଟର ରାଜକୋଟ ଠାରେ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସାଉନି ଯୋଜନା ଲିଙ୍କ୍ ୩ ପ୍ୟାକେଜ୍ ୮ ଏବଂ ୯, ଦ୍ୱାରକା ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (ଆରଡବ୍ଲ୍ୟୁଏସ୍ଏସ୍) ର ଅଧିକ ଉନ୍ନତିକରଣ, ଉପରକୋଟ ଦୁର୍ଗର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ସଂରକ୍ଷଣ, ପୁନରୁଦ୍ଧାର ଏବଂ ବିକାଶ; ଏକ ଜଳ ବିଶୋଧନ କାରଖାନା, ମଇଳା ନିଷ୍କାସନ କାରଖାନା ଏବଂ ଅନ୍ୟାନ୍ୟଗୁଡ଼ିକ ମଧ୍ୟରେ ଏକ ଫ୍ଲାଇ ଓଭର ପୋଲ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ନବ ଉଦଘାଟିତ ରାଜକୋଟ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ ଗୃହରେ ଏକ ପଦଯାତ୍ରା କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେବଳ ରାଜକୋଟ ନୁହେଁ, ସମଗ୍ର ସୌରାଷ୍ଟ୍ର ଅଂଚଳ ପାଇଁ ଆଜି ଏକ ବିରାଟ ଦିନ । ଏହି ଅଞ୍ଚଳରେ ଘୂର୍ଣ୍ଣିବଳୟ ଏବଂ ସମ୍ପ୍ରତି ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୁଡିକ ଯୋଗୁଁ କ୍ଷତି ସହିଥିବା ଲୋକମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ, ସରକାର ଏବଂ ଲୋକମାନେ ଏକତ୍ର ସଙ୍କଟର ସମ୍ମୁଖୀନ ହୋଇଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ, ପ୍ରଭାବିତ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ସହାୟତାରେ ପୁନଃ ଥଇଥାନ କରାଯାଉଛି । ଏଥି ସହ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜକୋଟ ସୌରାଷ୍ଟ୍ରର ଅଭିବୃଦ୍ଧିର ଇଞ୍ଜିନ ଭାବରେ ମାନ୍ୟତା ପାଇଛି । ଏହାର ଶିଳ୍ପ, ସଂସ୍କୃତି ଏବଂ ଖାଦ୍ୟ ରୁଚି ସତ୍ୱେ ଅନୁଭବ କରାଯାଉଥିବା ଏକ ଆନ୍ତର୍ଜାତିକ ବିମାନ ବନ୍ଦରର ଆବଶ୍ୟକତା ଆଜି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ରାଜକୋଟ କିପରି ତାଙ୍କୁ ଏମଏଲଏ ଭାବରେ ବାଛିଥିଲା, ତା’ର ସ୍ମୃତିଚାରଣ କରିଛନ୍ତି ଏବଂ କହିଛନ୍ତି ଯେ, ଏହି ସହର ତାଙ୍କୁ ଅନେକ କିଛି ଶିକ୍ଷା ଦେଇଛି । ‘ରାଜକୋଟର ଋଣ ସବୁବେଳେ ମୋ ଉପରେ ରହି ଆସିଛି ଏବଂ ମୁଁ ସବୁବେଳେ ଏହି ଋଣର ପରିମାଣକୁ କମାଇବାକୁ ଉଦ୍ୟମ କରୁଛି ।’

ଆଜି ଉଦଘାଟିତ ହୋଇଥିବା ବିମାନ ବନ୍ଦର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯାତାୟାତର ସହଜତା ବ୍ୟତୀତ, ଏହି ଅଞ୍ଚଳର ଉଦ୍ୟୋଗ ଗୁଡିକ ବିମାନ ବନ୍ଦରରୁ ବିପୁଳ ପରିମାଣରେ ଲାଭବାନ୍ ହେବେ । ପ୍ରଧାମନ୍ତ୍ରୀ କହିଛନ୍ତି ଯେ, ନୂଆ ମୁଖ୍ୟମନ୍ତ୍ରୀ ଭାବରେ ସେ ଯେଉଁ ‘ମିନି ଜାପାନ’ର ସ୍ୱପ୍ନ ଦେଖିଥିଲେ, ରାଜକୋଟ ତାହା ପୂରଣ କରି ପାରିଛି । ବିମାନ ବନ୍ଦର ରୂପରେ, ରାଜକୋଟ ଏକ ଶକ୍ତିକେନ୍ଦ୍ର ପାଇଛି ଯାହା ଏହାକୁ ନୂଆ ଶକ୍ତି ଏବଂ ଉଡ଼ାଣ ଦେବ ।

ଆଜି ଉଦଘାଟନ ହୋଇଥିବା ବିଭିନ୍ନ ପ୍ରକଳ୍ପ ଅଧୀନରେ ସାଉନି ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପ ସମାପ୍ତ ହେଲେ ଏହି ଅଞ୍ଚଳ ପାଇଁ ଜଳ ଯୋଗାଣ ଦିଗରେ ପଥ ପରିଷ୍କାର ହେବ ଏବଂ ଡଜନ ଡଜନ ଗାଁକୁ ପାନୀୟ ଜଳ ଏବଂ ଜଳସେଚନ ପାଇଁ ଜଳ ଯୋଗାଣ ହେବ । ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ରାଜକୋଟବାସୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରତ୍ୟେକ ସାମାଜିକ ଶ୍ରେଣୀ ଏବଂ ଅଞ୍ଚଳର ଜୀବନକୁ ସହଜତର କରିବା ଦିଗରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ସୁଶାସନ’ ବା ଉତ୍ତମ ଶାସନକୁ ସୁନିଶ୍ଚିତ କରିଛୁ ଏବଂ ଆମେ ଆଜି ମଧ୍ୟ ଏହାକୁ ସଫଳ କରାଇ ଚାଲିଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ ଲୋକମାନେ ଗରିବ, ଦଳିତ, ଜନଜାତି ବା ପଛୁଆ ଶ୍ରେଣୀର ହୁଅନ୍ତୁ ନା କାହିଁକି, ଆମେ ସଦା ସର୍ବଦା ସେମାନଙ୍କ ଜୀବନକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିଛୁ ।’ ଦେଶରେ ଦାରିଦ୍ର୍ୟତାର ସ୍ତର ଅତି ଦ୍ରୁତ ଗତିରେ ହ୍ରାସ ପାଉଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ନିକଟରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟକୁ ଉଦ୍ଧାର କରି ଦର୍ଶାଇଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ୧୩.୫ କୋଟି ନାଗରିକ ଦାରିଦ୍ର୍ୟତାରୁ ବାହାରି ଆସିଛନ୍ତି ଏବଂ ଏହି ଲୋକମାନେ ଦେଶରେ ଏକ ନବ- ମଧ୍ୟବିତ୍ତ ଶ୍ରେଣୀ ଭାବରେ ଉଭା ହେଉଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ସମଗ୍ର ମଧ୍ୟବିତ୍ତଶ୍ରେଣୀକୁ ପରିସରଭୁକ୍ତ କରି ଉଭୟ ନବ- ମଧ୍ୟବିତ୍ତ ଶ୍ରେଣୀ ଏବଂ ମଧ୍ୟବିତ୍ତ ଶ୍ରେଣୀ ସରକାରଙ୍କର ପ୍ରାଥମିକତା ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ସଂଯୋଗ ବିଷୟରେ ମଧ୍ୟବିତ୍ତ ଶ୍ରେଣୀଙ୍କର ଦୀର୍ଘ ଦିନରୁ ରହି ଆସିଥିବା ଦାବ ବିଷୟରେ କହିଛନ୍ତି । ସଂଯୋଗ କ୍ଷେତ୍ରରେ ଉନ୍ନତି ଘଟାଇବା ପାଇଁ ଗତ ୯ ବର୍ଷ ମଧ୍ୟରେ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକର ସେ ତାଲିକା ପ୍ରଦାନ କରିଛନ୍ତି । ୨୦୧୪ ରେ କେବଳ ୪ଟି ସହରରେ ମେଟ୍ରୋ ନେଟୱର୍କ ଥିଲା, ଆଜି ମେଟ୍ରୋ ନେଟୱର୍କ ଭାରତର ୨୦ ରୁ ଅଧିକ ସହରରେ ପହଞ୍ଚିଛି । ବନ୍ଦେ ଭାରତ ପରି ଆଧୁନିକ ଟ୍ରେନ୍ ୨୫ ଟି ରୁଟରେ ଚାଲୁଛି; ଏହି ସମୟ ମଧ୍ୟରେ ୨୦୧୪ ରେ ୭୦ ରୁ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି । “ବିମାନ ସେବା ସମ୍ପ୍ରସାରଣ ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ନୂତନ ଉଚ୍ଚତା ଦେଇଛି । ଭାରତୀୟ କମ୍ପାନୀଗୁଡିକ କୋଟି କୋଟି ଟଙ୍କା ମୂଲ୍ୟର ବିମାନ କ୍ରୟ କରୁଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଗୁଜରାଟ ବିମାନ ନିର୍ମାଣ କରିବା ଦିଗରେ ଆଗକୁ ବଢ଼ୁଛି ।

‘ଜୀବନ ବଞ୍ଚିବାକୁ ସହଜ କରିବା ଏବଂ ଜୀବନ ଧାରଣର ଶୈଳୀ ସରକାରଙ୍କ ପାଇଁ ଶୀର୍ଷତମ ପ୍ରାଥମିକତା ଗୁଡିକ ମଧ୍ୟରେ ରହିଛି’ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଅତୀତରେ ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଡାକ୍ତରଖାନା ଏବଂ ୟୁଟିଲିଟି ପେମେଣ୍ଟ ସେଣ୍ଟର, ବୀମା ଏବଂ ପେନସନ୍ ସମ୍ବନ୍ଧୀୟ ସମସ୍ୟା ଏବଂ ଟିକସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଲମ୍ବା ଧାଡିରେ ଠିଆ ହେଉଥିବା ଭଳି ଅସୁବିଧା ଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ । ଡିଜିଟାଲ ଇଣ୍ଡିଆ ଅଭିଯାନ ଦ୍ୱାରା ଏହି ସବୁ ପ୍ରସଙ୍ଗ ଗୁଡିକର ସମାଧାନ କରାଯାଇଛି । ଟିକସ ରିଟର୍ଣ୍ଣ ପାଇଁ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଅନଲାଇନ୍ ଦାଖଲ କରିବାର ସହଜତା ବିଷୟରେ ସେ ଉଲ୍ଲେଖ କରିଛନ୍ତି ଏବଂ ଅଳ୍ପ ସମୟ ମଧ୍ୟରେ ରିଟର୍ଣ୍ଣ ଗୁଡିକ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତରିତ ହେଉଛି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

ବାସଗୃହର ମହତ୍ତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ଗରିବଙ୍କ ବାସଗୃହର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲୁ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କର ଏକ ଘର କରିବାର ସ୍ୱପ୍ନକୁ ମଧ୍ୟ ପୂରଣ କରିଛୁ ।’ ସେ ମଧ୍ୟବିତ୍ତଙ୍କ ପାଇଁ ପିଏମ୍ ଆବାସ ଯୋଜନା ଅଧୀନରେ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଏକ ସ୍ୱତନ୍ତ୍ର ରିହାତି ବିଷୟରେ ଉଲ୍ଲେଖ କରିଥିଲେ । ଗୁଜରାଟରେ ୬୦ ହଜାରଙ୍କ ସମେତ ୬ ଲକ୍ଷରୁ ଅଧିକ ପରିବାର ଏହାଦ୍ୱାରା ଉପକୃତ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ବାସଗୃହ ନାମରେ ଘଟିଥିବା ଠକେଇ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଛନ୍ତି ଯେ, ଆଇନ ଅଭାବରୁ ପୂର୍ବ ସରକାରଗୁଡିକ ବହୁ ବର୍ଷ ଧରି ଏହି ଗୃହର ଅଧିକାର ଦିଆଯାଇ ପାରୁ ନଥିଲା । ବର୍ତ୍ତମାନର ସରକାର ହିଁ ରୋରା ଆଇନ ପ୍ରଣୟନ କରିଛନ୍ତି ଏବଂ ଲୋକମାନଙ୍କ ସ୍ୱାର୍ଥ ରକ୍ଷା କରିଛନ୍ତି । ଆଜି ରେରା ଆଇନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଟଙ୍କା ଲୁଟ୍ ହେବାରୁ ପ୍ରତିରୋଧ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *