ବନ୍ଧାହେଲେ ପଟେରିଆ

Spread the love

ନୂଆଦିଲ୍ଲୀ: ଭାରି ପଡିଲା ପିଏମଙ୍କୁ ବିବାଦୀୟ ବୟାନ ଦେବା। ବନ୍ଧା ହେଲେ କଂଗ୍ରେସ ନେତା ରାଜା ପଟେରିଆ। ସମ୍ୱିଧାନର ସୁରକ୍ଷା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ କହିବା ପରେ କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ। ୪୮ ଘଣ୍ଟା ମଧ୍ୟରେ ରାଜା ପଟେରିଆଙ୍କୁ ମଧ୍ୟପ୍ରଦେଶ ଦାମୋହର ହଟ୍ଟା ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି ପୋଲିସ। ସେପଟେ ଘଟଣାକୁ ନେଇ କଂଗ୍ରେସକୁ ନିନ୍ଦା କରିଛି ବିଜେପି।

ସମ୍ୱିଧାନର ସୁରକ୍ଷା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ହତ୍ୟା କରିବାକୁ ଆହ୍ୱାନ ଦେଇ କଂଗ୍ରେସ ନେତା ରାଜା ପଟେରିଆ ଗିରଫ। ପଟେରିଆଙ୍କ ଆପତ୍ତିଜନକ ମନ୍ତବ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାପରେ ଏହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଏହାକୁ କଡା ନିନ୍ଦା କରାଯାଇଥିଲା। ପରେ ତାଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିଲା। ଆଜି ସକାଳୁ ମଧ୍ୟପ୍ରଦେଶ ଦାମୋହର ହଟ୍ଟା ସ୍ଥିତ ତାଙ୍କ ବାସଭବନରୁ କଂଗ୍ରେସ ନେତାଙ୍କୁ ଗିରଫ କରିଛି ପୋଲିସ।

କଂଗ୍ରେସ ନେତା ରାଜା ପଟେରିଆ କହିଥିଲେ, ଜାତି, ଧର୍ମ, ଭାଷା ଆଧାରରେ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ। ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ପାଇଁ ଏହା ବିପଦ। ମୋଦି ନିର୍ବାଚନ ପ୍ରକ୍ରୀୟା ବନ୍ଦ କରିବାକୁ ଚାହୁଁଛନ୍ତି। ମୋଦିଙ୍କୁ ହତ୍ୟା କରି ସମ୍ୱିଧାନ ବଞ୍ଚାଇବାକୁ ହେବ ବୋଲି କହିଥିଲେ ପଟେରିଆ।

ତେବେ ପଟେରିଆଙ୍କ ଏହି ବୟାନ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ଘଟଣାକୁ ନେଇ ସଫେଇ ରଖିଥିଲେ ରାଜା ପଟେରିଆ। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ସେ ନରେନ୍ଦ୍ରମୋଦିଙ୍କୁ ପରବର୍ତ୍ତି ନିର୍ବାଚନରେ ହରାଇବା ପାଇଁ ଆହ୍ୱାନ ଦେଇଥିଲେ। କିନ୍ତୁ ଏହାକୁ ଭୁଲ ଭାବେ ଦର୍ଶାଯାଇଛି। ମୋର ସେଭଳି କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି କହିଥିଲେ ରାଜା ପଟେରିଆ।

ସେପଟେ ଭିଡିଓ ଭାଇରାଲ୍ ହେବା ପରେ କ୍ଷମତାସୀନ ବିଜେପି ନେତାମାନେ କଂଗ୍ରେସକୁ ଟାର୍ଗେଟ କରିବା ସହ କଂଗ୍ରେସ ନେତା ରାଜାଙ୍କ ବିରୋଧରେ ଏଫଆଇଆର୍ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେବାପରେ ମଙ୍ଗଳବାର ସକାଳ ୫.୩୦ରେ ପଟେରିଆଙ୍କୁ ଗିରଫ କରିଛି ପୋଲିସ। ବିଜେପି ନେତାମାନେ ବିବୃତ୍ତିକୁ ନିନ୍ଦା କରିବା ସହ ପଟେରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ, ଏହି ପ୍ରକାର ମାନସିକତା ହେତୁ ସମଗ୍ର ଦେଶରେ କଂଗ୍ରେସ ଧ୍ୱଂସ ହେବାକୁ ଯାଉଛି। ଏହିଭଳି ନିନ୍ଦନୀୟ ଓ ଘୃଣ୍ୟ ମନ୍ତବ୍ୟ ପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ୍ ବୋଲି କହିଥିଲେ। ଅଶ୍ୱନୀ ବୈଷ୍ଣବ ମଧ୍ୟ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ତେବେ ପୂର୍ବରୁ ମଧ୍ୟ କଂଗ୍ରେସ ନେତା ରାଜା ପଟେରିଆ ବିବାଦୀୟ ବିବୃତ୍ତି ଦେଇ ବିବାଦରେ ଫସିଥିଲେ। ଆଦିବାସୀମାନଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିଲେ ପଟେରିଆ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *